୨ ହାତୀଦାନ୍ତ ଜବତ, ୧୦ ଗିରଫ, ଗ୍ୟାଙ୍ଗ୍‌ର ୪ରୁ ଅଧିକ ଫେରାର୍

ରାଉରକେଲା: ରାଉରକେଲା ବନଖଣ୍ଡ ଅନ୍ତର୍ଗତ ବାଙ୍କି ରେଞ୍ଜ୍‌ର ବଡଗାଁରୁ ବନବିଭାଗର ସ୍ବତନ୍ତ୍ର ଟିମ୍‌ ଦୁଇଟି ହାତୀ ଦାନ୍ତ ଜବତ କରିଛି। ଏହି ଘଟଣାରେ ୧୦ ଜଣଙ୍କୁ ଗିରଫ କରାଯାଇଛି। ଜବତ ହାତୀଦାନ୍ତ ମଧ୍ୟରୁ ଗୋଟିଏର ଲମ୍ବା ୨୪ ଇଞ୍ଚ ଓ ଅନ୍ୟଟି ୨୨ ଇଞ୍ଚ୍‌।

ଏହାର ଆନୁମାନିକ ବଜାର ମୂଲ୍ୟ ୪ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଜଣାପଡ଼ିଛି। ଗିରଫ ତସ୍କରମାନେ ହାତୀଦାନ୍ତ ଦୁଇଟିକୁ ମାଟି ଭିତରେ ପୋତି ରଖିଥିଲେ। ବନବିଭାଗ ଟିମ ସୂଚନା ପାଇ ଗାଁ ଉପରେ ଚଢ଼ଉ କରିବା ସହ ମାଟି ଭିତରେ ପୋତାଯାଇଥିବା ଦାନ୍ତ ଦୁଇଟିକୁ ଖୋଳି ବାହାର କରିଥିଲେ।

ଗ୍ୟାଙ୍ଗରେ ଆହୁରି କିଛି ଲୋକଙ୍କ ସମ୍ପୃ୍କ୍ତି ଥିବା ଅନୁମାନ କରାଯାଉଛି। ଏ ସମ୍ପର୍କରେ ବନବିଭାଗ ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ। ଗତ ଦୁଇବର୍ଷ ତଳେ ବାଙ୍କିରେଞ୍ଜ ଅନ୍ତର୍ଗତ ବରାଇବୁରୁ ଜଙ୍ଗଲରେ ଏକ ଦନ୍ତାହାତୀକୁ ମାରି ଦୁଇଟି ଦାନ୍ତ କାଢ଼ି ନିଆଯାଇଥିଲା। ବନବିଭାଗ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ହାତୀର ଶବ ଜବତ କରିଥିଲେ।

ଶବ ବ୍ୟବଚ୍ଛେଦ ରିପୋର୍ଟରୁ ହାତୀକୁ ହତ୍ୟା କରି ଦାନ୍ତ କାଟି ନିଆଯାଇଥିବା ସ୍ପଷ୍ଟ ହୋଇଥିଲା। ତେଣୁ ଆଜି ଜବତ ଦାନ୍ତ ଦୁଇଟି ହତ୍ୟା କରାଯାଇଥିବା ଉକ୍ତ ହାତୀର ବୋଲି ଅନୁମାନ କରାଯାଉଛି। ହାତୀଦାନ୍ତ ଜବତ ପରେ ବନବିଭାଗର ସ୍ବତନ୍ତ୍ର ଟିମ୍‌ ସ୍ଥାନୀୟ ଅଞ୍ଚଳରେ ଚଢ଼ଉ ଜୋରଦାର କରିଛି।

ସମ୍ବନ୍ଧିତ ଖବର