୬୦ କିମିରେ ରହିବ ଗୋଟିଏ ଟୋଲ୍ ପ୍ଲାଜା: ୨୦୨୪ ସୁଦ୍ଧା ଆମେରିକା ମାନର ସଡ଼କ

୨ ବର୍ଷରେ ପେଟ୍ରୋଲ୍ ଗାଡ଼ି ଦାମ୍‌ରେ ମିଳିବ ଇଭି

ନୂଆଦିଲ୍ଲୀ: ଦେଶରେ ୬୦ କିଲୋମିଟର ଭିତରେ ଗୋଟିଏ ଟୋଲ୍ ପ୍ଲାଜା ରହିବ। ଯଦି କୌଣସି ଠାରେ ଏକରୁ ଅଧିକ ଟୋଲ୍ ପ୍ଲାଜା ଥିବ ତେବେ ଅତିରିକ୍ତ ଟୋଲ୍ ପ୍ଲାଜାକୁ ତିନି ମାସ ଭିତରେ ବନ୍ଦ କରିଦିଆଯିବ। ଟୋଲ୍ ପ୍ଲାଜା ଆଖପାଖରେ ବାସ କରୁଥିବା ଲୋକମାନଙ୍କୁ ଆଧାର କାର୍ଡ ଅନୁସାରେ ପାସ୍ ପ୍ରଦାନ କରାଯିବ ବୋଲି କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତୀନ ଗଡ଼କରୀ କହିଛନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ ଭାରତୀୟ ସଡ଼କଗୁଡ଼ିକ ୨୦୨୪ ସୁଦ୍ଧା ଆମେରିକାର ସଡ଼କ ଭଳି ହୋଇଯିବ। ଦେଶରେ ଥିବା ରାଜପଥ ପାର୍ଶ୍ବରେ ୬୫୦ ସୁବିଧା କେନ୍ଦ୍ର ସ୍ଥାପନ କରାଯିବ। ସେଥିରେ ମା’ମାନଙ୍କ ଲାଗି ଶିଶୁ ଯତ୍ନ ସୁବିଧା, ଶୀତତା‌ପ ନିୟନ୍ତ୍ରିତ କୋଠରି, ଶୌଚାଳୟ, ଟ୍ରମା ସେଣ୍ଟର ଓ ଏୟାର ଆମ୍ବୁଲାନ୍ସ ପାଇଁ ହେଲିପ୍ୟାଡ୍ ଭଳି ସୁବିଧା ସୁଯୋଗ ରହିବ ବୋଲି ଶ୍ରୀ ଗଡ଼କରୀ କହିଛନ୍ତି। କାର୍ ଯାତ୍ରୀମାନଙ୍କ ସୁରକ୍ଷା ଲାଗି ଗ୍ରହଣ କରାଯାଇଥିବା ପଦ‌େକ୍ଷପ ବିଷୟରେ ଆଲୋଚନା କରି ସେ କହିଛନ୍ତି ଏବେ ଦେଶରେ ଯେଉଁ ଯାତ୍ରୀବାହୀ କାର୍ ତିଆରି ହେଉଛି ସେଥିପାଇଁ ୬ ଏୟାରବ୍ୟାଗ୍ ବାଧ୍ୟତାମୂଳକ କରାଯାଇଛି।

ଦୁଇ ବର୍ଷରେ ପେଟ୍ରୋଲ୍ ଗାଡ଼ି ଦାମ୍‌ରେ ମିଳିବ ଇଲେକ୍ଟ୍ରିକ୍ ଗାଡ଼ି ବା ଇଭି। ପ୍ରଯୁକ୍ତି ଓ ସବୁଜ ଇନ୍ଧନ କ୍ଷେତ୍ରରେ ଜାରି ରହିଥିବା ବିକାଶ ଯୋଗୁଁ ଇଲେକ୍ଟ୍ରିକ୍ ଗାଡ଼ିର ଦାମ୍ ହ୍ରାସ ପାଇବ ସେ ବୋଲି କହିଛନ୍ତି। ପରିବହନ କ୍ଷେତ୍ରରେ ହାଇଡ୍ରୋ‌ଜେନ୍ ପ୍ରଯୁକ୍ତିକୁ ଗ୍ରହଣ କରିବା ଲାଗି ସେ ସାଂସଦମାନଙ୍କୁ ଆହ୍ବାନ ଦେଇଛନ୍ତି। ନିଜ ନିର୍ବାଚନ ମଣ୍ଡଳୀ ଅଧୀନରେ ଥିବା ଜିଲ୍ଲାଗୁଡ଼ିକରେ ସ୍ବେରେଜ ପାଣିରୁ ଗ୍ରିନ୍ ହାଇଡ୍ରୋଜେନ୍ ଉତ୍ପାଦନ କରିବା ଲାଗି ଉଦ୍ୟମ କରିବାକୁ ସେ ସାଂସଦମାନଙ୍କୁ କହିଛନ୍ତି। ଖୁବ୍‌ଶୀଘ୍ର ହାଇଡ୍ରୋଜନ୍ ସୁଲଭ ଇନ୍ଧନ ବିକଳ୍ପ ଭାବେ ଆବିର୍ଭୁତ ହେବ ବୋଲି ସେ କହିଛନ୍ତି। ଶ୍ରୀ ଗଡ଼କରୀ କହିଛନ୍ତି ଯେ ଅତିବେଶିରେ ଦୁଇ ବର୍ଷ ଭିତରେ ଇଲେକ୍ଟ୍ରିକ୍ ସ୍କୁଟର, କାର୍, ଅଟୋରିସ୍କାର ଦାମ୍ ପେଟ୍ରୋଲ୍‌ ଚାଳିତ ଗାଡ଼ି ଦାମ୍ ସହ ସମାନ ହୋଇଯିବ। ଲିଥିଅମ୍-ଆୟନ ବ୍ୟାଟେରି ଦାମ୍ ହ୍ରାସ ପାଉଛି। ଜିଙ୍କ-ଆୟନ, ଆଲୁମିନିୟମ୍-ଆୟନ ଓ ସୋଡିୟମ୍-ଆୟନ ବ୍ୟାଟେରି ମଧ୍ୟ ବିକାଶ କରାଯାଉଛି। ଯଦି ପେଟ୍ରୋଲ୍ ପାଇଁ ଗ୍ରାହକ ୧୦୦ ଟଙ୍କା ଖର୍ଚ କରୁଛନ୍ତି ତେବେ ଇଲେକ୍ଟ୍ରିକ୍ ଗାଡ଼ି ପାଇଁ ମାତ୍ର ୧୦ଟଙ୍କା ଖର୍ଚ କରିବାକୁ ପଡ଼ିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର