ଭାରୋତ୍ତୋଳନ ଚମକ ଜାରି

ଶିବଲିଙ୍ଗମ୍‌-ରାହୁଲ ଦେଲେ ଆଉ ଦୁଇଟି ସ୍ୱର୍ଣ୍ଣ

ଗୋଲ୍ଡକୋଷ୍ଟ: ଗୋଲ୍ଡକୋଷ୍ଟ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ତୃତୀୟ ଦିନରେ ମଧ୍ୟ ଭାରତୀୟ ଭାରୋତ୍ତୋକମାନେ ନିଜ ଚମକ ଦେଖାଇଛନ୍ତି। ମହିଳା ବର୍ଗରେ ସାଇଖମ୍‌ ମୀରା ବାଇ ଚାନୁ ଓ ସଂଜିତା ଚାନୁ ଦେଶକୁ ଦୁଇଟି ସ୍ୱର୍ଣ୍ଣ ଉପହାର ଦେବା ପରେ ପୁରୁଷରେ ସତୀଶ ଶିବଲିଙ୍ଗମ୍‌ ଏବଂ ଆର ଭି ରାହୁଲ ଏହି ଧାରାକୁ ଆଗେଇ ନେଇଛନ୍ତି। ଉଭୟ ସତୀଶ ଓ ରାହୁଲ ଶନିବାର ଭାରୋତ୍ତୋଳନ ରିଙ୍ଗ୍‌ରୁ ଭାରତ ପାଇଁ ଆଉ ଦୁଇଟି ସ୍ୱର୍ଣ୍ଣ ଅମଳ କରିଛନ୍ତି। ଶିବଲିଙ୍ଗମ ୭୭ କିଲୋଗ୍ରାମ ବର୍ଗରେ ମୋଟ ଉପରେ ୩୧୭ କିଲୋଗ୍ରାମ (ସ୍ନାଚରେ ୧୪୪ ଏବଂ କ୍ଲିନ୍‌ ଆଣ୍ଡଜର୍କରେ ୧୭୩) ଭାର ଉତ୍ତୋଳନ କରି ପ୍ରଥମ ସ୍ଥାନ ଅଧିକାର କରିଥିଲେ। ଯାହା ଭାରତୀୟ ଦଳକୁ ତୃତୀୟ ସ୍ୱର୍ଣ୍ଣ ଦେଇଥିଲା। ସେହିଭଳି ରାହୁଲ ୮୫ କିଲୋଗ୍ରାମ ବର୍ଗରେ ମୋଟ ୩୩୮ (ସ୍ନାଚ୍‌ ୧୫୧ ଏବଂ କ୍ଲିନ୍‌ ଆଣ୍ଡ ଜର୍କ ୧୮୭) କିଲୋଗ୍ରାମ ଭାର ଉଠାଇ ଶନିବାରର ଦ୍ୱିତୀୟ ଏବଂ ମୋଟ ଉପରେ ଚତୁର୍ଥ ସ୍ୱର୍ଣ୍ଣ ପଦକ ହାସଲ କରି ନେଇଥିଲେ ।

ଶିବଲିଙ୍ଗମଙ୍କ ଭାରତୀୟ କୀର୍ତ୍ତିମାନ ରାହୁଲଙ୍କ ପ୍ରଥମ ସ୍ୱର୍ଣ୍ଣ

ତାମିଲନାଡୁ ଯୁବକ ଶିବଲିଙ୍ଗମ ନିଜ ବର୍ଗରେ ଆଜି ପୂରା ଆଧିପତ୍ୟ ବିସ୍ତାର କରିଥିଲେ। ଏପରିକି କ୍ଲିନ୍‌ ଆଣ୍ଡ ଜର୍କର ପ୍ରଥମ ଦୁଇ ପ୍ରୟାସ ପରେ ହିଁ ସେ ସ୍ୱର୍ଣ୍ଣ ପଦକ ପକ୍କା କରି ନେଇଥିଲେ। ଫଳରେ ତାଙ୍କୁ ତୃତୀୟ ପ୍ରୟାସ କରିବାର ଆବଶ୍ୟକତା ପଡ଼ି ନଥିଲା। ସ୍ନାଚ୍‌ରେ ସେ ୧୩୬, ୧୪୦ ଏବଂ ୧୧୪ କିଲୋଗ୍ରାମ ଭାର ଉତ୍ତୋଳନ କରିଥିଲେ। ହେଲେ କ୍ଲିନ୍‌ ଆଣ୍ଡ ଜର୍କରେ ୧୬୯ ଏବଂ ୧୭୩ କିଲୋଗ୍ରାମ ଭାର ଉଠାଇ ସ୍ୱର୍ଣ୍ଣ ପଦକ କବଜା କରି ନେଇଥିଲେ। ଅଷ୍ଟ୍ରେଲିଆର ଫ୍ରାନସିସ୍‌ ଏତୋଉଣ୍ଡି (୩୦୫) ଦ୍ୱିତୀୟ ସ୍ଥାନରେ ରହି ରୌପ୍ୟ ପଦକ ପାଇଥିଲେ। ହେଲେ ଶେଷ ପ୍ରୟାସ ପରେ ଫ୍ରାନସିସ୍‌ ଗୁରୁତର ଭାବେ ଆହତ ହୋଇ ଯାଇଥିଲେ। ସତୀଶ ଗ୍ଲାସଗୋରେ ଆୟୋଜିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଗତ ସଂସ୍କରଣରେ ମଧ୍ୟ ସ୍ୱର୍ଣ୍ଣ ପଦକ ଜିତିଥିଲେ। ସେଥିପାଇଁ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଲଗାତାର ଦୁଇଟି ସଂସ୍କରଣରେ ସ୍ୱର୍ଣ୍ଣ ଜିତିବାରେ ସେ ପ୍ରଥମ ଭାରତୀୟ ପୁରୁଷ ଭାରୋତ୍ତୋଳକ ହୋଇଥିଲେ।

ଆନ୍ଧ୍ରପ୍ରଦେଶ ତାରକା ରାଗଲା ଭେଙ୍କଟ ରାହୁଲ ଶନିବାର ୮୫ କିଲୋଗ୍ରାମ ବର୍ଗରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ। ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଏହା ଭାରତର ଚତୁର୍ଥ ସ୍ୱର୍ଣ୍ଣ ଏବଂ ଭାରୋତ୍ତୋଳନରୁ ଷଷ୍ଠ ପଦକ ଥିଲା। ରାହୁଲ ଆଜି ମୋଟ ଉପରେ ୩୩୮ କିଲୋଗ୍ରାମ (ସ୍ନାଚ୍‌ ୧୫୧ ଏବଂ କ୍ଲିନ୍‌ ଆଣ୍ଡ ଜର୍କ ୧୮୭) ଭାର ଉଠାଇ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ। ରାହୁଲ ସ୍ନାଚରେ କରିଥିବା ପ୍ରଥମ ପ୍ରୟାସରେ ୧୪୭ ଏବଂ ତୃତୀୟରେ ୧୫୧ କିଲୋଗ୍ରାମ ଊଠାଇଥିଲେ। ଦ୍ୱିତୀୟ ପ୍ରୟାସରେ ସେ ବିଫଳ ହୋଇଥିଲେ। ସେହିଭଳି କ୍ଲିନ୍‌ ଆଣ୍ଡ ଜର୍କରେ ୧୮୨ କିଲୋଗ୍ରାମ ଭାର ଉଠାଇ ଶୀର୍ଷ ସ୍ଥାନରେ ପହଞ୍ଚି ଯାଇଥିଲେ। ୨୦ ବର୍ଷୀୟ ରାହୁଲ ଗତବର୍ଷ ରାଜ୍ୟଗୋଷ୍ଠୀ ବରିଷ୍ଠ ଭାରୋତ୍ତୋଳନରେ ସ୍ୱର୍ଣ୍ଣ ପଦକ ଜିତି ଗୋଲ୍ଡ କୋଷ୍ଟ ପାଇଁ ଯୋଗ୍ୟତା ଅର୍ଜନ କରିଥିଲେ।

ବ୍ୟାଡ୍‌ମିଣ୍ଟନ ସେମିରେ ଭାରତ
ଗ୍ରୁପ୍‌ ପର୍ଯ୍ୟାୟରେ ଶ୍ରୀଲଙ୍କା, ପାକିସ୍ତାନ ଓ ସ୍କଟ୍‌ଲାଣ୍ଡ୍‌କୁ ସମାନ ୫-୦ ଲେଖାଏଁ ବ୍ୟବଧାନରେ ପରାସ୍ତ କରିଥିବା ଭାରତୀୟ ବ୍ୟାଡ୍‌ମିଣ୍ଟନ ମିଶ୍ରିତ ଦଳ ଶନିବାର କ୍ୱାର୍ଟର ଫାଇନାଲ୍‌ରେ ମରିସସ୍‌କୁ ୩-୦ରେ ହରାଇ ସେମିଫାଇନାଲ୍‌ରେ ସ୍ଥାନ ପକ୍କା କରିନେଇଛି। ରବିବାର ସେମିଫାଇନାଲ୍‌ରେ ଭାରତର ମୁକାବିଲା ସିଙ୍ଗାପୁର ସହ ହେବ। ଭାରତକୁ ୩-୦ରେ ଅଗ୍ରଣୀ ହେବା ପରେ ମହିଳା ଏକକରେ ସାଇନା ନେହ୍ଵାଲ ଆଉ କ୍ୱାର୍ଟର ଫାଇନାଲ୍‌ ଖେଳିବାକୁ ଓହ୍ଲାଇନଥିଲେ।

ମୁଷ୍ଟିଯୁଦ୍ଧରେ ଦବ୍‌ଦବା ଜାରି
ଗୋଲ୍‌କୋଷ୍ଟରେ ଭାରତୀୟ ମୁଷ୍ଟିଯୋଦ୍ଧାମାନେ ଦବ୍‌ଦବା ଜାରି ରଖିଛନ୍ତି। ଶୁକ୍ରବାର ଅମିତ୍‌ ପଙ୍ଗଲ୍‌ (୪୯ କେଜି) ଏବଂ ନମନ ତନ୍‌ଓ୍ଵର (୯୧ କେଜି) ନିଜ ନିଜର ପ୍ରଥମ ବାଉଟ୍‌ ଜିତି କ୍ୱାର୍ଟର ଫାଇନାଲ୍‌ରେ ସ୍ଥାନ ପକ୍କା କରିଥିଲା ବେଳେ ଶନିବାର ଅଭିଜ୍ଞ ଏଲ୍‌ ସରିତା ଦେବୀ (୬୦ କେଜି) ଓ ମନୋଜ କୁମାର (୫୯ କେଜି)ଙ୍କ ସାଙ୍ଗକୁ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପଦାର୍ପଣ କରିଥିବା ମହମ୍ମଦ ହୁସାମୁଦ୍ଦିନ୍‌ (୫୬ କେଜି) ମଧ୍ୟ ବିଜୟ ଅଭିଯାନ ସହ କ୍ୱାର୍ଟର ଫାଇନାଲ୍‌ରେ ପ୍ରବେଶ କରିଛନ୍ତି। ରବିବାର ପ୍ରମୁଖ ପଦକ ଦାବିଦାର ଏମ୍‌ସି ମେରିକମ୍‌ ଅଭିଯାନ ଆରମ୍ଭ କରିବେ।

ଟେୁବଲ ଟେନିସ୍‌ (ଟିଟି)ରେ ଭାରତର ଉଭୟ ପୁରୁଷ ଓ ମହିଳା ଦଳ ସେମିଫାଇନାଲ୍‌ ସ୍ଥାନ ପକ୍କା କରିଛନ୍ତି। କ୍ୱାର୍ଟର ଫାଇନାଲ୍‌ରେ ଉଭୟ ଦଳ ସମାନ ପ୍ରତିଦ୍ୱନ୍ଦ୍ୱୀ ମାଲେସିଆକୁ ୩-୦ ଲେଖାଏଁ ବ୍ୟବଧାନରେ ପରାସ୍ତ କରି ଦେଇଛନ୍ତି। ମହିଳାରେ ମନିକା ବାତ୍ରା, ମାଧୁରିକା ପଟ୍‌କର ଏକକରେ ଏବଂ ପଟ୍‌କର-ମୌମା ଦାସ ଯୁଗଳରେ ଜିତିଥିଲା ବେଳେ ପୁରୁଷରେ ହର୍ମିତ୍‌ ଦେଶାଇ, ଅଚନ୍ତ ଶରତ କମଲ୍‌ ଏକକରେ ଏବଂ ଦେଶାଇ-ସାଥୀୟାନ୍‌ ଜ୍ଞାନଶେଖରନ୍‌ ଯୋଡ଼ି ଯୁଗଳରେ ବିଜୟ ହାସଲ କରିଥିଲେ।

ସମ୍ବନ୍ଧିତ ଖବର