ଯୁବକଙ୍କୁ ଉଲଗ୍ନ କରି ମାଡ଼ ମାରିବା ଘଟଣା: ମାନବାଧିକାର ଆୟୋଗଙ୍କ ଦ୍ବାରସ୍ଥ ହେଲେ ସାମାଜିକ କର୍ମୀ

ଭୁବନେଶ୍ବର: ପଳାସୁଣି ହାଟରେ ଝାଡ଼ଖଣ୍ଡର ଜଣେ ଯୁବକଙ୍କୁ ଉଲଗ୍ନ କରି ମାଡ଼ ମାରିବ‌ା ଘଟଣାରେ କିଛି ସ୍ଥାନୀୟ ସ୍ବେଚ୍ଛାସେବୀ ଆଜି ମାନବାଧିକାର ଆୟୋଗଙ୍କ ଦ୍ବାରସ୍ଥ ହୋଇଛନ୍ତି। ସେମାନେ କହିଛନ୍ତି, ଭାଇରାଲ ହେଉଥିବା ଭିଡିଓରେ ସବୁ ଜଳ ଜଳ ଦେଖାଯାଉଛି। ହେଲେ ଘଟଣାର ତିନି ଦିନ ବିତି ଯାଇଥିଲେ ବି ପୁଲିସ ଏଥିରେ ସମ୍ପୃକ୍ତ ଯୁବକଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ। ଏହି ଘଟଣା‌ରେ ସଂପୃକ୍ତ ଯୁବକମାନଙ୍କୁ ଗିରଫ ନ କରି ପୁଲିସ ଅଭିଯୁକ୍ତଙ୍କୁ ନିର୍ଯାତନା ମଧ୍ୟ ଦେଇଛି। ରାଜ୍ୟ ବାହାରର ଜଣେ ଯୁବକଙ୍କୁ ଏଭଳି ଅମାନୁଷିକ ଭାବେ ମାଡ଼ ମାରିବା ସହ ମୁହଁରେ ଛେପ ପକାଇବା ଭଳି ଘଟଣାରେ ମ‌ାନବାଧିକ‌ାର ଉଲଂଘନ କରାଯାଇଥିଲେ ମଧ୍ୟ ପୁଲିସ ଚୁପ ବସିଛି ବୋଲି ସମାଜସେବୀ ନାରାୟଣ ପୃଷ୍ଟି କହିଛନ୍ତି। ତେଣୁ ସମାଜିକକର୍ମୀ ଜିତୁ ଦାସ, ଭାବଗ୍ରାହୀ ନାୟକ ପ୍ରମୁଖ କମିସନ‌ରଙ୍କୁ ଭେଟି ତ୍ବରିତ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି।
ସୂଚନାନୁସାରେ ଝାଡ଼ଖଣ୍ଡ ତିନପାହାଡ଼ ଅଞ୍ଚଳର ଶ୍ୟାମ କୁମାର ରାମ ପରିବାର ସହ ପୁରୀ ରଥଯାତ୍ରା ଦେଖିବାକୁ ଆସିଥି‌ଲେ। ପୁରୀରୁ ସେମାନେ ଭୁବନେଶ୍ବର ଆସି ପଳାସୁଣି ହାଟରେ ବୁଲାବୁଲି କରୁଥିଲେ। ହାଟରେ ମୋବାଇଲ୍‌ ଲୁଟ୍‌ କରିବା ଅଭିଯୋଗରେ ଉତ୍ତ୍ୟକ୍ତ ଲୋକେ ଶ୍ୟାମକୁ ଉଲଗ୍ନ କରି ଏକ ଗେଟ୍‌ରେ ବାନ୍ଧି ଅମାନୁଷିକ ଭାବେ ମାଡ଼ ମାରିଥିଲେ। ତେବେ ଥାନାରେ ଏନେଇ କୌଣସି ଅଭିଯୋଗ ହୋଇନଥିଲା। ତେଣୁ ସିସିଟିଭି ଯାଞ୍ଚ କରି ଏବଂ ଭାଇରାଲ ଭିଡିଓ ଆଧାରରେ ମଞ୍ଚେଶ୍ୱର ଥାନା ପୁଲିସ ନିଜ ଆଡୁ ମାମଲା ରୁଜୁ କରିଛି।

 

 

ସମ୍ବନ୍ଧିତ ଖବର