ଭୁବନେଶ୍ବର: ଆମେ କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟରୁ ଆସିଛୁ। ଇସ୍ରାଏଲ୍ରେ ହଜାର ହଜାର ଲୋକଙ୍କୁ ରୋଜଗାର ପାଇଁ ସରକାର ଯୋଜନା କରିଛନ୍ତି। ଯେଉଁମାନେ ଆଗ୍ରହୀ ସେମାନେ ପଞ୍ଜୀକରଣ କରିବେ। ଏଭଳି ବିଜ୍ଞାପନ ଦେଇ ଆଶାୟୀଙ୍କୁ ପ୍ରଭାବିତ କଲେ। ତାରକା ହୋଟେଲ୍ରେ ଇଣ୍ଟରଭ୍ୟୁ କରାଇ ଟଙ୍କା ହାତାଇଲେ। ହେଲେ ସହରରୁ ଖସିବା ପୂର୍ବରୁ ଏହି ଅନ୍ତଃରାଜ୍ୟ ଠକକୁ କାବୁ କରିଛି କମିସନରେଟ୍ ପୁଲିସ। ସେମାନେ ହେଲେ ମୁମ୍ବାଇ କୁର୍ଲା ଅଞ୍ଚଳର ବାବୁଲାହାରୀ ଗୌଡ଼ା(୨୪), ରାୟଗଡ଼ର ମହେଶ ରାମଚନ୍ଦ୍ର ଲୋଖାଣ୍ଡେ ଓ କିରଣ ଶଶିକାକ୍ତ ଗୁମ୍ରେ(୫୧)। ସେମାନଙ୍କ ନିକଟରୁ କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ବହୁ ଜାଲ୍ କାଗଜପତ୍ର, ୪ଟି ମୋବାଇଲ୍ ଓ ଅନେକ ଗୁରୁତ୍ବପୂର୍ଣ୍ଣ ଦସ୍ତାବିଜ୍ ଜବତ କରାଯାଇଛି ବୋଲି ଆଜି ଡିସିପି କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଡିସିପି ଜଗମୋହନ ମୀନା ସୂଚନା ଦେଇଛନ୍ତି। ତେବେ ଓଡ଼ିଶା ଆସିବା ପଛରେ ବିଶେଷ କରି ବାବୁଲାହାରୀର ହାତଥିବା ଜଣାପଡ଼ିଛି। ଯେହେତୁ ସେ ଗଞ୍ଜାମଜିଲ୍ଲା ହିଞ୍ଜିଳିକାଟୁ ଅଞ୍ଚଳର। ତେଣୁ ତା ମାଧ୍ୟମରେ ହିଁ ଏହି ଯୋଜନା କରାଯାଇଥିବା ଜଣାପଡ଼ିଛି।
ସୂଚନା ମୁତାବକ, ଦୁଇ ଦିନ ତଳେ ଏହି ଠକେଇ ରୢାକେଟ୍ ରାଜଧାନୀରେ ଜାଲ ବିଛାଇଥିଲା। ସେମାନେ ରାଜଧାନୀ ଆସିବା ପରେ ମାଷ୍ଟରକ୍ୟାଣ୍ଟିନ୍ ଅଞ୍ଚଳରେ ଥିବା ଏକ ତାରକା ହୋଟେଲ୍ରେ ରହିଥିଲେ। ସହରର ସ୍ଥିତି ଅନୁଧ୍ୟାନ କରିବା ପରେ କିଛି ସୋସିଆଲ୍ ମିଡିଆ ମାଧ୍ୟମରେ ଇସ୍ରାଏଲ୍ରେ ଚାକିରି ଦେବା ପାଇଁ ବିଜ୍ଞାପନ ଦେଇଥିଲେ। ଯେଉଁଥିରେ କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ଷ୍ଟାମ୍ପ୍, ଅଧିକାରୀଙ୍କ ଜାଲ ଦସ୍ତଖତ ଆଦି ରହିଥିଲା। ଇଣ୍ଟରଭ୍ୟୁ ପାଇଁ ଆଶାୟୀଙ୍କୁ ୨୦ ତାରିଖ ଦିନ ହୋଟେଲ୍କୁ ଡକାଯାଇଥିଲା। ରବିବାର ଦିନ ବହୁ ଆଶାୟୀ ହୋଟେଲ୍କୁ ଆସି ୫୦୦୦ଟଙ୍କା ଦେଇ ପ୍ରଥମେ ପଞ୍ଜୀକରଣ କରିଥିଲେ। ଏହାପରେ ୩ ନକଲି ଅଧିକାରୀ ସେମାନଙ୍କ ଇଣ୍ଟରଭ୍ୟୁ ନେଇଥିଲେ। ଆଶାୟୀଙ୍କୁ ଫସାଇ ସେମାନଙ୍କଠାରୁ ଜଣଙ୍କ ପିଛା ୭୦ ହଜାର ଟଙ୍କା ନେଇ ଅଫର୍ଲେଟର ଦେଇଥିଲେ। ୩୦ରୁ ଊର୍ଦ୍ଧ୍ବ ଆଶାୟୀଙ୍କଠାରୁ ଟଙ୍କା ହାତାଇଥିଲେ।
ତାରକା ହୋଟେଲ୍ରେ କରୁଥିଲେ ଇଣ୍ଟରଭ୍ୟୁ
୩ ଗିରଫ, ବହୁ ଗୁରୁତ୍ବପୂର୍ଣ୍ଣ ଦସ୍ତାବିଜ୍ ଜବତ
ମାଷ୍ଟର୍ମାଇଣ୍ଡ୍କୁ ଖୋଜୁଛି ପୁଲିସ
ବାକି ଆଶାୟୀଙ୍କୁ ଯୋଗ୍ୟ ଥିବା କହି ଟଙ୍କା ପଠାଇଲେ ଚାକିରି ଦିଆଯିବ ବୋଲି କହିଥିଲେ। ସୋମବାର ଦିନ ଆଉ ଏକ ଇଣ୍ଟରଭ୍ୟୁ କରି ଅପରାହ୍ଣରେ ମୁମ୍ବାଇ ଚାଲିଯାଇଥାଆନ୍ତେ। ହେଲେ ଠିକ୍ ସେମାନଙ୍କ ଯିବା ପୂର୍ବରୁ ବୈଦେଶିକ ମନ୍ତ୍ରଣାଳୟର ସୁନୀଲ କୁମାର ସା ଘଟଣା ସମ୍ପର୍କରେ ଜାଣିବା ପରେ ତୁରନ୍ତ ପୁଲିସକୁ ଜଣାଇଥିଲେ। ଖବରପାଇ ଖାରବେଳଗର ଥାନା ପୁଲିସ ଏହି ରୢାକେଟ୍କୁ ଠାବ ପାଇଁ ଯୋଜନା କରିଥିଲା। ପୁଲିସର ଏକ ଟିମ୍ ରବିବାର ରାତି ପାଖାପାଖି ୩ଟା ସମୟରେ ହୋଟେଲ୍ରେ ଚଢ଼ଉ କରି ୩ଜଣଙ୍କୁ କାବୁ କରି ସମସ୍ତ ଜିନିଷ ଜବତ କରିଥିଲା। ଥାନାକୁ ଆଣି ଜେରା ବେଳେ ୩ ଠକ ସବୁ ସତ ଓଗାଳିଥିଲେ। ଏନେଇ ଖାରବେଳନଗର ଥାନା ପୁଲିସ ଏକ ମାମଲା ରୁଜୁକରି ୩ଜଣଙ୍କୁ କୋର୍ଟଚାଲାଣ କରିଛି।
ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ଏହି ରୢାକେଟ୍ ମୁଖ୍ୟତଃ ସହରାଞ୍ଚଳକୁ ଟାର୍ଗେଟ୍ କରନ୍ତି। ସେଠାରେ ବିଭିନ୍ନ ସୋସିଆଲ୍ ମିଡିଆ ଓ ବିଭିନ୍ନ ପ୍ଲାଟଫର୍ମରେ ଚାକିରି ପାଇଁ ବିଜ୍ଞାପନ ଦିଅନ୍ତି। ଲୋକଙ୍କ ସହ ଯୋଗାଯୋଗ ପରେ ସେମାନଙ୍କ ବିଶ୍ବାସ ଜିତିବା ପାଇଁ ତାରକା ହୋଟେଲ୍ରେ ଇଣ୍ଟରଭ୍ୟୁ କରି ସେଠାରେ ନିଯୁକ୍ତିପତ୍ର ଦେଇ ଟଙ୍କା ହାତେଇଥା’ନ୍ତି। ଏହାଛଡ଼ା ସେମାନେ ପୂର୍ବରୁ ସ୍ଥାନୀୟ ଲୋକଙ୍କୁ ନିଜର ଏଜେଣ୍ଟ ରଖିଥାଆନ୍ତି। କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଲେ ସେମାନଙ୍କ ସହାୟତା ନେଇଥାଆନ୍ତି। ତେଣୁ ଏ ରୢାକେଟ୍ରେ ଅନ୍ୟମାନଙ୍କ ସମ୍ପୃକ୍ତି ନେଇ ପୁଲିସ ହାତରେ ତଥ୍ୟ ଲାଗିଛି। ସେମାନଙ୍କୁ ଗିରଫ ପାଇଁ ପୁଲିସ ଖୋଳତାଡ଼ ଜାରି ରଖିଛି। ଏହାଛଡ଼ା ୩ଜଣଙ୍କୁ ରିମାଣ୍ଡରେ ଆଣି ଜେରା ପାଇଁ ମଧ୍ୟ ଯୋଜନା କରାଯାଇଛି।