ଭୁବନେଶ୍ବରରେ ୫-ଟି ରୂପାନ୍ତରଣର ପ୍ରଭାବ: ବଢ଼ିଲା ସରକାରୀ ସ୍କୁଲ ସଫଳତା

୪୦ ସ୍କୁଲରେ ସମସ୍ତେ ପାସ୍‌, ‘ଏ-୧’ ଗ୍ରେଡ୍‌ରେ ୨୩ ଛାତ୍ରଛାତ୍ରୀ

ଚନ୍ଦ୍ରଶେଖରପୁର : ଡମଣା ସରକାରୀ ଉଚ୍ଚ ବିଦ୍ୟାଳୟ। ତିନି ଦଶନ୍ଧି ତ‌ଳେ ପ୍ରତିଷ୍ଠା ହୋଇଥିବା ଏହି ବିଦ୍ୟାଳୟରୁ ପରୀକ୍ଷା ଦେଇଥିବା କୌଣସି ବି ଛାତ୍ରଛାତ୍ରୀ ୯୦%ରୁ ଅଧିକ ନମ୍ବର ତଥା ‘ଏ-୧ ଗ୍ରେଡ୍‌ ରଖି ପାସ୍‌ କରି ନ ଥିଲେ। ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଉଦ୍ୟମ ଫଳରେ ଚଳିତ ବର୍ଷ ଦଶମ ଶ୍ରେଣୀ ପରୀକ୍ଷା ଫଳରେ ଏଠାକାର ଛାତ୍ରଛାତ୍ରୀ ଉନ୍ନତ ପ୍ରଦର୍ଶନ କରିଛନ୍ତି। ଜଣେ ଛାତ୍ର ‘ଏ-୧’ ଗ୍ରେଡ୍‌ ହାସଲ କରି ବିଦ୍ୟାଳୟକୁ ଗୌରବାନ୍ବିତ କରିଛନ୍ତି। ଯେଉଁଥିପାଇଁ ଏବେ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ, ପରିଚାଳନା କମିଟି ସଦସ୍ୟ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଖୁସିର ଲହରି ଖେଳି ଯାଇଛି। କେବଳ ଏହି ଗୋଟିଏ ବିଦ୍ୟାଳୟ ନୁହେଁ, ରାଜଧାନୀରେ ଥିବା ଅର୍ଦ୍ଧାଧିକ ସରକାରୀ ବିଦ୍ୟାଳୟ ଛାତ୍ରଛାତ୍ରୀ ଉନ୍ନତ ପ୍ରଦର୍ଶନ କରିଛନ୍ତି। ୨୩ଟି ବିଦ୍ୟାଳୟ ଛାତ୍ରଛାତ୍ରୀ ‘ଏ-୧’ ଗ୍ରେଡ୍‌ ତାଲିକାରେ ସ୍ଥାନ ପାଇବା ସହ ଶ୍ରେଷ୍ଠତ୍ବ ପ୍ରତିପାଦନ କରିଛନ୍ତି। ବହୁ ସଂଖ୍ୟକ ବିଦ୍ୟାଳୟ ଶତପ୍ରତିଶତ ରେଜଲ୍ଟ କରିଥିବା ମଧ୍ୟ ନଜରକୁ ଆସିଛି।

