ଶିଖରଚଣ୍ଡୀ ମନ୍ଦିର ଉନ୍ନତୀକରଣ ପ୍ରକଳ୍ପ: ସରିଲା ଟେଣ୍ଡର, ୨୬ରୁ କାମ

ଚନ୍ଦ୍ରଶେଖରପୁର: ବହୁ ବର୍ଷ ଅପେକ୍ଷାର ଅନ୍ତ ହେବାକୁ ଯାଉଛି। ରାଜଧାନୀର ଅନ୍ୟତମ ପ୍ରମୁଖ ଆକର୍ଷଣ ସାଜିଥିବା ଶିଖରଚଣ୍ଡୀ ମନ୍ଦିରର ଉନ୍ନତୀକରଣ କାମ ପାଇଁ ଟେଣ୍ଡର ସରିଛି। ୨୫କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ଏହି ପ୍ରକଳ୍ପ ଅଧୀନରେ ୫୩.୬୪ ଏକର ଅଞ୍ଚଳରେ ବିକାଶ କାର୍ଯ୍ୟ କରାଯିବ। ପାହାଡ଼ରେ ଥିବା ମୁଖ୍ୟ ମନ୍ଦିର ସମେତ ଏହାର ପାରିପାର୍ଶ୍ବିକ ଅଞ୍ଚଳର ଉନ୍ନତି ଲାଗି ମାଷ୍ଟରପ୍ଲାନ୍‌ ପ୍ରସ୍ତୁତ ହୋଇସାରିଛି। ସମୁଦାୟ ଅଞ୍ଚଳକୁ ୪ଟି ଜୋନ୍‌ରେ ବିଭକ୍ତ କରାଯାଇଛି। ଜୋନ୍‌-୧ରେ ପାର୍କିଂ, ସାଧାରଣ ଲୋକଙ୍କ କ୍ରୀଡ଼ା ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ପାଇଁ ସ୍ଥାନୀୟ ଅଞ୍ଚଳର ଉନ୍ନତୀକରଣ ସହ ବିଭିନ୍ନ ସୁବିଧା ହେବ। ଜୋନ୍‌-୨ରେ ଭ୍ୟୁ-ପଏଣ୍ଟ ଓ ଟ୍ରେକିଂ ରୁଟ୍‌ ରହିବ। ପର୍ଯ୍ୟଟକମାନେ ଭ୍ୟୁ-ପଏଣ୍ଟରେ ଛିଡ଼ା ହୋଇ ସହରର ଆକର୍ଷଣୀୟ ଦୃଶ୍ୟ ଦେଖିପାରିବେ। ପ୍ରାକୃତିକ ପରିବେଶରେ ସମୟ ବିତାଇ ପାରିବେ ପର୍ଯ୍ୟଟକ। ଟ୍ରେକିଂ ମଜା ମଧ୍ୟ ନେଇପାରିବେ। ଜୋନ୍‌-୩ ଓ ୪ରେ ମନୋରଞ୍ଜନମୂଳକ କାର୍ଯ୍ୟ ପାଇଁ ଭିତ୍ତିଭୂମି, କମ୍ୟୁନିଟି ସେଣ୍ଟର, ମୁଖ୍ୟ ମନ୍ଦିରର ଉନ୍ନତୀକରଣ, ଦୋକାନ ଗୃହ ଓ ଅନ୍ୟାନ୍ୟ ସୁବିଧାର ବ୍ୟବସ୍ଥା କରାଯିବ।

ଖର୍ଚ୍ଚ ହେବ ୨୫ କୋଟି, ୨୦୨୪ ସୁଦ୍ଧା ସରିବ କାମ
୫୩.୬୪ ଏକରରେ ରହିବ ୪ଟି ଜୋନ୍‌

ବିକାଶ ହେବାକୁ ଥିବା ମୋଟ ୫୩.୬୪୬ ଏକର ଜମି ମଧ୍ୟରୁ ଇଡ୍‌କୋର ୧୮.୫ ଏକର ଓ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଅଧୀନରେ ୩୫.୧୪୬ ଏକର ଜମି ରହିଥିଲା। ଇତିମଧ୍ୟରେ ସମସ୍ତ ଜମି ଗୃହ ଓ ନଗର ଉନ୍ନୟନ ବିଭାଗକୁ ହସ୍ତାନ୍ତର ହୋଇସାରିଛି। ଭୁବନେଶ୍ବର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ) ଏହି ଉନ୍ନୟନ କାର୍ଯ୍ୟ କରିବା ସହ ଏହି ଅଞ୍ଚଳର ପରିଚାଳନା ଦାୟିତ୍ବ ଗ୍ରହଣ କରିବ। ପାହାଡ଼ ପାଦଦେଶରେ ମୁଖ୍ୟ ପ୍ରବେଶ ପଥ ଦେଇ ପର୍ଯ୍ୟଟକମାନେ ମନ୍ଦିର ଭିତରକୁ ଯାଇପାରିବେ। ସେହି ବାଟ ଦେଇ ପ୍ରସ୍ଥାନ କରିବେ। ପ୍ରବେଶ ପଥର ବାମ ପାର୍ଶ୍ବରେ ୧୧୦ ମିଟରx୭୦ ମିଟରର ସ୍ଥାନ ‌ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଲାଗି ରହିବ। ପାହାଡ଼ ତଳେ ଥିବା ପ୍ରବେଶ ପଥର ଡାହାଣ ପାର୍ଶ୍ବରେ ପାର୍କିଂ ଜୋନ୍‌ ହେବ। ଉକ୍ତ ପ୍ରବେଶ ପଥକୁ ଅଧିକ ସୌନ୍ଦର୍ଯ୍ୟୀକରଣ କରାଯିବ।

