ଘର ଆଶାୟୀଙ୍କ ଉପରେ ଚଡ଼କ, ୧୨୦୦ବର୍ଗଫୁଟ ଜମିରେ ଘର ପ୍ଲାନ୍ ପାଇଁ ଖର୍ଚ୍ଚ ହେବ ୮ଲକ୍ଷ

୨୦ଫୁଟ ରାସ୍ତାରେ ଜମି କିଣିଥିବା ଲୋକଙ୍କୁ ଶୋଷଣ କରିବାକୁ ଯୋଜନା

ଭୁବନେଶ୍ବର : ଜୁଲାଇ ୨୦୧୭ ପରେ ସହରାଞ୍ଚଳରେ ଯେଉଁମାନେ ୨୦ଫୁଟ କିମ୍ବା ୩୦ଫୁଟରୁ କମ୍‌ ରାସ୍ତା ଥିବା ଜମି (ସବ୍‌ ପ୍ଲଟ୍) କିଣିଥିଲେ ସେମାନଙ୍କ ପାଇଁ ନଗର ଉନ୍ନୟନ ବିଭାଗ ଅନୁମୋଦିତ ପ୍ଲାନ୍‌ରେ ଘର କରିବା ପାଇଁ କଠୋର ସର୍ତ୍ତ ରଖିଛି। ଏଥିପାଇଁ ଓଡ଼ିଶା ଉନ୍ନୟନ କର୍ତ୍ତୃପକ୍ଷ (ପ୍ଲାନିଂ ଏବଂ ବିଲଡିଂ ଷ୍ଟାଣ୍ଡାର୍ଡସ) ନିୟମ, ୨୦୨୦ରେ ସଂଶୋଧନ କରି ଓଡ଼ିଶା ଉନ୍ନୟନ କର୍ତ୍ତୃପକ୍ଷ (ପ୍ଲାନିଂ ଏବଂ ବିଲଡିଂ ଷ୍ଟାଣ୍ଡାର୍ଡସ) ସଂଶୋଧିତ ନିୟମ ୨୦୨୨ ଲାଗୁ କରିବାକୁ ଯାଉଛନ୍ତି। ଏନେଇ ଅକ୍ଟୋବର ୨୧‌େର ନଗର ଉନ୍ନୟନ ବିଭାଗ ପକ୍ଷରୁ ଚିଠା ବିଜ୍ଞପ୍ତି ପ୍ରକାଶ ପାଇଛି। ସରକାରଙ୍କ ଏଭଳି ନିଷ୍ପତ୍ତି ପରେ ଯେଉଁମାନେ ସରକାରୀ ନିୟମରେ ଘର କରିବାକୁ ବର୍ଷ ବର୍ଷ ଧରି ଅପେକ୍ଷା କରିଛନ୍ତି ସେମାନଙ୍କ ଉପରେ ଏବେ ବଜ୍ର ପଡ଼ିଛି। କେବଳ ସେତିକି ନୁହେଁ, ନଗର ଉନ୍ନୟନ ବିଭାଗର ପ୍ରସ୍ତାବିତ ନୂଆ ନିୟମ ଏବେ ବିବାଦ ଘେର‌କୁ ଆସିଯାଇଛି।

ପ୍ରସ୍ତାବିତ ନିୟମ ଅନୁଯାୟୀ, ‌ଯେଉଁମାନେ ୩୦ଫୁଟରୁ କମ୍‌ ରାସ୍ତା ଥିବା ଅଞ୍ଚଳରେ ଜମି କିଣିଛନ୍ତି ସେମାନେ ଉନ୍ନୟନ କର୍ତ୍ତୃପକ୍ଷ, ମହାନଗର ନିଗମ, ଆଞ୍ଚଳିକ ଉନ୍ନୟନ ଟ୍ରଷ୍ଟ, ସ୍ବତନ୍ତ୍ର ପ୍ଲାନିଂ କର୍ତ୍ତୃପକ୍ଷ, ପୌର ସଂସ୍ଥା କର୍ତ୍ତୃପକ୍ଷଙ୍କ ଠାରୁ ବିଲ୍ଡିଂ ପ୍ଲାନ୍ ଅନୁମୋଦନ କରି ଘର କରିବାକୁ ହେଲେ ଉକ୍ତ ଜମି ମାଲିକଙ୍କୁ ଘର ସାମ୍ନା ରାସ୍ତାକୁ ୩୦ଫୁଟ କରିବା ପାଇଁ ଆବଶ୍ୟକ ଜମିର ଅଧା ଦେବାକୁ ପଡ଼ିବ।

ଘର ସାମ୍ନାରେ ରାସ୍ତା ପାଇଁ ୩୦ଫୁଟ ବା ୯ମିଟର ଓସାର ପାଇଁ ଜମି ଛାଡ଼ି‌େଲ ବିଲଡିଂ ପ୍ଲାନ୍ ଅନୁମୋଦନ କରାଯିବ। ଯେଉଁଠି ଜମି ମାଲିକମାନେ ୬ମିଟର ବା ଏହାଠାରୁ ଅଧିକ ରାସ୍ତା ଥିବା ଜମି କିଣିଥିବେ ସେମାନେ ରାସ୍ତାକୁ ୯ମିଟର କରିବା ପାଇଁ ସଂପୃକ୍ତ ଉନ୍ନୟନ କର୍ତ୍ତୃପକ୍ଷ ବା ପୌର ସଂସ୍ଥାକୁ ଜମି ମାଗଣାରେ ଗିଫ୍ଟ କରିବେ। କିନ୍ତୁ ଘର ନିର୍ମାଣ ପାଇଁ ଯେତିକି ରାସ୍ତା ପୂର୍ବରୁ ଥିବ ସେହି ଅନୁଯାୟୀ ଘର କରିବାକୁ ଫ୍ଲୋର୍‌ ଏରିଆ ରେସିଓ (ଏଫ୍‌ଏଆର୍‌)କୁ ଅନୁମତି ମିଳିବ।

housing.com

ଏସବୁ ବାଦ୍ ଜମି ମାଲିକଙ୍କୁ ତାଙ୍କ ଜମିର ବେଞ୍ଚ ମାର୍କ ମୂଲ୍ୟର ୧୫% ଫି’ କମ୍ପାଉଣ୍ଡିଂ ଫି’ ବାବଦରେ ଦେବାକୁ ହେବ। ଅର୍ଥାତ୍‌ ଜମିର ମୂଲ୍ୟ ୨୦ଲକ୍ଷ ଟଙ୍କା ହୋଇଥିଲେ ଜମି ମାଲିକଙ୍କୁ କମ୍ପାଉଣ୍ଡିଂ ଫି’ ବାବଦକୁ ୩ଲକ୍ଷ ଟଙ୍କା ପ୍ଲାନ୍ ଅାବେଦନ ବେଳେ ଜମା କରିବାକୁ ପଡ଼ିବ। ଏହାବାଦ୍ ଅନ୍ୟାନ୍ୟ ଫି’ ଦେବାକୁ ପଡ଼ିବ। ଯାହା ଅନୁମୋଦିତ ପ୍ଲାନ୍‌ ନେଇ ଘର କରିବାକୁ ଆଶା ବାନ୍ଧିଥିବା ଲୋକଙ୍କୁ ନିରାଶ କରିଛି।

