ବିଜୁ ଶ୍ରମିକ ସାମ୍ମୁଖ୍ୟ ପକ୍ଷରୁ ଶ୍ରାଦ୍ଧୋତ୍ସବ: ସମାଜସେବାର ପଥପ୍ରଦର୍ଶକ ଥିଲେ ଲଳିତ

ଭୁବନେଶ୍ବର: ସମାଜସେବୀ ସ୍ବର୍ଗତ ଲଳିତ ନାୟକ ଥିଲେ ପଶ୍ଚିମ ଓଡ଼ିଶାର ଲୋକପ୍ରିୟ ନାୟକ। ସେ ଥିଲେ ସମାଜସେବାର ଜଣେ ପଥପ୍ରଦର୍ଶକ ଓ ଏକ ଦୀପ୍ତିମନ୍ତ ଆଲୋକବର୍ତ୍ତିକା। ଏସବୁ ସତ୍ତ୍ବେ ନିର୍ବାଚନରେ ସେ ସଫଳ ନ ହେବା, ବୋଧ ହୁଏ ଈଶ୍ବରଙ୍କ ଇଚ୍ଛା ଥିଲା। କାରଣ ଜଣେ ରାଜନେତା ଓ ସମାଜସେବୀ ମଧ୍ୟରେ ଥିବା ଅସଲ ଫରକ୍‌ ଲଳିତ ଦା’ଙ୍କ ନିକଟରେ ବାରି ହୋଇପଡ଼ୁଥିଲା। ବିଜୁ ଶ୍ରମିକ ସାମ୍ମୁଖ୍ୟ ପକ୍ଷରୁ ରାଜ୍ୟସଭା ସାଂସଦ ସୁବାସ ସିଂହଙ୍କ ୟୁନିଟ୍-୬ସ୍ଥିତ ବାସଭବନରେ ଆୟୋଜିତ ବିଶିଷ୍ଟ ସମାଜସେବୀ ଲଳିତ ନାୟକଙ୍କ ଶ୍ରା‌ଦ୍ଧୋତ୍ସବରେ ଯୋଗଦେଇ ସମ୍ବାଦର ସଂପାଦକ ସୌମ୍ୟରଂଜନ ପଟ୍ଟନାୟକ ଆଜି ଏହା କହିଛନ୍ତି।

ସାଂସଦ ଶ୍ରୀ ସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ସାଂସଦ ମୁନ୍ନା ଖାଁ ଯୋଗଦେଇ ସମାଜସେବାରେ ଲଳିତ ଦା’ ଏକ ବିରଳ ବ୍ୟକ୍ତିତ୍ବ ବୋଲି କହିଥିଲେ। ରକ୍ତଦାନ କ୍ଷେତ୍ରରେ ତାଙ୍କ ଦ୍ବାରା ସୃଷ୍ଟ ପରମ୍ପରା ଯୁବ ସ୍ବେଚ୍ଛାସେବୀଙ୍କ ପାଇଁ ଅନୁକରଣୀୟ ହେବା ଉଚିତ। ରାଜନୀତିରୁ ଊର୍ଦ୍ଧ୍ବରେ ରହି ସେ ତିଆରି କରିଥିବା ନୂଆ ମାର୍ଗ ଅର୍ଥାତ୍ କେବଳ ଜିତିଲେ ଯେ ସମାଜସେବା କରିହେବ, ତାକୁ ଭୁଲ୍ ପ୍ରମାଣିତ କରିଥିଲେ ବୋଲି ସାଂସଦ ଖାଁ କହିଥିଲେ।

ଅନ୍ୟ ଅତିଥିମାନଙ୍କ ମଧ୍ୟରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ, ସାଂସଦ ସୁଜିତ୍ କୁମାର, ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡର ଅଧ୍ୟକ୍ଷ ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ ପ୍ରମୁଖ ଯୋଗଦେଇ ବକ୍ତବ୍ୟ ରଖିଥି‌ଲେ। ଗରିବ ଖଟିଖିଆଙ୍କଠାରୁ ଆରମ୍ଭ କରି ସବୁ ବର୍ଗର ଲୋକଙ୍କ ପାଇଁ ସାମାଜିକ କାର୍ଯ୍ୟରେ ଲଳିତ ଦା’ ନିଜକୁ ଉତ୍ସର୍ଗ କରୁଥିଲେ। ବିଶେଷକରି ଶ୍ରମିକଙ୍କୁ ସଙ୍ଗଠିତ କରିବା ଓ ରକ୍ତଦାନକୁ ଏକ ଆନ୍ଦୋଳନରେ ପରିଣତ କରିବାରେ ସେ ଥିଲେ ଅଦ୍ବିତୀୟ। ତେଣୁ ତାଙ୍କ ଦେହାନ୍ତରେ ସୃଷ୍ଟି ହୋଇଥିବା ଅପୂରଣୀୟ କ୍ଷତିକୁ କେବେ ଯେପରି ଅନୁଭବ କରି ନହେବ, ସେଥିପ୍ରତି ଦୃଷ୍ଟି ଦେବାକୁ ହେବ। ଆଜିର ହଜାର ହଜାର ଲଳିତପ୍ରେମୀ ତାଙ୍କ ମାର୍ଗକୁ ଅନୁସରଣ କରିପାରିଲେ, ତାହା ତାଙ୍କ ପାଇଁ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ। ସମାଜସେବା ‌କ୍ଷେତ୍ରରେ ନୂଆ କରି ପାଦ ଥାପୁଥିବା ଯୁବପିଢ଼ି ଲଳିତ ଦା’ଙ୍କୁ ଅନୁକରଣ କରିବା ଆବଶ୍ୟକ ବୋଲି ବକ୍ତାମାନେ କହିଥିଲେ।