ପାର୍କିଂ ଜୋନ୍‌ରେ ବସ୍‌, କାର୍‌ ଓ ବାଇକ୍‌ ଲାଗି ଅଲଗା ଅଲଗା ବ୍ୟବସ୍ଥା‌ କରାଯିବ। ମେ’ ୨୬ ତାରିଖରେ ଏହି ପ୍ରକଳ୍ପ କାମ ଆରମ୍ଭ ଲାଗି ଭିତ୍ତିପ୍ରସ୍ତର ପଡ଼ିବ। ଏଥିରେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡାଙ୍କ ସମେତ ସ୍ଥାନୀୟ ବିଧାୟକ ସୁଶାନ୍ତ କୁମାର ରାଉତ, ବିଧାୟକ ଅନନ୍ତ ନାରାୟଣ ଜେନା, ସୁରେଶ କୁମାର ରାଉତରାୟ, ବିଏମ୍‌ସି ମେୟର ସୁଲୋଚନା ଦାସ ପ୍ରମୁଖ ଉପସ୍ଥିତ ରହିବେ। ଏହି ଅବସରରେ ଅଞ୍ଚଳବାସୀଙ୍କୁ ସାମିଲ କରାଯାଇ ପ୍ରକଳ୍ପ ବିଷୟରେ ଅବଗତ କରାଯିବ ବୋଲି ଦୁଇ ଦିନ ତଳେ ବସିଥିବା ଏକ ଉଚ୍ଚସ୍ତରୀୟ ବୈଠକରେ ନିଷ୍ପତ୍ତି ନିଆଯାଇଛି।

ସ୍ଥାନୀୟ ବିଧାୟକ ଶ୍ରୀ ରାଉତ କହିଛନ୍ତି ଯେ ରାଜଧାନୀର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ଶିଖରଚଣ୍ଡୀ ମନ୍ଦିର ଉନ୍ନତୀକରଣ ଲାଗି ନକ୍ସା ପ୍ରସ୍ତୁତ ହୋଇଛି। ବିଡିଏ କର୍ତ୍ତୃପକ୍ଷ ଏହାର ଦାୟିତ୍ବ ନେଇଥିବା ବେଳେ ଏଥିପାଇଁ ଟେଣ୍ଡର୍‌ ପ୍ରକ୍ରିୟା ସରିଛି। ଖୁବ୍‌ଶୀଘ୍ର କାମ ଆରମ୍ଭ ହେବ। ୨୦୨୪ ଭିତରେ କାମ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏହି ପ୍ରକଳ୍ପ ଦ୍ବାରା ଖଣ୍ଡଗିରି-ଉଦୟଗିରି-ଶିଖରଚଣ୍ଡୀ-ନନ୍ଦନକାନନ-ଚନ୍ଦକା ଗୋଟିଏ ସର୍କିଟ୍‌ରେ ପରିଣତ ହେବ। ପର୍ଯ୍ୟଟକମାନେ ପ୍ରାକୃତିକ ପରିବେଶର ମଜା ନେବା ସହ ଧାର୍ମିକ ଅନୁଷ୍ଠାନ ବୁଲି ପାରିବେ।

ବିଏମ୍‌ସି ୧ ନମ୍ବର ୱାର୍ଡ କର୍ପୋରେଟର ମିହିର କୁମାର ରାଉତ କହିଛନ୍ତି ଯେ ଗତ ନଭେମ୍ବର ମାସରେ ୫-ଟି ସଚିବ ଭି କେ ପାଣ୍ଡିଆନ୍‌ ମନ୍ଦିର ପରିଦର୍ଶନ କରିବା ପରେ ଜାନୁଆରି ପ୍ରଥମ ସପ୍ତାହରେ ଅଞ୍ଚଳବାସୀଙ୍କ ଲାଗି ନୂଆବର୍ଷ ଭେଟି ଦେଇଥିଲେ। ଶିଖରଚଣ୍ଡୀ ମନ୍ଦିର ଉନ୍ନୟନ ମାଷ୍ଟରପ୍ଲାନ୍‌କୁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିବା ପରେ ଆଶା ସଞ୍ଚାର ହୋଇଥିଲା। ଏବେ କାର୍ଯ୍ୟ ଆରମ୍ଭ ହେବାକୁ ଯାଉଥିବା ଖୁସିର ବିଷୟ। ଏହାଦ୍ବାରା ଅଞ୍ଚଳର ବିକାଶ ଧାରା ଆଗକୁ ବଢ଼ିବ।

ସମ୍ବନ୍ଧିତ ଖବର