ଟି୨୦ ବିଶ୍ବକପ୍ : ଶ୍ରୀଲଙ୍କାକୁ ୭ ଓ୍ବିକେଟରେ ହରାଇଲା ଅଷ୍ଟ୍ରେଲିଆ

ପର୍ଥ : ପର୍ଥଠାରେ ଖେଳାଯାଉଥିବା ଟି-୨୦ ବିଶ୍ବକପର ଏକ ମ୍ୟାଚରେ ଅଷ୍ଟ୍ରେଲିଆ ଦଳ ଶ୍ରୀଲଙ୍କାକୁ ୭ ଓ୍ବିକେଟରେ ହରାଇ ଦେଇଛି । ଚଳିତ ବିଶ୍ବକପରେ ଏହା ହେଉଛି ଅଷ୍ଚ୍ରେଲିଆର ପ୍ରଥମ ବିଜୟ । ନିଜର ପ୍ରଥମ ମ୍ୟାଚରେ ଅଷ୍ଟ୍ରେଲିଆ ଦଳ ନ୍ୟୁଜିଲାଣ୍ଡଠାରୁ ୮୯ ରନରେ ହାରିଯାଇଥିଲା ।

୧୫୮ ରନର ଲକ୍ଷ୍ୟର ପିଛା କରୁଥିବା ଅଷ୍ଟ୍ରେଲିଆ ୧୬.୩ ଓଭରରେ ହିଁ ୩ଟି ଓ୍ବିକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରିଥିଲା । ଦଳ ପକ୍ଷରୁ ମାର୍କସ ଷ୍ଟଇନିସ ୫୯ରନ, ଆରନ ଫିଞ୍ଚ୍ ୩୧ରନ ଓ ଗ୍ଲେନ ମାକ୍ସଓ୍ବେଲ ୨୩ ରନ କରିଥିଲେ । ସେହିପରି ମିଚେଲ ମାର୍ସ ୧୭ ରନ କରିଥିଲେ । ଶ୍ରୀଲଙ୍କା ପକ୍ଷରୁ ଧନଞ୍ଜୟ ଡିସିଲଭା, ମହିସ ତିକସନା ଓ ଚାମିକା କରୁଣାରତ୍ନେ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।
ଏହି ମ୍ୟାଚରେ ଅଷ୍ଟ୍ରେଲିଆ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ଶ୍ରୀଲଙ୍କା ନିର୍ଦ୍ଧାରିତ ୨୦ ଓଭରରେ ୬ ଓ୍ବିକେଟ ହରାଇ ୧୫୭ ରନ କରିଥିଲା । ଦଳ ପକ୍ଷରୁ ପ୍ରଥୁମ ନିଶଙ୍କା ୪୦ ରନ କରିଥିବାବେଳେ ଚରିତ୍ ଅସଲଙ୍କା ୩୮ ରନ ଓ ଧନଞ୍ଜୟ ଡିସିଲଭା ୩୮ରନ କରିଥିଲେ । ତେବେ ଦଳର ଅନ୍ୟ ବ୍ୟାଟ୍ସମ୍ୟାନମାନେ ବଡ଼ ସ୍କୋର କରିପାରିନଥିଲେ । ଅଷ୍ଟ୍ରେଲିଆ ପକ୍ଷରୁ ଜସ ହେଜେଲଉଡ, ପାଟ କମିନ୍ସ, ମିଚେଲ ଷ୍ଟାକ, ଆଷ୍ଟନ ଅଗର ଓ ଗ୍ଲେନ ମାକ୍ସଓ୍ବେଲ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।

ସମ୍ବନ୍ଧିତ ଖବର