କ୍ୟାପିଟାଲ ହସ୍ପିଟାଲ, ଝାରପଡ଼ା ଜେଲ୍‌କୁ ମିଳିବ ‘ଇଟ୍‌ ରାଇଟ୍‌’ କ୍ୟାମ୍ପସ୍ ମାନ୍ୟତା

ବିଏମ୍‌ସିକୁ ଆସିବେ ୫ ଖାଦ୍ୟ ସୁରକ୍ଷା ଅଧିକାରୀ

ଭୁବନେଶ୍ବର : ରାଜଧାନୀର ପ୍ରମୁଖ ସରକାରୀ ଡାକ୍ତରଖାନା କ୍ୟାପିଟାଲ ହସ୍ପିଟାଲ ଓ ଝାରପଡ଼ାସ୍ଥିତ ସ୍ବତନ୍ତ୍ର ଜେଲ୍‌କୁ ମିଳିବ ‘ଇଟ୍‌ ରାଇଟ୍‌’ କ୍ୟାମ୍ପସ୍ ମାନ୍ୟତା। ଏହି ଦୁଇ ସ୍ଥାନରେ ବହୁ ସଂଖ୍ୟାରେ ଅନ୍ତେବାସୀ ଖାଦ୍ୟ ଗ୍ରହଣ କରୁଥିବାରୁ‌ ସେମାନଙ୍କୁ ଯେପରି ନିରାପଦ ଓ ଗୁଣବତ୍ତା ଖାଦ୍ୟ ମିଳିବ ତାହା ଉପରେ ଗୁରୁତ୍ବ ଦିଆଯାଉଛି। ଏଥିପାଇଁ ହସ୍ପିଟାଲ ଓ ଜେଲ୍‌ରେ ଖାଦ୍ୟ ପ୍ରସ୍ତୁତ କରୁଥିବା ବ୍ୟକ୍ତିମାନଙ୍କ ଆବଶ୍ୟକ ତାଲିମ୍ ଓ ଅଡିଟ୍‌ କାର୍ଯ୍ୟ ଆରମ୍ଭ ହୋଇଥିବା ସୂଚନା ମିଳିଛି।

କେନ୍ଦ୍ରୀୟ ଖାଦ୍ୟ ନିରାପତ୍ତା ଓ ମାନକ ପ୍ରାଧିକରଣ(ଏଫ୍‌ଏସ୍‌ଏସ୍‌ଏଆଇ) ପକ୍ଷରୁ ଚାଲିଥିବା ‘ଇଟ୍‌ ରାଇଟ୍‌ ଇଣ୍ଡିଆ’ କାର୍ଯ୍ୟକ୍ରମ ଅଧୀନରେ ଏହି ମାନ୍ୟତା ଦିଆଯାଉଛି। ରାଜ୍ୟର ୯ଟି ସ୍ଥାନକୁ ଏହି ମାନ୍ୟତା ମିଳିସାରିଛି। ଏଥିରେ ୫ଟି ଘରୋଇ ସ୍ବାସ୍ଥ୍ୟାନୁଷ୍ଠାନ, ସରକାରୀ ଆଇଟିଆଇ, ଆଇଏଚ୍‌ଏମ୍‌, ସିଟିଟିସି, ଆଇଜିଏଚ୍‌ ରାଉରକେଲା ରହିଛି। ଏହାସହ ଗତବର୍ଷ ଡିସେମ୍ବରରେ ଭୁବନେଶ୍ବର ରେଳ ଷ୍ଟେସନ୍ ମଧ୍ୟ ‘ଇଟ୍‌ ରାଇଟ୍‌ ଷ୍ଟେସନ୍’ ମାନ୍ୟତା ପାଇଛି। ତେଣୁ ଅଧିକରୁ ଅଧିକ ସଂସ୍ଥାଙ୍କୁ ଏଥିରେ ଯୋଡ଼ିବା ଲାଗି ରାଜ୍ୟ ଖାଦ୍ୟ ସୁରକ୍ଷା ପକ୍ଷରୁ ଉଦ୍ୟମ କରାଯାଉଛି। ଏହି କାର୍ଯ୍ୟକ୍ରମ ଅଧୀନରେ ସୁଷମ ଓ ଉତ୍ତମ ଖାଦ୍ୟର ଯେଉଁ ମାନଦଣ୍ଡ ରହିଛି ତାହା ବଜାୟ ରହୁଛି କି ନାହିଁ ତାହାର ଯାଞ୍ଚ କରାଯିବ। ଏହାସହ ଏଫ୍‌ଏସ୍‌ଏସ୍‌ଏଆଇର ଅଡିଟରମାନଙ୍କ ଦ୍ବାରା ଏସବୁର ଅନୁଧ୍ୟାନ ହେବ। ଏଥିପାଇଁ କ୍ୟାମ୍ପସ୍ ତାଲିମ ପ୍ରଦାନ କରାଯିବ। ପରେ ସାର୍ଟିଫିକେଟ୍‌ ପ୍ରଦାନ ଦିଆଯିବ। ୩ମାସର ବ୍ୟବଧାନ ପରେ ଏସବୁ ଠିକ୍ ଭାବେ କାର୍ଯ୍ୟ କରୁଛି କି ନାହିଁ ତାହାର ମୂଲ୍ୟାୟନ କରାଯିବାର ବ୍ୟବସ୍ଥା ରହିଛି।

