ସତ ହେଲା ଗମ୍ଭୀରଙ୍କ ଭବିଷ୍ୟବାଣୀ

କୋଲ୍‌କାତା: ବିସିସିଆଇ ଚଳିତ ବର୍ଷ ମାର୍ଚ୍ଚରେ ଆଇପିଏଲ୍‌ର ପୂର୍ଣ୍ଣସୂଚୀ ଘୋଷଣା କରିବା ବାକିଥିଲା। ଏହି ସମୟରେ କୋଲ୍‌କାତା ନାଇଟ୍‌ ରାଇଡର୍ସ ‌ଖେଳାଳିମାନଙ୍କୁ ଏହାର ନୂଆ ପରାମର୍ଶଦାତା ଗୌତମ ଗମ୍ଭୀର ପ୍ରଥମ ଥର ଲାଗି ସମ୍ବୋଧିତ କରିଥିଲେ। ସେତେବେଳେ ସେ ଆଇପିଏଲ୍‌ର ଫାଇନାଲ୍‌ ତାରିଖ କଥା କହିଥିଲେ। ଏହାର ଦୁଇ ମାସ ପରେ ଏହି ବିଶ୍ବକପ୍‌ ବିଜେତାଙ୍କ ଭବିଷ୍ୟବାଣୀ ସତ ପ୍ରମାଣିତ ହୋଇଥିଲା। ମାର୍ଚ୍ଚ ୧୬ରେ ଆଇପିଏଲ୍‌ ପୂର୍ଣ୍ଣସୂଚୀ ଘୋଷଣା ହୋଇ ନଥିଲା ବେଳେ କେକେଆର୍‌ ପୋଷ୍ଟ କରିଥିବା ଏକ ଭିଡିଓରେ ଖେଳାଳିମାନଙ୍କ ସହ ଗମ୍ଭୀର କଥାହେ‌‌ଲା ବେଳେ କହିଥିଲେ ମେ’ ୨୬ରେ ଫାଇନାଲ୍‌ ଖେଳାଯିବ ଏବଂ ଫାଇନାଲ୍‌ ଖେଳିବାକୁ ଥିବା ଦୁଇ ଦଳ ମଧ୍ୟରେ କେକେଆର୍‌ ଥିବ।

୨୦୧୨, ୨୦୧୪ କେକେଆର୍‌ର ଆଇପିଏଲ୍‌ ବିଜେତା ଅଧିନାୟକ ଗମ୍ଭୀର କହିଥିବା ଏହି ଭିଡିଓର ଶିରୋନାମରେ ଲେଖାଥିଲା ‘‘୨୬ ତାରିଖରେ ଆମେ ସେଠାରେ ଥିବା, ଯଦି ସବୁକିଛି ସମ୍ଭବ ହୁଏ ଏବଂ ଆଜିଠୁ ଅଭିଯାନ ଆରମ୍ଭ ହେଲା…। ତେଣୁ ଆମେ ସମାନ ପଥରେ ଚାଲିବା ଏବଂ ଯଦି ଲଢ଼େଇ କରିବା; ମୁଁ ନିଶ୍ଚିତ, ଆମେ ଅନେକ ସଫଳତା ପାଇବା’’। ଭିଡିଓଟି ପୋଷ୍ଟ୍‌ ହେବାର ଦୁଇ ମାସ ହେଲାଣି। ତାଙ୍କର ଏହି କଥା ଏବେ ସତ ହୋଇଛି। କେକେଆର୍‌ ମେ’୨୬ରେ ଚତୁର୍ଥ ଆଇପିଏଲ୍‌ ଫାଇନାଲ୍‌ ଖେଳିବାକୁ ଯାଉଛି। ଗମ୍ଭୀର ଭାରତର ୨୦୦୭ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଏବଂ ୨୦୧୧ ଦିନିକିଆ ବିଶ୍ବକପ୍‌ ବିଜେତା ଦଳର ସଦସ୍ୟ ରହିଥିଲେ। ଚଳିତ ବର୍ଷ ଜୁନ୍‌ରେ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ପରେ ଭାରତୀୟ ‌କ୍ରିକେଟ୍‌ ଦଳର ମୁଖ୍ୟ ପ୍ରଶିକ୍ଷକ ରାହୁଲ ‌ଦ୍ରାବିଡ଼ଙ୍କ ସ୍ଥାନ ନେବା ଦୌଡ଼ରେ ଗମ୍ଭୀର ଆଗରେ ରହିଛନ୍ତି।

ସମ୍ବନ୍ଧିତ ଖବର