ବଢ଼ିଲା ବାରବାଟୀ ଉତ୍କଣ୍ଠା : ବିଶାଖାପାଟଣାରେ ଭାରତର ବୃହତ୍ ବିଜୟ, ଶୃଙ୍ଖଳା ୧-୧

ବିଶାଖାପାଟଣା : ବିଶାଖାପାଟଣାରେ ଖେଳା ଯାଇଥିବା ‘କର ବା ମର’ ମ୍ୟାଚ୍‌କୁ ଭାରତ ୧୦୭ ରନ୍‌ର ବୃହତ୍ ବ୍ୟବଧାନରେ ଜିତି ନେଇଛି। ଫଳରେ ୱେଷ୍ଟଇଣ୍ଡିଜ୍ ବିପକ୍ଷ ତିନି ଟିକିଆ ଶୃଙ୍ଖଳା ୧-୧ ସ୍ତରକୁ ଚାଲିଆସିଛି। ଚେନ୍ନାଇରେ ପ୍ରଥମ ଦିନିକିଆକୁ ୮ ୱିକେଟ୍‌ରେ ହାରିଥିବା ଭାରତୀୟ କ୍ରିକେଟ୍ ଦଳ ବିଶାଖାପାଟଣାରେ ସଫଳ ପ୍ରତ୍ୟାବର୍ତନ କରି ଶୃଙ୍ଖଳାକୁ ଜୀବନ୍ତ ରଖିଛି। ତା’ ସହ ପ୍ରତୀକ୍ଷିତ ବାରବାଟୀ ଦିନିକିଆର ଉତ୍କଣ୍ଠା ବଢ଼ି ଯାଇଛି। ବାରବାଟୀରେ ରବିବାର ଖେଳାଯିବାକୁ ଥିବା ତୃତୀୟ ତଥା ଶେଷ ଦିନିକିଆ ଏବେ ଶୃଙ୍ଖଳା ନିର୍ଣ୍ଣାୟକ ହୋଇଛି। ବୁଧବାର ଭାରତୀୟ କ୍ରିକେଟ୍ ଦଳ ପ୍ରଥମେ ବ୍ୟାଟିଂ କରି ରୋହିତ ଶର୍ମା ଏବଂ ଲୋକେଶ ରାହୁଲଙ୍କ ଶତକ ବଳରେ ନିର୍ଧାରିତ ୫୦ ଓଭରରେ ୫ ୱିକେଟ୍ ହରାଇ ୩୮୭ ରନ୍ କରିଥିଲା। ଏହାର ଜବାବରେ ୱେଷ୍ଟଇଣ୍ଡିଜ୍ ୪୩.୩ ଓଭରରେ ମାତ୍ର ୨୮୦ ରନ୍ କରି ପାରିଥିଲା। ରୋହିତ ଶର୍ମା ତାଙ୍କ ଚିତା‌କର୍ଷକ ଶତକ ପାଇଁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।

ଇଣ୍ଡିଜ୍‌କୁ ଘାଇଲା କଲେ କୁଲଦୀପ-ସାମି
୩୮୮ ରନ୍‌ର ବିଜୟ ଲକ୍ଷ୍ୟ ୱେଷ୍ଟଇଣ୍ଡିଜ୍ ପାଇଁ କାଠିକର ପାଠ ହେବ ବୋଲି ଅନୁମାନ କରାଯାଉଥିଲା। ଶେଷରେ ତାହା ହିଁ ଘଟିଥିଲା। ଭାରତୀୟ ବୋଲର ମାପଚୁପ ବୋଲିଂ କରି ନିୟମିତ ବ୍ୟବଧାନରେ ୱିକେଟ୍ ନେଇ ଚାଲିଥିଲେ। ସେଥିପାଇଁ ଇଣ୍ଡିଜ୍ ୪୩.୩ ଓଭରରେ ଅଲଆଉଟ୍ ହୋଇ ଯାଇଥିଲା। ଭାରତୀୟ ବୋଲରଙ୍କ ମଧ୍ୟରେ ମହମ୍ମଦ ସାମି ଏବଂ କୁଲଦୀପ ଯାଦବ ଭ୍ରମଣକାରୀ ଦଳର ବ୍ୟାଟ୍ସମ୍ୟାନଙ୍କୁ ସବୁଠାରୁ ବେଶି ହଇରାଣ କରିଥିଲେ। ଉଭୟ ତିନିଟି ଲେଖାଏଁ ୱିକେଟ୍ କରାୟତ କରିଥିଲେ। ରବୀନ୍ଦ୍ର ଜାଦେଜା ମଧ୍ୟ ଦୁଇଟି ୱିକେଟ୍ ଅକ୍ତିଆର କରିଥିଲେ। ୱେଷ୍ଟଇଣ୍ଡିଜ୍‌ର ଦୁଇ ଯୁବ ତାରକା ସାଇ ହୋପ୍ ଏବଂ ନିକୋଲାସ ପୂରନ ଯଥାକ୍ରମେ ୭୮ ଓ ୭୫ ରନ୍ କରିଥିଲେ। ପୂରନ ୬ଟି ଲେଖାଏଁ ଛକା ଚୌକା ମାରିଥିଲେ। ତେବେ ଏହି ଦଳର ଚେନ୍ନାଇ ବିଜୟର ଅନ୍ୟତମ ନାୟକ ସିମରନ୍ ହେଟମେୟର ମାତ୍ର ୪ ରନ୍‌ରେ ରନ୍ ଆଉଟ୍ ହେବା ଇଣ୍ଡିଜ୍ ପାଇଁ ସବୁଠାରୁ ବଡ଼ ଝଟକା ଥିଲା।

ଶ୍ରେୟସଙ୍କ ଲଗାତାର ଚତୁର୍ଥ ଅର୍ଧଶତକ
ରୋହିତ ଏବଂ ରାହୁଲଙ୍କ ସହ କୋହଲି ପ୍ୟାଭିଲିୟନ ଫେରିବା ପରେ ମଧ୍ୟ ଦୁଇ ଯୁବ ତାରକା ଶ୍ରେୟସ୍ ଆୟର ଏବଂ ଋଷବ ପନ୍ତ୍‌ ଭାରତର ରନ୍ ସଂଗ୍ରହ ହାରକୁ କମିବାକୁ ଦେଇ ନଥିଲେ। ପନ୍ତ ନିଜ ସ୍ବଭାବିକ ଖେଳ ଖେଳି ସେଲଡନ କଟ୍ରେଲଙ୍କ ଗୋଟିଏ ଓଭରରେ ତିନିଟି ଚୌକା ଓ ଦୁଇଟି ଛକା ମାରିବା ସହ ମାତ୍ର ୧୬ ବଲ୍‌ରୁ ୩୯ ରନ୍ କରିଥିଲେ। ସେପଟେ ଶ୍ରେୟସ୍ ମଧ୍ୟ ଆକ୍ରମଣାତ୍ମକ ବ୍ୟାଟିଂ କରି ୨୯ ବଲ୍‌ରୁ ୩ ଚୌକା ଏବଂ ୪ ଛକା ବଳରେ ଲଗାତାର ଚତୁର୍ଥ ଏବଂ ମୋଟ ଉପରେ ଷଷ୍ଠ ଅର୍ଧଶତକ ହାସଲ କରି ନେଇଥିଲେ। ଷଷ୍ଠ ସ୍ଥାନରେ ଖେଳିଥିବା କେଦାର ଯାଦବ ମଧ୍ୟ ୧୦ ବଲରୁ ୩ ଚୌକା ସହାୟତାରେ ୧୬ ରନ୍ କରି ଅପରାଜିତ ରହିଥିଲେ। ଫଳରେ ୩୫୦ ରନ୍ ଲକ୍ଷ୍ୟରେ ଥିବା ଭାରତ ଶେଷରେ ୩୮୭ ରନ୍‌ରେ ପହଞ୍ଚି ଯାଇଥିଲା।

୪୭ତମ ଓଭରରୁ ୩୧
୪୭ତମ ଓଭରରେ ଶ୍ରେୟସ୍ ଆୟର ଓ ଋଷବ ପନ୍ତ ମୋଟ ୩୧ ରନ୍ ସଂଗ୍ରହ କରିଥିଲେ। ସେଥିମଧ୍ୟରେ ଶ୍ରେୟସଙ୍କ ଅବଦାନ ୩୦ ରନ୍ ଥିଲା ବେଳେ ପନ୍ତ ମାତ୍ର ୧ ରନ୍ କରିଥିଲେ। ରସ୍ତନ ଚେଜ୍‌ଙ୍କ ଏହି ଓଭରରେ ଶ୍ରେୟସ୍ ୪ ଛକା ଏବଂ ଗୋଟିଏ ଚୌକା ମାରିଥିଲେ। ଏହି ଓଭରର ପ୍ରଥମ ବଲ୍‌ ନୋ’ ବଲ୍ ଥିଲା ଏବଂ ସେଥିରୁ ଆୟର ୧ ରନ୍ ନେଇଥିଲେ। ଫ୍ରି ହିଟ୍ ବଲ୍‌ରେ ପନ୍ତ ସିଙ୍ଗଲ ରନ୍‌ ନେଇଥିଲେ। ଦ୍ବିତୀୟ ଓ ତୃତୀୟ ବଲ୍‌ରେ ଶ୍ରେୟସ୍ ଦୁଇଟି ଛକା ମାରିବା ପରେ ପର ବଲ୍‌ରୁ ଚୌକା ଅର୍ଜନ କରିଥିଲେ। ସେହିଭଳି ସେ ମଧ୍ୟ ପଞ୍ଚମ ଏବଂ ଷଷ୍ଠ ବଲ୍‌କୁ ଛକା‌ ମାରିଥିଲେ। ଦିନିକିଆ ଇତିହାସରେ ଭାରତର ଏହା ସଫଳତମ ଓଭର ଥିଲା। ଅର୍ଥାତ୍ ଏକ ଦିନିକିଆ ମ୍ୟାଚ୍‌ର କୌଣସି ଓଭରରୁ ଭାରତୀୟ କ୍ରିକେଟ୍ ଦଳ ସଂଗ୍ରହ କରିଥିବା ରନ୍ ମଧ୍ୟରେ ଏହା ସର୍ବାଧିକ ଥିଲା। ଏହି ଓଭରରେ ବି ଶ୍ରେୟସ୍ ଓ ପନ୍ତ ୧୯ ବଲ୍‌ରୁ ଅର୍ଧଶତକୀୟ ଭାଗୀଦାରି କରିଥିଲେ। ଏହାର ପୂର୍ବ ଓଭର ଅର୍ଥାତ୍ ୪୬ତମ ଓଭରରେ ମଧ୍ୟ ଏହି ଦୁଇ ଯୁବ ତାରକା ୨୪ ରନ୍ ଅମଳ କରିଥିଲେ। ଛକା, ଚୌକା ବର୍ଷା ପାଇଁ ଭାରତ ଶେଷ ୧୦ ଓଭରରୁ ୧୨୭ ରନ୍ ସଂଗ୍ରହ କରି ନେଇଥିଲା।

ରୋହିତ (୧୫୯), ରାହୁଲ (୧୦୨) ଧମାକା
ଶୃଙ୍ଖଳା ବଞ୍ଚାଇବା ଲାଗି କର ବା ମର ସ୍ଥିତିରେ ଥିବା ଭାରତୀୟ ଅଧିନାୟକ ବିରାଟ କୋହଲି ପୁଣି ଥରେ ଟସ୍ ହାରିଥିଲେ। ପ୍ରତିପକ୍ଷ ଅଧିନାୟକ କିରଣ ପୋଲାର୍ଡ ଟସ୍ ଜିତି ପୁଣି ଥରେ ଭାରତକୁ ପ୍ରଥମେ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲେ। ହେଲେ ଚେନ୍ନାଇ ବିଫଳତାରୁ ଉଚିତ ଶିକ୍ଷା ନେଇଥିବା ଦୁଇ ଭାରତୀୟ ପ୍ରାରମ୍ଭିକ ତାରକା ରୋହିତ ଶର୍ମା ଓ ଲୋକେଶ ରାହୁଲ ୱେଷ୍ଟଇଣ୍ଡିଜ୍ ବୋଲରଙ୍କୁ ପ୍ରଭାବ ବିସ୍ତାର