ଓଡ଼ିଶାରେ ପ୍ରଣୟନ ହେବ କ୍ରୀଡ଼ା ନୀତି: ଖେଳାଳିଙ୍କୁ ଗଣମାଧ୍ୟମ ଦିଏ ବଡ଼ ପ୍ରେରଣା

ପ୍ୟାରିସ୍‌ରେ ହକି ଦଳ ଓ କିଶୋରଙ୍କୁ ମିଳିବ ବଡ଼ ଆହ୍ବାନ

ଭୁବନେଶ୍ୱର: ରାଜ୍ୟରେ ଖୁବ୍ ଶୀଘ୍ର କ୍ରୀଡ଼ା ନୀତି ପ୍ରଣୟନ କରାଯିବ। ଏ ସମ୍ପର୍କରେ କ୍ରୀଡ଼ାମନ୍ତ୍ରୀଙ୍କ ସହ ବିସ୍ତୃତ ଆଲୋଚନା ହୋଇଛି। ତୃଣମୂଳସ୍ତରକୁ ଆମ ଭିତ୍ତିଭୂମି ପ୍ରସାରିତ କରିବା ଓ ପ୍ରତିଭା ଚିହ୍ନଟ କରାଯିବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମକୁ ତ୍ବରାନ୍ବିତ କରାଯିବ ବୋଲି କ୍ରୀଡ଼ା ଓ ଯୁବସେବା ବିଭାଗର କମିସନର ତଥା ଶାସନ ସଚିବ ଆର୍‌ ଭିନିଲ କ୍ରିଷ୍ଣା ପ୍ରକାଶ କରିଛନ୍ତି। ମଙ୍ଗଳବାର କଳିଙ୍ଗ ଷ୍ଟାଡିୟମ୍‌ ଟେନିସ୍ ସେଣ୍ଟରରେ ଅନୁଷ୍ଠିତ ବିଶ୍ବ କ୍ରୀଡ଼ା ସାମ୍ବାଦିକ ଦିବସ ତଥା ଏଆଇପିଏସ୍‌ ଶତବାର୍ଷିକୀ ସମାରୋହ ଅବସରରେ ଭିନୀଲ କ୍ରିଷ୍ଣା ଏଭଳି ସୂଚନା ଦେଇଛନ୍ତି। ଖେଳାଳିଙ୍କୁ ପ୍ରେରଣା ଓ ଉତ୍ସାହିତ କରୁଥିବାରୁ କ୍ରୀଡ଼ା ସାମ୍ବାଦିକମାନଙ୍କ ଭୂମିକାକୁ ସେ ଉଚ୍ଚ ପ୍ରଶଂସା କରିଥିଲେ। ରାଜ୍ୟର କ୍ରୀଡ଼ା ଭିତ୍ତିଭୂମି ବିକାଶ ବାବଦରେ ବିଶେଷ ତଥ୍ୟ ରଖିବା ସାଙ୍ଗକୁ କନିଷ୍ଠ ଓ ଉପକନିଷ୍ଠ ଖେଳାଳିଙ୍କ ବିକାଶ ଉପରେ ଓଡ଼ିଶା ଏବେ ଅଧିକ ଫୋକସ୍‌ କରୁଥିବା କହିଥିଲେ। କ୍ରୀଡ଼ା ସାମ୍ବାଦିକଙ୍କ ଜାତୀୟ ସମ୍ମିଳନୀକୁ ଓସ୍‍ଜା ଓଡ଼ିଶାରେ ଆୟୋଜନ କଲେ ବିଭାଗ ପକ୍ଷରୁ ସମସ୍ତ ସହଯୋଗ କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ।

ଖେଳାଳିମାନଙ୍କ ସକାଶେ ଯେତେ ସୁବିଧା ସୁଯୋଗ କରାଗଲେ ମଧ୍ୟ ଗଣମାଧ୍ୟମରେ ସେମାନଙ୍କର କୃତିତ୍ୱ ପ୍ରକାଶିତ ହେବା ସବୁଠାରୁ ଅଧିକ ଆନନ୍ଦ ଓ ପ୍ରେରଣା ଦେଇଥାଏ। ଅତିଥିମାନେ ତାଙ୍କ ଭାଷଣରେ ଏହି କଥାଟିକୁ ଅଧିକ ଉଜାଗର କରିଥିଲେ। ଅଲିମ୍ପିଆନ୍‌ ଶ୍ରାବଣୀ ନନ୍ଦ ତାଙ୍କ ସଫଳତାର ଯାତ୍ରାରେ କ୍ରୀଡ଼ା ସାମ୍ବାଦିକଙ୍କ ରହିଥିବା ଭୂମିକା ବାବଦରେ କହିଥିଲେ ଯେ, ଇଭେଣ୍ଟ ସରିବା ପରେ ପ୍ରଶିକ୍ଷକଙ୍କ ପାଖକୁ ଯିବା ଆଗରୁ ମୋତେ ଗଣମାଧ୍ୟମ ବ୍ୟକ୍ତିଙ୍କୁ ଭେଟିବା ଖୁବ୍‍ ଖୁସି ଦେଇଥାଏ। ସମ୍ବାଦପତ୍ର ଓ ଅନ୍ୟାନ୍ୟ ଗଣମାଧ୍ୟମରେ ନିଜ ବିଷୟ ବାହାରିବା ଖୁବ୍‍ ପ୍ରେରଣାଦାୟକ ଅନୁଭୂତି ବୋଲି ସେ କହିଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ଅଲିମ୍ପିଆନ୍‌ କେ. ରବି କୁମାର ତାଙ୍କ ଜୀବନର ଅତ୍ୟନ୍ତ କଷ୍ଟପୂର୍ଣ୍ଣ ସମୟରେ କ୍ରୀଡ଼ା ସାମ୍ବାଦିକଙ୍କ ଉତ୍ସାହଜନକ କଥା ଖୁବ୍‌ ଫଳପ୍ରସୂ ଥିଲା ବୋଲି ଉଦାହରଣ ଦେଇ ବତାଇଥିଲେ। ପିଲାଦିନେ ଏକ ପ୍ରକାଶିତ ଖବର ପରେ କିଭଳି ମା’ ତାଙ୍କୁ ଖେଳକୁ କ୍ୟାରିୟର୍ କରିବା ଲାଗି ରାଜି କରାଇଥିଲେ ରବିକୁମାର ସେ କଥା ବର୍ଣ୍ଣନା କରିଥିଲେ। ଓସ୍‍ଜାର କାର୍ଯ୍ୟକାରୀ ସଭାପତି ସଂବିତ ମହାପାତ୍ରଙ୍କ ସଂଯୋଜନାରେ ଆୟୋଜିତ ଏହି ସମାରୋହରେ ଦେଶର ପ୍ରମୁଖ କ୍ରୀଡ଼ା ସାମ୍ବାଦିକ ଦିଲ୍ଲୀ ନିବାସୀ ସନ୍ଦୀପ ମିଶ୍ରଙ୍କୁ ତାଙ୍କ ସଫଳ କ୍ୟାରିୟର୍‌ ସକାଶେ ସମ୍ମାନିତ କରାଯାଇଥିଲା। ଓଡ଼ିଶାରେ ପଢ଼ିଥିବା ଓ ବଢ଼ିଥିବା ଶ୍ରୀ ମିଶ୍ର ଲଗାତାର ୯ଟି ହକି ବିଶ୍ୱକପ୍‍ ସାଙ୍ଗକୁ ଏକାଧିକ ଅଲିମ୍ପିକ୍ସ, ଫୁଟ୍‌ବଲ୍‌ ବିଶ୍ୱକପ୍‍, ରାଜ୍ୟଗୋଷ୍ଠୀ କ୍ରୀଡ଼ା, ବିଶ୍ୱ ଦୌଡ଼କୁଦ ପ୍ରତିଯୋଗିତା ଓ ଏସୀୟ କ୍ରୀଡ଼ା କଭର କରିଛନ୍ତି।

ଓସ୍‍ଜାର ସଭାପତି ସନ୍ଦୀପ ମିଶ୍ର ଓ ସମ୍ପାଦକ ସୁରେଶ ସ୍ୱାଇଁ ଅନୁଷ୍ଠାନର ବିଭିନ୍ନ କାର୍ଯ୍ୟକ୍ରମ ବାବଦରେ ସୂଚନା ଦେବା ସାଙ୍ଗକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଓ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ପ୍ରଦତ୍ତ ବାର୍ତ୍ତା ପାଠ କରିଥିଲେ। ଏହି ଅବସରରେ ଜାତୀୟ ସ୍ତରର ବିଶିଷ୍ଟ କ୍ରୀଡ଼ା ସାମ୍ବାଦିକ ଏନ୍‌. ଜଗନ୍ନାଥ ଦାସ ଓଡ଼ିଶାର କ୍ରୀଡ଼ା ଭିତ୍ତିଭୂମିକୁ ଖୁବ୍‍ ପ୍ରଶଂସା କରି ଏହାର ଫାଇଦା ଯୁବା କ୍ରୀଡ଼ାବିତ୍‌ ଉଠାଇବା ପାଇଁ ଆହ୍ୱାନ କରିଥିଲେ। ନିଜ ସମ୍ବର୍ଦ୍ଧନାର ଉତ୍ତରରେ ସନ୍ଦୀପ ମିଶ୍ର ଓସ୍‍ଜାକୁ କୃତଜ୍ଞତା ଜଣାଇବା ସହ ପ୍ୟାରିସ୍‌ ଅଲିମ୍ପିକ୍ସରେ ଭାରତୀୟ ହକି ଓ ଓଡ଼ିଆ ଆଥଲେଟ୍‌ କିଶୋର ଜେନାଙ୍କୁ ବଡ଼ ଆହ୍ବାନ ମିଳିବ ବୋଲି ମତ ପ୍ରକାଶ କରିଥିଲେ। ହକି ଦଳ ଯଦି ପଦକ ନ ଜିତେ ତା’ହେଲେ ଦେଶରେ ହକି ଅବନତି ଆଡ଼କୁ ଯିବ ବୋଲି ସେ ଆଶଙ୍କା ବ୍ୟକ୍ତ କରିଥିଲେ। ପ୍ୟାରିସ୍‌ରେ କିଶୋରଙ୍କ ପାଇଁ ପ୍ରଥମ ବଡ଼ କାମ ଯୋଗ୍ୟତା ରାଉଣ୍ଡ୍‌ ଟପିବା ବୋଲି ମତ ଦେଇଥିଲେ ସେ। ଏହି ଅବସରରେ ଓସ୍‌ଜା‌ ପକ୍ଷରୁ ପ୍ରକାଶ ପାଇଥିବା ବିଶେଷ ସ୍ମରଣିକା ଅତିଥିଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା। ଶେଷରେ ଓସ୍‍ଜାର କୋଷାଧ୍ୟକ୍ଷ ଦେବାଶିଷ ସୁନ୍ଦରାୟ ଧନ୍ୟବାଦ ଦେଇଥିଲେ। ମଧ୍ୟାହ୍ନ ଭୋଜନ ପରେ କ୍ରୀଡ଼ା ସଚିବଙ୍କ ଅନୁରୋଧ କ୍ରମେ କ୍ରୀଡ଼ା ସାମ୍ବାଦିକମାନେ କଳିଙ୍ଗ ଷ୍ଟାଡିୟମ୍‌ ପରିସରରେ ଥିବା କିଛି ଉନ୍ନତ କ୍ରୀଡ଼ା ଭିତ୍ତିଭୂମି ବୁଲି ଦେଖିଥିଲେ।

ସମ୍ବନ୍ଧିତ ଖବର