ଧର୍ମେନ୍ଦ୍ର ସାହୁ ମୃତ୍ୟୁ, ଅର୍ଚ୍ଚନା ନାଗ କେଳେଙ୍କାରିରେ ମାଳମାଳ‌ ନେତା ଓ ମନ୍ତ୍ରୀ: ବିଜେପି

ପ୍ରତିବାଦରେ ରାଜଭବନ ସମ୍ମୁଖରେ ଧାରଣା

ଭୁବନେଶ୍ବର: ପୁରୀ ଜିଲ୍ଲା ପରିଷଦ ସଭ୍ୟ ନିମାପଡ଼ା ଧର୍ମେନ୍ଦ୍ର ସାହୁଙ୍କ ଆତ୍ମହତ୍ୟା ଘଟଣା ହେଉ କି ଭୁବନେଶ୍ବରରେ ଅର୍ଚ୍ଚନା ନାଗ କେଳେଙ୍କାରୀ ମାମଲା ହେଉ, ସବୁଥିରେ ସରକାରୀ ଦଳର ନେତା, ମନ୍ତ୍ରୀଙ୍କ ହାତ ରହିଛି। ସେହିଭଳି ଦୁର୍ନୀତି, ଟେଣ୍ଡର ଫିକ୍ସିଂ, ମନିଲଣ୍ଡରିଂ ମାମଲାରେ ଶାସକ ଦଳର ମାଳମାଳ ମନ୍ତ୍ରୀ, ବିଧାୟକ ଓ ନେତାଙ୍କ ସମ୍ପୃକ୍ତି ରହିଛି। କିନ୍ତୁ ରାଜ୍ୟ ସରକାର ସବୁ ଜାଣି ଚୁପ୍‌ ବସିଛନ୍ତି। କାର୍ଯ୍ୟାନୁଷ୍ଠାନ ନେବା ବଦଳରେ ସେମାନଙ୍କୁ ଘଣ୍ଟ ଘୋଡ଼ାଉଛନ୍ତି। ପୁଲିସ ବି ଚାପରେ ନିରବ ରହୁଛି। ଆଜି ରାଜ୍ୟ ବିଜେପି ଏଭଳି ଭାବେ ସିଧାସିଧା ସରକାରଙ୍କୁ ଟାର୍ଗେଟ୍‌ କରି ବର୍ଷିବା ସହ ରାଜଭବନ ସମ୍ମୁଖରେ ଧାରଣା ଦେଇଥିଲା।

ବିଜେପି ପକ୍ଷରୁ କୁହାଯାଇଛି ଯେ ଧର୍ମେନ୍ଦ୍ର ଆତ୍ମହତ୍ୟା କରିବା ପୂର୍ବରୁ ଜଣେ ବନ୍ଧୁଙ୍କୁ ଫୋନ୍‌ କରିଥିଲେ। ତାଙ୍କ ଆତ୍ମହତ୍ୟା ଲାଗି ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ, ବିନ୍ଦାସ ଚିନୁ ଏବଂ ମୁନା ମହାପାତ୍ର ଦାୟୀ ବୋଲି ଦାୟୀ କରିଥିଲେ। ଏହି ଫୋନ୍‌ ବାର୍ତ୍ତାଳାପର ଅଡିଓ ଭାଇରାଲ ହୋଇଥିଲା। ସେହିପରି ବ୍ଲାକମେଲର ଅର୍ଚ୍ଚନାଙ୍କ ବାସଭବନକୁ ଶାସକ ଦଳର ୧୨ରୁ ଊର୍ଧ୍ବ ମନ୍ତ୍ରୀ, ୩୦ରୁ ଅଧିକ ବିଧାୟକ ଯାଇଥିବା ଫଟୋ ଭାଇରାଲ ହୋଇଛି। ତାଙ୍କ ସହ କୋଟି କୋଟି ଟଙ୍କାର ଆର୍ଥିକ କାରବାର କରିଥିବା କଥା ଜଣାପଡ଼ିଛି। କିନ୍ତୁ ଏହି ଦୁଇ ଘଟଣାରେ ପୁଲିସ ଅଭିଯୁକ୍ତମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଉନାହିଁ। ତେଣୁ ପ୍ରତିବାଦରେ ଆଜି ରାଜଭବନ ସମ୍ମୁଖରେ ବିଜେପି ପକ୍ଷରୁ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ପ୍ରତିମୂର୍ତି ତଳେ ଧାରଣା ଦିଆଯାଇଥିଲା।

ଏସବୁ ଘଟଣାର ପର୍ଦ୍ଦାଫାସ ପାଇଁ ଦାବି କରାଯାଇଥିଲା। ବିଜେପି ନେତା ସଜ୍ଜନ ଶର୍ମା, ଜୟପ୍ରକାଶ ମିଶ୍ର, କର୍ଣ୍ଣଲ ବିରେନ୍ଦ୍ର ବସ୍ତିଆ, ବାବୁ ସିଂ, ପଦ୍ମନାଭ ଦାସ, କିଶୋର ମଙ୍ଗରାଜ, ଶ୍ୟାମସୁନ୍ଦର ପାଇକରାୟ, ହିମାଂଶୁ ମହାନ୍ତି, ଭଗବାନ ପାଢ଼ୀ, ପୂର୍ଣ୍ଣଚନ୍ଦ୍ର ସେନାପତି, ବିବେକ ନାୟକ, ଗୋପାଳ କୁଣ୍ଡୁ, ନାରାୟଣ ବେହେରା, ସନତ ଭୋଇ ଓ କାହ୍ନୁ ଚରଣ ଦାସ ପ୍ରମୁଖ ଏହି ଧାରଣାରେ ସାମିଲ୍‌ ହୋଇଥିଲେ।

ସମ୍ବନ୍ଧିତ ଖବର