କେବିଏନ୍ ଗ୍ୟାଙ୍ଗ୍‌କୁ ଜେରା, ଖୋଜା ହେବେ ପ୍ରେମିକା

ଭୂଆଁ ବୁଲାଉଛି ଚେଙ୍ଗ

ଭୁବନେଶ୍ବର : କମିସନରେଟ୍ ପୁଲିସ ଶନିବାର ଦିନ କେବିଏନ୍‌ ଗ୍ୟାଙ୍ଗ୍‌ର ୫ଜଣ ସଦସ୍ୟଙ୍କୁ ୨ଦିନିଆ ରିମାଣ୍ଡରେ ଆଣିଛି। ପ୍ରଥମ ଦିନରେ ନୂଆପଲ୍ଲୀ ଥାନାର ଏକାଧିକ ଏସ୍‌ଆଇ ଓ ଅନ୍ୟ କର୍ମଚାରୀ ମିଳିତ ଭାବେ ସମସ୍ତଙ୍କୁ ଜେରା କରିଛନ୍ତି। ଜେରା ବେଳେ ପୁଲିସ ହାତରେ ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଲାଗିଛି। କେବିଏନ୍ ଗ୍ୟାଙ୍ଗ୍‌ର ସଦସ୍ୟ ସଂଖ୍ୟା ୨୯ ନୁହେଁ, ବରଂ ୩୫ ବୋଲି ସୂଚନା ମିଳିଛି। ଏହାବ୍ୟତୀତ ପ୍ରଥମ ଦିନରେ ପୁଲିସ ଗ୍ୟାଙ୍ଗ୍‌ର ମୁଖିଆ ବୁବୁ ସମେତ ଅନ୍ୟ ସଦସ୍ୟ କେଉଁଠି ଲୁଚିଛନ୍ତି, ତା’କୁ ନେଇ ପ୍ରଶ୍ନ କରିଥିଲା। ସେହିଭଳି କେବିଏନ୍‌ ଗ୍ୟାଙ୍ଗ୍‌ର ଏକାଧିକ ସଦସ୍ୟ ତାଙ୍କ ପ୍ରେମିକାକୁ ନେଇ ରାଜରାସ୍ତାରେ ବୁଲି ବୁଲି ଭିଡ଼ିଓ କରୁଥିଲେ। ଫ୍ରେମ୍‌ରେ ଯୁବକମାନେ ରହୁଥିବା ବେଳେ ସେମାନଙ୍କ ବାନ୍ଧବୀ ସୁଟିଂ କରୁଥିଲେ। ତେଣୁ ସୁଟିଂ ହେଉଥିବା ସ୍ଥାନ ଓ ଯୁବତୀଙ୍କୁ ଖୋଜିବା ପରେ ଫେରାର୍‌ ସଦସ୍ୟଙ୍କ ବାବଦରେ ସୂଚନା ମିଳିବ। ଅପରପକ୍ଷେ ପଚରାଉଚରା ବେଳେ ପ୍ରଥମରୁ କିଛି କହୁ ନଥିବା ଚେଙ୍ଗ ଶେଷରେ ତାଙ୍କ ଆଡ଼ା ଓ ଲୁଚିଥିବା ଜାଗାକୁ ନେଇ ସବୁ ତଥ୍ୟ ଦେଇଛି।

ସନ୍ଧ୍ୟାରେ ପୁଣି ଜେରା ବେଳେ ଦେହ ବହୁତ ଖରାପ ବୋଲି କହି ଚେଙ୍ଗ କୌଣସି ପ୍ରଶ୍ନର ଉତ୍ତର ଦେଇନଥିଲା। ତେବେ ପୁଲିସ ତା’ର ଚିକିତ୍ସା କରାଇବାରୁ ତା’ ଚାଲାକି ଧରା ପଡ଼ି ଯାଇଥିଲା। ଚେଙ୍ଗ ମିଛରେ ବାହାନା କରୁଛି ବୋଲି ପୁଲିସ ଜାଣିବାକୁ ପାଇଥିଲା। ତେବେ ନୂଆପଲ୍ଲୀ ପୁଲିସ ହାତରେ ଆଉ ଗୋଟିଏ ଦିନ ଥିବାରୁ ଆହୁରି ଗୁରୁତ୍ବପୂର୍ଣ୍ଣ ତଥ୍ୟ ଏହି ଅଭିଯୁକ୍ତମାନଙ୍କଠାରୁ ଆଦାୟ କରିବ ବୋଲି ଜଣାପଡ଼ିଛି। ସୂଚନାଯୋଗ୍ୟ, ଗତକାଲି ସୁଦ୍ଧା ୪ ଜଣଙ୍କୁ ରିମାଣ୍ଡରେ ଆଣିବା ଲାଗି ଯୋଜନା କରିଥିବା ନୂଆପଲ୍ଲୀ ଶେଷ ମୁହୂର୍ତ୍ତରେ ନରେନ୍ଦ୍ର କୁମାର ସାହୁକୁ ଯୋଡ଼ିଥିଲା। ନରେନ୍ଦ୍ର ଆପରାଧିକ ପେଡ଼ି ଖୋଳିବା ସହ ସାମାଜିକ ଗଣମାଧ୍ୟମ ଆକାଉଣ୍ଟ ଖେଳାଇବା ପରେ ସେ କେବିଏନ୍ ଗ୍ୟାଙ୍ଗ୍‌ର ଅନ୍ୟତମ ପ୍ରମୁଖ ସଦସ୍ୟ ବୋଲି ଜଣାପଡ଼ିଥିଲା। ତେଣୁ ତାକୁ ରିମାଣ୍ଡରେ ଆଣିବା ପାଇଁ ଆବେଦନ କରିଥିଲା।

ବ୍ରହ୍ମପୁର ଲିଙ୍କ୍‌ରୁ ଆସୁଥିଲା ମାରଣାସ୍ତ୍ର!
କେବିଏନ୍ ଗ୍ୟାଙ୍ଗ୍‌ର ୫ସଦସ୍ୟଙ୍କୁ ଜେରା ପରେ ପୁଲିସ ଜାଣିବାକୁ ପାଇଛି ଯେ ମାରଣାସ୍ତ୍ର ଓ ଚୋରା ବନ୍ଧୁକ କାରବାର ସବୁ ବ୍ରହ୍ମପୁରରୁ ଆସୁଥିଲା। ସ୍ବତନ୍ତ୍ର କମାରଶାଳରେ ଏହିସବୁ ମାରଣାସ୍ତ୍ର ତିଆରି ହେଉଥିବା ବେଳେ କିଛି ବନ୍ଧୁକ ରାଜ୍ୟ ବାହାରୁ ମଗାଯାଉଥିଲା। ଗୋଟିଏ ଦେଶୀ ବନ୍ଧୁକକୁ ବ୍ରହ୍ମପୁରରୁ ୫ରୁ ୭ହଜାର ଟଙ୍କାରେ କେବିଏନ୍ ଗ୍ୟାଙ୍ଗ୍ ସଦସ୍ୟ କିଣନ୍ତି। ଏହା ପରେ ଭୁବନେଶ୍ବରକୁ ଆଣି ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳାନ୍ତି। ତେବେ ବନ୍ଧୁକ କାରବାରର ଚେର ଖୋଜିବାକୁ ପୁଲିସ୍‌ ଉଦ୍ୟମ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର