‘ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ-ନୀତି ଏବଂ ଅଭ୍ୟାସ’ ଉପରେ କର୍ମଶାଳା

ଭୁବନେଶ୍ୱର: ରାଜ୍ୟ ସରକାରଙ୍କର ବରିଷ୍ଠ ଅଧିକାରୀମାନଙ୍କ ପାଇଁ ‘ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ-ନୀତି ଏବଂ ଅଭ୍ୟାସ’ ଉପରେ ଏକ ଟେକ୍-ବୁଟକ୍ୟାମ୍ପ ଅର୍ଥାତ କର୍ମଶାଳା ଭୁବନେଶ୍ବରସ୍ଥିତ ରାଷ୍ଟ୍ରୀୟ ସୂଚନା ବିଜ୍ଞାନ କେନ୍ଦ୍ର(ଏନଆଇସି)ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ବୁଟ୍‌କ୍ୟାମ୍ପକୁ କୃଷି ଓ କୃଷକ ସଶକ୍ତୀକରଣ ବିଭାଗର ପ୍ରମୁଖ ସଚିବ ଅରବିନ୍ଦ କୁମାର ପାଢୀ ଉଦ୍‌ଘାଟନ କରିଥିବ‌ା ବେଳେ ସମ୍ମାନିତ ଅତିଥି ଭାବେ ଓଡ଼ିଶା ବିଧାନସଭାର ସଚିବ ଦାଶରଥୀ ଶତପଥୀ, ନୂଆଦିଲ୍ଲୀ ଏନଆଇସିର ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ରିସୋର୍ସ ଡିଭିଜନ୍ ମୁଖ୍ୟ ଶର୍ମିଷ୍ଠା ଦାସଗୁପ୍ତା ପ୍ରମୁଖ ଉପସ୍ଥିତ ରହି ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ(ଏଆଇ)ର ଆବଶ୍ୟକତା ବାବଦରେ ଆଲୋଚନା କରିଥିଲେ। ପ୍ରାରମ୍ଭରେ ଡେପୁଟି ଡାଇରେକ୍ଟର ଜେନେରାଲ୍ (ଟ୍ରେନିଂ) ଅଶୋକ କୁମାର ହୋତା ସ୍ୱାଗତ ଭାଷଣ ଦେଇଥିଲେ। ଏହି ଅବସରରେ ଅତିଥିମାନେ ଏଆଇ ମୁଖପତ୍ର ଉନ୍ମୋଚନ କରିଥିଲେ।

ଏହି କର୍ମଶାଳାରେ ବିଭିନ୍ନ ବିଭାଗର ୬୦ରୁ ଅଧିକ ଅଧିକାରୀ ଅଂଶଗ୍ରହଣ କରି ବିଭିନ୍ନ ଡୋମେନ୍‌ରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସକୁ କିପରି ଏକୀକୃତ କରାଯାଇପାରିବ ସେ ବିଷୟରେ ବିଶେଷଜ୍ଞମାନଙ୍କ ଠାରୁ ଶିଖିଥିଲେ। ଏନଆଇସି ନୂଆଦିଲ୍ଲୀର ବିଶେଷଜ୍ଞମାନେ ସ୍ୱଚ୍ଛତା-ଏଆଇ ମୋବାଇଲ୍ ଆପ୍, ମୋଟର ଦୁର୍ଘଟଣା ଦାବି ନଜିର, ଯୋଗାଯୋଗବିହୀନ ଉପସ୍ଥାନ ପାଇଁ ଚେହେରା ଯାଞ୍ଚ ସେବା, ଲାଇଫ୍ ସାର୍ଟିଫିକେଟ୍ ମୋବାଇଲ୍ ଆପ୍, ବହୁଭାଷୀ ଚାଟବଟ୍ ଏବଂ ଦ୍ୱିଭାଷୀ ଭଏସ୍ ବଟ୍, ମୃତ୍ତିକା ସ୍ୱାସ୍ଥ୍ୟ, ପିଏମ୍ କିଷାନ୍ ଏବଂ ଜମି ରେକର୍ଡ ଗୁଡିକରେ କୃଷକଙ୍କ ନାମ ପାଇଁ ଫୋନେଟିକ୍ ଏବଂ ଶବ୍ଦ ସନ୍ଧାନ ପରି ଉପଲବ୍ଧ ବିଭିନ୍ନ ସମାଧାନ ଉପସ୍ଥାପନ କରିଥିଲେ। ସରିତା ସାହୁ କର୍ମଶାଳାକୁ ସଂଯୋଜନା କରିଥିବା ବେଳେ, ନୂଆଦିଲ୍ଲୀ ଏନଆଇସିର ରାଜ୍ୟ ସଂଯୋଜକ (ଓଡ଼ିଶା) ଚୌଧୁରୀ ବିଜୟ କୁମାର ଦାସ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର