ଓଡ଼ିଆ କାବ୍ୟ ଜଗତର ଦୀପ୍ତିମନ୍ତ ସୂର୍ଯ୍ୟ

ଉପେନ୍ଦ୍ର ଭଞ୍ଜଙ୍କ ଜୟନ୍ତୀ ଉପଲକ୍ଷେ - ଡାକ୍ତର ଶୈଳେଶ୍ବର ନନ୍ଦ

ସପ୍ତଦଶ ଶତାବ୍ଦୀର ଶେଷ ଭାଗରେ ଜନ୍ମନେଇ ଓଡ଼ିଆ ସାହିତ୍ୟ, ଭାଷା ଓ ସଙ୍ଗୀତକୁ ଋଦ୍ଧିମନ୍ତ କରି ଯେଉଁ କବି ସୂର୍ଯ୍ୟସମ ଓଡ଼ିଆ ସାରସ୍ବତ ଜଗତକୁ ସମୁଜ୍ଜ୍ବଳ କରିଥିଲେ ସେ ଆଉ କେହି ନୁହନ୍ତି- କବି ସମ୍ରାଟ୍ ଉପେନ୍ଦ୍ର ଭଞ୍ଜ। ଓଡ଼ିଆ ସମାଲୋଚକମାନେ ତାଙ୍କୁ ସଙ୍ଗୀତ ସମ୍ରାଟ୍ ଓ ଶବ୍ଦ ସମ୍ରାଟ୍ ମଧ୍ୟ କହିଥା’ନ୍ତି। ଓଡ଼ିଆ ଭାଷା ଓ ସାହିତ୍ୟ ଯେ ଅନ୍ୟାନ୍ୟ ଆଞ୍ଚଳିକ ଭାଷା ବା ସଂସ୍କୃତ ସାହିତ୍ୟଠାରୁ କୌଣସି ଗୁଣରେ ନ୍ୟୂନ ନୁହେଁ, ଏହା ସେ ନିଜସ୍ବ ସୃଷ୍ଟିରେ ପ୍ରତିପାଦନ କରିବାକୁ ସମର୍ଥ ହୋଇଥିଲେ।
କବିସମ୍ରାଟ୍‌ଙ୍କ ଅନନ୍ୟ ସୃଷ୍ଟି ହେଉଛି ବୈଦେହୀଶ ବିଳାସ। ଶବ୍ଦକୁ ଶବ୍ଦ ସହ ସଂଯୋଗ କରି, ତାକୁ ଅଳଙ୍କାର ବିମଣ୍ଡିତ କରି, ପୁଣି ସଙ୍ଗୀତର ରସାଳ ଗୀତିମୟତାରେ ସମନ୍ବିତ କରି ଯେଉଁ ଅପୂର୍ବ କାବ୍ୟ ସୃଷ୍ଟି କରିଛନ୍ତି ତାହା ଯୁଗଯୁଗ ପାଇଁ ପାଠକ ପ୍ରାଣକୁ ପୁଲକିତ କରି ଆସୁଛି।
ଏହି ବୈଦେହୀଶ ବିଳାସର ଜୟଗାନ କରି ଉତ୍କଳମଣି ଗୋପବନ୍ଧୁ ଗାଇ ଉଠିଛନ୍ତି-
କାଳ ବଳିଆର ଆଣଇ ସଂସ୍କାର ନବରୁଚି ନବଜ୍ଞାନ,
କିନ୍ତୁ ବୈଦେହୀଶବିଳାସ ପାଇବ କାଳେକାଳେ ଉଚ୍ଚ ସ୍ଥାନ।
ଭଞ୍ଜ କୃଷ୍ଣଗାଥାକୁ ନେଇ ଛାନ୍ଦଭୂଷଣ, କଳାକଉତୁକ ଓ ଓଡ଼ିଆ ପ୍ରାଣର ଦେବତା ଶ୍ରୀଜଗନ୍ନାଥଙ୍କୁ ନେଇ ଲେଖିଛନ୍ତି ନୀଳାଦ୍ରୀଶ ଚଉତିଶା। ଏତଦ୍‌ବ୍ୟତୀତ କୋଟିବ୍ରହ୍ମାଣ୍ଡସୁନ୍ଦରୀ, ରସଲେଖା ଆଦି କାବ୍ୟରେ ଜଗନ୍ନାଥଙ୍କର ଲୀଳା, ପର୍ବପର୍ବାଣି ଓ ଯାତ୍ରାର ସୁନ୍ଦର ବର୍ଣ୍ଣନା ଦେଖିବାକୁ ମିଳେ।
ଶବ୍ଦ ଚାତୁର୍ଯ୍ୟର ଧୂରୀଣ ରୂପକାର ଉପେନ୍ଦ୍ରଭଞ୍ଜ ତାଙ୍କର ମହାକାବ୍ୟ ‘ବୈଦେହୀଶ ବିଳାସ’କୁ ବ-ଆଦ୍ୟ ନିୟମରେ ବାଉନ ଛାନ୍ଦରେ ଲେଖିଛନ୍ତି। ଅବନାରେ ରାମ, ରାବଣ, ସୀତା ଶବ୍ଦ ବ୍ୟବହାର ନ କରି ଲେଖିଥିବା ରାମାୟଣ ହେଲା ଅବନା ରସତରଙ୍ଗ। ସେହିପରି କ-ଅାଦ୍ୟପ୍ରାନ୍ତ ନିୟମରେ ଲେଖିଛନ୍ତି କୃଷ୍ଣକାବ୍ୟ କଳାକଉତୁକ ଓ ସ-ଆଦ୍ୟ ନିୟମରେ ସୁଭଦ୍ରା ପରିଣୟ। ଓଡ଼ିଆ ଭାଷାର ପ୍ରଥମ ଶବ୍ଦକୋଷ ବା ଅଭିଧାନ ଗୀତାଭିଧାନ ମଧ୍ୟ ସେ ଗୀତରେ ରଚନା କରିଛନ୍ତି।
ଏକନିଷ୍ଠ ଦାମ୍ପତ୍ୟ ପ୍ରେମର ପରାକାଷ୍ଠା ଦର୍ଶାଇ ସେ କହନ୍ତି-
ପ୍ରୀତି ହୋଇ ଯେବେ ଏଡ଼େ ମଧୁର
କ୍ଷୁଧା ତୃଷା ପୁଣି ହୁଏ ବିଧୁର;
ପୁଣି ଦଇବେ େହାଇଲେ ଦମ୍ପତି
ପଦତଳେ ମିଳେ ଇନ୍ଦ୍ର-ସମ୍ପତ୍ତି।
ଜୀବନରେ ଶେଷ ଅଧ୍ୟାୟ େସ ରଚନା କରିଛନ୍ତି ପୁରୀର ଘୁମୁସର ମଠରେ। ଏହିଠାରେ ପ୍ରଭୁ ନୀଳାଦ୍ରୀଶଙ୍କ ଚରଣ କମଳରେ ନିଜର ସମସ୍ତ ଖ୍ୟାତିକୁ ସମର୍ପଣ କରି ରଚନା କରିଛନ୍ତି ନିଳାଦ୍ରୀଶ ଚଉତିଶା। କବି କହନ୍ତି-
କ୍ଷୟ ତ ହେଲାଣି ଏ ପିଣ୍ଡ – କ୍ଷାଳ ଏ ସଂସାରର ଦଣ୍ଡ
ଖ୍ୟାତି ଏ ଉପେନ୍ଦ୍ରର – ତବ ପଦତଳେ େହଉ ରୁଣ୍ଡ।
େହ ନୀଳାଦ୍ରୀଶ!’’
କବିଙ୍କ ସୃ‌ଷ୍ଟିରେ ଲାବଣ୍ୟବତୀ, େକାଟି ବ୍ରହ୍ମାଣ୍ଡ ସୁନ୍ଦରୀ, ସୁଭଦ୍ରା ପରିଣୟ, ରସିକ ହାରାବଳୀ, ସୁବର୍ଣ୍ଣରେଖା, ପ୍ରେମ ସୁଧାନିଧି ଅାଦି ପ୍ରେମ କାବ୍ୟମାନ ଅାମ ଜୀବନରେ ପ୍ରେମର ଅନବଦ୍ୟ ଅବଦାନ ସୂଚାଇଛି। ଏଠି େଦହ ଅପେକ୍ଷା ମନ, ପ୍ରାଣ ଓ ହୃଦୟର ଅାକର୍ଷଣ ଆଲୋଚିତ। କବିତାକୁ ଅଳଙ୍କାରମୟ କରି ସେଥିରେ ଶ୍ଲେଷ, ଯମକ, ଅନୁପ୍ରାସ, ବକ୍ରୋକ୍ତି, ରୂପକ ଆଦି ଅଳଙ୍କାର ପ୍ରୟୋଗ କରି ନିଜସ୍ବ ସୃଷ୍ଟିକୁ ଉପେନ୍ଦ୍ରଭଞ୍ଜ କରିଛନ୍ତି ମନୋମୟ, ପ୍ରେମମୟ ଓ ଭାବମୟ। କାବ୍ୟର ରୂପକଳ୍ପରେ ନବରସକୁ ଯଥାରୀତି ସମନ୍ବିତ କରି ସେ କାବ୍ୟଗୁଡ଼ିକୁ ମନୋଜ୍ଞ ଓ ରସାଣିତ କରିବାକୁ ସମର୍ଥ ହୋଇଛନ୍ତି।
ଭଞ୍ଜୀୟ ସୃଷ୍ଟିରେ ନାୟକ, ନାୟିକା, ପାର୍ଶ୍ବଚରିତ୍ର, ପ୍ରକୃତି ଓ ପରିବେଶ ସବୁଠାରେ ସକାରାତ୍ମକ ଚିନ୍ତା-ଚେତନାର ମଧୁର ମନୋହର ରୂପାୟନ। ଗ୍ରୀଷ୍ମ, ବର୍ଷା, ଶରତ, ହେମନ୍ତ, ଶୀତ, ବସନ୍ତ ସବୁଋତୁ ଆନନ୍ଦକର। ସବୁ ବୟସ ଆନନ୍ଦଦାୟକ। ବିରହଠାରୁ ମିଳନ ପର୍ଯ୍ୟନ୍ତ ସବୁଠାରେ ଆନନ୍ଦରେ ବଞ୍ଚିବାର ବାର୍ତ୍ତା। ଚନ୍ଦ୍ରଭାନୁର ବିରହ-ଜର୍ଜରିତ ପ୍ରାଣ ସଂସାରକୁ ଅଳିକ ଭାବୁଥିବା ବେଳେ- ମିତ୍ରମାନଙ୍କ ସକାରାତ୍ମକ ପ୍ରବୋଧ-
‘‘ମିତ୍ରେ ଶୁଣି ବୋଇଲେ ଜୀବନ ରଖ
ଜୀବନୁ ଅଧିକ କିଛି ନ ଲେଖ;
ଜୀବନ ଥିଲେ ହୁଏ ସବୁ ପ୍ରାପତ
ହୁଅଇ ସମ୍ଭାବିତ ଅସମ୍ଭାବିତ।’’
ଏହା ହିଁ ଭଞ୍ଜ ସାହିତ୍ୟରେ ଆନନ୍ଦବାଦ ଓ ସକାରାତ୍ମକ ଚିନ୍ତାଧାରା। ଜୀବନର ସକଳ ପରିସ୍ଥିତିକୁ ସାମ୍ନା କରିବାକୁ ଭଞ୍ଜୀୟ କାବ୍ୟକବିତା ଦେଇଛି ଅମାପ ମନୋବଳ। ଜୀବନକୁ ମନୋମୟ, ପ୍ରାଣମୟ ଓ ଆହ୍ଲାଦପୂର୍ଣ୍ଣ କରି ବିଭୁ ପଦାରବିନ୍ଦରେ ଆତ୍ମନିବେଦନ କରି ସଂସାରପଥକୁ ଅତିକ୍ରମ କରିବା ସହଜସାଧ୍ୟ। ନହେଲେ କି ରାଜସୁଖ ଛାଡ଼ି, ପରମଯୋଗୀ ହୋଇ, ତାରକମନ୍ତ୍ର ସିଦ୍ଧ ହୋଇ କାବ୍ୟକବିତା ଭିତରେ ଆନନ୍ଦର ସନ୍ଧାନ କରିଥାନ୍ତେ- ଉପେନ୍ଦ୍ର ଭଞ୍ଜ! ସେଥିପାଇଁ ଶହଶହ ବର୍ଷ ପରେ ମଧ୍ୟ ଓଡ଼ିଆ ପାଠକପ୍ରାଣରେ ପୁଲକ ଆଣିବାକୁ ସମର୍ଥ ଭଞ୍ଜ-ସୃଷ୍ଟି।
ସଭାପତି, କଳିଙ୍ଗ ଭାରତୀ
ସମ୍ବନ୍ଧିତ ଖବର