ରାଜଧାନୀରେ ଜଣେ ଯଦି ୧୨୦୦ ବର୍ଗଫୁଟ (୪୦ଫୁଟରେ ୩୦ଫୁଟ)ଜମି (ବେଞ୍ଚମାର୍କ ମୂଲ୍ୟ ଅନୁଯାୟୀ ଉକ୍ତ ଜମିର ମୂଲ୍ୟ ୨୫ଲକ୍ଷ ଟଙ୍କା ହୋଇଥିବ)ରେ ଘର କରିବେ, ତାଙ୍କୁ ବିଲଡିଂ ପ୍ଲାନ୍ ଅନୁମୋଦନ କରିବାକୁ ଅତି କମ୍‌ରେ ପ୍ରାୟ ୮ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ହେବ। ଜମିର ରାସ୍ତା ପାର୍ଶ୍ବ ଅଞ୍ଚଳ ଯଦି ୪୦ଫୁଟ ଓସାର ହୋଇଥିବ ତେବେ ୫ଫୁଟ ହିସାବରେ ପ୍ରାୟ ୨୦୦ଫୁଟ ଛାଡ଼ିବାକୁ ହେବ। ଯାହାର ମୂଲ୍ୟ ବେଞ୍ଚମାର୍କ ମୂଲ୍ୟ ଅନୁସାରେ କେବଳ ୪ଲକ୍ଷ ୧୬ହଜାର ୬୦୦ଟଙ୍କା ହେବ। କମ୍ପାଉଣ୍ଡିଂ ଫି’ ବାବଦକୁ ବେଞ୍ଚ ମାର୍କ ମୂଲ୍ୟର ୧୫% ଦେଲେ ଏହାର ଦାମ୍ ୩ଲକ୍ଷ ୭୫ହଜାର ଟଙ୍କା। ଏହାବାଦ୍ ପ୍ଲାନ୍ ଆବେଦନ ଫି’, ଆର୍କିଟେକ୍ଟ ଫି’ ବାବଦକୁ ଅତି କମ୍‌ରେ ୪୦ହଜାର ଟଙ୍କା ଖର୍ଚ୍ଚ କଲେ ମୋଟ୍ ୮ଲକ୍ଷ ୩୧ହଜାର ୬୦୦ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ।

ଏବେବି ବହୁ ବିଲଡର୍ସ, କଲୋନି ବାସିନ୍ଦା ସେମାନଙ୍କ ଜମିକୁ ବିଏମ୍‌ସି ଏବଂ ଅନ୍ୟାନ୍ୟ ପୌରସଂସ୍ଥାକୁ ହସ୍ତାନ୍ତର କରିବାକୁ ଚାହୁଁଥିଲେ ବି ପୌରସଂସ୍ଥା କର୍ତ୍ତୃପକ୍ଷ ଏହାକୁ ଗ୍ରହଣ କରୁନାହାନ୍ତି। ଯାହା ନଗର ଉନ୍ନୟନ ବିଭାଗର ଗୋଟିଏ ନିୟମ ଏବଂ ଆଉ ଗୋଟେ କାର୍ଯ୍ୟକୁ ଦର୍ଶାଉଛି।

ସେହିପରି ଜଣେ ଲୋକ ଏତେ ଅର୍ଥ ଦେଇ କାହିଁକି ଅନୁମୋଦିତ ପ୍ଲାନ୍ ନେବ ସେନେଇ ପ୍ରଶ୍ନ ଉଠିଛି। ରାଜ୍ୟ ସରକାର ଲୋକଙ୍କ ସୁବିଧା ପାଇଁ ନିୟମ କରୁଛନ୍ତି ନା ଲୋକଙ୍କୁ ଶୋଷଣ କରିବାକୁ ନିୟମ କରୁଛନ୍ତି ସେନେଇ ପ୍ରଶ୍ନ ଉଠିଲାଣି।

ନଗର ଉନ୍ନୟନ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଏହି ନିୟମ ଏବେ ଚିଠା ପ୍ରସ୍ତାବରେ ଅଛି। ଏନେଇ ଅଭିଯୋଗ ଓ ପ୍ରସ୍ତାବ ନଆସିଲେ ଗେଜେଟ୍ ବିଜ୍ଞପ୍ତି ପ୍ରକାଶ ପାଇବାର ୧୫ଦିନ ପରେ ଏହା ଲାଗୁ ହେବ।

ସମ୍ବନ୍ଧିତ ଖବର