ଇନ୍ଦିରା କଲୋନିରୁ ଏଟିଏମ୍‌ ତାଡ଼ିନେବା ଘଟଣା: ‌କେମିତି ଲୁଟିଥିଲେ, ପୁଲିସକୁ ଦେଖାଇଲେ

ଭୁବନେଶ୍ବର: ଲିଙ୍ଗିପୁର ଇନ୍ଦିରା କଲୋନିରୁ ଏସ୍‌ବିଆଇ ଏଟିଏମ୍‌ ତାଡ଼ି ୨୧ ଲକ୍ଷ ଲୁଟ୍‌ ଘଟଣାରେ ଆଜି ପୁଲିସ୍‌ ସିନ୍‌-ରିକ୍ରିଏସନ୍‌ କରାଇଛି। ବେଙ୍ଗାଲୁରୁରୁ ଗିରଫ ହୋଇଥିବା ୨ ଅଭିଯୁକ୍ତ ଖୋକନ ମୌଲା ଓ ମିଜାନୁର ରହେମାନ୍‌ ମୌଲାକୁ ନେଇ ପୁଲିସ ଆଜି ଘଟଣାସ୍ଥଳକୁ ଯାଇଥିଲା। ସେମାନେ କେମିତି ଏଟିଏମ୍‌ ଲୁଟିଲେ, ତାହା ପୁଲିସ୍‌ ସାମ୍ନା‌ରେ ପୁଣି କରି ଦେଖାଇଥିଲେ।

କମିସନରେଟ୍‌ ପୁଲିସ୍‌ର ଗୋଟିଏ ଟିମ୍ ପ୍ରଥମେ ଲୁଟେରାଦ୍ବୟଙ୍କୁ ନେଇ ସେମାନେ ରହୁଥିବା ରାଜଧାନୀର ୩ଟି ହୋଟେଲ୍‌କୁ ଯାଇଥିଲା। ପୁରୁଣା ଷ୍ଟେସନ୍‌ ବଜାର ନିକଟ କମଳା ହୋଟେଲ୍‌ରେ ଦୁଇଜଣ ରହୁଥିବା ବେଳେ ଖାରବେଳନଗର ଜନତା ଲଜ୍‌ ଏବଂ ଭୁବନେଶ୍ବର ସେଣ୍ଟ୍ରାଲ୍‌ରେ ୪ଜଣ ରହିଥିଲେ। ଘଟଣା ଦିନ ଅର୍ଥାତ୍‌ ଗତ ୪ ତାରିଖ ରାତି ପାଖାପାଖି ସାଢ଼େ ୧୧ଟା ବେଳେ ସାମନ୍ତରାପୁର‌ସ୍ଥିତ ନିଛାଟିଆ ସ୍ଥାନରେ ଥିବା ଏକ ଭଙ୍ଗାଘରେ ଏକାଠି ହୋଇଥିଲେ। ପରେ ବ୍ଲୁ-ପ୍ରିଣ୍ଟ ଅନୁସାରେ ଲୁଟ୍‌ କରିଥିଲେ।

ସେମାନେ ପ୍ରଥମେ ଟାଟା ଏସ୍ ଚୋରି କରଥିଲେ। ଏଟିଏମ୍‌ ପାଖକୁ ୫ଜଣ ଯାଇଥିବା ବେଳେ ଜଣେ ନଦୀକୂଳରେ ଜଗି ରହିଥିଲା। ସେମାନେ କାଉଣ୍ଟର୍‌ରୁ ଏଟିଏମ୍‌ ମେସିନ୍‌ ତାଡ଼ିନେବା ପରେ ଟାଟା ଏସ୍‌ରେ ନଦୀପଠାକୁ ନେଇ ଯାଇଥିଲେ। ସେଠାରେ ଏକ ଶାବଳ ସାହାଯ୍ୟରେ ଏଟିଏମ୍‌କୁ ଭାଙ୍ଗି ସେଥିରୁ ସବୁତକ ଟଙ୍କା ଲୁଟି ନେଇଥିଲେ। ସେଦିନ ରାତିରେ ସେମାନେ ଯାହା ଯାହା କରିଥିଲେ, ଆଜି ପୁଲିସ୍‌ ସାମ୍ନାରେ ତାହାର ଡେମୋ ଦେଖାଇଥିଲେ। ପରେ ଲୁଟେରାଦ୍ବୟଙ୍କୁ କୋର୍ଟଚାଲାଣ କରାଯାଇଛି। ସେମାନଙ୍କ ସହ ଏହି ଘଟଣାରେ ସାମିଲ ଥିବା ଅନ୍ୟ ୫ ସହଯୋଗୀ ଓ ସେମାନଙ୍କଠାରୁ ଅନ୍ୟ ତଥ୍ୟ ଆଦାୟ ପାଇଁ ପୁଲିସ୍‌ ସେମାନଙ୍କୁ ୭ ଦିନିଆ ରିମାଣ୍ଡରେ ଆଣିବାକୁ ଆବେଦନ କରିଛି। ସେହିପରି ଏହି ଅଭିଯୁକ୍ତମାନେ ରହୁଥିବା ୩ ହୋଟେଲ‌କୁ ପୁଲିସ୍‌ ନୋଟିସ୍‌ ଜାରି କରିଛି। ସରାଇ ନିୟମ ଉଲ୍ଲଙ୍ଘନ କରିଥିବା ଯୋଗୁଁ ହୋଟେଲଗୁଡ଼ିକୁ ନୋଟିସ୍‌ କରାଯାଇଥିବା ଜଣାଯାଇଛି।

୭ ଦିନିଆ ରିମାଣ୍ଡରେ ଆସିବେ ୨ ଅଭିଯୁକ୍ତ
ଇଣ୍ଟରପୋଲ ସହାୟତା ପାଇଁ ଯିବ ଚିଠି

ଅପରପକ୍ଷେ, ଲୁଟେରାଦ୍ବୟ ପୁଲିସ୍‌କୁ ସେମାନଙ୍କ ଗ୍ୟାଙ୍ଗର ନେଟ୍‌ୱର୍କ ସମ୍ପର୍କରେ କିଛି ତଥ୍ୟ ଦେଇଛନ୍ତି, ତାହା ସଂପୂର୍ଣ୍ଣ ନୁହେଁ। ବହୁ କଥା ଲୁଚାଇଛନ୍ତି। ସେହିପରି ଲୁଟ୍‌ ଟଙ୍କା ଠାବ କରିପାରିନଥିବାରୁ ତାହା ପୁଲିସ୍‌ ପାଇଁ ଏକ ବଡ଼ ଆହ୍ବାନ ସୃଷ୍ଟି କରିଛି। ଏହି ଆନ୍ତର୍ଜାତିକ ଗ୍ୟାଙ୍ଗ ଭାରତ ସମେତ ନେପାଳ, ଭୁଟାନ୍‌, ବାଂଲାଦେଶ, ମ୍ୟାଁମାର୍‌ ଭଳି ଦେଶରୁ ଏଭଳି ଏଟିଏମ୍‌ ଲୁଟ୍‌ କରିଛନ୍ତି। ରିମାଣ୍ଡ ବେଳେ ଅଭିଯୁକ୍ତଦ୍ବୟଠାରୁ ଏ ସବୁ ତଥ୍ୟ ଉଗାରିବା ପାଇଁ ପୁଲିସ୍‌ ଚେଷ୍ଟା କରିବ ବୋଲି କୁହାଯାଉଛି। ସେହିପରି ଏମାନଙ୍କ ବିଷୟରେ ଅଧିକ ଅପରାଧିକ ତଥ୍ୟ ପାଇଁ ପୁଲିସ ଇଣ୍ଟରପୋଲ୍‌ର ସହାୟତା ନେବ। ଏଥିପାଇଁ କମିସନରେଟ୍‌ ପୁଲିସ ଖୁବ୍‌ଶୀଘ୍ର ଇଣ୍ଟରପୋଲ୍‌କୁ ଚିଠି ଲେଖିବ। ଏହାଛଡ଼ା ଅପରାଧୀଙ୍କ ସମ୍ପର୍କରେ ବାଂଲାଦେଶ ଦୂତାବାସକୁ ମଧ୍ୟ ଚିଠି ଲେଖାଯିବ ବୋଲି ପୁଲିସ କହିଛି।

ସମ୍ବନ୍ଧିତ ଖବର