୧୦୦ରୁ ଅଧିକ ଦେଶକୁ କରୋନା ଟିକା ପଠାଇଛି ଭାରତ

ବିଶ୍ବ ସ୍ବାସ୍ଥ୍ୟ ସଭାର ୭୬ତମ ଅଧିବେଶନରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ

ନୂଆଦିଲ୍ଲୀ : ସ୍ୱିଜରଲ୍ୟାଣ୍ଡର ଜେନେଭାରେ ବିଶ୍ୱ ସ୍ୱାସ୍ଥ୍ୟ ସଭାର ୭୬ତମ ଅଧିବେଶନକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ଜରିଆରେ ଆଜି ସମ୍ବୋଧିତ କରିଛନ୍ତି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ୭୫ ବର୍ଷ ଧରି ସେବା ପ୍ରଦାନ କରିବାର ଐତିହାସିକ ମାଇଲଖୁଣ୍ଟ ପୂରଣ କରିଥିବାରୁ ପ୍ରଧାନମନ୍ତ୍ରୀ ସଂଗଠନକୁ ଅଭିନନ୍ଦନ ଜଣାଇଥିଲେ। ୧୦୦ ବର୍ଷରେ ପହଞ୍ଚିବା ଲାଗି ଆଉ ୨୫ ବର୍ଷ ଥିବାରୁ ଏହି ବର୍ଷଗୁଡ଼ିକ ପାଇଁ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ଲକ୍ଷ୍ୟ ସ୍ଥିର କରିବ ବୋଲି ଆଶା ବ୍ୟକ୍ତ କରିଥିଲେ।

ସ୍ୱାସ୍ଥ୍ୟସେବାରେ ଅଧିକ ସହଯୋଗ ପାଇଁ ପ୍ରଧାନମନ୍ତ୍ରୀ କୋଭିଡ୍-୧୯ ମହାମାରୀ ସମୟ ଉପରେ ଆଲୋକପାତ କରିଥିଲେ ଏବଂ ବିଶ୍ୱ ସ୍ୱାସ୍ଥ୍ୟ ସମାନତା ବୃଦ୍ଧିରେ ସାମୂହିକ ପ୍ରୟାସର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ। ଅନ୍ତର୍ଜାତୀୟ ସହଯୋଗ ପ୍ରତି ଭାରତର ପ୍ରତିବଦ୍ଧତା ଉପରେ ମୋଦୀ ସୂଚନା ଦେବା ସହିତ ବିଶ୍ବର ୧୦୦ରୁ ଅଧିକ ଦେଶକୁ ୩୦୦ କୋଟି ଡୋଜ୍‌ କୋଭିଡ୍-୧୯ ଟିକା ପଠାଇଥିବା କହିଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ, ଭାରତର ପାରମ୍ପରିକ ଜ୍ଞାନ କହେ ଯେ ରୋଗର ଅନୁପସ୍ଥିତି ଉତ୍ତମ ସ୍ୱାସ୍ଥ୍ୟ ସହିତ ସମାନ ନୁହେଁ। ତେଣୁ କେବଳ ରୋଗରୁ ମୁକ୍ତ ହେବା ଉଚିତ୍ ନୁହେଁ ବରଂ ସୁସ୍ଥତା ଦିଗରେ ମଧ୍ୟ ପଦକ୍ଷେପ ନେବା ଉଚିତ। ଯୋଗ, ଆୟୁର୍ବେଦ ଏବଂ ଧ୍ୟାନ ଭଳି ପାରମ୍ପରିକ ପ୍ରଣାଳୀର ଲାଭ ଉପରେ ଆଲୋକପାତ କରିଥିଲେ। ଭାରତରେ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନର ପ୍ରଥମ ଗ୍ଲୋବାଲ୍ ସେଣ୍ଟର ଫର ଟ୍ରାଡିସନାଲ୍‌ ମେଡିସିନ୍ ପ୍ରତିଷ୍ଠା କରାଯାଉଥିବାରୁ ଆନନ୍ଦ ପ୍ରକାଶ କରିଥିଲେ।

ସମ୍ବନ୍ଧିତ ଖବର