ଲଖନପୁର ବ୍ଲକ ବିଭାଜନ, ପାଣି, ଚାକିରି ସମସ୍ୟାର ଦୂରୀକରଣ ମୋର ଲକ୍ଷ୍ୟ: କିଶୋର ଚନ୍ଦ୍ର ପଟେଲ

ଝାରସୁଗୁଡ଼ା(ତେଜସ୍କର ମହାପାତ୍ର): ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ବିଧାନସଭା ଆସନରେ କଂଗ୍ରେସ ପକ୍ଷରୁ ଏଥର ମଇଦାନକୁ ଓହ୍ଲାଇଛନ୍ତି ଭେଟେରାନ୍‌ ନେତା କିଶୋର ଚନ୍ଦ୍ର ପଟେଲ। ପୂର୍ବତନ ମନ୍ତ୍ରୀ, ପୂର୍ବତନ ବାଚସ୍ପତି ଶ୍ରୀ ପଟେଲଙ୍କ ନିର୍ବାଚନୀ ପ୍ରସ୍ତୁତିକୁ ନେଇ ‘ସମ୍ବାଦ’ ସହ ସ୍ବତନ୍ତ୍ର ସାକ୍ଷାତକାର…
ସମ୍ବାଦ: ନିର୍ବାଚନକୁ ଆଉ ହାତଗଣତି ଦିନ କେଇଟା ରହିଲା। ପ୍ରସ୍ତୁତି କେମିତି ଚାଲିଛି?
କିଶୋର: ପ୍ରସ୍ତୁତି ବେଶ୍‌ ଭଲରେ ଚାଲିଛି। ସହରାଞ୍ଚଳକୁ ଯେତିକି ପ୍ରାଧାନ୍ୟତା ଦେଉଛି, ଗ୍ରାମାଞ୍ଚଳରେ ବି ସେତିକି ଫୋକସ୍‌ ରଖିଛି। ସଭା ସମିତିରୁ ନେଇ ଉତ୍ସବ, ସଙ୍କୀର୍ତ୍ତନରେ ସାମିଲ୍‌ ହେଉଛି। ଲୋକେ ବି ବେଶ୍‌ ଭଲରେ ଗ୍ରହଣ କରୁଛନ୍ତି।
ସମ୍ବାଦ: ବ୍ରଜରାଜନଗର ପାଣିପାଗ ଏଥର ଆପଣଙ୍କ ପାଇଁ କେମିତି ରହିଛି?
କିଶୋର: ପାଣିପାଗ ମୋ ସପକ୍ଷରେ ନିଶ୍ଚିତ ରହିଛି। ପ୍ରତିପକ୍ଷ ଦୁଇଟି ଦଳରେ ଅର୍ନ୍ତଦ୍ବନ୍ଦ୍ବ ଲାଗି ରହିରହିଥିବା ମୋର ମନେହୁଏ। ସେମାନଙ୍କ ଦଳ ଭିତରେ କର୍ମୀଙ୍କ ମଧ୍ୟରେ ମତଭେଦ ରହିଛି। ଯାହା ମୋ ପାଇଁ ଶୁଭଙ୍କର ହେବ ବୋଲି ମୁଁ ଆଶା କରୁଛି।
ସମ୍ବାଦ: ଏଥର ଆପଣଙ୍କ ସମ୍ମୁଖରେ ଉପ ନିର୍ବାଚନରେ ବିଜୟୀ ହୋଇଥିବା ଜଣେ ବିଧାୟିକା ଓ ୫ ବର୍ଷ ସଫଳ ସାଂସଦ ଭାବେ କାଟିଥିବା ନେତା ଅଛନ୍ତି। ରଣନୀତି କ’ଣ ରହିବ?
କିଶୋର: ବିଧାୟିକା ଓ ସାଂସଦଙ୍କୁ ଲୋକେ ସୁଯୋଗ ଦେଇଛନ୍ତି। ସେମାନଙ୍କ କାର୍ଯ୍ୟକଳାପ ବି ଦେଖି ସାରିଲେଣି। ତେଣୁ ମୋତେ ଥରୁଟିଏ ସୁଯୋଗ ଦେବାକୁ ଓ ମୋର କାର୍ଯ୍ୟଶୈଳୀର ପ୍ରମାଣ ଦେବାକୁ ଲୋକଙ୍କୁ ନିବେଦନ କରୁଛି। ଏହାସହିତ ୨ ପ୍ରତିଦ୍ବନ୍ଦ୍ବୀଙ୍କ ତମାମ୍‌ ବିଫଳତା ହିଁ ମୋର ରଣନୀତି ହେବ।
ସମ୍ବାଦ: କେଉଁ ପ୍ରସଙ୍ଗ ନେଇ ଲୋକଙ୍କ ପାଖକୁ ଯାଉଛନ୍ତି?
