କରୋନା ନିୟମ ଜାଣିନଥିବାରୁ ବିମାନ ଯାତ୍ରାରୁ ବଞ୍ଚିତ ହେଲେ ଜୟରାମ; ସନ୍ଦେହରେ ଡେନ୍‌ମାର୍କ ଓପନ୍‌ ଅଂଶଗ୍ରହଣ

ହାଇଦ୍ରାବାଦ : ଭାରତୀୟ ବ୍ୟାଡ୍‌ମିଣ୍ଟନ ଖେଳାଳି ଅଜୟ ଜୟରାମଙ୍କୁ ଶୁକ୍ରବାର ସକା‌‌ଳେ ବ୍ରିଟିସ ଏୟାରୱେଜ୍‌ ବିମାନରେ ଚଢ଼ିବାକୁ ଅନୁମତି ମିଳିନଥିଲା। ଫଳରେ ଡେନ୍‌ମାର୍କ ଓପନ୍‌ ବିଡବ୍ଲୁଏଫ୍‌ ସୁପର-୭୫୦ ପ୍ରତିଯୋଗିତାରେ ତାଙ୍କର ଅଂଶଗ୍ରହଣ ନେଇ ସନ୍ଦେହ ଦେଖାଯାଇଛି। ତେବେ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ଥିବା ଅନ୍ୟ ୩ ଭାରତୀୟ ଖେଳାଳି କିଦାମ୍ବି ଶ୍ରୀକାନ୍ତ, ଶୁଭଙ୍କର ଦେ ଓ ଲକ୍ଷ୍ୟ ସେନ୍‌ ଏୟାର ଫ୍ରାନ୍ସ ବିମାନରେ ଡେନ୍‌ମାର୍କ ଗସ୍ତ କରିଛନ୍ତି। ଜୟରାମ ବ୍ରିଟିସ ଏୟାରୱେଜ୍‌ ବିମାନରେ ଯାତ୍ରା କରିବାର ନିୟମ କିମ୍ବା ‌ଗନ୍ତବ୍ୟସ୍ଥଳ (ଲଣ୍ଡନ)ର ସଂଗରୋଧ ନିୟମ ବିଷୟରେ ଅଜ୍ଞ ଥିବାରୁ ତାଙ୍କୁ ବିମାନରେ ଚଢ଼ିବାକୁ ଅନୁମତି ମିଳିନଥିଲା। ମୁଁ ‌ନିୟମ ବିଷୟରେ ସଜାଗ ନଥିଲି। ତେଣୁ ମୋତେ ଅନୁମତି ମିଳିଲାନି ଏବଂ ବିମା‌ନ ବନ୍ଦରରୁ ଫେରିବାକୁ ପଡ଼ିଲା। ସେଠାରେ ‘ଏୟାର ବବ୍‌ଲ’ ଭଳି କିଛି ନିୟମ ଥିଲା। ଯାହା ମୁଁ ଜାଣି ନଥିଲି। ଟି‌କେଟ ଅର୍ଥ ଫେରସ୍ତ ହେବ ବୋଲି ଜୟରାମ କହିଛନ୍ତି। ଏହା ପରେ ମୁଁ ଏୟାର ଫ୍ରାନ୍ସ ସହ ଯୋଗଯୋଗ କରିଛି। ମୋ ପାଖରେ କୋଭିଡ ନେଗେଟିଭ ପ୍ରମାଣପତ୍ର ସହ ଟାଇପ ସି’ ଭିସା ଏବଂ ପ୍ରତିଯୋଗିତାରେ ଭାଗ ନେବାର ଆମନ୍ତ୍ରଣ ପତ୍ର ଥିବା ସେମାନଙ୍କୁ ଜଣାଇଛି। ସେମାନଙ୍କଠୁ ଏପର୍ଯ୍ୟନ୍ତ ଜବାବ ପାଇନି। ‌କିନ୍ତୁ ବିଶ୍ବାସ ରଖିଛି ଶୀଘ୍ର ସମାଧାନ ହୋଇଯିବ ବୋଲି ଜୟରାମ କହିଛନ୍ତି। ଏଥିସହ ଭାରତୀୟ ବ୍ୟାଟ୍‌ମିଣ୍ଟନ୍‌ ସଂଘ (ବାଇ) ଏବଂ ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ସାଇ)କୁ ଏହି ବିଷୟରେ ଟ୍ବିଟ୍‌ କରିଛି। ହେଲେ ସେମାନଙ୍କ ପକ୍ଷରୁ କିଛି ପ୍ରତିକ୍ରିୟା ପାଇନି। ଅନ୍ୟ‌ ଖେଳାଳିମାନେ ଭାୟା ଦିଲ୍ଲୀ ଦେଇ ଡେନ୍‌ମାର୍କ ଗସ୍ତ କରିଛନ୍ତି। ମୁଁ ଏଭଳି ଆଶା ରଖିଛି ବୋଲି ‌ସେ କହିଛନ୍ତି। ଡେନ୍‌ମାର୍କ ଓପନ୍‌ ମଙ୍ଗଳବାରଠୁ ଆରମ୍ଭ ହେବାକୁ ଥିଲା ବେଳେ ରବିବାର ସୁଦ୍ଧା ବିମାନ ମିଳିଲେ ଗନ୍ତବ୍ୟସ୍ଥଳରେ ପହଞ୍ଚିପାରିବି ବୋଲି ଜୟରାମ କହିଛନ୍ତି।

ସମ୍ବନ୍ଧିତ ଖବର