ଓଡ଼ିଶା ସୀମାରୁ ଅଳ୍ପଦୂରରେ କେଲୋ ନଦୀରେ ଛତିଶଗଡ଼ କରିସାରିଲାଣି ଆଉ ୨ ପ୍ରକଳ୍ପ

କେଲୋନଦୀ ସେପଟେ ଉଛୁଳୁମୁଛୁଳୁ, ଏପ‌ଟେ ମରୁଭୂମି, ବଦଳିଯିବ ନଦୀର ଗତିପଥ!

ଝାରସୁଗୁଡ଼ା : ମହାନଦୀ ଜଳବିବାଦକୁ ନେଇ ଓଡ଼ିଶା-ଛତିଶଗଡ଼ ମଧ୍ୟରେ ବିବାଦ ଲାଗିରହିଛି। ଏହାରି ମଧ୍ୟରେ ଛତିଶଗଡ଼ରୁ ବାହାରି ଓଡ଼ିଶା ଦେଇ ପ୍ରବାହିତ ହୋଇଥିବା କେଲୋ ନଦୀରେ ଡ୍ୟାମ୍‌ ତିଆରି କରି ଜଳପ୍ରବାହ ରୋକିଥିବା ନେଇ ଓଡ଼ିଶା ସରକାର ବିଭିନ୍ନ ସମୟରେ ପ୍ରତିବାଦ କରିଛନ୍ତି। ଇତିମଧ୍ୟରେ ରାଜ୍ୟ ସରକାରଙ୍କ ଆଖିରେ ଧୂଳିଦେଇ ଛତିଶଗଡ଼ ସରକାର ଓଡ଼ିଶା ସୀମାରୁ ଅଳ୍ପଦୂରରେ କେଲୋ ନଦୀରେ ଦୁଇଟି ପ୍ରକଳ୍ପ ନିର୍ମାଣ କରିଥିବା ଜଣାପଡ଼ିଛି।

ହସ୍ତଗତ ସୂଚନା ଅନୁସାରେ, ରାୟଗଡ଼ ଜିଲ୍ଲା ପୁସୌରର ନେତନଗର ଆନିକଟ ଓ ଭାଥେନ୍‌ପାଲି ବ୍ୟାରେଜ୍‌ର ନିର୍ମାଣ କାମ ଏବେ ଶେଷ ହେବାଉପରେ। ନେତନଗର ପ୍ରକଳ୍ପରୁ ଭାଥେନପାଲିର ଦୂରତା ମାତ୍ର ଦେଢ଼ କିମି। ଭାଥେନ୍‌ପାଲିରେ ଗତବର୍ଷଠାରୁ ପୋଲ ଓ ବ୍ୟାରେଜ୍‌ ନିର୍ମାଣ କାମ ଆରମ୍ଭ ହୋଇଛି। ଏହି ପୋଲ ସମ୍ପୂର୍ଣ୍ଣ ହେଲେ ରାୟଗଡ଼ ଜିଲ୍ଲା ନୂଆପାଲି ଓ ଭାଥେନପାଲିକୁ ଏହା ସଂଯୋଗ କରିବ। ଏହାଉପରେ ଲୋକଙ୍କ ପାଇଁ ଯାତାୟାତର ବ୍ୟବସ୍ଥା କରାଯାଇଥିବା ବେଳେ ତଳେ ବ୍ୟାରେଜ୍‌ ନିର୍ମାଣ ହୋଇଛି। ଯେଉଁଠି କେଲୋ ଡ୍ୟାମ୍‌ରୁ ବୋହି ଆସୁଥିବା ଜଳ ସଂରକ୍ଷଣ କରାଯାଇପାରିବ।

ଏହି ପ୍ରକଳ୍ପରୁ ମାତ୍ର ଦେଢ଼ କିମି ଦୂ‌ରରେ ନେତନଗରଠାରେ ଆଉ ଏକ ଜଳ ସଂରକ୍ଷଣ ପ୍ରକଳ୍ପ ତଥା ଆନିକଟ ନିର୍ମାଣ ଆରମ୍ଭ ହୋଇଛି। ୬.୮୯ କୋଟି ଟଙ୍କାରେ ନିର୍ମାଣ ହେଉଥିବା ଏହି ଆନିକଟ ୨୬୦ ହେକ୍ଟର ଜମିକୁ ଜଳ‌ସେଚନ କରିବ ବୋଲି ଛତିଶଗଡ଼ ସରକାର ଲକ୍ଷ୍ୟଧାର୍ଯ୍ୟ କରିଛନ୍ତି। ୨୦୨୧ ଜୁନ୍‌ ୧୪ ତାରିଖରେ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ଆଭାସୀ ମାଧ୍ୟମରେ ଏହି ପ୍ରକଳ୍ପର ଶିଳାନ୍ୟାସ କରିଥିଲେ। ଆନିକଟ ନିର୍ମାଣ ପାଇଁ ଟେଣ୍ଡର ପ୍ରକ୍ରିୟା ଶେଷ କରିବା ପରେ ଗତ ୨୯ ଡିସେମ୍ବରରେ ନିର୍ମାଣ କାର୍ଯ୍ୟ ପାଇଁ ଠିକାଦାରଙ୍କ ସହ ଏକ ଚୁକ୍ତିନାମା ସ୍ୱାକ୍ଷରିତ ହୋଇ ନିର୍ମାଣ କାର୍ଯ୍ୟ ଜାରି ରହିଛି। ଏହି ଜଳସେଚନ ପ୍ରକଳ୍ପ ଦ୍ବାରା ନେତନଗର ସମେତ ନାଭାପାଲି, ବିଞ୍ଜକୋଟ, ଏକଟାଲ, ରେଙ୍ଗାଲପାଲି ଚାଷୀଙ୍କ ସୁବିଧା ହେବ ବୋଲି କୁହାଯାଉଛି। ନେତନଗର ଆନିକଟ ଯୋଜନା ସମାପ୍ତ ହେବାପରେ ରାୟଗଡ଼ ଜିଲ୍ଲାର ପୂର୍ବ ଅଞ୍ଚଳର ଲୋକଙ୍କ ଆବଶ୍ୟକତା ପୂରଣ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବା ସହିତ କୃଷି କ୍ଷେତ୍ରରେ ଅତିରିକ୍ତ ଜଳସେଚନ ସମ୍ଭବ ହୋଇପାରିବ। ଆନିକଟ ନିର୍ମାଣ ପରେ ଏହା ଜଳଭଣ୍ଡାର ପରି ହ୍ରଦର ଏକ ସୁନ୍ଦର ଦୃଶ୍ୟ ଦେଖିବାକୁ ମିଳିବ।

ଗୋଟିଏପଟେ, ଛତିଶଗଡ଼ ସରକାର ଓଡ଼ିଶା ଦେଇ ପ୍ରବାହିତ ହେଉଥିବା ନଦୀଗୁଡ଼ିକ ଉପରେ ଗୋଟିଏ ପରେ ଗୋଟିଏ ପ୍ରକଳ୍ପ କରି ଜଳ ସଂରକ୍ଷଣ କରୁଥିବାରୁ ଅଣମୌସୁମୀ ଋତୁରେ ବି ସେଠାକାର ଜଳାଶୟରେ ପାଣି ଲହଡ଼ା ଭାଙ୍ଗୁଛି। ଅନ୍ୟପଟେ, ଓଡ଼ିଶା ପଟର ଚିତ୍ର ଭିନ୍ନ ରହିଛି। ଏକଦା ଝାରସୁଗୁଡ଼ା ଜିଲ୍ଲା ଲୁହାବଗା, ଅମାପାଲି, ବଡ଼ଧରା, କୁଶମେଲ ପଞ୍ଚାୟତର ଜୀବନରେଖା କହାଯାଉଥିବା ଏହି କେଲୋ ନଦୀ ଏବେ ଗତିପଥ ବଦଳାଇବା ନେଇ ଆଶଙ୍କା ଦେଖାଦେଇଛି। ଏବେ ଓଡ଼ିଶା ଦେଇ ପ୍ରବାହିତ କେଲୋ ନଦୀରେ ମରୁଭୂମି ଭ୍ରମ ସୃଷ୍ଟି ହେଉଥିବା ବେଳେ ଏହି ନଦୀଉପରେ ନିର୍ଭରଶୀଳ ଲୋକେ ନିଜର ଜୀବନଜୀବିକା ହରାଇ ସାରିଲେଣି। ଚାଷୀ ଚାଷ କରିବା ଛାଡ଼ି ଦେଇଥିବା ବେଳେ ମତ୍ସ୍ୟଜୀବୀମାନେ ଦାଦନ ଖଟିଯିବାକୁ ବାଧ୍ୟ ହେଉଥିବା ସ୍ଥାନୀୟ ‌ଲୋକେ କହିଛନ୍ତି।

ମାତ୍ର, ରାଜ୍ୟ ସରକାର ଘୋଷଣା ପରେ ଘୋଷଣା କରୁଥିଲେ ହେଁ ଜଳ ସଂରକ୍ଷଣ ପାଇଁ ଗୋଟିଏ ବି ପ୍ରକଳ୍ପ କରୁନଥିବାରୁ ସୀମାନ୍ତ ଅଞ୍ଚଳର ଲୋକେ ଏବେ ଚିନ୍ତାରେ।

ସମ୍ବନ୍ଧିତ ଖବର