ରାଜ୍ୟ ଦୌଡ଼କୁଦର ଅନାଲୋଚିତ ନାୟିକା ‘ରେଖା’

ଖେଳ ଜୀବନର ଦ୍ୱିତୀୟ ପାଳି ଆରମ୍ଭ କଲେ

ସମ୍ବଲପୁର: ବିଂଶ ଶତାବ୍ଦୀର ଶେଷ ଓ ଏକବିଂଶ ଶତାବ୍ଦୀର ପ୍ରଥମ ଦଶକରେ ଦୀର୍ଘ ୧୬ ବର୍ଷ ଧରି ଲଗାତାର ସ୍ଥିର ପ୍ରଦର୍ଶନ ବଳରେ ରାଜ୍ୟ ଦୌଡ଼କୁଦରେ ନିଜର ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଥିବା ଜଣେ ଖେଳାଳି ହେଲେ ସମ୍ବଲପୁରର ରେଖା ଦେ’। ଦେଢ଼ ଦଶନ୍ଧିରୁ ଅଧିକ ଲମ୍ବା ଖେଳାଳି ଜୀବନରେ ରାଜ୍ୟ ଓ ଜାତୀୟସ୍ତରରେ ୭୦ରୁ ଅଧିକ ପଦକ ଜିତିଥିବା ରେଖା କିନ୍ତୁ ରାଜ୍ୟ କ୍ରୀଡ଼ା ମହଲରେ ଖୁବ କମ୍‌ ଜଣାଶୁଣା ଜଣେ ଅବହେଳିତ ପ୍ରତିଭା। ୧୯୯୨ରେ କଟକରେ ଅନୁଷ୍ଠିତ ରାଜ୍ୟ ଗ୍ରାମୀଣ କ୍ରୀଡ଼ାର ୧୦୦ ମିଟର ଦୌଡ଼ରେ ରୌପ୍ୟ ପଦକ ଜିତିଥିବା ରେଖା ଆଉ କେବେ ପଛକୁ ଫେରି ଚାହିଁ ନଥିଲେ। ଏହାପରେ ସେ ୨୦୦୮ ପର୍ଯ୍ୟନ୍ତ ପ୍ରତ୍ୟେକ କ୍ୟାଲେଣ୍ଡର ବର୍ଷରେ ରାଜ୍ୟ ଓ ଜାତୀୟସ୍ତରର ପଦକ ଲାଭ କରିଛନ୍ତି। ୧୬ ବର୍ଷ ଭିତରେ ସେ ୨୫ ଜାତୀୟ, ୪୩ ରାଜ୍ୟ ଓ ୨ ଏନ୍‌ସିସି କ୍ରୀଡ଼ା ପଦକ ଜିତିଛନ୍ତି। ସେ ପଦକ ଜିତିଥିବା କ୍ରୀଡ଼ା ସମାବେଶ ଗୁଡ଼ିକ ମଧ୍ୟରେ ଅନ୍ତଃଜୋନ ଦୌଡ଼କୁଦ, ଜାତୀୟ ମହିଳା କ୍ରୀଡ଼ା, ପୂର୍ବାଞ୍ଚଳ ଦୌଡ଼କୁଦ, ଜାତୀୟ କନିଷ୍ଠ ଦୌଡ଼କୁଦ, ଜାତୀୟ ଗ୍ରାମୀଣ କ୍ରୀଡ଼ା ଆଦି ପ୍ରମୁଖ। ୧୯୯୪ରୁ ୨୦୦୦ ମସିହା ମଧ୍ୟରେ ସେ ନିଜ କ୍ରୀଡ଼ା ଜୀବନର ଶ୍ରେଷ୍ଠ ଲୟରେ ଥିଲେ। ୧୯୯୭ ମସିହାରେ ଜାମ୍‌ସେଦ୍‌ପୁରରେ ଅନୁଷ୍ଠିତ ପୂର୍ବାଞ୍ଚଳ ଦୌଡ଼କୁଦରେ ସେ ୧୨.୨ ସେକେଣ୍ଡ ସମୟ ସହ ସ୍ୱର୍ଣ୍ଣ ପଦକ ଜିତିଥିଲେ, ଯାହା ଅନ୍ତଃରାଜ୍ୟ ପ୍ରତିଯୋଗିତାରେ ତାଙ୍କର ଶ୍ରେଷ୍ଠ ଟାଇମିଂ ଥିଲା। ସେହିପରି ୧୯୯୮ରେ କେରଳରେ ଅନୁଷ୍ଠିତ ଜାତୀୟ କନିଷ୍ଠ ଦୌଡ଼କୁଦ ୨୦୦ ମିଟର ଦୌଡ଼ରେ ସେ ନିଜର ଶ୍ରେଷ୍ଠ ଟାଇମିଂ (୨୫.୯୦ ସେକେଣ୍ଡ) ପାଇଥିଲେ। ସେ ୧୦୦ ମିଟର, ୨୦୦ ମିଟର, ୪ ଗୁଣା ୧୦୦ ମିଟର ରିଲେ ଦୌଡ଼, ଲଙ୍ଗ୍‌ଜମ୍ପ, ଟ୍ରିପଲ ଜମ୍ପ୍‌ରେ ଏହି ସବୁ ପଦକ ଜିତିଥିଲା ବେଳେ ୨୦୦୮ ରାଜ୍ୟ ଦୌଡ଼କୁଦରେ ହେପଟାଥଲନ ସ୍ୱର୍ଣ୍ଣ ପଦକ ବି ଲାଭ କରିଥିଲେ। ରଚିତା ପଣ୍ଡା, ଅନୁରାଧା ବିଶ୍ୱାଳ, ଶ୍ରାବଣୀ ନନ୍ଦ, ଅମିୟ ମଲ୍ଲିକ ଏବଂ ଦୁତି ଚାନ୍ଦଙ୍କ ଭଳି ବହୁ ମହାନ ସ୍ପ୍ରିଣ୍ଟରଙ୍କୁ ଜନ୍ମ ଦେଇଥିବା ଓଡ଼ିଶାର ଦୌଡ଼କୁଦ ଇତିହାସରେ କିନ୍ତୁ ଅନାଲୋଚିତ ହୋଇ ରହି ଯାଇଛନ୍ତି ରେଖା। +୨ କଳା ସହ କମ୍ପୁଟରରେ ଡିପ୍ଲୋମା କରିଥିବା ରେଖା ସାଧାରଣ ସରକାରୀ ଚାକିରିଟିଏ ବି ପାଇ ନପାରିବା ଏହାର ଉଦାହରଣ। ରାଜ୍ୟର ପ୍ରଥମ ବିଜୁ ପଟ୍ଟନାୟକ ଶ୍ରେଷ୍ଠ କ୍ରୀଡ଼ାବିତ ପୁରସ୍କାର ପାଇଥିବା ସାହେବାଣୀ ଓରାମଙ୍କ ସମସାମୟିକ ଓ ସାଥୀ ଧାବିକା ରେଖା କାହାଠାରୁ ଟଙ୍କାଟିଏ ପ୍ରୋତ୍ସାହନ ରାଶି ବି ପାଇ ନାହାନ୍ତି।
୧୯୭୫ରେ ସମ୍ବଲପୁର ବଡ଼ବଜାର ବଙ୍ଗାଳିପଡ଼ାରେ ଏକ ନିମ୍ନ ମଧ୍ୟବିତ୍ତ ପରିବାରରେ ଜନ୍ମିତ ରେଖା ହେଉଛନ୍ତି ରଂଜିତ ଦେ ଏବଂ ମଞ୍ଜୁ ଦେ’ଙ୍କ କନ୍ୟା। ପିଲାଟି ବେଳୁ ଖେଳ ପ୍ରତି ପ୍ରବଳ ଆଗ୍ରହ ତାଙ୍କୁ ବର୍ତମାନ ପର୍ଯ୍ୟନ୍ତ ବିଭିନ୍ନ କ୍ରୀଡ଼ା ସହ ଜଡ଼ିତ ରଖିଛି। ଦୌଡ଼କୁଦ ବ୍ୟତୀତ ସେ କବାଡ଼ି, ଫୁଟ୍‌ବଲ, କ୍ରିକେଟ ମଧ୍ୟ ଖେଳନ୍ତି। ୨୦୦୮ରେ ପ୍ରତିଯୋଗିତାମୂଳକ ଦୌଡ଼କୁଦରୁ ଦୂରେଇ ଯାଇଥିବା ରେଖା ୧୦ ବର୍ଷର ବ୍ୟବଧାନ ପରେ ନିଜର ଦ୍ୱିତୀୟ ପାଳି ଆରମ୍ଭ କରିଛନ୍ତି। ଚଳିତ ବର୍ଷ ପ୍ରଥମ କରି ବର୍ଷିଆନ ଦୌଡ଼କୁଦରେ ଅବତୀର୍ଣ୍ଣ ହୋଇ ସ୍ୱର୍ଣ୍ଣିମ ସଫଳତା ଲାଭ କରିଛନ୍ତି। ଗତ ୧୪ରୁ ୧୬ ତାରିଖ ପର୍ଯ୍ୟନ୍ତ ଦିଲ୍ଲୀର ଜବାହାର ଲାଲ ନେହରୁ ଷ୍ଟାଡିୟମରେ ଅନୁଷ୍ଠିତ ପ୍ରଥମ ଇଣ୍ଡୋ-ବାଂଲାଦେଶ ବର୍ଷିଆନ ଦୌଡ଼କୁଦ ପ୍ରତିଯୋଗିତାର ୪୦ ବର୍ଷରୁ ଅଧିକ ମହିଳା ବର୍ଗରେ ୧୦୦ ମିଟରରେ ସ୍ୱର୍ଣ୍ଣ, ଟ୍ରିପଲ ଜମ୍ପ୍‌ରେ ରୌପ୍ୟ ଓ ଲଙ୍ଗ ଜମ୍ପ୍‌ରେ କାଂସ୍ୟ ପଦକ ଲାଭ କରିଛନ୍ତି। ତାଙ୍କ ସହ ସମ୍ବଲପୁରରୁ ଯାଇଥିବା ଅନ୍ୟତମ ମହିଳା କ୍ରୀଡ଼ାବିତ ନମିତା ପଟେଲ ୪୫ ବର୍ଷରୁ ଅଧିକ ମହିଳା ବର୍ଗରେ ସଟ୍‌ପୁଟ୍‌ରେ ରୌପ୍ୟ ପଦକ ପାଇଥିଲେ।
୧୦ ବର୍ଷ ହେଲା ପ୍ରତିଯୋଗିତାମୂଳକ ଦୌଡ଼କୁଦରୁ ଦୂରରେ ରହିବା ପରେ ପ୍ରଥମ ପଦାର୍ପଣରେ ତିନିଟି ପଦକ ଜିତିବା ରେଖାଙ୍କୁ ନୂଆ ଉତ୍ସାହ ଦେଇଛି। ସେ ଆଗାମୀ ଦିନରେ ମୋହାଲିରେ ହେବାକୁ ଥିବା ଜାତୀୟ ବର୍ଷିଆନ ଦୌଡ଼କୁଦ, ଅଷ୍ଟ୍ରେଲିଆରେ ହେବାକୁ ଥିବା ବିଶ୍ୱ ବର୍ଷିଆନ କ୍ରୀଡ଼ା, ସ୍ପେନ୍‌ରେ ହେବାକୁ ଥିବା ବିଶ୍ୱ ବର୍ଷିଆନ ଦୌଡ଼କୁଦ ପାଇଁ ପ୍ରସ୍ତୁତି ଚଳାଇଛନ୍ତି। ଖେଳାଳି ଜୀବନର ପ୍ରଥମ ପର୍ଯ୍ୟାୟରେ ସସ୍ମିତା ଦତ୍ତଙ୍କଠାରୁ ପ୍ରଶିକ୍ଷଣ ପାଇଥିବା ରେଖା ବର୍ତମାନ ଅନ୍ତର୍ଜାତୀୟ ବର୍ଷିଆନ କ୍ରୀଡ଼ାବିତ ସୁନ୍ଦରମଣି ବାରିକଙ୍କ ତତ୍ତ୍ୱାବଧାନରେ ଅଭ୍ୟାସ କରୁଛନ୍ତି। ଶ୍ରୀ ବାରିକ ତାଙ୍କୁ ପୁନର୍ବାର ଟ୍ରାକକୁ ଓହ୍ଲାଇବାକୁ ପ୍ରୋତ୍ସାହିତ କରିଛନ୍ତି। ଅନ୍ତର୍ଜାତୀୟ କ୍ରୀଡ଼ାରେ ଭାଗ ନେବା ପାଇଁ କୌଣସି ସୂତ୍ରରୁ ଆର୍ଥିକ ସହଯୋଗ ମିଳିଲେ ସେ ଆଗାମୀ ଦିନରେ ନିଶ୍ଚିତ ଭାବେ ଦେଶ ପାଇଁ ଗୌରବ ଆଣି ପାରିବେ ବୋଲି କହନ୍ତି ସେଭେନ ହିଲ୍‌ସ ଆବାସିକ ବିଦ୍ୟାଳୟରେ ଦୌଡ଼କୁଦ ପ୍ରଶିକ୍ଷକଭାବେ କାର୍ଯ୍ୟରତ ରେଖା। ପ୍ରଶିକ୍ଷକ ସୁସ୍ମିତା ଦତ୍ତ ମଧ୍ୟ ରେଖାଙ୍କୁ ସମର୍ଥନ ଦେଇ ଆସିଛନ୍ତି।

ସେ ବି ହୋଇଥିଲେ ଟେଷ୍ଟୋଷ୍ଟେରନର ଶିକାର

୧୯୯୮ କେରଳ ଜାତୀୟ କନିଷ୍ଠ ଦୌଡ଼କୁଦରେ ଦୋହରା ପଦକ ସଫଳତା ଲାଭ କରିବା ପରେ ରେଖାଙ୍କୁ ଏସୀୟ କନିଷ୍ଠ ଦୌଡ଼କୁଦ ନିମନ୍ତେ ଭାରତୀୟ ଶିବିରକୁ ଡାକରା ମିଳିଥିଲା। ହେଲେ ଉକ୍ତ ଶିବିରରେ ଥିବା ସମୟରେ ତାଙ୍କର ଟେଷ୍ଟୋଷ୍ଟେରନ (ପୁରୁଷ ଲକ୍ଷଣଯୁକ୍ତ ହରମୋନ) ସ୍ତର ଅଧିକ ଥିବା କୁହାଯାଇ ଚୂଡ଼ାନ୍ତ ଜାତୀୟ ଦଳରେ ନିଆଯାଇ ନଥିଲା। ବର୍ତମାନ ସମୟରେ ସମାନ ପରିସ୍ଥିତିରେ ଦୂତି ଚାନ୍ଦଙ୍କ ସମର୍ଥନରେ ସାରା ଦେଶ ଛିଡ଼ା ହୋଇଥିଲା ବେଳେ ରେଖାଙ୍କୁ ସହଯୋଗ ପାଇଁ ସେତେବେଳେ କେହି ନଥିଲେ। ଫଳରେ ଅନ୍ତର୍ଜାତୀୟ ପ୍ରତିଯୋଗିତାର ଦ୍ୱାର ଦେଶରୁ ଫେରି ଆସିଥିଲେ ରେଖା। ସେତେବେଳେ ତାଙ୍କ ଖେଳ ଜୀବନକୁ ଏକ ମସ୍ତବଡ଼ ଧକ୍କା ଲାଗିଥିଲା।

ସମ୍ବନ୍ଧିତ ଖବର