କରିବାକୁ ଦେଇ ନଥିଲେ। କିଛି ଓଭର ପିଚ୍‌କୁ ତଉଲିବା ପରେ ଉଭୟ ବିସ୍ଫୋରକ ବ୍ୟାଟିଂ କରି ବିଶାଖାପାଟଣା ଦର୍ଶକଙ୍କର ଭରପୁର ମନୋରଞ୍ଜନ କରିଥିଲେ। ବିଶେଷ କରି ବଡ଼ ପାଳି ଖେଳିବାରେ ଓସ୍ତାଦ ରୋହିତ ୧୦୬ ବଲ୍‌ରୁ ୨୮ତମ ଶତକ ହାସଲ କରିଥିଲେ। ଏହା ପରେ ଧମାକାଦାର ବ୍ୟାଟିଂ କରି ଇଣ୍ଡିଜ୍ ବୋଲରଙ୍କୁ ନୟାନ୍ତ କରିଥିଲେ। ସାଥୀ ତାରକା ‌ରାହୁଲ ୧୦୨ ବଲ୍‌ରୁ ତୃତୀୟ ଶତକ ହାସଲ କରି ନେଇଥିଲେ। ମାତ୍ର ୨ ରନ୍ ପରେ ଅବଶ୍ୟ ସେ ନିଜ ୱିକେଟ୍ ହରାଇଥିଲେ। ଉଭୟ କିନ୍ତୁ ପ୍ରଥମ ୱିକେଟ୍‌ରେ ୨୨୨ ବଲ୍‌ରୁ ୨୨୭ ରନ୍‌ର ଭାଗୀଦାରି କରି ଭାରତ ପାଇଁ ଦୃଢ଼ ମୂଳଦୁଆ ପକାଇଥିଲେ। ଅଧିନାୟକ ବିରାଟ କୋହଲି କିନ୍ତୁ ପୋଲାର୍ଡଙ୍କ ଗତି ପରିବର୍ତନରେ ଚକ୍‌ମା ଖାଇ ପ୍ରଥମ ବଲ୍‌ରେ ହିଁ ଆଉଟ୍ ହୋଇ ଯାଇଥିଲେ। ‌ରୋହିତ ଛକା ମାରି ଦେଢ଼ ଶହ ରନ୍ ପୂରଣ କରିବା ବୁଧବାର ମ୍ୟାଚ୍‌ର ଅନ୍ୟତମ ଆକର୍ଷଣ ଥିଲା। ଉଭୟ ରୋହିତ ଓ ରାହୁଲ କେବଳ ପ୍ରଥମ ୱିକେଟ୍‌ରେ ୨୫ ଚୌକା ଏବଂ ୮ ଛକା ମାରିଥିଲେ। ରୋହିତ ବ୍ୟକ୍ତିଗତ ଭାବେ ଅନ୍ତର୍ଜାତୀୟ କ୍ରିକେଟରେ ଚଳିତବର୍ଷର ସର୍ବାଧିକ ଛକା ମାରିବାରେ ନିଜକୁ ନିଜେ ଟପିଥିଲେ।

ଦୁଇ ଅଧିନାୟକ ‘ଶୂନ’
ଭାରତ-ୱେଷ୍ଟଇଣ୍ଡିଜ୍ ମ୍ୟାଚ୍‌ରେ ବୁଧବାର ଏକ ଅପୂର୍ବ ସଂଯୋଗ ଦେଖିବାକୁ ମିଳିଥିଲା। ଉଭୟ ଦଳର ଅଧିନାୟକ ଖାତା ଖୋଲିବାକୁ ସକ୍ଷମ ହୋଇ ନଥିଲେ। ଭାରତୀୟ ଅଧିନାୟକ ବିରାଟ କୋହଲି ନିଜ ପ୍ରଥମ ବଲ୍‌ରେ କ୍ୟାଚ୍ ଟେକି ଦେଇଥିଲେ। ତାଙ୍କୁ ପ୍ରତିପକ୍ଷ ଅଧିନାୟକ କିରଣ ପୋଲାର୍ଡ ଆଉଟ୍ କରିଥିଲେ। ସେହିଭଳି ପୋଲାର୍ଡ ମଧ୍ୟ ମାତ୍ର ଗୋଟିଏ ବଲ୍ ଖେଳି କୌଣସି ରନ୍ କରି ପାରି ନଥିଲେ। ସେ ଭାରତୀୟ ବୋଲର ମହମ୍ମଦ ସାମିଙ୍କ ଶିକାର ହୋଇଥିଲେ। ୩୦ତମ ଓଭରର ଦ୍ବିତୀୟ ବଲ୍‌ରେ ସାମି ନିକୋଲାସ ପୂରନଙ୍କୁ ଆଉଟ୍ କରିବା ପରେ ତୃତୀୟ ବଲ୍‌ରେ ପୋଲାର୍ଡଙ୍କୁ ପ୍ୟାଭିଲିୟନ ଫେରାଇ ଦେଇଥିଲେ।

ଗାଙ୍ଗୁଲି-ସେହବାଗଙ୍କ କୀର୍ତ୍ତିମାନ ଭାଙ୍ଗିଲେ ରୋହିତ-ରାହୁଲ
ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦ୍ବିତୀୟ ଦିନିକିଆ ମ୍ୟାଚ୍‌ରେ ରୋହିତ ଶର୍ମା ଓ ଲୋକେଶ ରାହୁଲ୍ ପ୍ରଥମ ୱିକେଟ୍‌ରେ ୨୨୭ ରନ୍ ଯୋଡ଼ି ନୂଆ କୀର୍ତ୍ତିମାନ ହାସଲ କରିଛନ୍ତି। ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଦିନିକିଆ କ୍ରିକେଟ୍‌ରେ ପ୍ରଥମ ଵିକେଟ୍ ପାଇଁ ଭାରତ ପକ୍ଷରୁ ଏହା ସର୍ବାଧିକ ରନ୍ ଭାଗୀଦାରି କୀର୍ତ୍ତିମାନ ହୋଇଛି। ଏକ୍ଷେତ୍ରରେ ରୋହିତ-ରାହୁଲ୍ ଯୋଡ଼ି ସୌରଭ ଗାଙ୍ଗୁଲି ଓ ବୀରେନ୍ଦ୍ର ସେହବାଗଙ୍କ ୧୭ ବର୍ଷର ପୁରୁଣା କୀର୍ତ୍ତିମାନକୁ ଟପି ଯାଇଛନ୍ତି। ୨୦୦୨ ମସିହା ନଭେମ୍ବର ୧୨ ତାରିଖରେ ରାଜକୋଟ ମ୍ୟାଚ୍‌ରେ ଗାଙ୍ଗୁଲି-ସେହବାଗ ଯୋଡ଼ି ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ୧୯୬ ରନ୍‌ର ଭାଗୀଦାରି କରିଥିଲେ ଯାହାକି ଏପର୍ଯ୍ୟନ୍ତ ସର୍ବାଧିକ କୀର୍ତ୍ତିମାନ ହୋଇ ରହିଥିଲା। ବୁଧବାର ରାହୁଲ-ରୋହିତ ଏହାକୁ ଅତିକ୍ରମ କରିଛନ୍ତି। ବୁଧବାର ମ୍ୟାଚ୍‌ରେ ଉଭୟ ରୋହିତ (୧୫୯) ଓ ରାହୁଲ (୧୦୨) ଶତକ ଜମାଇଥିଲେ। ଅନ୍ୟପକ୍ଷରେ ଭାରତ ପାଇଁ ପ୍ରଥମ ୱିକେଟ୍‌ରେ ସର୍ବୋଚ୍ଚ ଭାଗୀଦାରିରେ ରୋହିତ-ରାହୁଲଙ୍କ ୨୨୭ ରନ୍‌ ଚତୁର୍ଥ ସର୍ବାଧିକ ରହିଛି।

ସମ୍ବନ୍ଧିତ ଖବର