ସଂଯୁକ୍ତ କିଷାନ ମୋର୍ଚ୍ଚାର ବିକ୍ଷୋଭ: ଢିଙ୍କିଆରୁ ପୁଲିସ ପ୍ରତ୍ୟାହାର ଦାବି

ଭୁବନେଶ୍ବର: ଜେଏସଡବ୍ଲ୍ୟୁ ପ୍ରକଳ୍ପକୁ ନେଇ ରଣକ୍ଷେତ୍ର ପାଲଟିଥିବା ଜଗତସିଂହପୁର ଜିଲ୍ଲା ଢିଙ୍କିଆ ଗ୍ରାମବାସୀଙ୍କ ଉପରେ ପୁଲିସର ଲାଠିଚାର୍ଜ ଓ ଗିରଫ ପ୍ରତିବାଦରେ ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ମାଷ୍ଟରକ୍ୟାଣ୍ଟିନ୍ ଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଢିଙ୍କିଆରୁ ପୁଲିସ ବାହିନୀ ପ୍ରତ୍ୟାହାର, ଉଚ୍ଚ ନ୍ୟାୟାଳୟଙ୍କ ତତ୍ତ୍ବାବଧାନରେ ସ୍ବତନ୍ତ୍ର ଅନୁସନ୍ଧାନକାରୀ ଦଳ ଗଠନ କରି ପୁଲିସର ନିର୍ମମ ଲାଠିଚାଳନାର ତଦନ୍ତ ଦାବି, ପାନବରଜ ଉଚ୍ଛେଦ ବନ୍ଦ, ଭଙ୍ଗା ଯାଇଥିବା ସମସ୍ତ ପାନବରଜର ଉପଯୁକ୍ତ କ୍ଷତିପୂରଣ, ଗିରଫ ହୋଇଥିବା ଦେବେନ୍ଦ୍ର ସ୍ବାଇଁ, ପ୍ରଶାନ୍ତ ଜେନାଙ୍କ ସମେତ ଅନ୍ୟ ସମସ୍ତଙ୍କୁ ନିସର୍ତ୍ତରେ ଖଲାସ ଏବଂ ଜେଏସଡବ୍ଲ୍ୟୁ ପ୍ରକଳ୍ପ ପ୍ରତ୍ୟାହାର ଦାବି କରିଛି ସଂଗଠନ।

ସଂଯୁକ୍ତ କିଷାନ ମୋର୍ଚ୍ଚାର ଅଭିଯୋଗ ଅନୁଯାୟୀ, ଢିଙ୍କିଆ ଗ୍ରାମବାସୀ ଉକ୍ତ ଜମିରେ ପାନ, ଧାନ ଓ ମାଛ ଚାଷ କରି ଜୀବିକା ନିର୍ବାହ କରୁଛନ୍ତି। ଉକ୍ତ ଅଞ୍ଚଳରେ କାରଖାନା ପ୍ରତିଷ୍ଠା କରି ସେମାନଙ୍କ ଜୀବିକା ମାରିବାକୁ ବସିଛି ପ୍ରଶାସନ। ଜିନ୍ଦଲ କମ୍ପାନିର ସ୍ବାର୍ଥ ପାଇଁ ଢିଙ୍କିଆର ସାଧାରଣ ଜନତାଙ୍କ ଉପରେ ପୁଲିସର ଅମାନୁଷିକ ଲାଠି ପ୍ରହାର, ଗିରଫଦାରୀ, ମିଥ୍ୟା ମୋକଦ୍ଦମା ଦାଏର କରି ସେ ଅଞ୍ଚଳରେ ଆତଙ୍କରାଜ ସୃଷ୍ଟି କରୁଛି। ତେଣୁ ସରକାର ଢିଙ୍କିଆବାସୀଙ୍କ ସ୍ବାର୍ଥ ପାଇଁ ଚିନ୍ତା କରିବା ଦରକାର ବୋଲି ମୋର୍ଚ୍ଚା କହିଛି।

ଏହି ବିକ୍ଷୋଭରେ ମୋର୍ଚ୍ଚାର ନରେନ୍ଦ୍ର ମହାନ୍ତି, ସୁରେଶ ପାଣିଗ୍ରାହୀ, ଅଭିରାମ ବେହେରା, ମହେନ୍ଦ୍ର ପରିଡ଼ା, ଜ୍ୟୋତି ରଞ୍ଜନ ମହାପାତ୍ର, ପ୍ରଫୁଲ୍ଲ ସାମନ୍ତରା, ଶଙ୍କର ସାହୁ, ସନ୍ତୋଷ ମହାନ୍ତି, ବଂଶୀଧର ପରିଡ଼ା, ବିଶ୍ବପ୍ରିୟ କାନୁନଗୋ, ପ୍ରଶାନ୍ତ ପାଇକରାୟ, ଶ୍ରୀମନ୍ତ ମହାନ୍ତି, ଦେବରଞ୍ଜନ, ଲେନିନ୍ କୁମାର, ନିରଞ୍ଜନ ମହାନ୍ତି, ସୁଦର୍ଶନ ପ୍ରଧାନ, ମହମ୍ମଦ ସୁକୁର, ପ୍ରଦୀପ୍ତ ନାୟକ, ବସନ୍ତ ସାହୁ, ଅମ୍ବୁଜ ନାଥ, ନସିମ୍ ସରକାର, ସ୍ବାତୀ ମିଶ୍ର, ପ୍ରଭାମଞ୍ଜୁଳା ବ୍ରହ୍ମା, ବିଜୟଲକ୍ଷ୍ମୀ ପାତ୍ର ପ୍ରମୁଖ ନେତୃତ୍ବ ନେଇଥିଲେ।

ସମ୍ବନ୍ଧିତ ଖବର