ପୂଜ୍ୟପୂଜାଙ୍କୁ ସମ୍ମାନ ଏମିତି! ଆଗରେ ଭଙ୍ଗା ତୋରଣ, ପଛରେ ମୁକ୍ତ ଶୌଚାଳୟ

ଭୁବନେଶ୍ୱର: ରାଜଭବନ ଛକରେ ରାଜ୍ୟ ସଂସ୍କୃତି ବିଭାଗ ସ୍ଥାପନ କରିଛି ତିନିଜଣ ବିଖ୍ୟାତ ଓଡ଼ିଆଙ୍କର ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି। ସେମାନେ ହେଉଛନ୍ତି ଜାତୀୟ କବି ବାଞ୍ଛାନିଧି ମହାନ୍ତି, କନିକା ଗାନ୍ଧୀ ଚକ୍ରଧର ବେହେରା ଓ ବାଗ୍ମୀ ବିଶ୍ବନାଥ ମିଶ୍ର। ଭିନ୍ନଭିନ୍ନ କ୍ଷେତ୍ରରେ ଓଡ଼ିଶା ପାଇଁ ଏମାନଙ୍କର ଅବଦାନକୁ ସମ୍ମାନ ଜଣାଇ ସଂସ୍କୃତି ବିଭାଗ ଏମାନଙ୍କର ପ୍ରତିମୂର୍ତ୍ତି ସ୍ଥାପନ କରିଥିବା ବେଳେ ଏମାନେ ଭୁବନେଶ୍ବର ମହାନଗର ନିଗମର ଚରମ ‌ଅବହେଳାର ପାତ୍ର ହୋଇଛନ୍ତି। ମୂର୍ତ୍ତି ସାମ୍ନାରେ ଫନି ବାତ୍ୟାରେ ଭାଙ୍ଗି ପଡ଼ିଥିବା ଲୁହା ‌ତୋରଣ ପଡ଼ି ରହିଥିବା ବେଳେ ପଛପଟ ମୁକ୍ତ ଶୌଚାଳୟ ପାଲଟିଛି। ଦିନ ଦ୍ବିପ୍ରହରରେ ମଧ୍ୟ ଏଠାରେ ଲୋକେ ମଳତ୍ୟାଗ କରୁଥିବା ପରିଲକ୍ଷିତ ହୋଇଛି। ପଛରେ ମଳ, ଆଗରେ ଭଙ୍ଗାରୁଜା ତୋରଣ ସହ ଆବର୍ଜନା ଯେମିତି ପୂଜ୍ୟପୂଜାଙ୍କୁ ବନ୍ଦୀ କରି ପକାଇଛି। କେହି ଚାହିଁଲେ ବି ପାଖକୁ ପହଞ୍ଚି ପାରୁନାହିଁ। ଫନିକୁ ୩ ମାସ ପୂରିବାକୁ ବସିଥିବା ବେଳେ ଆବର୍ଜନା ଉଠାଯାଉନାହିଁ। ପଛପଟେ ଖୋଲାରେ ମଳତ୍ୟା‌ଗ ମଧ୍ୟ ବାରଣ କରାଯାଇ ପାରୁନାହିଁ। ନିକଟ ଅତୀତରେ ଚକ୍ରଧରଙ୍କ ଜୟନ୍ତୀ ତିଥିରେ ମାଲ୍ୟାର୍ପଣ ପାଇଁ ଯିବା ବେଳେ ଏଭଳି ଏକ ଅଭାବନୀୟ ପରିବେଶର ସାମ୍ନା କରିବାକୁ ପଡ଼ିଥିଲା। କେତେକ ସରକାରୀ ଅଧିକାରୀଙ୍କ ସହ ରାଜନେତା ଓ ବହୁ ବିଶିଷ୍ଟ ବ୍ୟକ୍ତି ଏଭଳି ସ୍ଥିତିକୁ ନେଇ ମ୍ରିୟମାଣ ହୋଇପଡ଼ିଥିଲେ। ରାଜଧାନୀର ଏକ ପ୍ରମୁଖ ସ୍ଥାନରେ ପୂଜ୍ୟପୂଜାଙ୍କ ପ୍ରତି ଏଭଳି ଅସମ୍ମାନ ଅନେକଙ୍କୁ ବ୍ୟଥିତ କରିଥିଲା। ଏଥିପ୍ରତି ବିଏମ୍‌ସି ତୁରନ୍ତ ଦୃଷ୍ଟି ଦେବା ସହ ଜାଗାକୁ ବାଡ଼ ଘେରାଇ ଏକ ଛୋଟ ଉଦ୍ୟାନ ପ୍ରସ୍ତୁତ କରିବା ପାଇଁ କେବଳ ବୁଦ୍ଧିଜୀବୀ ନୁହଁନ୍ତି, ସାଧାରଣ ଲୋକ ବି ଦାବି କରିଛନ୍ତି।

ସମ୍ବନ୍ଧିତ ଖବର