ବେବି କେୟାର ସେଣ୍ଟରରେ ଘଟିଥିବା ଅଗ୍ନିକାଣ୍ଡରେ ୭ଜଣ ନବଜାତ ଶିଶୁଙ୍କ ମୃତ୍ୟୁ: ଭୟାବହ ଅନୁଭୂତି ବଖାଣିଲେ ପ୍ରତ୍ୟେକ୍ଷଦର୍ଶୀ

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀର ଶାହାଦରାର ବିବେକ ବିହାର ଅଞ୍ଚଳରେ ଶନିବାର ବିଳମ୍ବିତ ରାତିରେ ବେବି କେୟାର ସେଣ୍ଟରରେ ଅଗ୍ନିକାଣ୍ଡ ଘଟି ୧୨ଜଣ ନବଜାତ ଶିଶୁଙ୍କ ମଧ୍ୟରୁ ୭ଜଣଙ୍କର ମୃତ୍ୟୁ ହୋଇଥିବା ଏଯାବତ ଖବର ମିଳିଛି। ଏଥିସହିତ ଅନ୍ୟ ଗୁରୁତର ଆହତ ହୋଇଥିବା ଶିଶୁଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଅନ୍ୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଏହି ଘଟଣା ସମୟରେ ବେବି କେୟାର ସେଣ୍ଟର ସାମ୍ନା ଘରେ ରହୁଥିବା ଅଶ୍ବିନୀ ଅଗ୍ନିକାଣ୍ଡର ଭୟାବହ ଅନୁଭୂତି ବଖାଣିଛନ୍ତି। ଅଶ୍ବିନୀ କହିଛନ୍ତି, ‘ମୁଁ ବିଳମ୍ବିତ ରାତିରେ କାର ଯୋଗେ ଘରକୁ ଫେରୁଥିଲୁ। ଏହି ସମୟରେ ବେବି କେୟାର ସେଣ୍ଟରରେ ବିସ୍ଫୋରଣ ଏତେ‌ ଭୟାବହ ଥିଲା କି କାରର ଏୟାରବ୍ୟାଗ ଆପଣାଛାଏଁ ଖୋଲି ଯାଇଥିଲା, ଘରେ ଲାଗିଥିବା କାଚ ଝରକା ଭାଙ୍ଗି ପଡ଼ିଥିଲା।

ବେବି କେୟାର ସେଣ୍ଟର ନିଆଁ ପିଣ୍ଡୁଳା ଭଳି ଦେଖାଯାଉଥିଲା। ଏହି ସେଣ୍ଟର କିଛିଦିନ ହେବ ଖୋଲିଥିବା ବେଳେ ହସ୍ପିଟାଲରେ ରଖାଯାଇଥିବା କିଛି ଅକ୍ସିଜେନ ସିଲିଣ୍ଡର ହେତୁ ଏହି ବି‌‌ସ୍ଫୋରଣ ହୋଇଥିବା କୁହାଯାଉଛି।

ଅନ୍ୟ ଜଣେ ପ୍ରତ୍ୟେକ୍ଷଦର୍ଶୀ ଅନୀତା କହିଛନ୍ତି, ୧୫ଦିନର ନବଜାତ ଅସୁସ୍ଥ ହେତୁ ବେବି କେୟାର ସେଣ୍ଟରରେ ଭର୍ତ୍ତି ଥିଲା। ଶିଶୁ ମୋର ସୁସ୍ଥ ହୋଇ ଆସୁଥିଲା। ଡାକ୍ତର ଆଜି ହିଁ ତାକୁ ଘରକୁ ଛୁଟି କରି ଦେଇଥାଆନ୍ତେ। ଅଗ୍ନିକାଣ୍ଡ ବିଷୟରେ ହସ୍ପିଟାଲ ପକ୍ଷରୁ ମୋତେ କିଛି ଜଣାଯାଇ ନଥିଲା। ମୁଁ ହସ୍ପିଟାଲରେ ପହଞ୍ଚିବା ପରେ ଦେଖିଲି ହସ୍ପିଟାଲରେ ନିଆଁ ଲାଗିଛି। ମୋର ଶିଶୁ କେଉଁଠି ଅଛି କିଛି ଜଣାପଡ଼ୁନାହିଁ।’

ଏହି ଅଗ୍ନିକାଣ୍ଡରେ ପ୍ରାଣ ହରାଇଥିବା ଜଣେ ଶିଶୁର ବାପା କାନ୍ଦିକାନ୍ଦି କହିଛନ୍ତି, ‘ମୋର ତିନିଦିନର ପୁଅକୁ ହସ୍ପିଟାଲରେ ଭର୍ତ୍ତି କରିଥିଲି। ଅଗ୍ନିକାଣ୍ଡ ଘଟିଥିବା ସମ୍ପର୍କରେ ମୋତେ ହସ୍ପିଟାଲ ପକ୍ଷରୁ କୌଣସି ସୂଚନା ଦିଆଯାଇ ନଥିଲା। ମୁଁ ଟେଲିଭିଜନରୁ ଖବର ପାଇବା ପରେ ହସ୍ପିଟାଲରେ ପହଞ୍ଚିଥିଲି। ସେଠାରେ ମୋତେ ଫଳାନା ହସ୍ପିଟାଲ ଯିବାକୁ କୁହାଯାଇଥିଲା। ମୁଁ ସେଠାରେ ଯାଇ ପହଞ୍ଚିବା ପରେ କୁହାଗଲା ମୃତ୍ୟୁ ହୋଇଯାଇଥିବା ପିଲାଙ୍କୁ ଜିଟିପି ହସ୍ପିଟାଲ ପଠାଇ ଦିଆଯାଇଛି। ଜିଟିପି ହସ୍ପିଟାଲ ଯିବାରୁ ସେମାନେ ୧୦ହଜାର ଟଙ୍କା ନଦେଲେ ଶିଶୁକୁ ଦେବେ ନାହିଁ ବୋଲି କହିଥିଲେ। ବହୁତ କଷ୍ଟରେ ୧୦ହଜାର ଟଙ୍କା ଦେବାପରେ ସେମାନେ ମୋର ମୃତ ଶିଶୁକୁ ଦେଇଥିଲେ।

ସମ୍ବନ୍ଧିତ ଖବର