ଏଫ୍‌ଏସ୍‌ଏସ୍‌ଏଆଇ ପକ୍ଷରୁ ପ୍ରକାଶିତ ହେଉଥିବା ଖାଦ୍ୟ ସୁରକ୍ଷା ଇଣ୍ଡେକ୍ସରେ ଓଡ଼ିଶା ଚତୁର୍ଥ ସ୍ଥାନରେ ରହିଛି। ଗୋଟିଏ ବର୍ଷରେ ଓଡ଼ିଶା ୯ଟି ସ୍ଥାନ ଉପରକୁ ଉଠିବାରେ ସକ୍ଷମ ହୋଇପାରିଛି। ଏହି ସଫଳତା ସତ୍ତ୍ବେ ରାଜ୍ୟରେ ଏବେ ବି ଖାଦ୍ୟ ସୁରକ୍ଷାର ଭିତ୍ତିଭୂମି ଓ ନିରୀକ୍ଷଣ ଦୁର୍ବଳ ରହିଛି। ଆବଶ୍ୟକ ସଂଖ୍ୟକ ଖାଦ୍ୟ ସୁରକ୍ଷା ଅଧିକାରୀଙ୍କ ଅଭାବ ରହିଛି। ରାଜ୍ୟରେ ଆଉ ୩୫ଜଣ ଖାଦ୍ୟ ସୁରକ୍ଷା ଅଧିକାରୀଙ୍କୁ ନିଯୁକ୍ତି ଦେବାକୁ ନିଷ୍ପତ୍ତି ହୋଇଥିଲେ ହେଁ ତାହା ବିଳମ୍ବ ହେବାରେ ଲାଗିଛି। ଏପରିକି ଭୁବନେଶ୍ବରରେ ଶତାଧିକ ଖାଦ୍ୟାନୁଷ୍ଠାନ ଗଢ଼ି ଉଠିଥିବା ବେଳେ ଏସବୁର ଯାଞ୍ଚ କରିବା ଲାଗି ଜଣେ ମାତ୍ର ଖାଦ୍ୟ ସୁରକ୍ଷା ଅଧିକାରୀ ରହିଛନ୍ତି। ଅଧିକାରୀଙ୍କୁ ଭୁବନେଶ୍ବର ସମେତ ଖୋର୍ଧା ଜିଲ୍ଲାର ଯାଞ୍ଚ ଦାୟିତ୍ବ ଦିଆଯାଇଛି। କଟକରେ ଲଗାତାର ଭାବେ ଚଢ଼ାଉ କରାଯିବା ଫଳରେ ବହୁ ସଂଖ୍ୟାର ଅପମିଶ୍ରିତ ଖାଦ୍ୟ ସାମଗ୍ରୀକୁ ଠାବ କରାଯାଇଛି। ମାତ୍ର ରାଜଧାନୀରେ ଏଭଳି ଚଢ଼ାଉ କରାଯାଉ ନାହିଁ। ବିଶେଷକରି ସଂଧ୍ୟାରେ ରାଜଧାନୀରେ ଥିବା ଅନେକ ଖାଦ୍ୟାନୁଷ୍ଠାନ ଗୁଡ଼ିକରେ ଲୋକଙ୍କ ପ୍ରବଳ ଭିଡ଼ ଜମୁଛି। ହେଲେ ନିୟମିତ ଚଢ଼ାଉ ହେଉ ନ ଥିବାରୁ ଏସବୁ କେନ୍ଦ୍ରରେ ଲୋକଙ୍କୁ ଦିଆଯାଉଥିବା ଖାଦ୍ୟର ମାନ କ’ଣ ତାହା ସନ୍ଦେହରେ ରହିଛି।

