ବେଆଇନ୍‌ ବାଣ କାରଖାନାରେ ବିସ୍ଫୋରଣ ଘଟଣାରେ ନୂଆମୋଡ଼, ଜ୍ଞାନେନ୍ଦ୍ରଙ୍କ ପତ୍ତା ପାଉନି ପୁଲିସ

ସ୍ବାମୀଙ୍କ ମୃତ୍ୟୁ ହୋଇନି-ପୁଲିସ!

ଗଦାଗଦା ବାଣ ଜବତ

ବାଲିପାଟଣା: ବାଲିପାଟଣା ଥାନା ବନମାଳିପୁର ନୂଆସାହିରେ ଗତକାଲି ଭୟଙ୍କର ବାଣ ବିସ୍ଫୋରଣ ଘଟଣା ଆଜି ଏକ ନାଟକୀୟ ମୋଡ଼ ନେଇଛି। ଏଥିରେ ସ୍ବାମୀ ଜ୍ଞାନେନ୍ଦ୍ରଙ୍କ ମୃତ୍ୟୁ ଘଟିନଥିବା ପୁଲିସ ଦୃଢ଼ତାର ସହ କହିଛି। ଦୁର୍ଘଟଣାରେ କେବଳ ତାଙ୍କ ପତ୍ନୀ ଲକ୍ଷ୍ମୀପ୍ରିୟାଙ୍କ ମୃତ୍ୟୁ ଘଟିଥିବା ତଦନ୍ତରୁ ପୁଲିସ ଜାଣିବାକୁ ପାଇଛି। ପ୍ରଚଣ୍ତ ବିସ୍ଫୋରଣ ପରେ ଜ୍ଞାନେନ୍ଦ୍ର ଘଟଣାସ୍ଥଳରୁ ଚତୁରତାର ସହ ଖସି ଯାଇଥିବା ପୁଲିସ୍‌ ଆଜି ସ୍ପଷ୍ଟ କରିଛି। ତାଙ୍କୁ ଗିରଫ କରିବା ପାଇଁ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ ଆରମ୍ଭ କରିଛି। ଏନେଇ ବାଲିପାଟଣା ଥାନାରେ କେସ୍‌ ନ˚-୨୦୧/୧୮ରେ ମାମଲା ରୁଜୁ ହୋଇଛି। ବିକ୍ଷିପ୍ତ ଭାବେ ପଡ଼ିଥିବା ଲକ୍ଷ୍ମୀପ୍ରିୟାଙ୍କ ଶବର ବିଭିନ୍ନ ଅ˚ଶକୁ ପୁଲିସ୍‌ ସ˚ଗ୍ରହ କରି ବ୍ୟବଚ୍ଛେଦ ପାଇଁ ଭୁବନେଶ୍ବର ପଠାଇଛି। ଆଜି ଓଡ୍ରାଫର ଏକ ଟିମ୍‌ ଓ ଦମକଳବାହିନୀ ସହାୟତାରେ ପୁଲିସ୍‌ ବିସ୍ଫୋରଣସ୍ଥଳକୁ ସଫା କରିବା ସହ ଜ୍ଞାନେନ୍ଦ୍ରଙ୍କ ଘରୁ ବସ୍ତାବସ୍ତା ବାଣ ଜବତ କରିଛି। ଅପରପକ୍ଷେ ଅର୍ଥ ମନ୍ତ୍ରୀ ଶଶିଭୂଷଣ ବେହେରା ଆଜି ବିସ୍ଫୋରଣସ୍ଥଳରେ ପହଞ୍ଚି ମୃତ ଲକ୍ଷ୍ମୀପ୍ରିୟାଙ୍କ ଭାଇ, ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିଥିଲେ। ଏହାସହ ଯେଉଁମାନେ ଏଭଳି ଏକ ବିପଜ୍ଜନକ ବୃତ୍ତିକୁ ଆପଣାଇଛନ୍ତି, ସେଥିରୁ ନିବୃତ୍ତ ରୁହନ୍ତୁ ବୋଲି ଅର୍ଥମନ୍ତ୍ରୀ ଆହ୍ୱାନ ଦେଇଥିଲେ।

ଜ୍ଞାନେନ୍ଦ୍ରଙ୍କ ଶୋଇବା ଘର,ଛାତ ଉପରେ ବସ୍ତାବସ୍ତା ବାଣ
ଜ୍ଞାନେନ୍ଦ୍ରଙ୍କ ଶୋଇବା ଘର, ଛାତ ଉପରେ ବି ବସ୍ତାବସ୍ତା ବାଣ ଥିବା ପୁଲିସ୍‌, ଓଡ୍ରାଫ ଟିମ ଓ ଦମକଳ ବାହିନୀ କର୍ମଚାରୀମାନେ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଶକ୍ତିଶଳୀ ବାଣ ସହ ତାଳଫୋଟକା, ସୁନୁଫୋଟକା, କୁମ୍ପି ବାଣ ଆଦି ବସ୍ତାବସ୍ତା ଗଚ୍ଛିତ ଥିଲା। ଏଥିସହ ବାଣ ତିଆରି ପାଇଁ ବାରୁଦ, ଗନ୍ଧକ, କୋଇଲା, ମାଟି, ସୁତୁଲି, ତାଳପତ୍ର ବସ୍ତା ଘର ସାରା ରହିଥିଲା। ବାଣ ଫୁଟୁଛି କି ନାହିଁ ଜାଣିବା ପାଇଁ ଜଣେ କର୍ମଚାରୀ ଏକ ସୁନୁଫୁଟୁକା ବାହାରକୁ ମାରି ଦେବାରୁ ପ୍ରଚଣ୍ତ ଶବ୍ଦରେ ତାହା ଫୁଟିଥିଲା।

ଭାଇମାନଙ୍କ ଘରୁ ବି ଗଦାଗଦା ବାଣ ଜବତ
ଜ୍ଞାନେନ୍ଦ୍ରଙ୍କ ଘରଠାରୁ ଦୂରରେ ଥିବା ଭାଇ ଉପେନ୍ଦ୍ର ଓ ନତେନ୍ଦ୍ରଙ୍କ ଘରୁ ଓ ଘରପାଖରୁ ଗଦାଗଦା ବାଣ ଆଜି ପୁଲିସ୍‌ ଜବତ କରିଛି। ଗିରଫ ଭୟରେ ସେମାନେ ଫେରାର୍‌ ଥିବାରୁ ସ୍ଥାନୀୟ ସରପଞ୍ଚ, ୱାର୍ଡସଭ୍ୟଙ୍କ ଉପସ୍ଥିତିରେ ଘର ତାଲା ଭଙ୍ଗା ଯାଇ ଘରୁ ବସ୍ତା ବସ୍ତା ଶକ୍ତିଶାଳୀ ବାଣ ଜବତ କରାଯାଇଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି। ଘର ଚାରିପାଖ ବଣ, ଖାଲ ଆଦିରେ ବସ୍ତାବସ୍ତା ବାଣ ପଡ଼ିଥିବା କଥା ସ୍ଥାନୀୟ ଲୋକେ ପୁଲିସ୍‌କୁ ସୂଚନା ଦେବାରୁ ପୁଲିସ୍‌ ସେସବୁ ଜବତ କରିଛି। ଘଟଣାକୁ ନେଇ ସକାଳୁ ଆଜି ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ଉତ୍ତ୍ୟକ୍ତ ଲୋକେ ତୁରନ୍ତ ସେମାନଙ୍କ ଗାଁରୁ ବେଆଇନ୍‌ ବାଣ କାରଖାନା ବନ୍ଦ କରିବା ପାଇଁ ପୁଲିସ୍‌ ନିକଟରେ ଦାବି କରିଥିଲେ। ପୁଲିସ୍‌ ଅଧିକାରୀମାନେ ଲୋକଙ୍କୁ ବୁଝାସୁଝା କରିବା ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଲୋକମାନେ ଶାନ୍ତ ପଡ଼ିଥିଲେ।

ବ୍ରହ୍ମପୁର ଓ କଟକରୁ ଆସୁଥିଲା ବାରୁଦ
ଦୀପାବଳି ପୂର୍ବରୁ ବାଣ ଭିଡ଼ିବା ପାଇଁ ଲକ୍ଷଲକ୍ଷ ଟଙ୍କାର ବାରୁଦ ଓ ଅନ୍ୟାନ୍ୟ ସରଞ୍ଜାମ ବ୍ରହ୍ମପୁର ଓ କଟକରୁ କିଣା ଯାଉଥିଲା। ଏଥିସହ ସ୍ଥାନୀୟ ଅଞ୍ଚଳରୁ ବାଣ ତିଆରି ପାଇଁ ଅନେକ ସାମଗ୍ରୀ ସ˚ଗ୍ରହ କରାଯାଉଥିଲା ବୋଲି ଜ୍ଞାନେନ୍ଦ୍ରଙ୍କ ବାପା ନୃସିଂହ ମିଶ୍ର କହିଛନ୍ତି। ଜ୍ଞାନେନ୍ଦ୍ର ଓ ତାଙ୍କ ଭାଇମାନେ ଗୋଟିଏ ସିଜିନ୍‌ରେ ଏହି ବେଆଇନ୍‌ କାରବାର କରି ବର୍ଷକ ସାରା ବେଶ ଭଲରେ ଚଳୁଥିଲେ ବୋଲି ପୁଲିସ ବି ଅନୁସନ୍ଧାନରୁ ଜାଣିବାକୁ ପାଇବା ସହ ସ୍ଥାନୀୟ ଲୋକେ ବି କହିଛନ୍ତି।

ଚାନ୍ଦା ଓ ବାଣଭେଟିରେ ଚାଲିଥିଲା ବେଆଇନ କାରବାର
ପୁଲିସ୍‌ ବିଭାଗର କେତେକ କର୍ମଚାରୀଙ୍କୁ ହାତବାରିସି କରି ମୋଟା ଅଙ୍କର ଚାନ୍ଦାରେ ଏଭଳି ବେଆଇନ କାରବାର ଚାଲିଥିଲା ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ସବୁ ବର୍ଷ ଦୀପାବଳି ସମୟରେ ଏଠାରେ ଲକ୍ଷଲକ୍ଷ ଟଙ୍କାର ବାଣ କାରବାର ହେଉଥିଲା। କିନ୍ତୁ ଦିନେ ବି କେହି ବେଆଇନ କାରଖାନା ଉପରେ ଚଢ଼ଉ କରିବା ଦେଖାଯାଇନଥିଲା। ପୁଲିସ୍‌ ବାବୁଙ୍କୁ ବିଭିନ୍ନ ସମୟରେ ଚାନ୍ଦା ଓ ଦୀପାବଳିକୁ ବାଣ ଭେଟି ଆକାରରେ ଦିଆଯାଉଥିଲା ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଥାନା ଅଧିକାରୀ ଆକାଶ ରଣା ସମସ୍ତ ଅଭିଯୋଗକୁ ଖଣ୍ତନ କରି କହିଛନ୍ତି, ଆମ ଥାନାର ପ୍ରାୟ ଶତକଡ଼ା ୭୦ ଭାଗ ଅଫିସର୍‌ ଓ କର୍ମଚାରୀଙ୍କ ବଦଳି ହୋଇଛି। ଆମେ ସବୁ ନୂଆ କରି ଥାନାକୁ ଆସିବା ପରେ ଦୁର୍ଗାପୂଜା ପଡ଼ିଥିଲା। ଉପରିସ୍ଥ ଅଧିକାରୀଙ୍କ ନିର୍ଦ୍ଦେଶରେ ବେଆଇନ ବାଣ କାରଖାନା ସ˚ପର୍କିତ ତଥ୍ୟ ସ˚ଗ୍ରହ କରି ଚଢ଼ଉ କରିବା ପାଇଁ ସମସ୍ତ ଯୋଜନା ହୋଇଥିଲା। କିନ୍ତୁ ଦୁର୍ଘଟଣା ଘଟିଲା। ଏଥିରେ ଯିଏ ବି ଦୋଷୀ, ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର