‘କୁକୁଡ଼ା ଲଢ଼େଇ’: ପରମ୍ପରା ନା ପ୍ରତାରଣା ?

ଚିତ୍ତରଞ୍ଜନ ଚିରଞ୍ଜିତ

ଯୁଗ ଆସି ଯେଉଁଠି ପହଞ୍ଚି ଥାଉନା କାହିଁକି, କାଳେ କାଳେ ଲୋକଙ୍କ ପରମ୍ପରା ଓ ଆଇନଗତ କଟକଣା ମଧ୍ୟରେ ଏକ ଅଦୃଶ୍ୟ ଲଢ଼େଇ ଲାଗି ରହିଛି। ଏହି ଲଢ଼େଇରେ କାହାର ଜିତାପଟ ହେଉଛି ବଡ଼ କଥା ନୁହେଁ, ବରଂ ଏହା ଭିତରୁ କୌଣସି ନିଷ୍କର୍ଷ ନ ମିଳିବ‌ା ହିଁ ଠିକ୍‌ଭୁଲ୍‌କୁ ନେଇ ଦ୍ବନ୍ଦ୍ବ ସୃଷ୍ଟି କରୁଛି। ଯେମିତିକି, ମକରପର୍ବ ଅବସରରେ ଆଦିବାସୀ ଅଞ୍ଚଳରେ ହେଉଥିବା ‘କୁକୁଡ଼ା ଲଢ଼େଇ’ (କକ୍‌ଫାଇଟ୍‌) ଠିକ୍‌ ନା ଭୁଲ୍‌ ଏକ ଦ୍ବନ୍ଦ୍ବ!

ମକର ସଂକ୍ରାନ୍ତିକୁ ଆଦିବାସୀମାନେ ‘ମକର ପର୍ବ’ ଭାବେ ପାଳନ କରିଆସୁଛନ୍ତି। ଟୁସୁଦେବୀଙ୍କ ପୂଜା କରୁଛନ୍ତି। ସାମାଜିକ ଓ ଅର୍ଥନୈତିକ ଦୃଷ୍ଟିରୁ ଆଦିବାସୀ ସମ୍ପ୍ରଦାୟ ପଛୁଆ ହୋଇପାରନ୍ତି କିନ୍ତୁ ମକର ପର୍ବକୁ ଅତି ଧୁମଧାମ୍‌ରେ ପାଳନ କରିବାକୁ କେବେ ପଛାନ୍ତି ନାହିଁ, ନିଜର ସକ୍ଷମତା ଅନୁଯାୟୀ। ପରମ୍ପରା ଓ ସଂସ୍କୃତିକୁ ମନେପକାଇବା ସହିତ ସେଥିରେ ଯୋଡ଼ି ହେବାର ସୁଯୋଗକୁ କେବେ ହାତଛଡ଼ା କରନ୍ତି ନାହିଁ। ସେହି ସମୟରେ ଦେଖିବାକୁ ମିଳିଥାଏ ‘କୁକୁଡ଼ା ଲଢ଼େଇ’। ଡିସେମ୍ବର ଶେଷ ସପ୍ତାହରୁ ଜାନୁଆରି ଦ୍ବିତୀୟ ସପ୍ତାହ ମଧ୍ୟରେ ଏହି ଦୃଶ୍ୟ ଆଦିବାସୀ ବହୁଳ ଅଞ୍ଚଳ ବିଶେଷକରି ମୟୂରଭଞ୍ଜ ଜିଲ୍ଲ‌ାରେ ଦେଖିବାକୁ ମିଳିଥାଏ। ଅନେକ ବି ସେହି ଦୃଶ୍ୟ ଦେଖିଥିବେ। ଦୃଶ୍ୟ ହେଉଛି, ମୁହାଁମୁହିଁ ହୋଇ ରହିଥିବେ ଦୁଇଟି କୁକୁଡ଼ା। ଗୋଡ଼ରେ ବନ୍ଧା ହୋଇଥିବା କାତି (ଲୁହା ବା ଆଲୁମିନିୟମ୍‌ରେ ତିଆରି ଧାରୁଆ ଅସ୍ତ୍ର)। ପରସ୍ପରକୁ ଆକ୍ରମଣ କରୁଥିବେ, ଦେହରୁ ରକ୍ତ ନିଗିଡ଼ିବା ପର୍ଯ୍ୟନ୍ତ। ତାହା ବି ଲଢ଼େଇର ଶେଷ ପରିଣତି ନୁହେଁ। ସେ ପର୍ଯ୍ୟନ୍ତ ଲଢ଼େଇ ଚାଲୁରହିବ, ଯେପର୍ଯ୍ୟନ୍ତ ଗୋଟିଏ ‌କୁକୁଡ଼ା ନ ମରିଛି କିମ୍ବା ଯୁଦ୍ଧ କ୍ଷେତ୍ରରୁ ପଳାୟନ ନ କରିଛି । ଦେହରୁ ଯେତେ ରକ୍ତ ନିଗୁଡ଼ୁ ପଛକେ ଲଢ଼େଇ ପାଇଁ ଉସ୍‌କାଉଥିବା ଦେଖଣାହାରୀଙ୍କ କିଛି ବି ପରବୱା ନଥିବ। ବରଂ, ଏଥିରୁ ଆନନ୍ଦ ନେଉଥିବେ ଲୋକମାନେ। ତାଳିମାଡ଼ ଓ ହତ୍ସୋଲ୍ଲାସରେ ଫାଟି ପଡ଼ୁଥିବ ସେହି ପରିବେଶ। ବିଜୟର ଶ୍ରେୟ କିନ୍ତୁ ସେହି ହତଭାଗ୍ୟ ଦୁଇଟି କୁକୁଡ଼ାଙ୍କର ନୁହେଁ। ବାଜି ଜିଣୁଥିବା କୁକୁଡ଼ାର ମାଲିକର, ଯିଏ ନିଜ କୁକୁଡ଼ା ସହ ପରାଜିତ କୁକୁଡ଼ାକୁ ସାଙ୍ଗରେ ନେଇଯିବ, ସେ ମରିଥାଉ କିମ୍ବା ତା’ ଦେହରେ ଯୁଦ୍ଧକ୍ଷେତ୍ରରୁ ପଳାୟନପନ୍ଥୀର ମୋହର ଲାଗିଥାଉ ପଛକେ !

ଆଶ୍ଚର୍ଯ୍ୟ ଲାଗୁଥିଲେ ଏହା ସତ ଯେ, ଲଢ଼େଇ ପାଇଁ ଖାଲି ମୟୂରଭଞ୍ଜ କାହିଁକି ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଓ ବିହାରରୁ ଲୋକ କୁକୁଡ଼ା ଧରି ଆସିଥା’ନ୍ତି। ଲଢ଼େଇ ପାଇଁ ଆସୁଥିବା କୁକୁଡ଼ା ହୃଷ୍ଟପୁଷ୍ଟ ହୋଇଥିବ ନିଶ୍ଚୟ। ଯେତେ ହୃଷ୍ଟପୁଷ୍ଟ ହୋଇଥିଲେ ବି ଏହାର ମୂଲ୍ୟ କେତେ ହୋଇଥିବ? ଅତିବେଶି‌ରେ ପାଞ୍ଚଶହ ଟଙ୍କା! ମାତ୍ର, ଲଢ଼େଇ ସମୟରେ ଶହଶହ, ହଜାରହଜାର ଟଙ୍କାର ବାଜି ଲାଗେ। ଏପରିକି, ଏହି କୁକୁଡ଼ାଙ୍କ ମୂଲ୍ୟ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ବଢ଼ିଯାଏ। ଏହାର ଅର୍ଥ ଆଦିବାସୀଙ୍କ ସାଂସ୍କୃତିକ ଓ ପରମ୍ପରାର ଚଉହଦୀରୁ ବାହାରି ଏହି କୁକୁଡ଼ା ଲଢ଼େଇ ଏବେ ଧନୀକଙ୍କ ଅଗଣାକୁ ଚାଲିଆସିଛି।, କଟକଣା ସତ୍ତ୍ବେ ବି।

କଟକଣା କୁକୁଡ଼ା ଖାଇବା ପାଇଁ ନାହିଁ। କୁକୁଡ଼ାର ବେକ ମୋଡ଼ି ଧାରୁଆ ଅସ୍ତ୍ରରେ ତା’ର ମାଂସକୁ ଟୁକୁରା ଟୁକୁରା କରାଗଲେ ବି ଏହା ଦୋଷାବହ ନୁହେଁ। କାରଣ, ଏହା ମଣିଷର ଖାଦ୍ୟ ଓ ଆମିଷ ଭକ୍ଷଣକାରୀଙ୍କ ଲାଳସାର ଏକ ସର୍ବୋତ୍କୃଷ୍ଟ ସାମଗ୍ରୀ। କିନ୍ତୁ, ଦୋଷାବହ ହେଉଛି ମଣିଷର ହିଂସ୍ର ଆଚରଣ ଓ ଜୁଆଖୋର୍‌ ମନୋବୃତ୍ତି। ଉଭୟ ପଶୁପକ୍ଷୀଙ୍କ ପ୍ରତି ହିଂସ୍ର ଆଚରଣ ଓ ଜୁଆକୁ ରୋକିବା ପାଇଁ ଆମ ଆଇନରେ ପ୍ରାବଧାନ ରହିଛି। କୁକୁଡ଼ା ଲଢ଼େଇ ଭଳି ହିଂସ୍ର ଆଚରଣ ପାଇଁ ପଶୁଙ୍କ ପ୍ରତି ଅମାନୁଷିକତା ନିରୋଧ ଆଇନ, ୧୯୬୦ ଏବଂ ଜୁଆ ନିରୋଧ ଆଇନ ରହିଛି। ଏହି ଆଇନର ଉଲ୍ଲଘଂନ କରୁଥିବା ବ୍ୟକ୍ତି ଦଣ୍ଡ ପାଇବାକୁ ଯୋଗ୍ୟ। ପ୍ରଶାସନ କଠୋର ବେଳେ ଦଣ୍ଡ ମିଳୁଛି , ହେ‌େଲ କାଁ ଭଁ। ପ୍ରଶାସନ ଯେତେବେଳେ ଆଢ଼ୁଆଳରେ ରହୁଛି କିମ୍ବା ଜାଣି ନଜାଣିବାର ଅଭିନୟ କରୁଛି, ସେତେବେଳେ ଦଣ୍ଡ ଯେ ମିଳୁନାହିଁ, ନିକଟରେ ମକର ପର୍ବ ବେଳାର ‘କୁକୁଡ଼ା ଲଢ଼େଇ’ ଘଟଣାରୁ ସ୍ପଷ୍ଟ।

ତା’ ସତ୍ତ୍ବେ ଏଠି ଆଦିବାସୀ ସଂସ୍କୃତି ଓ ପରମ୍ପରାର କୌଣସି ଜିତାପଟ ହେଉନାହିଁ। କାହିଁକିନା, ପରମ୍ପରା ସେଇଠି ଜିତିବ ଯେଉଁଠି ଲୋକମାନେ ନିଜର ସଂସ୍କୃତି ଓ ପରିଚୟ ସହିତ ସବୁଦିନେ ଯୋଡ଼ି ହୋଇରହିଥିବେ। ଭିନ୍ନ ଜୀବନ, ଜଗତକୁ ବି ପ୍ରସାରିତ ହେଉଥିବ। ପରମ୍ପରା ସେଇଠି ହାରିବ, ଯେଉଁଠି ଆଇନ ତା’ର ବାଟ ଓଗାଳିବ କିମ୍ବା ଏହାର ଦ୍ବାହି ଦେଇ ଲୋକମାନେ ଅଣପରମ୍ପରାକୁ ନିଜ ଜୀବନ ସହିତ ଯୋଡ଼ିବସିବେ। ଏହା କୁକୁଡ଼ା ଯୁଦ୍ଧକୁ ନେଇ ଫ୍ରେଞ୍ଚ୍‌ର ଏକ ଚଳଚ୍ଚିତ୍ର ‘ ନୋ ଫିଅର୍‌.. ନୋ ଡାଏ’ର ଏହା ହେଉଛି ଅନ୍ତଃସ୍ବର।

କେବଳ ଆମ ରାଜ୍ୟ କି ଦେଶ ନୁହେଁ, ବିଶ୍ବର ବିଭିନ୍ନ ସ୍ଥାନରେ ‘କୁକୁଡ଼ା ଲଢ଼େଇ’ ଦେଖିବାକୁ ମିଳୁଛି। କୁହାଯାଉଛି, ଏହା ୬୦୦୦ ବର୍ଷ ତଳୁ ଆରମ୍ଭ ହୋଇଥିଲା। କେତେ ବର୍ଷ ତଳୁ ଏହା ଆରମ୍ଭ ହୋଇଛି ଗୁରୁତ୍ବପୂର୍ଣ୍ଣ ନୁହେଁ, ଗୁରୁତ୍ବପୂର୍ଣ୍ଣ ହେଉଛି ମଣିଷ ଭିତରେ ଥିବା ଏକ ହିଂସ୍ର ପ୍ରବୃତ୍ତିକୁ ରୋକିବା। କୁକୁଡ଼ା ଲଢ଼େଇକୁ ରୋକିବା। କୁକୁଡ଼ା ଖାଦ୍ୟ ହୋଇପାରେ, କ୍ଷୁଦ୍ର ଜୀବ ବି ହୋଇପାରେ ମାତ୍ର ହିଂସ୍ର ପ୍ରବୃତ୍ତି ଯଦି ଖାଦ୍ୟ ପାଲଟିଲା, ତାହା ସାମାଜିକ ବ୍ୟବସ୍ଥାକୁ ଧରାଶ‌ାୟୀ କରିବ, ସାଂସ୍କୃତିକ ଭାବନାରେ କ୍ଷତି ପହଞ୍ଚାଇବ। କାରଣ, ଏହା ପରମ୍ପରା ନହେଁ, ବରଂ ନିଜ ସଂସ୍କୃତି ଓ ନିଜ ସହିତ ବି ଏକ ପ୍ରତାରଣା। ଆଦିବାସୀମାନେ ଆମ ଭିତରୁ ଜଣେ ଜଣେ! ଆଉ, ଆଇନ ଓ ପରମ୍ପରାର ଏହି ଲଢ଼େଇରେ ଦୁଇ ଜଣ ହିଁ ପରାଜିତ ହେଉଛନ୍ତି।

(ଲେଖକ ‘ସମ୍ବାଦ’ର ସଂପାଦନା ବିଭାଗରେ କାର୍ଯ୍ୟରତ। ୦୯୪୩୭୪୪୯୬୪୪, ଇମେଲ୍‌: [email protected]/ କିମ୍ବା https://www.facebook.com/chittaranjan.chiranjit / https://twitter.com/chittachiranjitରେ ଯୋଗାଯୋଗ କରାଯାଇପାରିବ)

ସମ୍ବନ୍ଧିତ ଖବର