ଅନ୍‌ଲାଇନ୍‌ ଠକେଇ : ତିନିଜଣଙ୍କଠାରୁ ୩ ଲକ୍ଷ ଚଳୁ

ଭୁବନେଶ୍ୱର : ଗୋଟିଏ ଦିନରେ ତିନିଜଣଙ୍କଠାରୁ ୩ ଲକ୍ଷ ଟଙ୍କା ଚଳୁ ହୋଇଛି। ଅନ୍‌ଲାଇନ୍‌ ଆର୍ଥିକ କାରବାରରେ ଅଭ୍ୟସ୍ତ ନଥିବା ଜମାକାରୀଙ୍କଠାରୁ ବହୁ ଦୂରରେ ବସି ଠକି ନେଇଛି ଦୁର୍ବୃତ୍ତ। ଏ ନେଇ ମଞ୍ଚେଶ୍ବର ଥାନାରେ ଦୁଇଟି ଅଭିଯୋଗ ହୋଇଥିବା ବେଳେ ଏୟାରପୋର୍ଟ ଥାନାରେ ଗୋଟିଏ ଅଭିଯୋଗ ହୋଇଛି।

ଅଭିଯୋଗ ମୁତାବକ, ପଳାସୁଣୀର ପ୍ରଶାନ୍ତ ଦାସ ଗୁଗୁଲ୍‌ ପେ’ ଜରିଆରେ ତାଙ୍କ ବନ୍ଧୁଙ୍କୁ ୫ହଜାର ଟଙ୍କା ପଠାଇଥିଲେ। ଟଙ୍କା ଆକାଉଣ୍ଟ୍‌ରୁ କଟିଥିଲେ ମଧ୍ୟ ବନ୍ଧୁଙ୍କ ପାଖରେ ପହଞ୍ଚିନଥିଲା। ଏଣୁ ସେ ବ୍ୟାଙ୍କ ସହ ଯୋଗାଯୋଗ କରିଥିଲେ। ଟଙ୍କା କଟି ଯାଇଥିବାରୁ ବ୍ୟାଙ୍କ୍‌ କିଛି ଦିନ ଅପେକ୍ଷା କରିବାକୁ କହିଲା। ଏ ନେଇ ସେ ଗୁଗୁଲ ହେଲ୍ପ-ଲାଇନ୍‌ ସହ ଯୋଗାଯୋଗ କରିବାକୁ ଚାହିଁଲେ। ହେଲେ ନମ୍ବର ଜାଣିନଥିବାରୁ ସେ ଗୁଗୁଲୁରେ ଖୋଜିଲେ। ଗୁଗୁଲୁରେ ଏକ ନମ୍ବର ତାଙ୍କୁ ମିଳିଲା, ହେଲେ ଯାହା ଗୁଗୁଲୁ ପେ’ର ହେଲ୍ପଲାଇନ୍‌ ନମ୍ବର ନଥିଲା। ଜଣେ ହ୍ୟାକର ଗୁଗୁଲୁ ପେ’ ହେଲ୍ପଲାଇନ୍‌ ନାମରେ ନିଜ ନମ୍ବର ଦେଇଥିଲା। ଏହା ଜାଣି ନ ପାରି ପ୍ରଶାନ୍ତ ତାଙ୍କୁ ଫୋନ୍‌ କଲେ ଏବଂ ଫୋନ୍‌ରେ ତା’ର ନିର୍ଦ୍ଦେଶ ପାଳନ କଲେ। ଟଙ୍କା ଫେରି ଆସିବା ପାଇଁ ସେ ପ୍ରଶାନ୍ତଙ୍କର ଏଟିଏମ୍‌ କାର୍ଡ ନମ୍ବର ସହ ସିକ୍ରେଟ୍‌ ନମ୍ବର ମଧ୍ୟ ନେଇ ଯାଇଥିଲା। ପରେ ପ୍ରଶାନ୍ତଙ୍କ ଆକାଉଣ୍ଟ୍‌ରୁ ଦେଢ଼ଲକ୍ଷ ଟଙ୍କା ଗାୟବ୍‌ ହୋଇଯାଇଥିଲା।

ସେହିଭଳି ଜୟପ୍ରକାଶ ଗୁପ୍ତାଙ୍କ ଆକାଉଣ୍ଟରୁ ମଧ୍ୟ ୮୦ ହଜାର ଚଳୁ ହୋଇଛି। ସେ ଏକ ଘରୋଇ ସଂସ୍ଥାରେ ଲୋନ୍‌ ପାଇଁ ଆବେଦନ କରିଥିଲେ। ଲୋନ୍‌ ମଞ୍ଜୁର ହୋଇଯାଇଛି ବୋଲି ଦୁଇ ଦିନ ତଳେ ତାଙ୍କୁ ଫୋନ୍‌ ଆସିଥିଲା। ଆକାଉଣ୍ଟକୁ ଟଙ୍କା ଯିବ, ଡିଟେଲ୍ସ ଦିଅ ବୋଲି କହି କେହି ଦୁର୍ବୃତ୍ତ ତାଙ୍କ ଏଟିଏମ୍‌ କାର୍ଡ ନମ୍ବର ଓ ପିନ୍‌ ମାଗିଥିଲା। ଜୟପ୍ରକାଶ ଡିଟେଲସ ଦେବା ପରେ ଆକାଉଣ୍ଟରୁ ଟଙ୍କା ଗାୟବ ହୋଇଯାଇଥିଲା। ସେ ସଂସ୍ଥା ପାଖରେ ପହଞ୍ଚିବା ପରେ ଏ ନେଇ ସଂସ୍ଥା କିଛି ଜାଣିନଥିବା କହିଥିଲା। ଯଦି ସଂସ୍ଥା ଜାଣି ନାହିଁ ତେବେ ଜୟପ୍ରକାଶ ଲୋନ୍‌ ପାଇଁ ଆବେଦନ କରିଥିବା କଥା ହ୍ୟାକର କେମିତି ଜାଣିଲା ବୋଲି ସେ ପ୍ରଶ୍ନ କରିଛନ୍ତି। ଏଭଳି ସଂସ୍ଥା ସହ ହ୍ୟାକର ସମ୍ପୃକ୍ତ ଅଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। ଅନୁରୂପ ଢଙ୍ଗରେ ନିବାସ ନାମକ ବ୍ୟକ୍ତିଙ୍କଠାରୁ ୭୦ ହଜାର ଲୁଟ୍‌ ହୋଇଛି। ସେ ଏ ନେଇ ଏୟାରପୋର୍ଟ ଥାନାରେ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର