ଲୋକସଭାରେ ୧୭ ଆସନ ଜିତିବୁ, ବିଧାନସଭା ବି ଆମର

ବାବୁରାଜ, ଭ୍ରଷ୍ଟାଚାରରେ ଓଡ଼ିଶା ଆକ୍ରାନ୍ତ : ଅମିତ ଶାହ

ବିଜେପିର ‘ଷ୍ଟ୍ରାଟେଜିଷ୍ଟ୍‌’ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ରାଜ୍ୟରେ ପ୍ରଚାର ବେଳେ ରାଜ୍ୟର ବିଭିନ୍ନ ପ୍ରସଙ୍ଗରେ ନିଜ ସ୍ବରକୁ ଶାଣିତ କରିଛନ୍ତି। ରତ୍ନଭଣ୍ଡାର ଠାରୁ ଓଡ଼ିଆ ଅସ୍ମିତା, ସବୁ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ପ୍ରଚଣ୍ଡ ସମାଲୋଚନା କରୁଛନ୍ତି। ମୋଦୀ ସରକାରଙ୍କ ବିକାଶ ଓ ଯୋଜନାର ପେଡ଼ି ଖୋଲି ଭୋଟରଙ୍କ ନିକଟତର ହେବାର ସୁଯୋଗ ଛାଡ଼ୁ ନାହାନ୍ତି। ତାଙ୍କର ଦମ୍ଭୋକ୍ତି, ଏଥର ବିଜେପି ହିଁ ଓଡ଼ିଶାରେ ସରକାର ଗଠନ କରିବ। ‘ସମ୍ବାଦ’ ସହିତ ସ୍ବତନ୍ତ୍ର ସାକ୍ଷାତକାରରେ ଏ ସମ୍ପର୍କରେ ସେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଛନ୍ତି। ସାକ୍ଷାତ: ସମ୍ପାଦକ ତନୟା ପଟ୍ଟନାୟକ ଓ ବାର୍ତ୍ତା ସମ୍ପାଦକ ଭବାନୀ ଶଙ୍କର ତ୍ରିପାଠୀ।

 ନିର୍ବାଚନ ସରିନାହିଁ। ଢେର୍ ଆଗରୁ କିଏ କେତେ ଆସନରେ ଜିତିବେ ତାକୁ ନେଇ ପ୍ରତିଯୋଗିତା ଚାଲିଛି। ଆପଣ ଅନେକ ନିର୍ବାଚନ କ୍ଷେତ୍ରକୁ ଯାଇ ପ୍ରଚାର କରିଛନ୍ତି। ଜୁନ୍ ୪ ତାରିଖରେ ଭାରତ କିଭଳି ଫଳାଫଳ ଦେଖିବ? ଆପଣଙ୍କ ଆକଳନ କ’ଣ କହୁଛି?
ଦେଖନ୍ତୁ, ଗତକାଲି ପଞ୍ଚମ ପର୍ଯ୍ୟାୟରେ ଦେଶରେ ୪୯ଲୋକସଭା ଆସନରେ ନିର୍ବାଚନ ହୋଇଛି। ଆମେ ସେ ମଧ୍ୟରୁ ୩୯ରୁ ଅଧିକ ଆସନରେ ବିଜୟୀ ହେବୁ। ଆପଣ, ଜାଣି ରଖନ୍ତୁ ଯେ ଏନ୍‌ଡିଏ ନିଶ୍ଚିତ ୪୦୦ ଆସନ ପାର୍ କରିବ ଏବଂ ମୋଦୀଜୀ ତୃତୀୟ ଥର ପ୍ରଧାନମନ୍ତ୍ରୀ ହେବେ। ଏଥର ଭାରତୀୟ ଜନତାପାର୍ଟି ପାଇଁ ଖୁସିର ବିଷୟ ହେଉଛି, ପଶ୍ଚିମବଙ୍ଗରେ ଆମେ ୩୦ ଆସନରେ ଜିତିବୁ। ଓଡ଼ିଶାରେ ବି ଆମେ ୧୭ ଲୋକସଭା ଆସନ ଜିତିବୁ।

 ଗତ ନିର୍ବାଚନରେ ବିଜେପିକୁ ଦକ୍ଷିଣ ଭାରତରେ ଆଶାଜନକ ସଫଳତା ମିଳିନଥିଲା। ଏଥର ନିର୍ବାଚନରେ ଦକ୍ଷିଣ ଭାରତରୁ କ’ଣ ଆଶା ରଖିଛନ୍ତି?
ଏହା ନୁହେଁ ଯେ ଆମେ ଦକ୍ଷିଣରେ ସଫଳତା ପାଇନାହୁଁ, ଆମର ସେଠି ଭୋଟ୍ ପ୍ରତିଶତ ବୃଦ୍ଧି ପାଇଛି। ତେଲେଙ୍ଗାନାରେ ୧୦ରୁ ୧୨ଟି ଆସନ ପାଇବୁ। ଆନ୍ଧ୍ରପ୍ରଦେଶରେ ଆମର ମେଣ୍ଟ ସରକାର ହେବାକୁ ଯାଉଛି। ତାମିଲନାଡୁ ଓ କେରଳରେ ଭଲ ସଂଖ୍ୟା ସହିତ ଆକାଉଣ୍ଟ ଖୋଲିବୁ। ଆପଣ କହିପାରିବେ, ପଶ୍ଚିମବଙ୍ଗରୁ କେରଳ ବିଜେପି ପାଇଁ ଏଥର ସବୁଠାରୁ ଭଲ ଖବର ଆସୁଛି।

 ମୋଦୀଙ୍କ ଚେହେରା ବିଜେପିର ସମ୍ପତ୍ତି। ତାକୁ ଛାଡ଼ି ୨୦୨୪ ନିର୍ବାଚନ ଲାଗି ଦଳର ରଣନୀତି କ’ଣ?
ବିକାଶ। ପ୍ରଧାନମନ୍ତ୍ରୀ ଭାବେ ମୋଦୀଜୀଙ୍କ କାର୍ଯ୍ୟ ଦେଖି ବିଜେପି ସହ ଲୋକ ଯୋଡ଼ି ହେବାକୁ ଚାହୁଁଛନ୍ତି। ୬୦ କୋଟି ଲୋକଙ୍କ ପାଇଁ ଘର, ବିଜୁଳି ଓ ଶୁଦ୍ଧ ପିଇବା ପାଣି, ଗ୍ୟାସ ସିଲିଣ୍ଡର, ପାଞ୍ଚ ଲକ୍ଷ ଟଙ୍କାର ସ୍ବାସ୍ଥ୍ୟ ଖର୍ଚ୍ଚ, ମାଗଣା ଶସ୍ୟ ପ୍ରଦାନ କରିଛନ୍ତି ମୋଦୀଜୀ। ଏମାନଙ୍କୁ ମୁଖ୍ୟ ସ୍ରୋତକୁ ଆଣିବା ସହ ସେମାନଙ୍କର ଜୀବନଧାରଣ ମାନ ବୃଦ୍ଧି ହେଉଛି ମୋଦୀ ସରକାରର ସଂକଳ୍ପ। କେବଳ ସେତିକି ନୁହେଁ, ୧୧ଲକ୍ଷ କୋଟିର ଭିତ୍ତିଭୂମି ବଜେଟ୍ କରାଯାଇଛି। ଆସନ୍ତା ୨୫ ବର୍ଷ ପାଇଁ ସମଗ୍ର ଦେଶରେ ଭିତ୍ତିଭୂମି ପ୍ରସ୍ତୁତ କରୁଛନ୍ତି ମୋଦୀ ସରକାର। ପର୍ଯ୍ୟଟନକୁ ଦୃଷ୍ଟିରେ ରଖି ସବୁ ଧାର୍ମିକସ୍ଥଳକୁ ସଂଯୋଗ କରାଯାଉଛି। ସବୁ ବନ୍ଦରକୁ ଜାତୀୟ ରାଜପଥ ସହିତ ଯୋଡ଼ି ଦିଆଯାଉଛି। ଯେଉଁଠି ଖଣିଜ ସଂପଦ ଅଛି, ସେସବୁ ଅଞ୍ଚଳକୁ ଦୋହରା ରେଳପଥ, କିଛି ସ୍ଥାନରେ ତିନି ଲେନ୍ ବିଶିଷ୍ଟ ରେଳପଥର ବିକାଶ କାମ ଜାରି ରହିଛି। ଦେଶରେ ରେଳପଥର ବିଦ୍ୟୁତ୍‌କରଣ କାର୍ଯ୍ୟ ଶେଷ ହୋଇଛି। କୋଇଲା ପରିବହନକୁ ସଂପୂର୍ଣ୍ଣ ହ୍ରାସ କରି ଯେଉଁଠାରେ ଖଣି ଅଛି ସେଠାରେ ବିଦ୍ୟୁତ୍ ଉତ୍ପାଦନ କରି ଗ୍ରିଡ୍ ମାଧ୍ୟମରେ ସାରା ଦେଶକୁ ବିଦ୍ୟୁତ୍ ବିସ୍ତାର କରୁଛୁ।

 ଓଡ଼ିଶାକୁ କେନ୍ଦ୍ରୀୟ ବିଜେପି ନେତା ଘନଘନ ଗସ୍ତ କରୁଛନ୍ତି। ପ୍ରଧାନମନ୍ତ୍ରୀ ବି। ଓଡ଼ିଶାର ବିଧାନସଭା ପାଇଁ ଆପଣଙ୍କ ଟାର୍ଗେଟ କେତେ?
ମୁଁ ଅନୁଭବ କରୁଛି, ଓଡ଼ିଶାରେ ସଂଖ୍ୟାଗରିଷ୍ଠତା ହାସଲ କରିବୁ। ପ୍ରଥମ ପର୍ଯ୍ୟାୟ ମତଦାନ ବହୁତ ଉତ୍ସାହଜନକ ରହିଛି। ଲୋକସଭାର ଗୋଟିଏ ଆସନରେ ବିଜେପି-କଂଗ୍ରେସ ଲଢ଼େଇ ଚାଲିଛି। ବାକି ତିନିଟିରେ ବିଜେପି ଜିତୁଛି। ଗଞ୍ଜାମ ଜିଲ୍ଲାର ଫଳାଫଳ ସମସ୍ତଙ୍କୁ ବିସ୍ମିତ କରିବ। ସେଠାରେ ବିଜେପିକୁ ଜବରଦସ୍ତ ସଫଳତା ମିଳିବ। ଏହା ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀ ଅନ୍ତର୍ଭୁକ୍ତ ଏବଂ ବିଜୁ ବାବୁଙ୍କ ସମୟରୁ ଏଠାରେ ତାଙ୍କର ଦବ୍‌ଦବା ରହିଆସିଛି। ମୁଁ ଆସ୍କା ଯାଇଥିଲି। ଆସ୍କାରେ ଜନସଭା ମୋତେ ଅଭିଭୂତ କରିଛି।

 ଆପଣଙ୍କୁ ଲାଗୁନି କି ବିଜେପି ଓଡ଼ିଶା କ୍ଷେତ୍ରରେ ନିର୍ବାଚନ ଯୁଦ୍ଧକୁ ଓହ୍ଲାଇବାରେ ଟିକେ ଡେରି କରିଦେଲା?
ଆପଣ ଏମିତି କହିପାରିବେ। ମାତ୍ର ମୁଁ ବିଶ୍ୱାସ କରେ ଯେ ଓଡ଼ିଶାରେ ଏ ପରିବର୍ତ୍ତନ ହାଵା କେବଳ ଓଡ଼ିଆ ଅସ୍ମିତାକୁ ଆଘାତ କାରଣରୁ ହୋଇଛି। ଓଡ଼ିଶାର ଲୋକମାନେ ଏହାକୁ କେବେବି ସହ୍ୟ କରିପାରିବେ ନାହିଁ। ସ୍ବାଭିମାନୀ ଉତ୍କଳ ପ୍ରଦେଶ ଏହାର ସମ୍ମାନ ପାଇଁ ସମ୍ରାଟ ଅଶୋକଙ୍କ ସହ ସଂଘର୍ଷ କରିଥିଲା। ସେବେ ଯୁଦ୍ଧ କରିଥିଲେ, କ୍ଷମତା ଛାଡି ନଥିଲେ। ଭାଷା ପାଇଁ ମଧୁସୂଦନଙ୍କ ଠାରୁ ଆରମ୍ଭ କରି ଅନେକ ଓଡ଼ିଆ ବହୁ ସଂଗ୍ରାମ କରିଥିଲେ। ଓଡ଼ିଶାର ସାହିତ୍ୟ, ପୁରୀର ମନ୍ଦିର ଏବଂ ଭକ୍ତିସଙ୍ଗୀତ ସାରା ଦେଶରେ ସମ୍ମାନିତ। ଏଭଳି ପୌରାଣିକ ସାଂସ୍କୃତିକ ଐତିହ୍ୟ ରାଜ୍ୟକୁ ଅନ୍ୟ ରାଜ୍ୟରୁ ଆସିଥିବା ଜଣେ ବାବୁ ଶାସନ କରିବ, ମୁଁ ଭାବୁଛି ଏହା ଉଚିତ ନୁହେଁ। ଓଡ଼ିଶା ଲୋକେ ଏହାକୁ ବରଦାସ୍ତ କରିବେ ନାହିଁ ଏବଂ ଏହା ହେଉଛି ଏହି ନିର୍ବାଚନର ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ।

 ଆପଣ ଏମିତି କେମିତି କହୁଛନ୍ତି? ନବୀନ ବାବୁ ଓଡ଼ିଆ କହିପାରନ୍ତି ନାହିଁ, ଗତ ୨୭ବର୍ଷ ଧରି ଏହା କେବେ ବି ପ୍ରସଙ୍ଗ ହେଲାନାହିଁ । ଆଜି କ’ଣ ଏମିତି ବଦଳିଗଲା?
ଦେଖନ୍ତୁ, ନବୀନ ବାବୁ ନିଜେ ଜଣେ ଓଡ଼ିଆ, ବିଜୁ ପଟ୍ଟନାୟକଙ୍କ ପୁତ୍ର ଅଟନ୍ତି। ନବୀନ ବାବୁଙ୍କ ବୟସ କାରଣରୁ ଜଣେ ବାବୁ ଧୀରେ ଧୀରେ ଶାସନକୁ ନିଜ ଆୟତ୍ତକୁ ନେଇଯାଇଛନ୍ତି। ଏ ପର୍ଯ୍ୟନ୍ତ ଓଡ଼ିଶାର ଲୋକମାନେ ନିରବ ରହିଥିଲେ। ମାତ୍ର ବର୍ତ୍ତମାନ ସେ ବାବୁ ଚାକିରିରୁ ଇସ୍ତଫା ଦେଇ ନିଜକୁ ଉତ୍ତରାଧିକାରୀ କରିଦେଇଛନ୍ତି। ଓଡ଼ିଶାର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ? ଏହା ଉପରେ ହିଁ ପ୍ରଶ୍ନ ଚିହ୍ନ ରହିଛି। ଏହା ଆଜିର ପ୍ରସଙ୍ଗ ହୋଇଯାଇଛି। ପ୍ରଶ୍ନ ଉଠୁଛି ଯେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଜଣେ ଓଡ଼ିଆ ହେବ ନା ଅଣଓଡ଼ିଆ?

 ମୁଖ୍ୟମନ୍ତ୍ରୀ ଜଣେ ଓଡ଼ିଆ ହେବେ ନା ନାହିଁ, ଏହା କ’ଣ ମୁଖ୍ୟ ପ୍ରସଙ୍ଗ ହେବ?
ହଁ, କାହିଁକି ପ୍ରସଙ୍ଗ ହେବନାହିଁ? ନବୀନ ବାବୁଙ୍କ ସରକାରରେ ଓଡ଼ିଶା ବାହାରର ଲୋକଙ୍କୁ ପଦୋନ୍ନତି ଦିଆଯାଉଛି, ଯାହାର ଓଡିଆ ସଂସ୍କୃତି, ଭାଷା କିମ୍ବା ଏଠାରେ ଥିବା ଲୋକଙ୍କ ସହିତ କୌଣସି ସମ୍ପର୍କ ନାହିଁ। ଅପରପକ୍ଷରେ ବିଜେପି ଘୋଷଣା କରିସାରିଛି ଯେ ଜଣେ ଓଡ଼ିଆ ହିଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେବେ। ସେ ଓଡ଼ିଶାର ହୋଇଥିବେ ଏବଂ ଓଡ଼ିଶାରେ ରହୁଥିବେ।

 କିନ୍ତୁ ବିଜେପି ତ ଏଯାଏ ଗୋଟିଏ ଚେହେରା ମୁଖ୍ୟମନ୍ତ୍ରୀ ପଦ ପାଇଁ ସାମ୍ନାକୁ ଆଣିପାରୁନି? ଆପଣ କ’ଣ ଭାବୁଛନ୍ତି, ଏହା ଲାଭଦାୟକ ହେବ ନାହିଁ କି?
ଦେଖନ୍ତୁ, ଆମ ଦଳର ସଂସଦୀୟ ବୋର୍ଡ ସମସ୍ତଙ୍କ ସହ ଆଲୋଚନା କରିବା ପରେ ନିଷ୍ପତ୍ତି ନେଇଛନ୍ତି ଯେ ମୋଦୀଜୀଙ୍କ ଚେହେରାକୁ ନେଇ ନିର୍ବାଚନ ଲଢାଯିବ। ହଁ, ବିଧାନସଭା କଥା କହିଲେ, ଆମେ ସ୍ପଷ୍ଟ କରିଛୁ ଯେ ଓଡ଼ିଆ ଭାବନାକୁ ଧ୍ୟାନରେ ରଖି ଆମେ ଏହି ଅଞ୍ଚଳର ବାସିନ୍ଦା, ଯିଏ ସ୍ଥାନୀୟ ଓଡ଼ିଆ ଭାଷା କହିପାରିବେ, ଯିଏ ଭଲ ପ୍ରଶାସନ ଚଳାଇପାରିବ ଏବଂ ଯାହାର ପାରଦର୍ଶୀ ଜୀବନ ଥିବ, ଆମେ ସେହିପରି ଜଣେ ବ୍ୟକ୍ତିଙ୍କୁ ମୁଖ୍ୟମନ୍ତ୍ରୀ କରିବୁ। ଗତକିଛି ଦିନ ହେଲା ବିଜେପି ନେତାଙ୍କ ପାଟିରେ ଗୋଟିଏ ଶବ୍ଦ ବାରମ୍ବାର ପ୍ରତିଧ୍ବନିତ ହେଉଛି। ସେମାନେ ଓଡ଼ିଆ ଅସ୍ମିତା ପ୍ରସଙ୍ଗ ଉଠାଉଛନ୍ତି।

ଯେଉଁମାନେ ମହାପ୍ରଭୁ ଜଗନ୍ନାଥଙ୍କୁ ଠକିଛନ୍ତି, ସେମାନଙ୍କୁ ଲୋକେ କ୍ଷମା କରିବେ ନାହିଁ
ମହାପ୍ରଭୁ ଜଗନ୍ନାଥଙ୍କ ପରମ୍ପରାକୁ ଅନୁସରଣ କରୁଥିବା ବ୍ୟକ୍ତି ହିଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେବେ
ବିଜେପି ଓଡ଼ିଶାକୁ ସର୍ବୋତ୍ତମ ରାଜ୍ୟ କରିବ

 ଆପଣଙ୍କୁ ଲାଗୁଛି କି ନବୀନ ବାବୁଙ୍କ ସରକାର ଓଡ଼ିଆ ଅସ୍ମିତାର ରକ୍ଷା କରି ପାରୁନାହିଁ?
ଓଡ଼ିଆ ସଂସ୍କୃତି-ଅସ୍ମିତା-ସ୍ବାଭିମାନର ଗଳା ଚିପି ହତ୍ୟା କରାଯାଉଛି। ଜଗନ୍ନାଥ ସଂସ୍କୃତି ଏବଂ ପରମ୍ପରାକୁ ନଷ୍ଟ କରିବାକୁ ଷଡ଼୍‌ଯନ୍ତ୍ର ଚାଲିଛି। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନାମରେ ପୁରୀର ଐତିହ୍ୟ, ମଠ ଓ ମନ୍ଦିର ଭାଙ୍ଗି ନଷ୍ଟ କରି ଦିଆଯାଇଛି । ଶ୍ରୀମନ୍ଦିରର ଚାରିଦ୍ବାର ଖୋଲାଯାଉ ନାହିଁ, ଯାହାଫଳରେ ଭକ୍ତମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା କରେଇ ନଦେବା ପାଇଁ ବିଜେଡ଼ି ସରକାର ଷଡ଼୍‌ଯନ୍ତ୍ର କରିଥିଲା। ପୁରୀ ଆଜି ଏଭଳି ଦେଖାଯାଉଛି ଯେପରିକି ଏହା ନିଜର ଆତ୍ମା ହରାଇ ବସିଛି। ରାଜ୍ୟ ସଂଗ୍ରହାଳୟରୁ ୭୦ହଜାର କଳାକୃତି କେଉଁଆଡେ ହଜିଯାଇଛି। ଐତିହାସିକ ବାଲିଯାତ୍ରା ଆୟୋଜନରେ ଦୁର୍ନୀତି ହେଉଛି। ଓଡ଼ିଆ ଅସ୍ମିତାକୁ ଆଉ କେତେ ଆଘାତ ଦେଇଥାନ୍ତେ?
 କିନ୍ତୁ, ଆପଣମାନେ ଏବେ ଓଡ଼ିଶାରେ ସରକାର ଗଠନ କଥା କହୁଛନ୍ତି। କିଛିଦିନ ତଳେ ଚର୍ଚ୍ଚା ଜୋର୍ ଧରିଥିଲା କି, ବିଜେପି-ବିଜେଡି ମେଣ୍ଟ ହେବ। ଏହାକୁ ପ୍ରସଙ୍ଗ କରି କଂଗ୍ରେସ ରାସ୍ତାକୁ ଓହ୍ଲାଇଲା।
ଆମେ କେବେ ମେଣ୍ଟ କଥା କହିନାହୁଁ। ଆପଣ କିନ୍ତୁ ରାହୁଲ ଗାନ୍ଧୀ କିମ୍ବା କଂଗ୍ରେସର ବକ୍ତବ୍ୟକୁ ଏତେ ଗମ୍ଭୀର ଭାବେ ନିଅନ୍ତୁ ନାହିଁ। ସେମାନେ ଦେଶର ରାଜନୀତିର ପରମ୍ପରା ବୁଝନ୍ତି ନାହିଁ। ପ୍ରସଙ୍ଗ ଭିତ୍ତିକ ସମର୍ଥନ ଏବଂ ସହଯୋଗୀ ମେଣ୍ଟ ଦୁଇଟି ଭିନ୍ନ କଥା। ଆମେ କଂଗ୍ରେସକୁ ଅନେକ ଥର ପ୍ରସଙ୍ଗ ଭିତ୍ତିକ ସମର୍ଥନ ମଧ୍ୟ ଦେଇଥିଲୁ। ଯେତେବେଳେ ପରମାଣୁ ଶକ୍ତି କାରଖାନା ସ୍ଥାପନ ବିଷୟରେ ଆଲୋଚନା ହୋଇଥିଲା, ସେସମୟରେ ଭାରତୀୟ ଜନତା ପାର୍ଟି ପ୍ରସଙ୍ଗ ଭିତ୍ତିକ ସମର୍ଥନ ଦେଇଥିଲା। ତାଙ୍କର ଏପରି ନୀଚ୍ଚ ରାଜନୀତିରୁ ଜଣାପଡୁଛି, ସେମାନେ ପ୍ରସଙ୍ଗ ଭିତ୍ତିକ ସମର୍ଥନ ଏବଂ ମେଣ୍ଟ ମଧ୍ୟରେ ପାର୍ଥକ୍ୟ ବୁଝିବାରେ ସକ୍ଷମ ନୁହନ୍ତି। ନବୀନ ବାବୁ ସବୁବେଳେ ଆମ ସରକାରଙ୍କୁ ପ୍ରସଙ୍ଗ ଭିତ୍ତିକ ସମର୍ଥନ କରୁଥିଲେ। ନବୀନ ବାବୁ ଆମ ସହ କେବେ ହେଲେ ମେଣ୍ଟ କରିନାହାନ୍ତି।
 ବିଜେଡି ତରଫରୁ କୁହାଯାଉଛି ଯେ ଗତ ୧୦ବର୍ଷରେ ଯେଉଁ ବିକାଶ ହୋଇଛି ତାହା ଏନ୍‌ଡିଏ ସରକାର ଯୋଗୁଁ ହୋଇ ନାହିଁ। ବରଂ ଉପା ସରକାର ସମୟରେ ହୋଇଥିବା ନିଷ୍ପତ୍ତିର କେବଳ କାର୍ଯ୍ୟାନ୍ବୟନ।
୧୦ବର୍ଷ ହେଲା ତ ଏନ୍‌ଡ଼ିଏ ସରକାର ଅଛି। ଏହି କାମ ସବୁ ପୂର୍ବରୁ କାହିଁକି ହେଲାନାହିଁ? ନବୀନ ବାବୁ ୨୫ବର୍ଷ ହେଲା ସରକାରରେ ଅଛନ୍ତି। ପ୍ରଥମ ୧୫ବର୍ଷରେ ଏହି କାମ ସବୁ ହେଲାନାହିଁ କାହିଁକି? ଏଥିରେ ‘୧୦ବର୍ଷ’ ଶବ୍ଦଟି ବହୁତ ଗୁରୁତ୍ୱପୂର୍ଣ୍ଣ। ଭଗବାନ ଜଗନ୍ନାଥ ସେମାନଙ୍କୁ ସତ କୁହାଇ ଦେଇଛନ୍ତି। ମୁଁ ଆପଣଙ୍କୁ କହୁଛି, ଶୁଣନ୍ତୁ। ଓଡ଼ିଶାରେ ୨୦୧୯ ଯାଏଁ ପାଖାପାଖି ସାଢ଼େ ତିନି ପ୍ରତିଶତ ଲୋକଙ୍କୁ ହିଁ ପିଇବା ପାଣି ମିଳୁଥିଲା। ମୋଦୀଜୀ “ନଲ୍‌ ସେ ଜଲ୍‌” ଯୋଜନା ଆଣିଲା ପରେ ପିଇବା ପାଣି ମିଳିଲା। ଆଜି ବି ୨୬ଲକ୍ଷ ଲୋକ ଏହି ଯୋଜନାରୁ ବଞ୍ଚିତ ଅଛନ୍ତି। ଓଡ଼ିଶାର ଲୋକଙ୍କୁ ଘର ଦେବା କାମ କରିଛୁ। ସେଥିରେ ବିେଜଡି ନିଜ ଚିହ୍ନ ଲଗାଇଦେଲେ। ମୋଦୀଜୀ ମାଗଣାରେ ଚାଉଳ ପଠାଉଛନ୍ତି, ସେଥିରେ ବିଜୁ ଜନତା ଦଳ ନିଜ ବ୍ୟାଗ୍‌ ଦେଉଛି; ଯେଉଁଥିରେ ଶଙ୍ଖ ଆଉ ନବୀନ ବାବୁଙ୍କ ଫଟୋ ଅଛି। ଆପଣ କୁହନ୍ତୁ ବ୍ୟାଗ୍‌ କିଏ ଖାଇପାରେ କି? କମ୍‌ ସେ କମ୍‌ ବ୍ୟାଗ୍‌ର ମୂଲ୍ୟ ଯେତିକି, ସେତିକି ମୂଲ୍ୟର ଚାଉଳ ଦେଇଥିଲେ, ଗରିବ ମାନଙ୍କର ଲାଭ ହୋଇଥାନ୍ତା।
କେବଳ ସେତିକି ନୁହେଁ, ମୋଦୀଜୀଙ୍କର ଯେତେ ବି ଯୋଜନା ବା କାର୍ଯ୍ୟକ୍ରମ ଥିଲା; ସେ ଶୌଚାଳୟ ତିଆରି, ଗ୍ୟାସ ଦେବା ହେଉ, ବିଜୁଳି, ଘର, ରାସନ, ପିଇବା ପାଣି ଏସବୁ ନିଜ ଖାତାରେ ବିଜୁ ଜନତା ଦଳ ପକାଉଛି। ମୋର ଗୋଟେ ସିଧା ପ୍ରଶ୍ନ ପ୍ରଥମ ୧୫ ବର୍ଷରେ ଏଇ ବିକାଶ କାହିଁକି ହେଲା ନାହିଁ? ସେତେବେଳେ ତ ନବୀନ ବାବୁଙ୍କ ସ୍ବାସ୍ଥ୍ୟ ବି ଭଲ ଥିଲା?
ପ୍ରକୃତରେ ମୋଦୀ ଆସିବା ପରେ ବିକାଶ ହୋଇଛି। ଆଉ ଏବେବି ଓଡ଼ିଶା ସରକାର ଆୟୁଷ୍ମାନ ଭଳି ବହୁ ଯୋଜନା ଲାଗୁ କରିନାହାନ୍ତି। ସେମାନଙ୍କର ଡର ଯେ ମୋଦୀ ଲୋକପ୍ରିୟ ହୋଇଯିବେ। ଥରେ ଡବଲ ଇଞ୍ଜିନ ସରକାର ଆସିଗଲେ ଓଡ଼ିଶାର ବିକାଶ ଦୁଇଗୁଣା ହେବ।
 କିନ୍ତୁ, ରାଜ୍ୟ ସରକାର…
ରୁହନ୍ତୁ (ରୋକିଦେଇ)। ଏହା ଗୋଟିଏ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ। ଏ ପ୍ରସଙ୍ଗରେ ମୁଁ ଆପଣଙ୍କୁ ଗୋଟେ କଥା କହିବାକୁ ଚାହୁଁଛି। ମୋ ଦୃଷ୍ଟିକୋଣ ଅନୁସାରେ ଦେଶର ସବୁଠୁ ସମୃଦ୍ଧ ରାଜ୍ୟ ଓଡ଼ିଶା ଅଟେ। ଏଇଥିପାଇଁ ଯେ ଓଡ଼ିଶା ମାଟିରେ ଖଣିଜ ଭରି ରହିଛି। ହେଲେ ବିଡମ୍ବନା ଦେଖନ୍ତୁ। ଏଠାକାର ଲୋକ ସବୁଠୁ ଗରିବ। କାରଣ ଏହାର ରୂପାନ୍ତର ହେଉନାହିଁ। ଖଣିଜ ପଦାର୍ଥ ଏଠୁ ବାହାରି ବନ୍ଦରରୁ ବିଦେଶକୁ ଯାଉଛି। ଏହାର ଉତ୍ପାଦନ ବ୍ୟବସ୍ଥା ଓ ଲାଭ ଓଡ଼ିଶାରେ ରହିବା ଦରକାର। ଏତିକି କଥା ବି କରିପାରୁନାହାନ୍ତି।

 ଆପଣ ଖଣି ଦୁରୁପଯୋଗ କଥା କହୁଛନ୍ତି। କିନ୍ତୁ ଖଣି ଦୁର୍ନୀତି ନେଇ ଶାହ କମିସନ ରିପୋର୍ଟ ଭାଗ୍ୟ କଣ ହେଲା? ସିବିଆଇ ତଦନ୍ତ ପାଇଁ କେନ୍ଦ୍ର କାହିଁକି ପଛଘୁଞ୍ଚା ଦେଲା?
ଆପଣ ଜାଣି ରଖନ୍ତୁ ଯେ ଖଣି କ୍ଷେତ୍ରରେ ରାଜ୍ୟ ସରକାରଙ୍କ ଯୋଗଦାନ ମହତ୍ତ୍ବପୂର୍ଣ୍ଣ। ଥରେ ଓଡ଼ିଶାରେ ବିଜେପି କ୍ଷମତାକୁ ଆସୁ, ଦେଖିବେ ଭ୍ରଷ୍ଟାଚାର ସଂପର୍କିତ ସବୁ ଘଟଣାକୁ ନିର୍ଣ୍ଣାୟକସ୍ତରରେ ପହଞ୍ଚାଯିବ।

 ଆପଣଙ୍କୁ ରାଜନୀତିରେ ଚାଣକ୍ୟ ବୋଲି କୁହାଯାଏ। ଆପଣଙ୍କ ଫର୍ମୁଲା ଯେଉଁଠି ଉପଯୋଗ ହୁଏ, ସେଠାରେ ଦଳ ସରକାରକୁ ଆସେ। କିନ୍ତୁ ଆମେ ଦେଖିଲୁ ଯେ ଓଡ଼ିଶାରେ ବିଜେପି ଦୁଇ ଦୁଇ ଥର ଫେଲ୍ ମାରିସାରିଛି। ଏବଂ ଏକଥା ସମସ୍ତେ ସ୍ବୀକାର କରିବେ ଯେ ନିର୍ବାଚନ ପରିଚାଳନାରେ ବିଜେପିକୁ ବିଜେଡି ବହୁତ ପଛରେ ଛାଡ଼ିଦେଇଛି। ଏବେ ସମସ୍ତେ କହୁଛନ୍ତି, ସରକାର ବିରୋଧୀ ଅନ୍ତଃସ୍ବର ରହିଛି ଓ ଏହା ଭୋଟରେ ରୂପାନ୍ତରିତ ହେବ।
ଟିକିଏ ହସିଦେଇ…ଦେଖନ୍ତୁ, ପ୍ରଥମେ ତ କହିବି ଯେ ମୁଁ ଚାଣକ୍ୟ ଆଦି କିଛି ବି ନୁହେଁ। ଚାଣକ୍ୟ ବହୁତ ବଡ ବ୍ୟକ୍ତିତ୍ବ। ମୁଁ ସେମିତି ହୋଇପାରିବି ବି ନାହିଁ। କୋଟିଏ ବର୍ଷରେ ସେପରି କେହି ଜଣେ ବ୍ୟକ୍ତି ଜନ୍ମ ହୁଅନ୍ତି, ଯିଏ ମୁଁ ନୁହଁ ।
ଦ୍ବିତୀୟ କଥା, ନିର୍ବାଚନ ବିଜ୍ଞାନର ଏକ ନିୟମ ରହିଛି। ଆପଣ ଥରେ, ଦୁଇଥର, ତିନିଥର ଟଙ୍କା ଆଧାରରେ, ପ୍ରଶାସନ ଆଧାରରେ ନିର୍ବାଚନ ଜିତି ପାରନ୍ତି। କିନ୍ତୁ ଗୋଟେ ସମୟ ଆସିବ, ସତ୍ତା ପରିବର୍ତ୍ତନର। ସେ ସମୟରେ ସବୁ ଜିନିଷ ତୁମ ବିରୋଧରେ ଯିବ। ମୁଁ ମାନୁଛି ସେ ସମୟ ଓଡ଼ିଶାରେ ଆସିଯାଇଛି। ଏବେ ଓଡ଼ିଶାର ଜନତା ଆଉ ପ୍ରଶାସନକୁ ଡରୁନାହାନ୍ତି। ଏବେ ଖୋଲାଖୋଲି ଭୋଟ୍‌ ଦେବେ, ନିର୍ଭୟରେ ମତଦେବେ। ଏସବୁ ଭୋଟ୍‌ ମୋଦୀଙ୍କୁ ମିଳିବ।

 ହଠାତ୍, ଆପଣ ଏବେ ରତ୍ନଭଣ୍ଡାର ପ୍ରସଙ୍ଗ ଉଠାଉଛନ୍ତି। ନିର୍ବାଚନକୁ ଦୃଷ୍ଟି ରଖି ଆପଣ ଏହି ପ୍ରସଙ୍ଗରେ ଅଧିକ ଗର୍ଜନ ତର୍ଜନ କରୁଥିବା ମନେହେଉଛି?
ରାଜନୀତିର ପ୍ରଶ୍ନ ହିଁ ଉଠୁନି। ମୁଁ କହୁଛି ଆଜି ନବୀନ ବାବୁ ଆମକୁ ତଦନ୍ତ ଦାୟିତ୍ବ ହସ୍ତାନ୍ତର କରନ୍ତୁ। ରତ୍ନଭଣ୍ଡାର ଘଟଣାଟି ଯାଞ୍ଚ ହେବା ନିହାତି ଆବଶ୍ୟକ। ଜଣେ ହାଇକୋର୍ଟ ବିଚାରପତି ତଦନ୍ତ କଲେ। ୬ବର୍ଷ ଧରି ଏହି ରିପୋର୍ଟ ସାର୍ବଜନୀନ କାହିଁକି କରାଯାଉନାହିଁ? ଦେଶ ଓ ଦୁନିଆର କୋଟି କୋଟି ଲୋକ ମହାପ୍ରଭୁଙ୍କ ପ୍ରତି ଶ୍ରଦ୍ଧା ରଖନ୍ତି ଏବଂ ତାଙ୍କ ଚରଣରେ ଯାହା ସବୁ ସମର୍ପିତ କରନ୍ତି ତାହା ମହାପ୍ରଭୁ ଏବଂ ବୈଷ୍ଣବ ସମ୍ପ୍ରଦାୟ ପାଇଁ, ହିନ୍ଦୁ ଧର୍ମ ପାଇଁ। ଏହାର ପରିଚାଳନାରେ ତ୍ରୁଟି କେମିତି ହୋଇପାରିବ? ଓଡ଼ିଶାରେ ଇଂରେଜ ଶାସନ ଚାଲିଛି ନା କ’ଣ? ନା ମୋଗଲ ଶାସନ? ପ୍ରତିଟି ଦାନ ବା ଗୋଟିଏ ଗୋଟିଏ ଗ୍ରାମ୍‌ ସୁନା ଯାହା ଭକ୍ତମାନେ ମହାପ୍ରଭୁଙ୍କୁ ଦେଇଛନ୍ତି, ତାହା ସହିତ କେହି ବି ଖେଳୁଆଡ଼ କରିପାରିବେ ନାହିଁ। ଏହାର ବିନିଯୋଗ କେବଳ ମହାପ୍ରଭୁଙ୍କ ପାଇଁ ହିଁ ହେବ। ଯେଉଁମାନେ ନକଲି ଚାବି ତିଆରି କରିଛନ୍ତି, ସେମାନେ ପାପ କରିଛନ୍ତି। ତାଙ୍କୁ ଭୋଗିବାକୁ ପଡ଼ିବ।

 ଆପଣ ଡବଲ୍ ଇଞ୍ଜିନ ସରକାର କଥା କହୁଛନ୍ତି। କିନ୍ତୁ ଯେଉଁଠି ଏଭଳି ସରକାର ଅଛି, ସେମାନେ ଓଡ଼ିଶା ଭଳି ରାଜ୍ୟଠୁ କେତେ ଭିନ୍ନ। ମଧ୍ୟପ୍ରଦେଶ ତ ଆମ ସାମ୍ନାରେ ରହିଛି।
ଡବଲ ଇଞ୍ଜିନ୍‌ ସରକାର ମଧ୍ୟପ୍ରଦେଶରେ ହେବା ପରେ କୃଷି କ୍ଷେତ୍ରରେ ଅଭିବୃଦ୍ଧି ୬ଗୁଣା ବଢ଼ିଛି। ଓଡ଼ିଶାରେ ଏକଥା ହୋଇଛି? ମଧ୍ୟପ୍ରଦେଶରେ ଜଳସଂପଦ କଥା ଭାବନ୍ତୁ। ସେଠାରେ ଜଳସଂପଦ ୩୪୮ ପ୍ରତିଶତ ବଢ଼ିଛି। ଏଠାରେ ମହାନଦୀର ପାଣି ସମୁଦ୍ରକୁ ଯାଉଛି। ଆପଣ ଏବେ ଯେଉଁଠି ମୋ ସହିତ ବସିଛନ୍ତି (ଝାରସୁଗୁଡା) ଏହା ମହାନଦୀର ସଂଲଗ୍ନ ଗୋଟିଏ ଅଞ୍ଚଳ। ମୁଁ ଆଜି ସମ୍ବଲପୁର ଯାଉଛି। ଏଠାକାର ଲୋକଙ୍କ ପାଇଁ ବି ଜଳସଂପଦ ବ୍ୟବସ୍ଥା କରାଯାଇନାହିଁ। ଏଠି କି ସରକାର ଚାଲିଛି? ଇଏ କି ବ୍ୟବସ୍ଥା? ଏଠାରୁ ଲୁହା ଉତ୍ପାଦନ ହୁଏ, କୋଇଲା ଉତ୍ପାଦନ ହୁଏ, ଆଲୁମିନିୟମ ଉତ୍ପାଦିତ ହୁଏ କିନ୍ତୁ ଏଠାରେ ଗୋଟିଏ ହେଲେ କାରଖାନା ସ୍ଥାପନ ହୋଇନାହିଁ।

 କିନ୍ତୁ ମହାନଦୀ ପ୍ରସଙ୍ଗରେ ଆପଣ ରାଜ୍ୟ ସରକାରଙ୍କୁ କେବଳ ଦାୟୀ କରିପାରିବେ ନାହିଁ। ଭାରତ ସରକାର ମଧ୍ୟ ଠିକ୍ ଦାୟିତ୍ବ ନିର୍ବାହ କରିନାହାନ୍ତି। ଏକଥା କ’ଣ ଆପଣ ଅସ୍ବୀକାର କରିବେ?
ଏହା ହେଉଛି ନବୀନ ବାବୁଙ୍କ ପୁରୁଣା ଅଭ୍ୟାସ। ସେ ଦାବି କରୁଛନ୍ତି ଯେ ମହାନଦୀର ଓଡ଼ିଶାର ଭାଗ ଅଧିକ। ଓଡ଼ିଶାର ଭାଗ ଯଦି ଅଧିକ, ତାହା ନିଶ୍ଚିତ ମିଳିବ। କିନ୍ତୁ ଏବେ ଯେତିକି ପାଣି ମିଳୁଛି, ତାର ଉପଯୋଗ ପାଇଁ ନବୀନ ବାବୁ କ’ଣ କରିଛନ୍ତି, ତାହା ଆଗ କୁହନ୍ତୁ? ଏବେ ଓଡ଼ିଶାକୁ ଯେତେ ପାଣି ଆସୁଛି, ତାର ୧୦ ପ୍ରତିଶତ ଚାଷୀର ଜମିରେ ପହଞ୍ଚିଛି କି? ଲୋକଙ୍କ ଘରେ ପହଞ୍ଚିଛି କି? ନବୀନ ବାବୁ ଲୋକଙ୍କୁ ଭ୍ରମିତ କରିବା ବନ୍ଦ କରନ୍ତୁ। ଅସଲ କଥା ହେଲା, ଏ ବାବୁ ନବୀନ ବାବୁଙ୍କୁ ଏଭଳି ଭାବିବା ଲାଗି ଇଞ୍ଜେକସନ୍ ଦେଉଛନ୍ତି। ନ ହେଲେ ନବୀନ ବାବୁ ଏମିତି ଦ୍ବନ୍ଦ୍ବ ସୃଷ୍ଟି କରିନଥାନ୍ତେ।

 ଆପଣ ବିଭିନ୍ନ ସ୍ଥାନରେ ଭାଷଣ ଦେବା ବେଳେ ବିଜେଡ଼ି ସରକାର ଉପରେ ଆରୋପ ଲଗାଉଛନ୍ତି କି ତାଙ୍କ ସରକାରକୁ ବାବୁ ଚଳାଉଛନ୍ତି? କେନ୍ଦ୍ର ସରକାରରେ ବାବୁଙ୍କର ଭୂମିକା କିଛି ନାହିଁ?
ଦେଖନ୍ତୁ, ଆମ କାମ ହେଉଛି, ପ୍ରସଙ୍ଗ ଉଠାଇବା। ଯେଉଁମାନେ ଓଡ଼ିଆ ଅସ୍ମିତାକୁ ଆଘାତ ଦେଉଛନ୍ତି, ଓଡ଼ିଶାର ସ୍ବାର୍ଥର ଗତିରୋଧ କରୁଛନ୍ତି, ସେମାନଙ୍କୁ ସାମ୍ନାକୁ ଆଣିବା ଆମ କାମ। ଆମେ ଯାହା ଦେଖୁଛୁ, ବର୍ତ୍ତମାନ ଓଡ଼ିଶାରେ ସରପଞ୍ଚଠୁ ନେଇ ବିଧାୟକ, ମନ୍ତ୍ରୀ ସମସ୍ତଙ୍କୁ ପଙ୍ଗୁ କରି କିଛି ଅଧିକାରୀ ରାଜ୍ୟରେ ଶାସନ ଚଳାଇଛନ୍ତି। ନିଜ ଦଳ କ୍ଷମତାରେ ରହିବା ପରେ ମଧ୍ୟ ସରକାରୀ ଦଳର ବିଧାୟକ ମନ୍ତ୍ରୀ ମାନେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାରେ ଅସମର୍ଥ, ଏକଥା ସେ ଦଳ ଛାଡ଼ୁଥିବା ନେତାମାନେ ହିଁ କହୁଛନ୍ତି। ଏଥର କିନ୍ତୁ ଓଡ଼ିଶାର ଜନତା ନିଷ୍ପତ୍ତି ନେଇସାରିଛନ୍ତି ଯେ ସେମାନଙ୍କୁ ଅଫିସର ଶାସନ ଦରକାର ନାହିଁ। ସେମାନଙ୍କୁ ଜନପ୍ରତିନିଧିଙ୍କ ଦ୍ବାରା ଶାସନ ଦରକାର।
 କିନ୍ତୁ ଆପଣମାନେ ତ ଲୋକଙ୍କ ରାୟକୁ ଅପେକ୍ଷା ନ କରି ଶପଥ ଗ୍ରହଣର ତାରିଖ ଘୋଷଣା କରିସାରିଲେଣି। ବିଜେଡି ୯ ତାରିଖ ଓ ମୋଦୀ ୧୦ ତାରିଖରେ ଓଡ଼ିଶାରେ ତାଙ୍କ ସରକାର ଶପଥ ନେବ ବୋଲି କହୁଛନ୍ତି?
ଦେଖନ୍ତୁ, ଆମେ ତାରିଖ ଘୋଷଣା କରିଛୁ। ଆମେ ଏଠି ସରକାର କରିବୁ।

 ଆପଣ ସରକାର ଗଠନ କରିବେ ବୋଲି ଏତେ ବଡ଼ ଦାବି କରୁଛନ୍ତି ଯେ, କିନ୍ତୁ ଆପଣ ବିଜେପି ସଂଗଠନକୁ ନେଇ ସନ୍ତୁଷ୍ଟ କି?
ଆମର ସଂଗଠନକୁ ଆପଣ କେମିତି ଦେଖୁଛନ୍ତି କେଜାଣି। ମୁଁ କିନ୍ତୁ କହିବି ଯେ ଆମ ସଂଗଠନ ବିଜେଡି ଠାରୁ ବହୁତ ଭଲ। ସେମାନଙ୍କର ସଂଗଠନ ହେଉଛି ବ୍ୟକ୍ତି କୈନ୍ଦ୍ରିକ। ଆମର ଅନ୍ତତଃ ସବୁ ଜିଲ୍ଲାରେ ସଭାପତି ଅଛନ୍ତି।

 ଆପଣ ଅନେକ ପ୍ରସଙ୍ଗ ଉଠାଉଛନ୍ତି। ୨୦୨୪ର ଅସଲ ପ୍ରସଙ୍ଗଟି କ’ଣ?
ଦେଖନ୍ତୁ ତାଲିକା ବେଶ୍ ଲମ୍ବା। ଓଡ଼ିଶାରେ ଦଳ ଜାରି କରିଥିବା ନିର୍ବାଚନୀ ଇସ୍ତାହାର ଉପରେ ଆପଣ ଆଖି ପକାନ୍ତୁ। ଏଠି ସରକାରକୁ ଆସିଲେ, ୩୧୦୦ ଟଙ୍କାରେ ଆମେ ଧାନ କିଣିବୁ। ସୁଭଦ୍ରା ଯୋଜନା ଆମର ଫୋକସ୍‌ରେ ଅଛି। ବରିଷ୍ଠ ନାଗରିକ ଏବଂ ବିଧବାଙ୍କୁ ୩ ହଜାର ଟଙ୍କାର ପେନସନ୍, ମତ୍ସ୍ୟଜୀବୀଙ୍କୁ ୧୦ ହଜାର ଟଙ୍କାର ବାର୍ଷିକ ଭତ୍ତା, କେନ୍ଦୁପତ୍ର ତୋଳାଳିଙ୍କୁ ସହାୟତା, ମିସନ୍ ଓଡ଼ିଶା, ୧୫ଲକ୍ଷ ଘର ନିର୍ମାଣ, ୨୬ ଲକ୍ଷ ଲୋକଙ୍କ ଘରେ ପାଣି ପହଞ୍ଚାଇବା ଏସବୁ ଅନ୍ତର୍ଭୁକ୍ତ।
 କିନ୍ତୁ ଆପଣ କେନ୍ଦ୍ରରେ ସରକାରରେ ଅଛନ୍ତି। ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବଢ଼ାଇବାର କ୍ଷମତା ଆପଣଙ୍କର।
ହଁ, ଓଡ଼ିଶାର ଚାଷୀ ଛତିଶଗଡ଼ରେ ଯାଇ ଧାନ ବିକ୍ରି କରୁଛି। ବିଜେପି ସରକାର ସେଠାରେ କ୍ବିଣ୍ଟାଲ୍‌ ପିଛା ୩୧୦୦ ଟଙ୍କା ଲେଖାଏଁ ଦେଉଛି। ଇଏ ଆପଣ ଯାହା କହୁଛନ୍ତି, ପାଣ୍ଡିଆନ ବାବୁଙ୍କ କଥା। କିନ୍ତୁ ପାଣ୍ଡିଆନ ବାବୁ ଏକଥା ବି ଜାଣନ୍ତୁ ଯେ ଛତିଶଗଡ଼ରେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଯାହା, ଓଡ଼ିଶାରେ ବି ସେୟା। ଅଧିକ ଟଙ୍କାଟିଏ ସେଠାରେ କେନ୍ଦ୍ର ସରକାର ଦେଉନାହାନ୍ତି। ଭାରତ ସରକାର ଗୋଟିଏ ଅଂଶ ଦିଅନ୍ତି। ମାତ୍ର ଛତିଶଗଡ଼ ସରକାର ଆଉ ଗୋଟିଏ ଅଂଶ ଯୋଡ଼ି ଚାଷୀକୁ କ୍ବିଣ୍ଟାଲ୍ ପିଛା ୩୧୦୦ ଟଙ୍କା ମୂଲ୍ୟ ଦେଉଛନ୍ତି। ବାକି ଟଙ୍କା ରାଜ୍ୟ ସରକାର ଦେବାକୁ ଏଠି କିଏ ମନା କରୁଛି?

 ଗତ ୧୦ବର୍ଷ ଭିତରେ ଆତଙ୍କବାଦୀ ଘଟଣା ହ୍ରାସ ଘଟିଛି କି? ଆତଙ୍କବାଦ ବିରୋଧ ଲଢେଇରେ ଆପଣ କେତେ ସନ୍ତୁଷ୍ଟ ଅଛନ୍ତି?
ଆତଙ୍କବାଦ ଉପରେ ଆମ ସରକାରଙ୍କ ନୀତି ହେଉଛି, “ଶୂନ ସହନଶୀଳତା”। ସୀମାରେ ଅନୁପ୍ରବେଶ ଉଦ୍ୟମକୁ ରୋକିବାରେ ସଫଳତା ହାସଲ କରିଛୁ। ଆତଙ୍କବାଦୀଙ୍କ କାର୍ଯ୍ୟକଳାପକୁ ନଷ୍ଟ ପାଇଁ ଅନେକ ପଦକ୍ଷେପ ନିଆଯାଉଛି। ଆତଙ୍କବାଦୀ ଲିଙ୍କ୍- ହାୱାଲା ଏବଂ ନାର୍କୋ-ଆତଙ୍କବାଦୀ ଲିଙ୍କ୍ ମାଧ୍ୟମରେ ପାଣ୍ଠି ଜବତ ଆଦି ଦିଗରେ ଏନ୍‌ଆଇଏ ଏବଂ ଇଡି କାର୍ଯ୍ୟ କରୁଛି। ୨୦୧୯ ପରଠାରୁ ୫୭ଜଣଙ୍କୁ ଆତଙ୍କବାଦୀ ଘୋଷିତ କରାଯାଇଛି, ୪୪ଟି ସଂଗଠନ ଉପରେ ପ୍ରତିବନ୍ଧକ ଲାଗିଛି। ଭାରତୀୟ ଜଷ୍ଟିସ୍ କୋଡ୍, ୨୦୨୩ରେ ପ୍ରଥମ ଥର ପାଇଁ ଆତଙ୍କବାଦର ସଂଜ୍ଞା ଦିଆଯାଇଛି। ଏହି କାରଣରୁ ୟୁପିଏ ଶାସନ ତୁଳନାରେ ଆତଙ୍କବାଦ ଘଟଣା ୭୭% ହ୍ରାସ ପାଇଛି। ନିହତ ସାଧାରଣ ନାଗରିକ ଏବଂ ସୁରକ୍ଷା ବାହିନୀର ସଂଖ୍ୟା ମଧ୍ୟ ୯୭% ହ୍ରାସ ପାଇଛି।

 ନକ୍ସଲବାଦ ବିରୋଧ ଲଢେଇରେ ଏପର୍ଯ୍ୟନ୍ତ କି ସଫଳତା ମିଳିଛି। କେବେ ସୁଦ୍ଧା ଦେଶ ନକ୍ସଲମୁକ୍ତ କରିବା ଲାଗି କେନ୍ଦ୍ର ସରକାର ଲକ୍ଷ୍ୟ ରଖିଛନ୍ତି?
ହିଂସା ମାଧ୍ୟମରେ ଗଣତନ୍ତ୍ରକୁ ନଷ୍ଟ କରିବାରେ ବାମପନ୍ଥୀ ଉଗ୍ରବାଦୀଙ୍କର ଲମ୍ବା ଇତିହାସ ରହିଛି। ସେମାନେ କେବଳ ପ୍ରଭାବିତ ଅଞ୍ଚଳରେ ବିକାଶକୁ ଅଟକାଇ ନାହାନ୍ତି ବରଂ ଚାରି ଦଶନ୍ଧି ମଧ୍ୟରେ ସେମାନଙ୍କ ହିଂସା କାରଣରୁ ୧୬,୬୫୨ ସୁରକ୍ଷାକର୍ମୀ ଏବଂ ସାଧାରଣ ନାଗରିକଙ୍କ ଜୀବନ ଯାଇଛି। ଆମେ ନକ୍ସଲବାଦ ବିରୋଧରେ ହେଉଥିବା ଯୁଦ୍ଧ ନିମନ୍ତେ ଏକ ତ୍ରିସ୍ତରୀୟ ରଣନୀତି କରିଛୁ। ପରିଣାମ ହେଲା- ଗତ ୩୫ବର୍ଷ ମଧ୍ୟରେ ଚଳିତ ବର୍ଷ ସର୍ବନିମ୍ନ ହିଂସାକାଣ୍ଡ ଘଟିଥିବା ରିପୋର୍ଟ ହୋଇଛି। ୟୁପିଏ କାର୍ଯ୍ୟକାଳ ତୁଳନାରେ ହିଂସା ଘଟଣାରେ ୫୩% ହ୍ରାସ ହୋଇଛି। ଉଗ୍ରବାଦ ସମ୍ବନ୍ଧୀୟ ମୃତ୍ୟୁରେ ୭୦% ହ୍ରାସ ଘଟିଛି। ସୁରକ୍ଷା କର୍ମୀଙ୍କ ମୃତ୍ୟୁରେ ୭୨% ହ୍ରାସ ସହ ହିଂସାକାଣ୍ଡ ଘଟୁଥିବା ଜିଲ୍ଲା ସଂଖ୍ୟା ୯୬ ରୁ ୪୫ କୁ ହ୍ରାସ ପାଇଛି। ମୋଦୀ ୩.୦ ରେ ଦେଶ ନକ୍ସଲବାଦ ମୁକ୍ତ ହୋଇଯିବ, ଏ ପ୍ରତିଶ୍ରୁତି ମୁଁ ରଖିବାକୁ ଚାହେଁ।

 ଧାରା ୩୭୦ ଉଚ୍ଛେଦ ପରେ ପ୍ରଥମଥର ପାଇଁ ଜମ୍ମୁକଶ୍ମୀରରେ ଲୋକସଭା ନିର୍ବାଚନ ଅନୁଷ୍ଠିତ ହେଉଛି। ଶ୍ରୀନଗର ଏବଂ ବାରମୂଲାରେ ଭୋଟ୍ ପ୍ରତିଶତ ବୃଦ୍ଧି ପାଇଛି। ଏହାକୁ ଆପଣ କିଭଳି ବର୍ଣ୍ଣନା କରିବାକୁ ଚାହାନ୍ତି?
ଯେଉଁମାନେ ୩୭୦ ଧାରା ହଟାଇବା ପରେ ଜମ୍ମୁ କାଶ୍ମୀରରେ କ’ଣ ପରିବର୍ତ୍ତନ ହୋଇଛି ବୋଲି ପଚାରିଥିଲେ, ଏହି ଲୋକସଭା ନିର୍ବାଚନ ସେମାନଙ୍କ ପାଇଁ ଏକ ଶିକ୍ଷା ଅଟେ। ବାରମୂଲା ଲୋକସଭାରେ ଗତ ଲୋକସଭା ନିର୍ବାଚନରେ ୩୪.୬୦% ମତଦାନ ହୋଇଥିବାବେଳେ ଏଥର ପ୍ରାୟ ୫୬% ଭୋଟର ମତଦାନ କେନ୍ଦ୍ରରେ ପହଞ୍ଚି ଭୟ ଏବଂ ଆତଙ୍କମୁକ୍ତ ପରିବେଶରେ ସେମାନଙ୍କର ମତବ୍ୟକ୍ତ କରିଥିଲେ। ବର୍ତ୍ତମାନ ବିକାଶ ଏବଂ ବିଶ୍ୱାସର ମୁଖ୍ୟ ସ୍ରୋତରେ ଯୋଗଦେଇ ଜମ୍ମୁ କାଶ୍ମୀର ବଦଳୁଛି।

 ଜାତୀୟ ନିର୍ବାଚନ ସହ ଶେଷ ପ୍ରଶ୍ନ ପଚାରିବାକୁ ଚାହିଁବୁ। ବିରୋଧୀ କହୁଛନ୍ତି, ଆପଣ ରାମ ମନ୍ଦିର ନାମରେ ଭୋଟ ମାଗୁଛନ୍ତି? ଏଇଟା କଣ ମିଛ?
ରାମ ମନ୍ଦିର କେବେବି ଆମ ପାଇଁ ରାଜନୈତିକ ବିଷୟ ନଥିଲା। ଏହା ରାଜନୈତିକ ବିଷୟ ସେମାନଙ୍କ ପାଇଁ ଥିଲା ଯେଉଁମାନେ ତୁଷ୍ଟୀକରଣ ପାଇଁ କରସେବକଙ୍କ ଉପରକୁ ଗୁଳି ଚାଳନା କରିଥିଲେ। ଥରେ ଭାବିକି ଦେଖନ୍ତୁ ବହୁସଂଖ୍ୟକଙ୍କ ଆରାଧ୍ୟ ଦୀର୍ଘ ୫୦୦ ବର୍ଷରୁ ଅଧିକ ସମୟ ବାହାରେ ଥିଲେ। ପୁଣି ଆଇନଗତ ଯୁଦ୍ଧ ମାଧ୍ୟମରେ ସେମାନଙ୍କର ଅଧିକାର ପାଇଲେ। ଏଥିରେ ରାଜନୀତି କେଉଁଠୁ ଆସିଲା? ହଁ, ଏହା ଭାରତୀୟ ଜନତା ପାର୍ଟିର ସଂକଳ୍ପ ଥିଲା କି ଏହି ମନ୍ଦିର ନିର୍ମାଣ ହେଉ ଏବଂ ଏଥିପାଇଁ ଆମେ ସଂଘର୍ଷ କରିଥିଲୁ।
ଆମେ ସମସ୍ତେ ଭାଗ୍ୟବାନ ଯେ ମୋଦୀଜୀଙ୍କ ନେତୃତ୍ବରେ ଏହି ଜନ୍ମରେ ହିଁ ଶ୍ରୀରାମ ମନ୍ଦିର ନିର୍ମାଣ ଦେଖିପାରିଲୁ। କଂଗ୍ରେସ ଲୋକମାନେ ମନ୍ଦିରର ପ୍ରାଣପ୍ରତିଷ୍ଠାରେ ଆସିଲେ ନାହିଁ। ଯେଉଁମାନେ ଯାଇଥିଲେ ସେମାନଙ୍କୁ ଦଳରୁ ବହିଷ୍କାର କରାଯାଇଥିଲା। ଏହା ସେମାନଙ୍କର ଚିନ୍ତାଧାରା।

ସମ୍ବନ୍ଧିତ ଖବର