ଚନ୍ଦନପ୍ରିୟ ସାଆନ୍ତେ: ରଥଯାତ୍ରା ପାଇଁ ଚନ୍ଦନ କାଠର ଅଭାବ ନାହିଁ , ବର୍ଷକୁ ୨୧୪ କେଜି ଚନ୍ଦନକାଠ

୨୦୨୨ ମସିହାରେ କିଣାଯାଇଥିଲା ୩ଶହ କେଜି ‘ଜୟପୋଖାଲ’ ଚନ୍ଦନକାଠ

ପୁରୀ: ଚନ୍ଦନପ୍ରିୟ ଭାବ ବିନୋଦିଆ କାଳିଆ ଠାକୁର। ବାର୍ଷିକ ୨୧୪ କେଜି ଚନ୍ଦନରେ ବେଶ ହୁଅନ୍ତି ମହାପ୍ରଭୁ। ଏଥିପାଇଁ ପ୍ରତିବର୍ଷ ତାମିଲନାଡୁର କୋୟମ୍ବାଟୁରରୁ ଆସୁଛି ସ୍ବତନ୍ତ୍ର ‘ଜୟପୋଖାଲ’ ଚନ୍ଦନକାଠ। ‘ଜୟପୋଖାଲ’ ଚନ୍ଦନକାଠ ଦେଖିବାକୁ ଯେମିତି, ସୁବାସରେ ସେମିତି। ଏଥିପାଇଁ ଓଡ଼ିଶା ପିସିସିଏଫଙ୍କ ସ୍ବତନ୍ତ୍ର ଚିଠିକ୍ରମେ ତାମିଲନାଡ଼ୁ ସରକାର ଆବଶ୍ୟକ ଚନ୍ଦନକାଠ ଯୋଗାଇ ଆସୁଛନ୍ତି। ଦୁଇବର୍ଷ ତଳେ ଚନ୍ଦନକାଠକୁ ନେଇ ଆଇନଗତ ପ୍ରତିବନ୍ଧକ ଦେଖା ଦେଇଥିଲା। ଫଳରେ ମହାପ୍ରଭୁଙ୍କ ନୀତିକାନ୍ତିରେ ଓଡ଼ିଶାରେ ମିଳୁଥିବା ଚନ୍ଦନକାଠ ବ୍ୟବହାର ହେଉଥିଲା। ଏ ଭିତରେ ଆଇନଗତ ପ୍ରତିବନ୍ଧକ ହଟିବା ସହ ଆବଶ୍ୟକ ଚନ୍ଦନକାଠ ପୂର୍ବଭଳି ତାମିଲନାଡ଼ୁ ସରକାର ଯୋଗାଇ ଦେଉଛନ୍ତି। ୨୦୨୨ ମସିହାରେ ଶ୍ରୀମନ୍ଦିର ପ୍ରଶାସନ ୫ କ୍ବିଣ୍ଟାଲ୍‌ ‘ଜୟପୋଖାଲ’ ଚନ୍ଦନକାଠ ଯୋଗାଇ ଦେବାକୁ ତାମିଲନଳାଡୁ ସରକାରଙ୍କୁ ଚିଠି ଲେଖିଥିଲା। ତେବେ ସେହିବର୍ଷ ଅଗଷ୍ଟ ମାସରେ ତାମିଲନାଡୁ ସରକାରଙ୍କଠାରୁ ପ୍ରାୟ ଏକ କୋଟି ଟଙ୍କାରେ ୩ କ୍ବିଣ୍ଟାଲ୍‌ ଜୟପୋଖାଲ ଚନ୍ଦନକାଠ କିଣାଯାଇଥିଲା। ଇତିମଧ୍ୟରେ ୨ବର୍ଷ ବିତିଯାଇଛି। ଶ୍ରୀମନ୍ଦିର ପ୍ରଶାସନ ସୂଚନା ମୁତାବକ, ମହାପ୍ରଭୁଙ୍କ ଦୈନିକ ନୀତିକାନ୍ତି ସହ ନାନାଦି ପର୍ବପର୍ବାଣୀ, ଚନ୍ଦନଯାତ୍ରା, ସ୍ନାନଯାତ୍ରା ଓ ଖଳିଲାଗି ଏକାଦଶୀରେ ମୋଟ ୨୧୪.୩୨୮ କେଜି ଚନ୍ଦନ ଲାଗି ହୋଇଥାଏ। ଦୈନିକ ସକାଳଧୂପ, ମଧ୍ୟାହ୍ନଧୂପ, ସନ୍ଧ୍ୟା ଧୂପ ସହ ବଡ଼ସିଂହାର ବେଶରେ ମହାପ୍ରଭୁ ଚନ୍ଦନ ଲାଗି ହୋଇଥାନ୍ତି।

