ବ୍ରାଜିଲ ପାରାବ୍ୟାଡମିଣ୍ଟନ୍: ଫାଇନାଲ୍‌ରେ ଦୀପରଞ୍ଜନ, ପ୍ରମୋଦ କାଂସ୍ୟରେ ସନ୍ତୁଷ୍ଟ

ଭୁବନେଶ୍ବର: ବ୍ରାଜିଲର ସାଓପାଲୋଠାରେ ଚଳିତମାସ ୧୯ରୁ ୨୪ ତାରିଖ ପର୍ଯ୍ୟନ୍ତ ଚାଲିଥିବା ବ୍ରାଜିଲ ପାରାବ୍ୟାଡମିଣ୍ଟନ୍ ପ୍ରତିଯୋଗିତାର ପୁରୁଷ ଯୁଗଳ ଫାଇନାଲ୍‌ରେ ଓଡ଼ିଶାର ଦୀପରଞ୍ଜନ ବିଶୋଇ ପ୍ରବେଶ କରିଛନ୍ତି। ଏମ୍‌ଡି ଅରୱାଜ୍ ଅନସାରିଙ୍କୁ ସାଥୀ କରି ଖେଳୁଥିବା ଦୀପରଞ୍ଜନ ଶନିବାରର ସେମିଫାଇନାଲ୍‌ରେ ପେରୁ ଦେଶର ରେଞ୍ଜୋ ଡିକ୍ବେଜ୍ ବନସେସ୍ ମୋରାଲେସ୍ ଏବଂ ପେଡ୍ରୋ ପାବଲୋ ଡି ଭିନଟି ଯୋଡ଼ିକୁ ୨୧-୦୮, ୨୧-୧୭ରେ ପରାସ୍ତ କରି ଫାଇନାଲ୍‌ରେ ପ୍ରବେଶ କରିଛନ୍ତି। ଏହା ପୂର୍ବରୁ ଦୀପରଞ୍ଜନ ଓ ଅନସାରି ୨୧-୧୬, ୨୧-୦୮ରେ ବ୍ରାଜିଲର ବ୍ରିନୋ ଜୋହାନ ଓ ଗର୍ସନ ଜାଏର ଭର୍ଗାସଙ୍କୁ ହରାଇ ସେମିଫାଇନାଲ୍ ଟିକେଟ ହାସଲ କରିଥିଲେ। ଅନ୍ୟପକ୍ଷରେ ଅଲିମ୍ପିକ୍ସ ସ୍ବର୍ଣ୍ଣ ପଦକ ବିଜେତା ଓଡ଼ିଆ ତାରକା ପ୍ରମୋଦ ଭଗତ ଦୁର୍ଭାଗ୍ୟଜନକ ଭାବେ ପୁରୁଷ ଏକକର ସେମିଫାଇନାଲ୍‌ରେ ପରାଜିତ ହୋଇଥିଲେ। ଏସ୍ଏଲ୍‌ ବର୍ଗରେ ପ୍ରମୋଦ ଶନିବାର ନିଜ ଦେଶର ନୀତେଶ କୁମାରଙ୍କଠାରୁ ୭-୨୧, ୨୧-୧୯, ୧୯-୨୧ରେ ପରାଜିତ ହୋଇଥିଲେ। ନୀତେଶ ପ୍ରଥମରୁ ହିଁ ପ୍ରମୋଦଙ୍କ ଉପରେ ଚାପ ସୃଷ୍ଟି କରିବାକୁ ସକ୍ଷମ ହୋଇଥିଲେ। ଦ୍ବିତୀୟ ସେଟ୍‌କୁ ଜିତି ପ୍ରମୋଦ ସ୍ଥିତି ବରାବର କରିଥିଲେ ମଧ୍ୟ ତୃତୀୟ ତଥା ନିର୍ଣ୍ଣାଟକ ସେଟ୍‌କୁ ୨ ପଏଣ୍ଟ୍‌ ବ୍ୟବଧାନରେ ଜିତି ନୀତେଶ ଫାଇନାଲ୍‌ରେ ପ୍ରବେଶ କରିଥିଲେ। ସେମିଫାଇନାଲ୍‌ରେ ପରାଜିତ ହୋଇଥିବାରୁ ପ୍ରମୋଦ କାଂସ୍ୟ ପଦକରେ ସନ୍ତୁଷ୍ଟ ରହିଛନ୍ତି।

ସମ୍ବନ୍ଧିତ ଖବର