କାର୍ଯ୍ୟକ୍ରମ ଆରମ୍ଭରେ ସ୍ବର୍ଗତ ନାୟକଙ୍କ ଅମର ଆତ୍ମାର ସଦ୍‌ଗତି ନିମନ୍ତେ ଏକ ମିନିଟ୍‌ ନିରବ ପ୍ରାର୍ଥନା କରାଯାଇଥିଲା। ସଭାରେ ଏଆଇଟିୟୁସିର ରାଜ୍ୟ ସଂପାଦକ ରାମକୃଷ୍ଣ ପଣ୍ଡା, ଏଚ୍‌ଏମ୍‌ଏସ୍‌ର ରାଜ୍ୟ ସଂପାଦକ ବୀରେନ୍ଦ୍ର ପ୍ରସାଦ ଦାସ, ସିଆଇଟିୟୁର ସଂପାଦକ ସୁରେଶ ରାଉତରାୟ, ଆଇଏନ୍‌ଟିୟୁସିର ସଂପାଦିକା ପ୍ରଣତି ମିଶ୍ର, ନବକିଶୋର ମହାନ୍ତି, ଏଆଇସିସିଟିୟୁର ମହେନ୍ଦ୍ର ପରିଡ଼ା, ବ୍ରହ୍ମପୁର ବିଡିଏର ପୂର୍ବତନ ଅଧ୍ୟକ୍ଷ ସୁବାସ ମହାରଣା, ବିଜୟ ଜେନା, ଭାଗୀରଥି ସେନାପତି, ବିକ୍ରମ ନାୟକ, ରାଜୀବ ମହାନ୍ତି, ପଦ୍ମନ୍‌ ସାମଲ, ଶିବ ମଲ୍ଲିକ ପ୍ରମୁଖ ଶ୍ରମିକ ନେତା ଯୋଗ ଦେଇଥିଲେ। ନୂଆ ଶ୍ରମ ଆଇନକୁ ବିରୋଧ କରି ଶ୍ରମିକମାନଙ୍କ ସୁରକ୍ଷା ପାଇଁ କିଛି କରିପାରିଲେ, ସ୍ବର୍ଗତ ନାୟକଙ୍କ ଇଚ୍ଛା ପୂର୍ଣ୍ଣ ହେବ ବୋଲି ସେମାନେ କହିଥିଲେ। ବିଜୁ ଶ୍ରମିକ ସାମ୍ମୁଖ୍ୟର ରାଜ୍ୟ ସଂପାଦକ ସୁରେନ୍ଦ୍ର କୁମାର ସ୍ବାଇଁ ଧନ୍ୟବାଦ ଅର୍ପଣ କରିଥିଲେ। ସୂଚନାଯୋଗ୍ୟ, ଗତକାଲି ଲଳିତ ନାୟକ ସ୍ମୃତି କମିଟି ପକ୍ଷରୁ ଭଂଜ କଳାମଣ୍ଡପରେ ଆୟୋଜିତ ଶୋକସଭାରେ କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ ଯୋଗଦେଇ ସମାଜସେବୀ ଲଳିତ ଦା’ଙ୍କ ସହିତ ଜଡ଼ିତ ଅନ୍ତରଙ୍ଗ ମୁହୂର୍ତ୍ତ ଓ ଲୋକଙ୍କ ପାଇଁ କିଭଳି ନିଜ ଜୀବନକୁ ଉତ୍ସର୍ଗୀକୃତ କରିଥିଲେ, ସେ ଉପରେ ମତ ପ୍ରକାଶ କରିଥିଲେ।

ସମ୍ବନ୍ଧିତ ଖବର