କିଶୋର: ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀରେ ପ୍ରସଙ୍ଗ ହିଁ ପ୍ରସଙ୍‌ଗ ରହିଛି। ଓଡ଼ିଶାର ଜୀବନରେଖା ମହାନଦୀ ରହିଛି କିନ୍ତୁ ଚାଷୀଙ୍କ କ୍ଷେତକୁ ପାଣି ଯାଉନି, ମାଳ ମାଳ ଶିଳ୍ପାନୁଷ୍ଠାନ ରହିଛି ଅଥଚ ଯୁବଗୋଷ୍ଠୀ ବେକାର ରହିଛନ୍ତି, ପର୍ଯ୍ୟାପ୍ତ ଖଣିଜ ପାଣ୍ଠି ଆସୁଛି କିନ୍ତୁ ଶିକ୍ଷାର ବିକାଶ ପାଇଁ ସରକାରୀ ଡିଗ୍ରି ‌କଲେଜଟିଏ ଖୋଲି ପାରିନି। ୪୯ ନଂ ଜାତୀୟ ରାଜପଥର ସମ୍ପ୍ରସାରଣ, ଇବ୍‌ ନଦୀରେ ପୋଲ ନିର୍ମାଣ ଭଳି ସମସ୍ୟାର ସମାଧାନ ହିଁ ଚଳିତ ନିର୍ବାଚନରେ ମୋର ପ୍ରମୁଖ ପ୍ରସଙ୍ଗ ରହିଛି। ସୁଯୋଗ ମିଳିଲେ ଲୋକଙ୍କ ହକ୍‌ ପାଇଁ ଲଢେଇ କରିବି।
ସମ୍ବାଦ: ଲଖନପୁର ବ୍ଲକ ବିଭାଜନ ପ୍ରସଙ୍ଗକୁ କେମିତି ଦେଖନ୍ତି?
କିଶୋର: ରାଜ୍ୟର ଅନ୍ୟତମ ବୃହତ୍‌ ବ୍ଲକ ତଥା ୩୩ଟି ପଞ୍ଚାୟତ ଥିବା ବ୍ଲକ ବିଭାଜନର ବହୁତ ଆବଶ୍ୟକତା ରହିଛି। ଜିଲ୍ଲାରେ ଗୋଟିଏ ମାତ୍ର ସବ୍‌ ଡିଭିଜନ୍‌। ତେଣୁ ଲଖନପୁର ବ୍ଲକ ବିଭାଜନ ସାଙ୍ଗକୁ ସବ୍‌ ଡିଭିଜନ୍‌ ଘୋଷଣା ନିତାନ୍ତ ଜରୁରୀ ହୋଇପଡ଼ିଲାଣି। ଏହାକୁ ନେଇ ଦୀର୍ଘବର୍ଷ ହେବ ଆନ୍ଦୋଳନ ବି ଜାରି ରହିଛି। କିନ୍ତୁ ଜନ ପ୍ରତିନିଧି କି ସରକାର କେହି କର୍ଣ୍ଣପାତ ନକରିବା ଦୁର୍ଭାଗ୍ୟଜନକ।
ସମ୍ବାଦ: ବ୍ରଜରାଜନଗର ଆସନରୁ ୨ ଥର ଭାଗ୍ୟ ପରୀକ୍ଷା କରିସାରିଛନ୍ତି। ଏଥର ଜନମତ ଆପଣଙ୍କ ସପକ୍ଷରେ ଯିବ ତ?
କିଶୋର: ଏଥର ଜନମତ ବି ମୋ ସହିତ ଅଛି ଓ ମୋର ଦୃଢ ବିଶ୍ବାସ ବି ରହିଛି। ସାଧାରଣ ଲୋକେ ଅନ୍ୟ ନେତାଙ୍କ କାର୍ଯ୍ୟ ଦେଖି ସାରିଲେଣି। ଗଣତନ୍ତ୍ରର ଏହି ମହାପର୍ବରେ ଜଜନତା ହେଉଛନ୍ତି ସର୍ବେସର୍ବା। ତେଣୁ ସେମାନେ ଚାହିଁଲେ ଜନମତ ନିଶ୍ଚିତ ଭାବେ ମୋ ସପକ୍ଷରେ ଯିବ।
ସମ୍ବାଦ: ଆପଣଙ୍କ ଦଳର ନେତା ସ୍ବାଧୀନ ଭାବେ ଲଢିବାକୁ ସୋସିଆଲ ମିଡିଆରେ ଘୋଷଣା କରିଥିଲେ। ମନୋମାଳିନ୍ୟ ଦୂର ହେଲାଣି ନା ନାହିଁ?
କିଶୋର: ଆମ ଭିତରେ କୌଣସି ପ୍ରକାର ମନୋମାଳିନ୍ୟ ନାହିଁ କି ଆମେ କେବେ ଝଗଡ଼ା କରିନୁ। ଉକ୍ତ ନେତାଙ୍କର ଗରତାନ୍ତ୍ରିକ ଅଧିକାର ରହିଛି ନିର୍ବାଚନ ଲଢିବା ପାଇଁ। ସେ ଟିକେଟ ପାଇଁ ଆବେଦନ ବି କରିଥିଲେ କିନ୍ତୁ କଂଗ୍ରେସ ହାଇକମାଣ୍ଡ ମୋ ଉପରେ ଭରସା କଲେ। ଯଦି ସେ ସ୍ବାଧୀନ ଭାବେ ଲଢିବାକୁ ନିଷ୍ପତ୍ତି ନିଅନ୍ତି, ତେବେ ତାଙ୍କୁ ଯାଇ ବୁଝାଇବି।
ସମ୍ବାଦ: ଚଳିତ ନିର୍ବାଚନରେ ଆପଣଙ୍କ ପୁଅ ବି ଟିକେଟ ପାଇଁ ଆବେଦନ କରିଥିଲେ। କାରଣ କ’ଣ?
କିଶୋର: ମୋ ପୁଅ କଂଗ୍ରେସର ଜଣେ ପ୍ରାଥମିକ ସଦସ୍ୟ। ତା’ର ମଧ୍ୟ ଅଧିକାର ରହିଛି ସେ କେଉଁଠୁ ପ୍ରାର୍ଥୀ ହେବ କି କେଉଁ ପଦ ପଦବିରେ ରହିବ। କିନ୍ତୁ ଲବି କରିନଥିଲା। ହୁଏତ ତାକୁ ଟିକେଟ ମିଳିଥିଲେ ମୋ ପାଇଁ ଭଲ ହୋଇଥାନ୍ତା। ମୁଁ ଆଉ ନିର୍ବାଚନ ଲଢିନଥାନ୍ତି।
ସମ୍ବାଦ: ଶିକ୍ଷାଗତ ଯୋଗ୍ୟତା ଏମ୍‌ଏ, ଏଲ୍‌ଏଲ୍‌ବି। ପେଶା କୃ‌ଷି। କିନ୍ତୁ ନିଶା କାହିଁକି ରାଜନୀତି?
କିଶୋର: ମୁଁ ଏଲ୍‌ଏଲ୍‌ବି ପାଠ ପଢ଼ିଛି। କିଛି ସମୟ ପାଇଁ ଆଇନ୍‌ ପ୍ରାକ୍ଟିସ୍‌ ବି କରିଛି। କିନ୍ତୁ ୧୯୭୭ ମସିହାରେ ସୁନ୍ଦରଗଡ଼ରେ କୌଣସି ବରିଷ୍ଠ ନେତା ପ୍ରାର୍ଥୀ ହେବାକୁ ରାଜି ହେଲେନି। ସେତେବେଳେ ଡ.ହରେକୃଷ୍ଣ ମହତାବ ମତେ ବାଧ୍ୟ କଲେ ନାମାଙ୍କନ ଦାଖଲ କରିବାକୁ। ତେଣୁ ନିର୍ବାଚନ ଲଢିଲି, ଆଉ ପଛକୁ ଫେରିନି। କିନ୍ତୁ ଚାଷ ଜମି ଅଛି ବୋଲି ଏବେ ବି ଚାଷ କରେ।
ସମ୍ବାଦ: ୨୦୧୪ ନିର୍ବାଚନରେ ଆପଣଙ୍କର ସମ୍ପତି ୯ କୋଟି ଥିଲା, ୨୦୨୨ ବେଳକୁ ୬.୯ କୋଟି ହେଲା। କ୍ଷମତାରେ ନଥିଲେ ବୋଲି କ’ଣ ସମ୍ପତି କମିଗଲା?
କିଶୋର: ନା ସେଭଳି କିଛି ନୁହେଁ। ୨୦୧୪ରୁ ୨୦୨୨ ମଧ୍‌ୟରେ ମୁଁ ମୋର ସମ୍ପତିର କିଛି ଅଂଶ ମୋ ନାତିକୁ ଉପହାରରେ ଦେଇଛି। ତେଣୁ ବ୍ରଜରାଜନଗରରେ ଗତ ଉପ ନିର୍ବାଚନ ବେଳେ ଦେଇଥିବା ସତ୍ୟପାଠରେ ସମ୍ପତି ୬.୯ କୋଟି ଥିବା ଦର୍ଶାଇଥିଲି।
ସମ୍ବାଦ: ସମଗ୍ର ଦେଶରେ କଂଗ୍ରେସର ସ୍ଥିତି ଭଲ ନାହିଁ। ଆପଣ ଅନ୍ୟ ଦଳକୁ ଯିବା ପାଇଁ କେବେ ଚାହିଁନାହାନ୍ତି ନା ସୁଯୋଗ ମିଳିନି?
କିଶୋର: କଂଗ୍ରେସର ନୀତି ଆଦର୍ଶକୁ ମାନି ଆଜିଯାଏ ଚାଲିଛି। ପ୍ରାୟ ୫ ଦଶନ୍ଧୀର ଲମ୍ବା ପଲିଟିକାଲ କ୍ୟାରିୟରରେ ଅନେକ ଦଳରୁ ଡକରା ବି ଆସିଛି। କିନ୍ତୁ କାଲି କଂଗ୍ରେସରେ ଥିଲି, ଆଜି ଅଛି ଓ ମରିବା ଯାଏ କଂଗ୍ରେସରେ ହିଁ ରହିବି।

ସମ୍ବନ୍ଧିତ ଖବର