ପେଟିଏମ୍‌ର କ୍ଷତି, ଛଟେଇ ଆଶଙ୍କା

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ ରୋଷର ଶିକାର ହୋଇଥିବା ପେଟିଏମ୍ କ୍ଷତିରେ ଚାଲୁଛି। ଚଳିତ ଆର୍ଥିକ ବର୍ଷର ଶେଷ ତିନି ମାସରେ କମ୍ପାନି ୫୫୦ କୋଟି ଟଙ୍କାର କ୍ଷତି ସହିଛି। କମ୍ପାନିର ରାଜସ୍ବ ୨,୨୬୭.୧୦ କୋଟି ଟଙ୍କାକୁ ହ୍ରାସ ପାଇଛି। ୨୦୨୩-୨୪ ଆର୍ଥିକ ବର୍ଷ ସାରାରେ କମ୍ପାନିର ରାଜସ୍ବ ୯୯୭୮ କୋଟି ଟଙ୍କା ହୋଇଥିବା ବେଳେ କ୍ଷତି ୧୪୪୨ କୋଟି ଟଙ୍କା ରହିଛି। କାରବାର ପ୍ରଭାବିତ ହୋଇଥିବାରୁ ପେଟିଏମ୍‌ରେ ଛଟେଇ ଆଶଙ୍କା ସୃଷ୍ଟି ହୋଇଛି। ପେଟିଏମ୍‌ର ମୁଖ୍ୟ ବିଜୟ ଶେଖର ଶର୍ମା କହିଛନ୍ତି ଯେ ୱାଲେଟ୍‌ କାରବାର ସହିତ ଅନ୍ୟ କିଛି ପେମେଣ୍ଟ ଓ ଋଣ ଉତ୍ପାଦ ବନ୍ଦ ରହିଥିବା କାରଣରୁ ତାହା କମ୍ପାନିର ରାଜସ୍ବ ଓ ଲାଭକୁ ପ୍ରଭାବିତ କରିବ।

ଭାରତୀୟ ଷ୍ଟାର୍ଟଅପ୍ ଜଗତର ସେଲିବ୍ରିଟି ଉଦ୍ୟୋଗୀ ଭାବେ ପରିଗଣିତ ହେଉଥିବା ଶ୍ରୀ ଶର୍ମାଙ୍କ କମ୍ପାନିକୁ ଚଳିତ ବର୍ଷ ଜାନୁଆରି ୩୧ରେ ରିଜର୍ଭ ବ୍ୟାଙ୍କ ଶକ୍ତ ଧକ୍କା ଦେଇଥିଲେ। ନିୟମ ପାଳନରେ ବାରମ୍ବାର ଅ‌ବହେଳା ଯୋଗୁଁ ବ୍ୟାଙ୍କିଙ୍ଗ କାରବାର ଉପରେ କଟକଣା ଲଗାଯାଇଥିଲା। ଏହାପରେ ପେଟିଏମ୍‌ର ସବୁଠୁ ଲୋକପ୍ରିୟ ସେବା ୱାଲେଟ୍ କାରବାର ପ୍ରଭାବିତ ହୋଇଥିଲା। ଅବଶ୍ୟ କିଛି ଦିନ ପରେ ଅନ୍ୟ ବ୍ୟାଙ୍କଗୁଡ଼ିକ ସହିତ ସହଯୋଗିତା ସ୍ଥାପନ କରି ପେଟିଏମ୍ ଏହାର ୱାଲେଟ୍ କାରବାରକୁ ସୁରକ୍ଷିତ କରିପାରିଛି।

ସମ୍ବନ୍ଧିତ ଖବର