ମାଡ଼ୁଛି ଆଖିଧରା, ଲକ୍ଷଣ ଦେଖା‌ଦେଲେ ସ୍କୁଲ ନ ଆସିବାକୁ ପରାମର୍ଶ

ଚନ୍ଦ୍ରଶେଖରପୁର: ମାଡ଼ି ଚାଲିଛି ଆଖିଧରା ରୋଗ। ଗୋଟିଏ ପରେ ଗୋଟିଏ ଅଞ୍ଚଳକୁ ବ୍ୟାପୁଛି। ସାରା ରାଜ୍ୟରେ ଆତଙ୍କ ‌ଖେଳାଇଥିବା ଏହି ରୋଗ ଏବେ ସମସ୍ତଙ୍କ ଚିନ୍ତା ବଢ଼ାଇ ଦେଇଛି। ବିଶେଷକରି ବିଦ୍ୟାଳୟଗୁଡ଼ିକ ଆଖିଧରା ରୋଗ ସଂକ୍ରମଣର ହଟସ୍ପଟ୍ ପାଲଟିଥିବା ନଜରକୁ ଆସିଛି। ଉପାନ୍ତ ଜିଲ୍ଲାରେ ଥିବା ବିଦ୍ୟାଳୟଗୁଡ଼ିକରେ ଏହା ବ୍ୟାପକ ହୋଇଥିବାରୁ ରାଜଧାନୀର ଶିକ୍ଷାନୁଷ୍ଠାନରେ ଚିନ୍ତା ବଢ଼ିଯାଇଛି। ଆଖିଧରା ଯୋଗୁଁ ସ୍କୁଲରେ ଉପସ୍ଥାନ ସଂଖ୍ୟା କମିବାରେ ଲାଗିଛି। ଗତ ସପ୍ତାହ ଅପେକ୍ଷା ଏଥରକ ସହରର ସରକାରୀ ବିଦ୍ୟାଳୟଗୁଡ଼ିକରେ ଉପସ୍ଥାନ ହାର ପାଖାପାଖି ୧୨% କମିଛି। ଘରୋଇ ବିଦ୍ୟାଳୟ କର୍ତ୍ତୃପକ୍ଷ ଛାତ୍ରଛାତ୍ରୀଙ୍କ ଉପରେ ତୀକ୍ଷ୍ଣ ନଜର ରଖିବା ସହ ଆବଶ୍ୟକ ପଦକ୍ଷେପ ଗ୍ରହଣ କରୁଥିବାରୁ କିଛିଟା ଆଶ୍ବସ୍ତି ମିଳିଥିବା ଜଣାପଡ଼ିଛି।

ସହରର କିଛି ବିଦ୍ୟାଳୟ ପିଲାଙ୍କ ଆଖି ଲାଲ ପଡ଼ିଥିବା ବେଳେ ଆଉ କାହାର ଆଖି ଫୁଲି ଯାଇଛି। ସାଲିଆସାହିରେ ସ୍ଥିତି ଅନୁଧ୍ୟାନ କରିବା ସମୟରେ ଛୋଟ ପିଲାଙ୍କଠାରେ ଆଖିଧରା ରୋଗ ବ୍ୟାପିଥିବା ଦେଖିବାକୁ ମିଳିଥିଲା। କାହାର ଆଖିଧରା କମିଛି ତ ଆଉ କାହାର ଏବେ ବି ଜାରି ରହିଛି। ଚିକିତ୍ସା ପାଇଁ ଆଇଆରସି ଭିଲେଜ୍‌ ଓ ଜାଭିଅର ଛକରେ ଥିବା ସରକାରୀ ସ୍ବାସ୍ଥ୍ୟକେନ୍ଦ୍ରରେ ପିଲାଙ୍କ ଭିଡ଼ ପରିଲକ୍ଷିତ ହେଉଛି। ବହୁ ସଂଖ୍ୟାରେ ପିଲା ଆଖିଧରାରେ ସଂକ୍ରମିତ ହେବା ପରେ ବିଦ୍ୟାଳୟ କର୍ତ୍ତୃପକ୍ଷ ଓ ଅଭିଭାବକମାନେ ‌ପିଲାଙ୍କୁ ସତର୍କ କରାଇଛନ୍ତି। ଯେଉଁମାନଙ୍କର ଆଖିଧରା ରୋଗର କୌଣସି ବି ଲକ୍ଷଣ ଦେଖାଯାଉଛି, ସେମାନେ ବିଦ୍ୟାଳୟକୁ ନ ଆସିବାକୁ ପରାମର୍ଶ ଦିଆଯାଇଛି। ଆଖିଧରା ରୋଗ ହୋଇଥିବା ନେଇ କିଭଳି ଜାଣିବେ, ସେନେଇ ବିଦ୍ୟାଳୟଗୁଡ଼ିକ ପକ୍ଷରୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦିଆଯାଉଛି। ଆଖିଧରା ରୋଗ ରୋଗ ହେଲେ ଆଖି ଲାଲ୍ ପଡ଼ିବା ସହ ଖେଞ୍ଚି ହୁଏ। ଆଖିରୁ ପାଣି ବୋହିବା ସହ ଲେଞ୍ଜରା ବାହାରେ। ଏହି ରୋଗ ଉଭୟ ଭୂତାଣୁ ଓ ଜୀବାଣୁଜନିତ। ଭୂତାଣୁଜନିତ ଆଖିଧରାରେ ଆଖି ଲାଲ୍ ପଡ଼ିବା ସହ ଲୁହ ବାହରିଥାଏ। କିନ୍ତୁ ଜୀବାଣୁଜନିତ ଆଖିଧରାରେ ଆଖିରୁ ପ୍ରଚୁର ଲେଞ୍ଜରା ବାହାରିଥାଏ, ଆଖି ଲାଖିଯାଏ। ମୁଖ୍ୟତଃ ସଂକ୍ରମିତ ରୋଗୀର ଲୁହ ଓ ଲେଞ୍ଜରା ଜରିଆରେ ଆଖିଧରା ରୋଗ ସଂକ୍ରମିତ ହୋଇଥାଏ। ତେଣୁ ଆଖିଧରା ହୋଇଥିଲେ ରୋଗୀ ନିଜ ଆଖିଠାରୁ ହାତକୁ ଦୂରେଇ ରଖିବା ସହ ବାରମ୍ବାର ହାତ ଧୋଇବାକୁ ପିଲାମାନଙ୍କୁ କ୍ଲାସ ସମୟରେ ପରାମର୍ଶ ଦିଆଯାଉଛି।

ସ୍ୱାସ୍ଥ୍ୟ ବିଭାଗର ମାର୍ଗଦର୍ଶିକା ଅନୁଯାୟୀ, ଆଖିଧରା ଏକ ଡିଆଁ ରୋଗ ହୋଇଥିବାରୁ ପରିବାରର ଜଣେ ସଂକ୍ରମିତ ହେଲେ ଅନ୍ୟମାନେ ସଂକ୍ରମିତ ହେଉଛନ୍ତି । କିନ୍ତୁ ରୋଗୀର ଆଖିକୁ ଚାହିଁଲେ ଆଖିଧରା ରୋଗ ବ୍ୟାପିନଥାଏ। ଆକ୍ରାନ୍ତ ବ୍ୟକ୍ତିଙ୍କ ରୁମାଲ୍, ତଉଲିଆ, ତକିଆ ଆଦି ବ୍ୟବହାର କରନ୍ତୁ ନାହିଁ। ଆକ୍ରାନ୍ତ ବ୍ୟକ୍ତି ବ୍ୟବହାର କରିଥିବା ଆଇ-ଡ୍ରପ୍ ବ୍ୟବହାର ନ କରିବାକୁ ପରାମର୍ଶ ଦିଆଯାଇଛି। ନିଜର ଚଷମା ନିୟମିତ ସଫା ରଖିବା ସହ ସୁଇମିଂ ପୁଲ, ପୋଖରୀ ଆଦିରେ ମୁହଁ ବୁଡ଼ାନ୍ତୁ ନାହିଁ। ଆଖିରେ କୌଣସି ପ୍ରସାଧନ ସାମଗ୍ରୀ ବ୍ୟବହାର କରନ୍ତୁ ନାହିଁ। ଆଖି ଧରିଲେ ପରିଷ୍କାର କପଡ଼ା ଉଷୁମ ପାଣିର ପକାଇ ଆଖିକୁ ପୋଛନ୍ତୁ। ଆଖି ପୋଛା କପଡ଼ାକୁ ଗରମ ପାଣିରେ ଭିଜାଇବା ପରେ ନଷ୍ଟ କରିଦିଅନ୍ତୁ। ଡାକ୍ତରଙ୍କ ବିନା ପରାମର୍ଶରେ କୌଣସି ଆଖି ଔଷଧ ସେବନ ନ କରିବାକୁ ପରାମର୍ଶ ଦିଆଯାଇଛି। ରୋଗୀର ଆଖିକୁ ଦେଖିବା ଦ୍ୱାରା ଆଖିଧରା ରୋଗ ବ୍ୟାପି ନ ଥାଏ। ଏହା ଏକ ଅନ୍ଧବିଶ୍ବାସ ବୋଲି ଚକ୍ଷୁ ବିଶେଷଜ୍ଞମାନେ ମତପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର