‌ସୂର୍ଯ୍ୟକାନ୍ତ ଦାସ ଥିଲେ ସକାଳ ସୂର୍ଯ୍ୟ ଭଳି କୋମଳ: ଗୌରହରି

ପ୍ରଫେସର ସୂର୍ଯ୍ୟକାନ୍ତ ଦାସଙ୍କ ତୈଳଚିତ୍ର ଉନ୍ମୋଚିତ

କଟକ: ସଂପ୍ରତି ସାଧାରଣ ଲୋକଙ୍କଠାରୁ ବିଶ୍ବବିଦ୍ୟାଳୟମାନଙ୍କ ଦୂରତ୍ବ ବଢ଼ି ଯାଇଛି। ପୂର୍ବରୁ ବିଶ୍ବବିଦ୍ୟାଳୟର ଅଭିଜ୍ଞ ପ୍ରାଧ୍ୟାପକମାନେ ଦେଶବିଦେଶର ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗକୁ ସରଳ ଭାଷାରେ ଲୋକଙ୍କ ପାଖରେ ପହଞ୍ଚାଉଥିଲେ। ପ୍ରଫେସର ସୂର୍ଯ୍ୟକାନ୍ତ ଦାସ ବି ଏହିଭଳି ଜଣେ ବ୍ୟକ୍ତିତ୍ବ ଥିଲେ। ବାସ୍ତବରେ ତାଙ୍କ ସ୍ଥାନ ଅପୂରଣୀୟ ବୋଲି କହିଛନ୍ତି ‘ସମ୍ବାଦର ସଂପାଦକ (ଫିଚର) ତଥା କେନ୍ଦ୍ର ସାହିତ୍ୟ ଅକା‌‌ଦେମି ଓଡ଼ିଆ ଉପଦେଷ୍ଟା ମଣ୍ଡଳୀର ଆବାହକ ଡକ୍ଟର ଗୌରହରି ଦାସ।

ଉତ୍କଳ ସାହିତ୍ୟ ସମାଜ ପକ୍ଷରୁ ଶ୍ରୀରାମଚନ୍ଦ୍ର ଭବ‌ନରେ ଆୟୋଜିତ ପ୍ରଫେସର ସୂର୍ଯ୍ୟକାନ୍ତ ଦାସଙ୍କ ତୈଳଚିତ୍ର ଉନ୍ମୋଚନ ଉତ୍ସବରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ଡ. ଦାସ କହିଲେ ଯେ ପ୍ରଫେସର ଦାସ ଥିଲେ ଅତ୍ୟନ୍ତ ଶୃଙ୍ଖଳିତ ଆଉ ସକାଳ ସୂର୍ଯ୍ୟ ଭଳି କୋମଳ। ସେ ଅବିବାହିତ, କିନ୍ତୁ ତାଙ୍କର ଯଥେଷ୍ଟ ସାଂସାରିକ ଦାୟିତ୍ବବୋଧ ଥିଲା। ସେ ‘ସମ୍ବାଦ’ରେ ନିୟମିତ ବାଣିଜ୍ୟ ଓ ଅର୍ଥନୀତି ସଂପର୍କିତ ସ୍ତମ୍ଭ (ବେପାର ବଣିଜ) ଲେଖୁଥିଲେ ଏବଂ ତାହା ଖୁବ ପ୍ରଭାବଶାଳୀ ଥିଲା। ସାଧାରଣ ଲୋକଙ୍କୁ ସେ ଭଲ ପାଉଥିଲେ। ଏଭଳି ଏକ ଅସାଧାରଣ ସାଧକଙ୍କର ସ୍ମୃତିରକ୍ଷା ପାଇଁ ଉଦ୍ୟମ କରିବାକୁ ସ୍ମୃତି ସଂସଦର କର୍ମକର୍ତ୍ତାଙ୍କୁ ଡକ୍ଟର ଦାସ ପରାମର୍ଶ ଦେଇଥିଲେ।

ଉତ୍କଳ ସାହିତ୍ୟ ସମାଜର ଉପସଭାପତି ଗୀତିକବି ମନୋଜ ପଟ୍ଟନାୟକଙ୍କ ପୌରୋହିତ୍ୟରେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ରେଭେନ୍‌ସା କଲେଜର ପୂର୍ବତନ ଅଧ୍ୟକ୍ଷ ଡକ୍ଟର ପ୍ରଭାତ କୁମାର ମିଶ୍ର କହିଲେ ଯେ ସୂର୍ଯ୍ୟକାନ୍ତ ଦାସ ଅତ୍ୟନ୍ତ ଭଦ୍ର ଓ ଶୃଙ୍ଖଳିତ ବ୍ୟକ୍ତି। ତାଙ୍କ ଭଳି ଜଣେ ଅସାଧାରଣ ସାଧକଙ୍କର ଜନ୍ମ ଶତବାର୍ଷିକୀ ପାଳନ କରିବାକୁ ମୁଖ୍ୟ ଅତିଥି ଡକ୍ଟର ମିଶ୍ର ପରାମର୍ଶ ଦେଇଥିଲେ। କାର୍ଯ୍ୟକ୍ରମର ସମ୍ମାନିତ ଅତିଥି ପୂର୍ବତନ ମୁଖ୍ୟ ବାଣିଜ୍ୟକର କମିସନର ଶରତ କୁମାର ଦାଶ କହିଲେ, ପ୍ରଫେସର ସୂର୍ଯ୍ୟକାନ୍ତ ଦାସ ସାଧାରଣ ପରିବାରରୁ ଆସି ନିଜ ସାଧନା ବଳରେ ପ୍ରତିଷ୍ଠା ଲାଭ କରିଥିଲେ।

ଓଡ଼ିଶାରେ ନୂଆ କରି ବାଣିଜ୍ୟ ଶିକ୍ଷାର ଭିତ୍ତିଭୂମି ସେ ସ୍ଥାପନ କରିଥିଲେ। କିନ୍ତୁ ଜ୍ଞାନର ଅହମିକା ତାଙ୍କ ପାଖେ ନଥିଲା। ଉତ୍କଳ ବିଶ୍ବବିଦ୍ୟାଳୟରେ ୧୯ ବର୍ଷ କାଳ ପ୍ରଫେସର ଭାବେ କାର୍ଯ୍ୟ କରି ବାଣିଜ୍ୟ ଶିକ୍ଷାର ବିକାଶ କରିଥିଲେ ବୋଲି ସମ୍ମାନିତ ଅତିଥି ଶ୍ରୀ ଦାଶ କହିଥିଲେ।

ଅନ୍ୟତମ ଅତିଥି ସାହିତ୍ୟ ସମାଜର କାର୍ଯ୍ୟନିର୍ବାହିକା ସମିତି ସଦସ୍ୟା ସରୋଜିନୀ ମିଶ୍ର ପ୍ରଫେସର ରଥଙ୍କ ସ୍ମୃତିଚାରଣ କରିଥିଲେ। ବ୍ରହ୍ମାନନ୍ଦ ବିଶ୍ବାଳ ଅତିଥିମାନଙ୍କୁ ମଞ୍ଚକୁ ଆମନ୍ତ୍ରଣ କରିଥିବା ବେଳେ ସଂଗଠନ ସଂପାଦକ ଡକ୍ଟର ସୁନାମଣି ରାଉତ ଅତିଥି ପରିଚୟ ପ୍ରଦାନ କରିଥିଲେ। ପ୍ରଫେସର ସୂର୍ଯ୍ୟକାନ୍ତ ଦାସ ସ୍ମୃତି ସଂସଦର ଟ୍ରଷ୍ଟି ପ୍ରଦ୍ୟୋତ କେଶରୀ ପ୍ରଧାନ, ସୂର୍ଯ୍ୟକାନ୍ତ ଦାସଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହିତ ତୈଳଚିତ୍ର ‌ଉନ୍ମୋଚନ ପାଇଁ ସାହିତ୍ୟ ସମାଜକୁ କୃତଜ୍ଞତା ଅର୍ପଣ କରିଥିଲେ। ସାହିତ୍ୟ ସମାଜର ସାଧାରଣ ସଂପାଦକ ଆଦିତ୍ୟ ପ୍ରତାପ ଧଳ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବା ବେଳେ କୋଷାଧ୍ୟକ୍ଷ ଶିବାଶିଷ କର ଧନ୍ୟବାଦ ‌ଦେଇଥିଲେ।

ସମ୍ବନ୍ଧିତ ଖବର