କମ୍ପିଲା ବିଏମ୍‌ସି ବୈଠକ, ଧାରଣା ଦେଲେ ବିଜେପି କର୍ପୋରେଟର

ଭୁବନେଶ୍ବର: ଆଜି ପ୍ରବଳ ହୋ-ହଲ୍ଲା ଭିତରେ ବିଏମ୍‌ସି ବୈଠକ ଶେଷ ହୋଇଛି। ପ୍ରବଳ ବିରୋଧ ଯୋଗୁଁ କୌଣସି ପ୍ରସ୍ତାବ ଉପରେ ଫଳପ୍ରଦ ଆଲୋଚନା ହୋଇପାରିନଥିଲା। ପରିମଳ ବ୍ୟବସ୍ଥା ଓ ବେଆଇନ ନିଯୁକ୍ତିକୁ ନେଇ ବୈଠକରେ କମ୍ପନ ସୃଷ୍ଟି ହୋଇଥିଲା। ବିଜେପି କର୍ପୋରେଟରମାନେ ବୈଠକ ବର୍ଜନ କରି ଫାଟକ ସମ୍ମୁଖରେ ଧାରଣା ଦେବା ଯାଏ କଥା ଯାଇଥିଲା। ପରେ ସେମାନଙ୍କୁ ବୁଝାସୁଝା କରି ବୈଠକକୁ ଅଣାଯାଇଥିଲେ ମଧ୍ୟ ବିଭିନ୍ନ ପ୍ରସଙ୍ଗରେ ବିଏମ୍‌ସି କର୍ତ୍ତୃପକ୍ଷଙ୍କ ମନମୁଖୀ ନିଷ୍ପତ୍ତିକୁ ଘୋର ବିରୋଧ କରାଯାଇଥିଲା। ଏମିତିକି ବିଜେଡି କର୍ପୋରେଟରମାନେ ମଧ୍ୟ ମେୟର ଓ କମିସନରଙ୍କୁ ଘେରିଥିଲେ।
ପୂର୍ବାହ୍ନ ୧୧ଟା ବ‌େଳେ ବୈଠକ ଆରମ୍ଭ ହୋଇଥିଲା। ବିଜେପି କର୍ପୋରେଟର ଅପରୂପ ରାଉତ ଅଭିଯୋଗ କରିଥିଲେ ଯେ ମେୟର ବିଜେପି କର୍ପୋରେଟରଙ୍କ ସଭାରେ ଯୋଗଦେଉନାହାନ୍ତି। ଆଜାଦୀ କା ଅମୃତ ମହୋତ୍ସବ ଅବସରରେ ଆୟୋଜିତ ସଭାରେ ମେୟର ଯୋଗ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ପରେ ମନା କରି ଦେଉଛନ୍ତି। ସଭାରେ ବିଜେଡି ବିଧାୟକ ନଥିଲେ ସେ ଆଜାଦୀ କା ଅମୃତ ମହୋତ୍ସବରେ ଯୋଗ ଦେଉନାହାନ୍ତି। ଏହି ଅଭିଯୋଗକୁ ନେଇ କଥା କଟାକଟି ହେବାରୁ ଅସନ୍ତୋଷ ପ୍ରକାଶ କରି ଅପରୂପଙ୍କ ସହ ଅନ୍ୟ ବିଜେପି କର୍ପୋରେଟରମାନେ ବାହାରକୁ ଚାଲିଯାଇଥିଲେ।

ପରିମଳ, ବେଆଇନ ନିଯୁକ୍ତି ପ୍ରସଙ୍ଗରେ ନିରବ କର୍ତ୍ତୃପକ୍ଷ
ସମ୍ପର୍କୀୟଙ୍କୁ ଚାକିରି ଦେଇଛନ୍ତି ଅଧିକାରୀ

ସେହିଭଳି ପରିମଳ ଅବ୍ୟବସ୍ଥାକୁ ନେଇ ପ୍ରବଳ ପାଟିତୁଣ୍ଡ ହୋଇଥିଲା। ସଫେଇର ନୂଆ‌ ପ୍ୟାକେଜ୍‌ ବ୍ୟବସ୍ଥାରେ ଟେଣ୍ଡର ପାଇଥିବା ସଂସ୍ଥା ଏଯାଏଁ ପ୍ରସ୍ତୁତ ହୋଇନଥିବାକୁ ନେଇ କର୍ପୋରେଟରମାନେ ପ୍ରଶ୍ନ କରିଥିଲେ। ପୁରୁଣା ସଂସ୍ଥା ଜାଗୃତି ଓ ପିଏମ୍‌ଆରଙ୍କର ଅବଧି ଆଉ ମାସେ କ’ଣ ପାଇଁ ବର୍ଦ୍ଧିତ କରାଯାଇଛି ବୋଲି ପ୍ରଶ୍ନ ଉଠିଥିଲା। ନୂଆ ସଂସ୍ଥା ଆୱାରଲ୍ୟାଣ୍ଡ ଓ ଗ୍ରିନ୍‌ ସର୍କଲକୁ ଅକ୍ଟୋବର ୧ ପର୍ଯ୍ୟନ୍ତ କାହିଁକି କୋହଳ କରାଯାଇଛି ବୋଲି ସେମାନେ ପ୍ରଶ୍ନ କରିଥିଲେ। ଯଦି ନୂଆ ସଂସ୍ଥାମାନଙ୍କର ଗାଡ଼ି ନଥିଲା ବା ସେମାନେ ସଫେଇ ପାଇଁ ପ୍ରସ୍ତୁତ ନଥିଲେ, ତେବେ ସେମାନଙ୍କୁ କାମ ଆରମ୍ଭ କରିବାକୁ କିଏ ଅନୁମତି ଦେଇଛି? କାହିଁକି ବିଏମ୍‌ସି ଗାଡ଼ି ଯୋଗାଇ ସେମାନଙ୍କୁ ସହଯୋଗ କରୁଛି? ଏଭଳି ପ୍ରଶ୍ନ କରି ଉଭୟ ବିଜେପି ଓ ବିଜେଡି କର୍ପୋରେଟରମାନେ ବିଏମ୍‌ସି ଅଧିକାରୀଙ୍କୁ ଘେରିଥିଲେ। ମାତ୍ର କମିସନର ଓ ପରିମଳ ଦାୟିତ୍ବରେ ଥିବା ଡେପୁଟି କମିସନର ରହସ୍ୟଜନକ ଭାବେ ନିରବ ରହିଥିଲେ। ଏଣୁ ପୁଣି ପ୍ରବଳ ହୋ-ହଲ୍ଲା ହୋଇଥିଲା।

ପୁଣି ‘ସାନିଟାରି ମଲ୍ଟି ଟାସ୍କିଂ ଆସିଷ୍ଟାଣ୍ଟ’ ସାନିଟାରି ଏକ୍ସପର୍ଟ ନିଯୁକ୍ତି ସବୁ ବେଆଇନ ବୋଲି କର୍ପୋରେଟରମାନେ ଅଭିଯୋଗ କରିଛନ୍ତି। ଅଧିକାରୀମାନେ ନିଜ ବନ୍ଧୁବାନ୍ଧବ ଓ ପରିବାର ସଦସ୍ୟଙ୍କୁ ନିଯୁକ୍ତି ଦେଇଥିବା ବେଳ‌େ ମେୟରଙ୍କ ଲୋକ ବି ନିଯୁକ୍ତି ପାଇଥିବା ନେଇ ଅଭିଯୋଗ ହୋଇଛି। ତତ୍କାଳୀନ କମିସନର କ୍ରିଷନ୍‌ କୁମାରଙ୍କ ସମୟରେ ଏମାନଙ୍କୁ ପିଏମ୍‌ଆର ନିଯୁକ୍ତି ଦେଇଥିବା ବେଳେ ଏବେ ଅଲ୍‌ଇଣ୍ଡିଆ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଲୋକାଲ୍‌ ସେଲ୍ଫ ଗଭର୍ଣ୍ଣମେଣ୍ଟ ନିଯୁକ୍ତି ଦେଇଛି। ନବୀକରଣ ଆଳରେ ୫୦ରୁ ଅଧିକ ପ୍ରତିଶତ ପୁରୁଣା କର୍ମଚାରୀଙ୍କୁ ବିଦା କରି ନିଜ ନିଜ ଲୋକଙ୍କୁ ବେଆଇନ ଭାବରେ ନିଯୁକ୍ତି ଦେଇଛନ୍ତି। ଡେପୁଟି କମିସନରଙ୍କ ଚାପରେ କମିସନର କିଛି ନ ଦେଖି ଏହି ସବୁ ନିଯୁକ୍ତିକୁ ସ୍ବୀକୃତି ଦେଇଥିବା ସେମାନେ ଅଭିଯୋଗ କରି ପାଟିତୁଣ୍ଡ କରିଥିଲେ। ତୁରନ୍ତ ସେମାନଙ୍କୁ କାର୍ଯ୍ୟରୁ ବାହାର କରାଯାଉ ବୋଲି ସେମାନେ ଦାବି କରିଥିଲେ।
ବଡ଼ କଥା ହେଉଛି ମାର୍କେଟ୍‌ ବିଲ୍ଡିଂ ପରିସରସ୍ଥ ଫଳ ବଜାରରେ ଫଳ ବେପାରୀଙ୍କ ବା‌ଦ୍‌ ଅନ୍ୟ ବେପାରୀଙ୍କୁ ଥଇଥାନ କରିବା ପାଇଁ ଡେପୁଟି କମିସନର(ମାର୍କେଟ୍‌) ଦେଇଥିବା ପ୍ରସ୍ତାବ ଏହି ବୈଠକରେ କାଟ୍‌ ଖାଇଛି। ସେହିଭଳି ଖାଓଗଳି(ସେଣ୍ଟ ଯୋଶେଫ୍‌ ସ୍କୁଲ ପାଖ)ରେ ଲାଇସେନ୍ସଧାରୀଙ୍କ ସମ୍ପର୍କୀୟଙ୍କ ନାମରେ ଦୋକାନ କରିଦେବାକୁ ବିଏମ୍‌ସି କରିଥିବା ଯୋଜନା ମଧ୍ୟ ସ୍ଥାନୀୟ କର୍ପୋରେଟର ବିରୋଧ ଯୋଗୁଁ ଗୃହୀତ ହୋଇପାରିନାହିଁ।

