ପର୍ଯ୍ୟଟକଙ୍କ ପାଦରେ ତାତି ବେଡ଼ି: ଖଣ୍ଡଗିରି-ଉଦୟଗିରିରୁ କମିଲେ ଅଧା ପର୍ଯ୍ୟଟକ

ଖଣ୍ଡଗିରି: ତାତିର ପ୍ରଭାବ ସିଧାସଳଖ ପର୍ଯ୍ୟଟନସ୍ଥଳୀଗୁଡ଼ିକ ଉପରେ ଦେଖିବାକୁ ମିଳୁଛି। ଏମିତିକି ବିଶ୍ବପ୍ରସିଦ୍ଧ ଖଣ୍ଡଗିରି-ଉଦୟଗିରି ଐତିହ୍ୟସ୍ଥଳକୁ ଗତକାଲି ମାଗଣା ପ୍ରବେଶ ସୁବିଧା କରା ଯାଇଥିଲେ ହେଁ ଆଶାନୁଯାୟୀ ପର୍ଯ୍ୟଟକ ଆସି ନଥିଲେ। ବର୍ତ୍ତମାନ ପୂର୍ବାହ୍ନ ୧୦ଟାରୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ଏହି ଯମଜ ପାହାଡ଼ ଏକପ୍ରକାର ଶୂନ୍‌ଶାନ ହୋଇଯାଉଛି। ସକାଳ ୮ଟାରୁ ୧୧ଟା ଓ ଅପରାହ୍ଣ ୪ଟାରୁ ୬ଟା ମଧ୍ୟରେ ଯାହା କିଛି ପର୍ଯ୍ୟଟକଙ୍କୁ ଏଠାରେ ଦେଖିବାକୁ ମିଳୁଛି।

ଏଏସ୍‌ଆଇ ତଥ୍ୟ କହୁଛି, ଖଣ୍ତଗିରି-ଉଦୟଗିରି ପାହାଡ଼କୁ ଆଜି ମାତ୍ର ୧,୮୪୬ଜଣ ବୁଲି ଆସିଥିଲେ। ସାଧାରଣ ଦିନରେ ପ୍ରତିଦିନ ସେଠାକୁ ହାରାହାରି ୪,୦୦୦ ବା ତା’ଠାରୁ ଅଧିକ ପର୍ଯ୍ୟଟନ ଆସନ୍ତି। ଆଜି ଯେଉଁମାନେ ଆସିଥିଲେ, ସେମାନଙ୍କ ଭିତରୁ ଅଧିକାଂଶ ପଶ୍ଚିମବଙ୍ଗର ହୋଇଥିବା ବେଳେ ଅଳ୍ପ କିଛି ଓଡ଼ିଶାର ଥିଲେ। ବାହାର ଲୋକମାନେ ପୂର୍ବରୁ ଯୋଜନା କରିଥିବାରୁ ଟାଣଖରା ହେଉଥିଲେ ‌ହେଁ ଆସିବାକୁ ବାଧ୍ୟ ହୋଇଥିଲେ। ବିଶ୍ବ ଐତିହ୍ୟ ଦିବସ (ଏପ୍ରିଲ ୧୮)ରେ ସର୍ବାଧିକ ପର୍ଯ୍ୟଟକ ଆସିବେ ବୋଲି ଆଶା କରାଯାଉଥିଲା। ସେଦିନ ମାଗଣା ପ୍ରବେଶ ସୁବିଧା ଥିଲେ ହେଁ ଲୋକଙ୍କ ସଂଖ୍ୟା ବହୁ୍ତ କମ୍‌ ଥିଲା। ସେଦିନ ଜଣେ ବିଦେଶୀ ପର୍ଯ୍ୟଟକଙ୍କୁ ମିଶାଇ ୨,୧୪୫, ୧୬ ତାରିଖରେ ୨,୨୭୨ ଜଣ ଆସିଥିଲେ। ରାଜାରାଣୀ ମନ୍ଦିରକୁ ମଧ୍ୟ ବୁଲିବାକୁ ବିଶେଷ ପର୍ଯ୍ୟଟକ ଆସି ନଥିଲେ। ଅପରାହ୍ନରେ ଆଜି ମାତ୍ର ୧୦୦ ଜଣ ବୁଲିବାକୁ ଆସିଥିବା ବେଳେ ୧୭ ତାରିଖରେ ମୋଟ୍‌ ୧୦୯ ଓ ୧୬ ତାରିଖରେ ୧୮୧ଜଣ ବୁଲିଥିଲେ। ଜୟଦେବ ବାଟିକା ବୁଲିବାକୁ ଦୈନିକ ୨,୦୦୦ରୁ ଅଧିକ ଲୋକ ଆସୁଥିବା ବେଳେ ୩ ଦିନ ହେଲା ସଂଖ୍ୟା ୫୦୦ ଟପିବା ବି କଷ୍ଟକର ହୋଇପଡ଼ୁଛି। ସେହିପରି ଗହଳି ଲାଗି ରହୁଥିବା ଏକାମ୍ର କାନନ, ଆନନ୍ଦବନ, କଳାଭୂମି, ଔଷଧୀୟ ଉଦ୍ୟାନ ପରି ପ୍ରମୁଖ ସ୍ଥାନରେ ଲୋକଙ୍କର ଭିଡ଼ ଆଦୌ ପରିଲକ୍ଷିତ ହେଉନାହିଁ।

ସମ୍ବନ୍ଧିତ ଖବର