ମନ୍ଦିର ଜୋତା ଷ୍ଟାଣ୍ଡ ନିଲାମ କରିବାକୁ ଦାବି: ରସିଦ୍‌ ଦିଆ ଯାଉନଥିବାରୁ ସ୍ବଚ୍ଛାତାକୁ ନେଇ ପ୍ରଶ୍ନ

ଭୁବନେଶ୍ବର: ଶ୍ରୀ ଲଙ୍ଗରାଜ ମନ୍ଦିର ମୋବାଇଲ୍‌ ଓ ଜୋତା ଷ୍ଟାଣ୍ଡରୁ ଦୈନିକ କେତେ ଟଙ୍କା ଆୟ ହେଉଛି ? ଏହି ଷ୍ଟାଣ୍ଡରୁ ଆୟ ହେଉଥିବା ସମସ୍ତ ଟଙ୍କା ମନ୍ଦିର କାର୍ଯ୍ୟାଳୟକୁ ଯାଉଛି ନା ବାଟମାରଣା ହେଉଛି ? ଶ୍ରୀଲିଙ୍ଗରାଜ ମନ୍ଦିର କାର୍ଯ୍ୟାଳୟ ପକ୍ଷରୁ ମୋବାଇଲ୍‌ ଓ ଜୋତା ଷ୍ଟାଣ୍ଡ ପାଇଁ କରାଯାଇଥିବା ବ୍ୟବସ୍ଥାକୁ ଦେଖି ଏଭଳି ପ୍ରଶ୍ନ ପଚାରୁଛନ୍ତି ଶ୍ରଦ୍ଧାଳୁ।

ଏକାମ୍ର କ୍ଷେତ୍ରାଧିପତି ପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିରକୁ ପ୍ରତ୍ୟେକ ଦିନ ହଜାର ହଜାର ଭକ୍ତ ଦର୍ଶନ ପାଇଁ ଆସୁଛନ୍ତି। ମନ୍ଦିର ଭିତରକୁ ମୋବାଇଲ୍‌, ଜୋତା, ଲାପଟପ୍‌, ହେଲ୍‌ମେଟ୍‌, ବ୍ୟାଗ୍‌, ଛତା ଓ ବେଲ୍ଟ ଭଳି କେତେକ ସାମଗ୍ରୀକୁ ବାରଣ କରାଯାଇଛି। ଶ୍ରଦ୍ଧାଳୁ ମନ୍ଦିର ଭିତରକୁ ପ୍ରବେଶ ପୂର୍ବରୁ ଡାହାଣ ପାଖରେ ଥିବା ମୋବାଇଲ୍‌ ଓ ଜୋତା ଷ୍ଟାଣ୍ଡରେ ରଖିବା ପରେ ଯାଇ ଉପସ୍ଥିତ ପୁଲିସ କର୍ମଚାରୀ ଶ୍ରଦ୍ଧାଳୁଙ୍କୁ ମନ୍ଦିର ଭିତରକୁ ଛା‌ଡ଼ୁଛନ୍ତି। ନିକଟରୁ ଆସୁଥିବା କିଛି ଭକ୍ତ ଚିହ୍ନା ଦୋକାନରେ ମୋବାଇଲ୍‌ ରଖି ଭିତରକୁ ଯାଉଛନ୍ତି। କିନ୍ତୁ ପ୍ରାୟ ୯୦ ପ୍ରତିଶତ ଶ୍ରଦ୍ଧାଳୁ ଏହି ଷ୍ଟାଣ୍ଡରେ ନିଜର ସାମଗ୍ରୀ ରଖି ଭିତରକୁ ଯାଉଛନ୍ତି। ଶ୍ରୀଲିଙ୍ଗରାଜ ମନ୍ଦିର କାର୍ଯ୍ୟାଳୟ ପକ୍ଷରୁ ଏହି ମୋବାଇଲ୍‌ ଓ ଜୋତା ଷ୍ଟାଣ୍ଡକୁ ପରିଚାଳନା କରାଯାଉଛି। ଏଠାରେ ମୋବାଇଲ୍‌ ଓ ଜୋତା ପ୍ରତି ୫ ଟଙ୍କା ଲେଖାଏ ନିଆଯାଉଛି। ମନ୍ଦିରର ଜଣେ କର୍ମଚାରୀ ଏହାର ଦାୟିତ୍ବରେ ଥିବା ବେଳେ ଦିନ ମଜୁରି ହିସାବରେ ୨ ଜଣଙ୍କୁ କାମରେ ଲଗାଇଛି ମନ୍ଦିର ପ୍ରଶାସନ। ସେମାନଙ୍କୁ ଦୈନିକ ୪୦୦ ଟଙ୍କା ପାରିଶ୍ରମିକ ଦିଆଯାଉଛି। ଅର୍ଥାତ୍ ଯେତିକି ଆୟ ହେଉଛି ସେଥିରୁ ୮୦୦ ଟଙ୍କା ମଜୁରି ଯିବା ପରେ ବାକି ଅର୍ଥ ପ୍ରତ୍ୟେକ ଦିନ ମନ୍ଦିର କାର୍ଯ୍ୟାଳୟରେ ପଇଠ କରାଯାଉଛି। ହେଲେ ଏହାର ପରିଚାଳନାରେ ସ୍ବଚ୍ଛତା ନଥିବା ଅଭିଯୋଗ ହୋଇଛି।

ପ୍ରଥମତଃ ଏଠାରେ ଦୁଇ ଜଣ ନିଯୁକ୍ତି ପାଇଥିବା ବେଳେ ପ୍ରାୟ ୧୦ ଜଣ ଯୁବକ କାମ କରୁଛନ୍ତି। ତେବେ ୨ ଜଣଙ୍କ ପରେ ଅନ୍ୟମାନଙ୍କୁ ପାରିଶ୍ରମିକ ଦେଉଛି କିଏ? ଅନ୍ୟପଟେ ସାମଗ୍ରୀ ରଖିବା ପାଇଁ ଯାତ୍ରୀ ଦେଉଥିବା ଟଙ୍କାର ରସିଦ୍‌ ଦିଆଯାଉନାହିଁ। ଶ୍ରଦ୍ଧାଳୁଙ୍କୁ କେବଳ ଖଣ୍ଡିଏ ଟୋକନ୍‌ ଧରାଇ ଦିଆଯାଉଛି। ମନ୍ଦିରରୁ ଫେରିବା ପରେ ସେହି ଟୋକନ୍‌ ଦେଖାଇ ନିଜର ଜୋତା ଓ ମୋବାଇଲ୍‌ ନେଉଛନ୍ତି ଶ୍ରଦ୍ଧାଳୁ। ଷ୍ଟାଣ୍ଡରେ ସିସି ଟିଭି ମଧ୍ୟ ଲଗାଯାଇନାହିଁ। ତେଣୁ କେତେ ଲୋକ ଜୋତା ଓ ମୋବାଇଲ୍‌ ରଖିଲେ ତା’ର ଠିକ୍‌ ହିସାବ ମିଳିବା କଷ୍ଟକର। ଏହାର ଦାୟିତ୍ବରେ ଥିବା ମନ୍ଦିରର ବିଦ୍ୟୁତ୍‌ କର୍ମଚାରୀ ହେମନ୍ତ ମହାପାତ୍ରଙ୍କ କହିବା ଅନୁସାରେ, ବର୍ତ୍ତମାନ ଖରା ପାଇଁ ଯାତ୍ରୀଙ୍କ ସଂଖ୍ୟା କମିଛି। ତେଣୁ ଦୈନିକ ୪ରୁ ୭ ହଜାର ଟଙ୍କା ଆୟ ହେଉଛି। ପୂର୍ବରୁ ୯ରୁ ୧୦ ହଜାର ଟଙ୍କା ଆୟ ହେଉଥିଲା। ପରିଚାଳନା ପାଇଁ ଦୈନିକ ମଜୁରି ହିସାବରେ କେବଳ ୨ ଜଣ ଅଛନ୍ତି। ଅନ୍ୟମାନେ କାମ କରୁଥିବା ବ୍ୟକ୍ତିଙ୍କ ସାଙ୍ଗସାଥୀ ହୋଇଥାଇ ପାରନ୍ତି ବୋଲି କହି ସେ କଥାକୁ ଏଡ଼ାଇ ଦେଇଛନ୍ତି। ତେବେ ରାଜ୍ୟର ଅନେକ ଛୋଟ ଛୋଟ ମନ୍ଦିରରେ ମଧ୍ୟ ଜୋତା ଷ୍ଟାଣ୍ଡ ବାର୍ଷିକ ଲକ୍ଷ ଲକ୍ଷ ଟଙ୍କାରେ ନିଲାମ ଦିଆଯାଉଛି। ସୂଚନାନୁସାରେ, ପୂର୍ବରୁ ପ୍ରାୟ ୧୫ ଲକ୍ଷ ଟଙ୍କାରେ ଶ୍ରୀଲିଙ୍ଗରାଜଙ୍କ ମନ୍ଦିରରେ ମଧ୍ୟ ଏହାର ଟେଣ୍ଡର ଦିଆଯାଉଥିଲା। କିନ୍ତୁ ପ୍ରାୟ ୪ ବର୍ଷ ହେବ ମନ୍ଦିର କାର୍ଯ୍ୟାଳୟ ଟେଣ୍ଡର ନକରି ଷ୍ଟାଣ୍ଡକୁ ନିଜ ହାତରେ ରଖିଛି। ସ୍ବଚ୍ଛତା ବଜାୟ ରଖିବାଲାଗି ଏହାକୁ ପୂର୍ବଭଳି ନିଲାମ କରାଯିବା ଉଚିତ ବୋଲି ଦାବି ହେଉଛି।

ସମ୍ବନ୍ଧିତ ଖବର