ଚନ୍ଦ୍ରଶେଖରପୁର ସାହିତ୍ୟ ସଂସଦର ବାର୍ଷିକ ଉତ୍ସବ

ଭୁବନେଶ୍ବର: ଆଜିର ଯୁବପିଢ଼ି ସାହିତ୍ୟ ଓ ସମାଜ ବିଜ୍ଞାନଠାରୁ ଦୂରେଇ ନଯାଇ ଏହାର ନିକଟବର୍ତ୍ତୀ ହେବା ଅତ୍ୟନ୍ତ ଜରୁରୀ। ସାମାଜିକ ସଙ୍କଟର ସମାଧାନ ପାଇଁ ସାହିତ୍ୟ ଓ ସମାଜ ବିଜ୍ଞାନର ଅଧିକ ପୁସ୍ତକ ରଚନା ଓ ପାଠକୀୟତାର ଆବଶ୍ୟକ ରହିଛି ବୋଲି ମୁଖ୍ୟ ଅତିଥି ପଦ୍ମଶ୍ରୀ ଦେବୀପ୍ରସନ୍ନ ପଟ୍ଟନାୟକ ତାଙ୍କ ଉଦ୍‌ଘାଟନୀ ଅଭିଭାଷଣରେ କହିଥିଲେ। ଚନ୍ଦ୍ରଶେଖରପୁର ସାହିତ୍ୟ ସଂସଦର ୫ମ ବାର୍ଷିକ ଉତ୍ସବ କାନନବିହାରସ୍ଥିତ ଶ୍ରୀଜୟଦେବ ଶିକ୍ଷାକେନ୍ଦ୍ରଠାରେ ଅନୁଷ୍ଠିତ ହୋଇଯାଇଛି।

ସାହିତ୍ୟ ଏକାଡେମି ପୁରସ୍କାରପ୍ରାପ୍ତ ଗାଳ୍ପିକ କୃଷ୍ଣସାଗର ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗ ଦେଇଥିଲେ ପ୍ରଫେସର ଅଶୋକ କୁମାର ମହାନ୍ତି ଏବଂ ପ୍ରଫେସର ଅଭୟ କୁମାର ବେହେରା। ଏହି ଅବସରରେ ଗାଳ୍ପିକ ଯଶୋବନ୍ତ ସେଠୀଙ୍କ ଗଳ୍ପ ସଂକଳନ ‘ଅସ୍ତରାଗ’, ସଂସଦର ମୁଖପତ୍ର ‘ଚିହ୍ନ-୪୦’ ଏବଂ କବିତା ସଂକଳନ ‘ଗାଆଁ ମାଟି’ ସହ ୟୁ-୧୯ର ଲୋଗୋ ଉନ୍ମୋଚିତ ହୋଇଥିଲା। ଏହି ଅବସରରେ ଡ. ସଂଘମିତ୍ରା ଭଞ୍ଜ, ଡ. ପ୍ରତିମାରାଣୀ ମିଶ୍ର ଷଡ଼ଙ୍ଗୀ, ବିଜୟଲକ୍ଷ୍ମୀ ମହାନ୍ତି ପଟ୍ଟନାୟକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ରଶ୍ମି ଦାସ, ଦୀପ୍ତିମୟୀ ସାହୁ, ସ୍ବରୂପା ସୂତାରଙ୍କ ସଂଯୋଜନାରେ ଅନୁଷ୍ଠିତ କବିତା ପାଠୋତ୍ସବରେ ଅର୍ଦ୍ଧଶତାଧିକ କବି ସ୍ବରଚିତ କବିତା ପାଠ କରିଥିଲେ। କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଦେବାଶିଷ ମହାପାତ୍ର ଏବଂ ଅନୁଷ୍ଠାନର ପ୍ରତିଷ୍ଠାତା ସମ୍ପାଦକ କବି ବସନ୍ତ ମାଝି। କବୀ କ୍ଷଣପ୍ରଭା ମହାନ୍ତି ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର