ବାପଝିଅ ବିଷ ପିଇବା ଘଟଣା: ଅଭିଯୁକ୍ତଙ୍କୁ ଧରିବା ଲାଗି ପୁଲିସ୍‌ର ତନାଘନା

ସୋର: ବାଲେଶ୍ବର ଜିଲ୍ଲା ସୋର ବ୍ଲକ୍‌ ମହୁମୁହାଣ ଗ୍ରାମର ସଂଜୟ ନାୟକଙ୍କ ଘରକୁ ବାଗୁଡ଼ି ଗ୍ରାମର ରଙ୍ଗମିସ୍ତ୍ରୀ ରବୀନ୍ଦ୍ର ଦାସ କାମ କରିବା ପାଇଁ ଆସିଥିଲେ। ଏହି ସମୟରେ ଯୁକ୍ତଦୁଇ ପ୍ରଥମ ବର୍ଷରେ ପଢ଼ୁଥିବା ସଂଜୟଙ୍କ ଝିଅ ସହ ତାଙ୍କର ପରିଚୟ ହୋଇଥିଲା। ରବୀନ୍ଦ୍ର ତାଙ୍କୁ ଭଲପାଉଥିବା କହିଥିଲେ। ହେଲେ ସଂଜୟଙ୍କ ଝିଅ ପ୍ରେମ ନିବେଦନକୁ ଗ୍ରହଣ କରି ନ ଥିଲେ। ଫଳରେ ରବୀନ୍ଦ୍ର ତାଙ୍କୁ ବିଭିନ୍ନ ପ୍ରକାର ହଇରାଣ ହରକତ କରିବା ଆରମ୍ଭ କରିଦେଇଥିଲେ। ଯାହାକୁ ନେଇ ସୋ‌ର ଥାନାରେ ଅଭିଯୋଗ ହେବା ସହ ଆପୋସ ବୁଝାମଣା ହୋଇଥିଲା। ତଥାପି ରବୀନ୍ଦ୍ର ସୁଧୁରି ନ ଥିଲେ। ଗତ ୧୯ ତାରିଖ ଦିନ ସଂଜୟଙ୍କ ଝିଅ ପରୀକ୍ଷା ଦେଇ ସାଇକେଲ୍‌ରେ ଘରକୁ ଫେରୁଥିବା ବେଳେ ସୋର-ଗୋପୀନାଥପୁର ରାସ୍ତାର ଟିଣାପୋଲ ନିକଟରେ ଓଡି-୦୧-ଏକେ-୦୮୫୯ ନମ୍ବରର ଏକ କାର୍‌ ଏବଂ ଓଡି-୦୧-ଏଲ୍‌-୬୯୩୬ ନମ୍ବର ଏକ ବାଇକ୍‌ରେ ରବୀନ୍ଦ୍ର ଓ ତାଙ୍କର କିଛି ସହଯୋଗୀ ଅପହରଣ ଉଦ୍ୟମ କରିଥିଲେ। ଝିଅ ଘରେ ପହ‌ଞ୍ଚି ବାପାମାଆଙ୍କୁ ସବୁ କଥା କହିଥିଲେ ଏବଂ ସୋର ଥାନାରେ ଅଭିଯୋଗ କରିଥିଲେ। ହେଲେ ପୁଲିସ ମାମଲା ରୁଜୁ କରି ବସିଯାଇଥିଲା।

ଏପରି ସମୟରେ ଗତକାଲି କାର୍ଯ୍ୟାନୁଷ୍ଠାନ ବାବଦରେ ବୁଝିବା ପାଇଁ ସଂଜୟ ଝିଅ ସାଙ୍ଗରେ ବାଇକ୍‌ ଯୋଗେ ଥାନାକୁ ବାହାରିଥିଲେ। ଏକଥା ଜାଣି ରବୀନ୍ଦ୍ର ଓ ତାଙ୍କର ୩ ଜଣ ସହଯୋଗୀ ସେମାନଙ୍କୁ ବାଇକ୍‌ରେ ପିଛା କରିବା ସହ ଥାନା ଯିବା ପାଇଁ ଦେଇ ନ ଥିଲେ। ଦୁର୍ବୃତ୍ତଙ୍କ କବଳରୁ ବର୍ତ୍ତିବା ପାଇଁ ସଂଜୟ ଭଦ୍ରକ ରାସ୍ତାରେ ଚାଲିଯାଇଥିଲେ। ମାନସିକ ଆଘାତ ପାଇଥିବା ସଂଜୟ ଓ ତାଙ୍କ ଝିଅ ଭଦ୍ରକ ଜିଲ୍ଲା ଗେଲପୁର ନିକଟରେ ଥଣ୍ତା ପାନୀୟରେ ବିଷ ମିଶାଇ ପିଇ ଦେଇଥିଲେ। ସେମାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି କଟକ ନିଆଯାଇଥିଲା। ତେବେ ଚିକିତ୍ସାଧୀନ ଥିବା ଝିଅର ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ପରିଲକ୍ଷିତ ହୋଇଥିବା ବେଳେ ବାପାଙ୍କ ସ୍ବାସ୍ଥ୍ୟାବସ୍ଥାରେ ମଧ୍ୟ ଉନ୍ନତି ହୋଇଥିବା ଡାକ୍ତରଖାନା ସୂତ୍ରରୁ ଜଣାପଡ଼ିଛି।

ଅନ୍ୟପଟେ ପୁଲିସ ଘଟଣାକୁ ଗୁରୁତର ସହ ନେଇ ଅଭିଯୁକ୍ତ ରବୀନ୍ଦ୍ର ଓ ତାଙ୍କର ସହଯୋଗୀଙ୍କୁ ଖୋଜାଖୋଜି କରୁଛି। ହେଲେ ଏଯାଏ ସେମାନଙ୍କ ଟେର୍‌ ପାଇନି।

ସମ୍ବନ୍ଧିତ ଖବର