ଖାଦ୍ୟ ସୁରକ୍ଷା କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ, ଆସନ୍ତା ୨ମାସ ଭିତରେ ୩୫ଜଣ ଖାଦ୍ୟ ସୁରକ୍ଷା ଅଧିକାରୀଙ୍କୁ ନିଯୁକ୍ତ କରାଯିବ। ଏଫ୍‌ଏସ୍‌ଏସ୍‌ଏଆଇ ପକ୍ଷରୁ ଗୋଆରେ ତାଲିମ୍ ନେବା ପରେ ସେମାନେ କାର୍ଯ୍ୟରେ ଯୋଗ‌ ଦେବାର କାର୍ଯ୍ୟକ୍ରମ ରହିଛି। ବିଏମ୍‌ସି ଅଞ୍ଚଳରେ ୫ଜଣ ଖାଦ୍ୟ ସୁରକ୍ଷା ଅଧିକାରୀ ନିଯୁକ୍ତ ହେବେ। ଯାହାଫଳରେ ନିୟମିତ ଖାଦ୍ୟର ଯାଞ୍ଚ ଓ ନମୁନା ସଂଗ୍ରହ ହୋଇପାରିବ। ଏହାସହ ରାଜ୍ୟରେ ଫର୍ଟିଫାଏଡ୍‌ ଖାଦ୍ୟ ଉପରେ ମଧ୍ୟ ବିଶେଷ ଗୁରୁତ୍ବ ଦିଆଯାଉଛି। ଏଫ୍‌ଏସ୍‌ଏସ୍‌ଏଆଇ ପକ୍ଷରୁ ଅଟା, ଚାଉଳ, ଲୁଣ, ଦୁଗ୍ଧ ଓ ଖାଇବା ତେଲକୁ ଏହି ବର୍ଗରେ ସାମିଲ କରାଯାଇଛି। ତେଣୁ ବଜାରରେ ଉପଲବ୍ଧ ହେଉଥିବା ବ୍ରାଣ୍ଡମାନେ ଫର୍ଟିଫାଏଡ୍‌ ମାନଦଣ୍ଡ ବଜାୟ ରଖୁଛନ୍ତି କି ନାହିଁ ତାହାର ଯାଞ୍ଚ କରାଯାଉଛି। ଯାହାଫଳରେ ରକ୍ତହୀନତା, ହିମୋଗ୍ଲୋବିନ୍, ଭିଟାମିନ୍-ଡି ର ଅଭାବ ଦୂର କରିବାରେ ଏହା ସହାୟକ ହୋଇପାରିବ ବୋଲି ଜଣେ ଅଧିକାରୀ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର