ଆଟ୍‌ଲାଣ୍ଟିକ୍‌ ସାଗର ତଳେ ୧୦୦ ଦିନ: ୧୦ ବର୍ଷ ପଛକୁ ଫେରିଲା ବୟସ!

ବୟସ ବଢ଼ିବା ଏକ ପ୍ରାକୃତିକ ପ୍ରକ୍ରିୟା। କିନ୍ତୁ ସଂପ୍ରତି ଏକ ପରୀକ୍ଷଣରୁ ସ୍ପଷ୍ଟ ହୋଇଛି କି ସମୟ ଅତିକ୍ରାନ୍ତ ହୋଇଥିଲେ ବି ବୟସକୁ ପଛକୁ ଫେରାଇବା ସମ୍ଭବ!

ଆମେରିକାର ଅବସରପ୍ରାପ୍ତ ନୌସେନା ଅଧିକାରୀ ୫୬ ବର୍ଷୀୟ ଜୋସେଫ୍‌ ଡିଟୁରି ଆଟ୍‌ଲାଣ୍ଟିକ୍‌ ମହାସାଗରର ଅଗଭୀର ଜଳରାଶି ତଳେ ଏକ ପ୍ରେସରାଇଜ୍‌ଡ ବଙ୍କର୍‌ ଭିତରେ ୧୦୦ ଦିନ ବିତାଇବାର ବିରଳ ରେକର୍ଡ କରିଥିଲେ। ଏବେ ଜଣାପଡ଼ିଛି ଯେ ତାଙ୍କର ଏହି ଦୁଃସାହସିକ ସମୁଦ୍ରତଳ ରହଣି ତାଙ୍କ ଶରୀରର ବାର୍ଦ୍ଧକ୍ୟ ପ୍ରକ୍ରିୟାକୁ ମଧ୍ୟ ଓଲଟାଇଦେଇଛି। ଶାରୀରିକ ଓ ମାନସିକ ସ୍ବାସ୍ଥ୍ୟ ଦୃଷ୍ଟିରୁ ସେ ନିଜ ବୟସର ୧୦ ବର୍ଷ ପଛକୁ ଫେରିଯାଇଛନ୍ତି। ଏହି ଅଭିଯାନରେ ଯିବା ପୂର୍ବରୁ ଡିଟୁରିଙ୍କ ବୟସ ୫୫ ବର୍ଷ ହୋଇଥିବା ବେଳେ ତାଙ୍କ ଜୈବିକ ବୟସ ଥିଲା ୪୪ ବର୍ଷ। ଜଳ ଗର୍ଭରେ ୧୦୦ ଦିନ କାଟି ଭୂପୃଷ୍ଠକୁ ଆସିବା ପରେ ତାଙ୍କ ଜୈବିକ ବୟସ ୩୪ ବର୍ଷକୁ ଖସିଆସିଛି।
ମାନବ ଶରୀର ଉପରେ ଏକ ଅଧିକ ଚାପଯୁକ୍ତ ପରିବେଶର ପ୍ରଭାବ ବୁଝିବା ପାଇଁ ଗତବର୍ଷ ଡିଟୁରିଙ୍କର ଏହି ଉଚ୍ଚାଭିଳାଷୀ ଅଭିଯାନର ଆୟୋଜନ କରାଯାଇଥିଲା। ଦୀର୍ଘ ତିନି ମାସ ପରେ ଜଳରୁ ବାହାରିଲା ପରେ ତାଙ୍କର ସତେଜ ଚେହେରା ଅନ୍ୟମାନଙ୍କୁ ବିସ୍ମିତ କରିଥିଲା। ଡାକ୍ତରୀ ପରୀକ୍ଷାନିରୀକ୍ଷାରୁ ଡିଟୁରିଙ୍କର ଡିଏନ୍‌ଏର ରକ୍ଷାକବଚ ଭାବେ ବିବେଚିତ ‘ଟେଲୋମେର୍‌’ଗୁଡ଼ିକର ଦୈର୍ଘ୍ୟ ୨୦ ପ୍ରତିଶତ ବଢ଼ିଥିବା ଦେଖାଯାଇଥିଲା।