ଆଜି ବୈଠକରେ କର୍ପୋରେଟରମାନେ ପଚାରିଥିବା ବିଭିନ୍ନ ପ୍ରଶ୍ନର ଉତ୍ତର ବିଏମ୍‌ସି କର୍ତ୍ତୃପକ୍ଷ ଦେଇପାରିନାହାନ୍ତି। ମୋ’ ୱାର୍ଡ ସଭା ପାଇଁ କେଉଁଠୁ ପଇସା ଖର୍ଚ୍ଚ ହେଉଛି? ଅଜନ୍ତାକୁ ଦିଆଯାଇଥିବା ହୋର୍ଡିଂ ଟେଣ୍ଡରେ ଯେଉଁ ଲକ୍ଷ ଲକ୍ଷ ଟଙ୍କା ରାଜସ୍ବ ହାନୀ ହୋଇଛି, ତାହାକୁ କିଏ ଭରଣା କରିବ? ବିଶ୍ବକର୍ମା ପୂଜା ପାଇଁ ଗାଡ଼ି ଚାଳକଙ୍କୁ ୨ ଲକ୍ଷ ଟଙ୍କା କିଭଳି ଦେଇଦିଆଗଲା? ପୂର୍ବରୁ ସରକାର ଚଳାଉଥିବା ସହରାଞ୍ଚଳ ବାସହୀନଙ୍କ ସେଲ୍ଟରକୁ ଏବେ ଏତେଗୁଡ଼ାଏ ଟଙ୍କା ଖର୍ଚ୍ଚ କରି ବିଏମ୍‌ସି କାହଁକି ଚଳାଇବ? ଏହାକୁ କିଏ ତଦାରଖ କରିବ? ଏଭଳି ଅନେକ ପ୍ରଶ୍ନର ଉତ୍ତର ମିଳିନଥିଲା।

ଉଠିଲାନି ଉଚ୍ଛେଦ ପୂର୍ବରୁ କର୍ପୋରେଟରଙ୍କ ଅନୁମତି ପ୍ରସଙ୍ଗ

ଉଚ୍ଛେଦ ପୂର୍ବରୁ ଏଣିକି କର୍ପୋରେଟରଙ୍କ ଅନୁମତି ନେବା ପ୍ରସଙ୍ଗ ଆଜି ବୈଠକରେ ଆଲୋଚନା ହେବାର ଥିଲା। ଏମିତିକି ଏହି ପ୍ରସ୍ତାବକୁ ଗୃହୀତ କରାଇବାକୁ ଏକପ୍ରକାର ସ୍ଥିର ହୋଇଥିଲା। ମାତ୍ର ଆଜି ଏହି ପ୍ରସଙ୍ଗ ଉଠିଲାନାହିଁ। ଏହାକୁ ନେଇ ପୂର୍ବରୁ ଅଡ଼ି ବସିଥିବା କେତେକ କର୍ପୋରେଟର ଆଜି ଆଉ ଉଠାଇଲେ ନାହିଁ। ବୈଠକ ଆରମ୍ଭରୁ ହୋ-ହଲ୍ଲା ଓ ଧାରଣା ପର୍ଯ୍ୟନ୍ତ କଥା ଯିବାରୁ ଏହି ପ୍ରସଙ୍ଗ କୁଆଡ଼େ ମିଳେଇଗଲା। ତେବେ ପାର୍ବଣ ସମୟରେ ବାସଗୃହ ଉଛେଦ ନ କରିବାକୁ କେତେକ କର୍ପୋରେଟର ଅନୁରୋଧ କରିଥିଲେ। ସୂଚନାଯୋଗ୍ୟ ଯେ ଏଣିକି କୌଣସି ପ୍ରକାର ଉଚ୍ଛେଦ ପୂର୍ବରୁ ବିଏମ୍‌ସି କର୍ତ୍ତୃପକ୍ଷ ସ୍ଥାନୀୟ କର୍ପୋରେଟରଙ୍କ ଅନୁମତି ନେବାକୁ ପଡ଼ିବ ବୋଲି ଦାବି ହୋଇଥିଲା।

ସମ୍ବନ୍ଧିତ ଖବର