ରଥଯାତ୍ରା ପାଇଁ ଚନ୍ଦନ କାଠର ଅଭାବ ନାହିଁ
ପୁରୀ: ଚଳିତବର୍ଷ ଚନ୍ଦନଯାତ୍ରା ଓ ରଥଯାତ୍ରାରେ ଚନ୍ଦନକାଠର ଅଭାବ ନାହିଁ। ଆବଶ୍ୟକ ଚନ୍ଦନ କାଠ ଶ୍ରୀମନ୍ଦିର ପ୍ରଶାସନ ପାଖରେ ମହଜୁଦ ଅଛି ବୋଲି କହିଛନ୍ତି ଶ୍ରୀମନ୍ଦିର ଉନ୍ନୟନ ଓଏସ୍‌ଡି ଅଜୟ କୁମାର ଜେନା। ଶ୍ରୀ ଜେନା କହିଛନ୍ତି, ପ୍ରତିବର୍ଷ ଚନ୍ଦନଯାତ୍ରାରେ ୭ କେଜି ଓ ସ୍ନାନଯାତ୍ରାରେ ୭ କେଜି ଚନ୍ଦନ ଆବଶ୍ୟକ ପଡ଼ିଥାଏ। ଗତବର୍ଷଠାରୁ ଏହା ମହଜୁଦ ଅଛି। ଚଳିତବର୍ଷର ଦୈନନ୍ଦିନ ନୀତିକାନ୍ତି ଓ ପର୍ବପର୍ବାଣୀ ପାଇଁ ବି ପର୍ଯ୍ୟାପ୍ତ ଚନ୍ଦନ କାଠ ମହଜୁଦ ରହିଛି।

ଏଥିପାଇଁ ଦୈନିକ ୪୨୨ ଗ୍ରାମ ଚନ୍ଦନ ଆବଶ୍ୟକ ପଡ଼ିଥାଏ। ଏହି ଚନ୍ଦନ ମହାପ୍ରଭୁ ଅଧରରେ ଲାଗି ‌ହୁଏ। ଏଭଳି ଦୈନିକ ନୀତିକାନ୍ତି ପାଇଁ ବାର୍ଷିକ ୧୫୪ କେଜି ଚନ୍ଦନ ଆବଶ୍ୟକ ପଡ଼ିଥାଏ। ସେହିଭଳି ବର୍ଷକର ପର୍ବପର୍ବାଣୀ ପାଇଁ ୩୯.୩୨୮ କେଜି ଚନ୍ଦନ ଆବଶ୍ୟକ ପଡ଼ିଥାଏ। ଦୈନିକ ନୀତିକାନ୍ତିରେ ଆବଶ୍ୟକ ଚନ୍ଦନ ସହ ପ୍ରତି ପର୍ବପର୍ବାଣୀରେ ଅତିରିକ୍ତ ୨୩୦ ଗ୍ରାମ ଚନ୍ଦନ ମହାପ୍ରଭୁଙ୍କୁ ଲାଗି ହୋଇଥାଏ। ଏହା ବ୍ୟତୀତ ଚନ୍ଦନଯାତ୍ରା, ସ୍ନାନଯାତ୍ରା ଓ ଖଳିଲାଗି ଏକାଦଶୀରେ ମହାପ୍ରଭୁ ଚନ୍ଦନ ଲାଗି ହୋଇଥାନ୍ତି। ଏହି ତିନିଯାତ୍ରା ସବୁଠୁ ବଡ଼ ଚନ୍ଦନଲାଗି ଓ ଏହି ଅବସରରେ ମହାପ୍ରଭୁ ସର୍ବାଙ୍ଗ ଚନ୍ଦନ ଲାଗି ହୋଇଥାନ୍ତି। ତିନି ନୀତିରେ ୭ କେଜି ଲେଖାଏଁ. ମୋଟ୍‌ ୨୧ କେଜି ଚନ୍ଦନ ଆବଶ୍ୟକ ପଡ଼େ। ଚନ୍ଦନଯାତ୍ରାରେ ମହାପ୍ରଭୁ ଚନ୍ଦନକୁଣ୍ଡରେ ସ୍ନାନ କରିଥାନ୍ତି। ଚନ୍ଦନଯାତ୍ରା ନୀତିକାନ୍ତି ପାଇଁ ୭ କେଜି ଚନ୍ଦନ ବ୍ୟବହାର ହୋଇଥାଏ। ସେହିଭଳି ରଥଯାତ୍ରା ପୂର୍ବରୁ ଅଣସର ନୀତି ବେଳେ ମହାପ୍ରଭୁଙ୍କ ଶରୀରରେ ଲାଗି ଚନ୍ଦନକୁ କଢ଼ାଯାଇ ସର୍ବାଙ୍ଗ ଚନ୍ଦନ ନୀତି ଅନୁଷ୍ଠିତ ହୋଇଥାଏ। ମହାପ୍ରଭୁଙ୍କ ସମ୍ପୂର୍ଣ୍ଣ ଶରୀରରେ ଚନ୍ଦନ ବୋଳାଯାଇଥାଏ। ଏଥିପାଇଁ ୭ କେଜି ଚନ୍ଦନ ଆବଶ୍ୟକ ପଡ଼େ। ଏହି ଚନ୍ଦନ ‘ଜୟପୋଖାଲ’ ପ୍ରଜାତିର, ଯାହା ତାମିଲନାଡ଼ୁରେ ବହୁଳ ପରିମାଣରେ ମିଳେ। ଗାଢ଼ଲାଲ୍‌ ଦେଖାଯାଉଥିବା ଏହି ଚନ୍ଦନର ବାସ୍ନା ବି ବହୁତ ଅଧିକ। ପାଖରେ ଥିଲେ ଆଖପାଖ ବାସ୍ନାରେ ମହକି ଉଠେ। ଯାହାର କେଜି ପ୍ରାୟ ୧୮ରୁ ୨୦ହଜାର ଟଙ୍କା ବୋଲି କୁହାଯାଉଛି। ଏଣୁ ଶ୍ରୀମନ୍ଦିର ପ୍ରଶାସନ ପ୍ରତିବର୍ଷ ପିସିସିଏଫ୍‌ଙ୍କ ଜରିଆରେ ତାମିଲନାଡ଼ୁ ସରକାର ଓ ବନ ବିଭାଗ ସହ ଯୋଗାଯୋଗ କରି ଚନ୍ଦନକାଠର ଅର୍ଥ ଜମା ‌ଦେଇ ଆବଶ୍ୟକ ଚନ୍ଦନ କ୍ରୟ କରିଥାଏ। ଅନ୍ୟ ପ୍ରସିଦ୍ଧ ଦେବଦେବୀ ପୀଠ ପାଇଁ ବି ଏହି ଚନ୍ଦନକାଠ ତାମିଲନାଡ଼ୁ ସରକାରଙ୍କଠାରୁ ଓଡ଼ିଶା ସରକାର ସିଧାସଳଖ କ୍ରୟ କରିଥାନ୍ତି।

ସୂଚନାଯୋଗ୍ୟ, ୨୦୨୨ ମସିହାରେ ତାମିଲନାଡ଼ୁ ସରକାର ଯୋଗାଇ ଆସୁଥିବା ଏହି ଚନ୍ଦନକାଠ କିଣାବିକାରେ ଆଇନଗତ ପ୍ରତିବନ୍ଧକ ଲଗାଇ ଦିଆଯାଇଥିଲା। ଜୟପୋଖାଲ ଚନ୍ଦନ କାଠ ଯୋଗାଣ ଉପରେ କଡ଼ା ପ୍ରତିବନ୍ଧକ ଲାଗିବା ପରେ ତାମିଲନାଡ଼ୁ ସରକାରଙ୍କଠାରୁ ଚନ୍ଦନକାଠ କ୍ରୟ କରିବାରେ ସମସ୍ୟା ଦେଖାଦେଇଥିଲା। ଏହି ପରିସ୍ଥିତିରେ ମହାପ୍ରଭୁଙ୍କ ନୀତିକାନ୍ତି ପାଇଁ ବିକଳ୍ପ ଭାବେ ଓଡ଼ିଶାରେ ଉପଲବ୍ଧ ଚନ୍ଦନ କାଠ କ୍ରୟ କରି ବ୍ୟବହାର କରିବାକୁ ଶ୍ରୀମନ୍ଦିର ପରିଚାଳନା କମିଟି ନିଷ୍ପତ୍ତି ନେଇଥିଲା।

ସମ୍ବନ୍ଧିତ ଖବର