ସୂଚନାଯୋଗ୍ୟ, କ୍ରୋମୋଜୋମ୍‌ ବା ଗୁଣସୂତ୍ରର ଶେଷ ଭାଗରେ ସୁରକ୍ଷା ଯୋଗାଉଥିବା ଏହି ‘ଟେଲୋମେର୍‌’ କ୍ୟାପ୍‌ ସାଧାରଣତଃ ବୟସ ବଢ଼ିବା ସଙ୍ଗେ ଛୋଟ ହୋଇ ଆସିଥାଏ। ଡିଟୁରିଙ୍କ ଠାରେ ଦେଖାଦେଇଥିବା ଏହାର ବୃଦ୍ଧି ତାଙ୍କ ବୟସର ଗତିକୁ ବିପରୀତ କରିଦେଇଥିବା ସ୍ପଷ୍ଟ ହୋଇଛି। ଅର୍ଥାତ୍‌ ସେ ବୟସର ଗୋଟିଏ ଦଶନ୍ଧି ପଛକୁ ଫେରିଥିବା ଏଥିରୁ ଆକଳନ କରାଯାଉଛି। ଏହା ଡିଟୁରିଙ୍କର ଏକମାତ୍ର ଶାରୀରିକ ବିକାଶ ନଥିଲା, ବରଂ ତାଙ୍କର ଷ୍ଟେମ୍‌ ସେଲ୍‌ ସଂଖ୍ୟା ମଧ୍ୟ ନାଟକୀୟ ଭାବେ ବଢ଼ି ଯାଇଥିଲା। ତାଙ୍କ ରକ୍ତରେ କୋଲେଷ୍ଟ୍ରୋଲ୍‌ ସ୍ତରରେ ୭୨ ପଏଣ୍ଟ୍‌ ହ୍ରାସ ଘଟିଥିବା ବେଳେ ପ୍ରଦାହଜନିତ ଚିହ୍ନଗୁଡ଼ିକ ଅର୍ଦ୍ଧେକ କମିଯାଇଥିଲା। ତାଙ୍କ ଶୟନରେ ମଧ୍ୟ ଉଲ୍ଲେଖନୀୟ ପ୍ରଗତି ଘଟିଥିଲା। ରାତିରେ ସେ ୬୦ରୁ ୬୬ ପ୍ରତିଶତ ଅଧିକ ଗଭୀର ନିଦ୍ରା ଯାଉଥିବା ଜଣାପଡ଼ିଥିଲା, ଯାହା ଶାରୀରିକ ଓ ମାନସିକ ପୁନରୁଦ୍ଧାର ପାଇଁ ଏକ ଅତ୍ୟାବଶ୍ୟକ ପର୍ଯ୍ୟାୟ ଭାବେ ବିବେଚିତ। ମାତ୍ର ଶହେ ବର୍ଗଫୁଟର ନିବୁଜ ପଡ୍‌ ପରି ପ୍ରତିକୂଳ ପରିବେଶରେ ଡିଟୁରି ସପ୍ତାହରେ ପାଞ୍ଚଦିନ ଘଣ୍ଟାଏ ଲେଖାଏଁ ବ୍ୟାୟାମ କରୁଥିଲେ, ଯାହା ତାଙ୍କ ଶାରୀରିକ ସୁସ୍ଥତା ବଜାୟ ରଖିଥିଲା। ଗତବର୍ଷ ସେ ପାଣି ଭିତରେ ଶହେ ଦିନ ବିତାଇ ନିଜର ୭୪ ଦିନର ପୂର୍ବ ରେକର୍ଡ ଭାଙ୍ଗିଥିଲେ।

ସମ୍ବନ୍ଧିତ ଖବର