ବିଗତ କିଛି ବର୍ଷ ହେଲା ‘ଏ-୧’ ଗ୍ରେଡ୍‌ ଓ ଶତ ପ୍ରତିଶତ ରେଜଲ୍ଟ କରୁଥିବା ବିଦ୍ୟାଳୟ ତାଲିକାରେ ସହରର ଘରୋଇ ବିଦ୍ୟାଳୟଗୁଡ଼ିକର ପତିଆରା ଦେଖିବାକୁ ମିଳୁଥିଲା। ସରକାରୀ ବିଦ୍ୟାଳୟର କାଁ ଭାଁ ଛାତ୍ରଛାତ୍ରୀ ‘ଏ-୧’ ଗ୍ରେଡ୍‌ ପାଉଥିଲେ। ମାତ୍ର ଚଳିତ ବର୍ଷ ଅଭୂତପୂର୍ବ ଫଳ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଦେଇଛି। ପିଲାଙ୍କଠାରୁ ଅଭିଭାବକଙ୍କ ପର୍ଯ୍ୟନ୍ତ, ସମସ୍ତଙ୍କ ମୁହଁରେ ହସ ଖେଳିଛି। ପଟିଆ ବାଳିକା ଉଚ୍ଚ ବିଦ୍ୟାଳୟ, ୟୁନିଟ୍‌-୮ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ୩ଜଣ ଛାତ୍ରଛାତ୍ରୀ ‘ଏ-୧’ ଗ୍ରେଡ୍‌ ପାଇଥିବା ବେଳେ ତାଲିକାରେ ୟୁନିଟ୍‌-୯ ସରକାରୀ ବାଳିକା ହାଇସ୍କୁଲର ଦୁଇ ଜଣ ପରୀକ୍ଷାର୍ଥୀ ସ୍ଥାନ ପାଇଛନ୍ତି। ଚନ୍ଦ୍ରଶେଖରପୁର ସରକାରୀ ନୋଡାଲ ହାଇସ୍କୁଲ ଫେଜ୍‌-୨, ଚନ୍ଦ୍ରଶେଖରପୁର ହାଇସ୍କୁଲ ଫେଜ୍‌-୧, ଆଇଆରସି ଭିଲେଜ୍‌ ସରକାରୀ ହାଇସ୍କୁଲ, ୟୁନିଭରସିଟି ହାଇସ୍କୁଲ, ବ୍ରହ୍ମେଶ୍ବର ହାଇସ୍କୁଲ, ୟୁନିଟ୍‌-୩ କ୍ୟାପିଟାଲ ହାଇସ୍କୁଲ, ୟୁନିଟ୍‌-୧ ବାଳିକା ଉଚ୍ଚ ବିଦ୍ୟାଳୟ, ବଡ଼ଗଡ଼ ହାଇସ୍କୁଲ, ଶ୍ରୀସତ୍ୟସାଇ ହାଇସ୍କୁଲ ପରି ସରକାରୀ ଓ ଅନୁଦାନପ୍ରାପ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀ ‘ଏ-୧’ ଗ୍ରେଡ୍‌ ହାସଲ କରି ସ୍କୁଲର ଗୌରବ ବୃଦ୍ଧି କରିଛନ୍ତି। ଭୀମଭୋଇ ଦୃଷ୍ଟିହୀନ ବିଦ୍ୟାଳୟ ଓ ମୂକ ବଧିର ବିଦ୍ୟାଳୟର ସଫଳତା ହାର ଶତ ପ୍ରତିଶତ ରହିଛି।

ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ ୫-ଟି କାର୍ଯ୍ୟକ୍ରମ ଅଧୀନରେ ରୂପାନ୍ତରିତ ବିଦ୍ୟାଳୟଗୁଡ଼ିକର ପାସ୍‌ ହାରରେ ଉନ୍ନତି ଆସିଛି। ଗୁଣାତ୍ମକ ଶିକ୍ଷା ସାଙ୍ଗକୁ ଛାତ୍ରଛାତ୍ରୀଙ୍କ ଅଧ୍ୟବସାୟ ଦ୍ବାରା ୮୦% ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ସଫଳତାର ସହ କୃତକାର୍ଯ୍ୟ ହୋଇଛନ୍ତି। ପରୀକ୍ଷା ଅନୁଷ୍ଠିତ ହେବା କ୍ଷେତ୍ରରେ ପ୍ରଥମ ଥର ଲାଗି ସହରର ୪୦ଟି ବିଦ୍ୟାଳୟର ସମସ୍ତ ପରୀକ୍ଷାର୍ଥୀ ପାସ୍‌ କରିବା ଏକ ରେକର୍ଡ ବୋଲି କୁହାଯାଉଛି। ଶିକ୍ଷାବିତ୍‌ କରୁଣାକାର ସାହୁଙ୍କ ମତରେ ସରକାରୀ ବିଦ୍ୟାଳୟଗୁଡ଼ିକରେ ବ୍ୟାପକ ପରିବର୍ତ୍ତନ ଆସିଛି। ପାଠପଢ଼ା ଶୈଳୀ ସାଙ୍ଗକୁ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ନିଷ୍ଠାପର ପାଠପଢ଼ା ପାଇଁ ଚଳିତବର୍ଷ ଏଭଳି ସଫଳତା ହୋଇଛି। କରୋନା ସମୟରେ ବହୁ ସଂଖ୍ୟକ ପିଲା ଘରୋଇ ବିଦ୍ୟାଳୟ ଛାଡ଼ି ସରକାରୀ ବିଦ୍ୟାଳୟ ଚାଲି ଆସିଥିଲେ। ସେମାନଙ୍କ ଶିକ୍ଷାଗ୍ରହଣ ମୂଳଦୁଆ ଭଲ ହୋଇଥିବାରୁ ଫଳ ମଧ୍ୟ ଉନ୍ନତମାନର ହୋଇଛି। ଏହି ଧାରା ଜାରି ରଖିବାକୁ ହେବ।

ସମ୍ବନ୍ଧିତ ଖବର