ସଙ୍ଗରୋଧ ସାରି ପରିବାରକୁ ଫେରିଲେ ଅଷ୍ଟ୍ରେଲୀୟ କ୍ରିକେଟର୍‌

ମେଲବର୍ଣ୍ଣ: ଆଇପିଏଲ୍‌ ଅଧାରେ ଅଟକିଯିବାର ପ୍ରାୟ ଏକମାସ ହୋଇଯିବ (ମେ’ ୪)। କିନ୍ତୁ ଅଷ୍ଟ୍ରେଲିଆ ଖେଳାଳିମାନେ ବିଭିନ୍ନ ପର୍ଯ୍ୟାୟ ସଙ୍ଗରୋଧ ପରେ ସୋମବାରଠାରୁ ପରିବାରକୁ ଫେରିଛନ୍ତି। ଆଇପିଏଲ୍‌ରେ ସବୁବେଳେ ଅଷ୍ଟ୍ରେଲିଆର ଜୁମ୍ବୋ ଦଳ ଅଂଶଗ୍ରହଣ କରିଥାନ୍ତି। ଖେଳାଳି, ପ୍ରଶିକ୍ଷକ, ଅଧିକାରୀ ଓ ଭାଷ୍ୟକାର ଭାବେ ପ୍ରାୟ ୪୦ ଜଣ ଦାୟିତ୍ବ ତୁଲାଇଥାନ୍ତି। ସେମାନଙ୍କ ମଧ୍ୟରୁ ୩୮ ଜଣ ଦୁଇ ସପ୍ତାହ ତଳେ ଅଷ୍ଟ୍ରେଲିଆରେ ପହଞ୍ଚିଥିଲେ ମଧ୍ୟ ‌ହୋଟେଲ୍ ସଙ୍ଗରୋଧରେ ସମୟ କାଟିଥିଲେ।

ଭାରତ ଯାତ୍ରା କରିଥିବା ନାଗରିକଙ୍କ ପାଇଁ ଅଷ୍ଟ୍ରେଲିଆ ସରକାର ୧୪ ଦିନିଆ ସଙ୍ଗରୋଧ ନିୟମ ରଖିଥିବାରୁ ସେମାନଙ୍କୁ ତୁରନ୍ତ ଘରକୁ ଫେରିବା ସମ୍ଭବ ହୋଇନଥିଲା। ପ୍ୟାଟ୍ କମିନ୍ସ ଘରକୁ ଫେରିବା ମାତ୍ରେ ତାଙ୍କ ଗର୍ଭବତୀ ପତ୍ନୀ ବେକି ବୋଷ୍ଟନଙ୍କୁ ଭେଟିଥିଲେ। ଯାହାର ଏକ ଭିଡିଓକୁ ଜଣାଶୁଣା କ୍ରୀଡ଼ା ସାମ୍ବାଦିକ କ୍ଲୋଏ ଆମଣ୍ଡା ବେଲି ଟ୍ବିଟର୍ ପୃଷ୍ଠାରେ ଛାଡ଼ିଛନ୍ତି। ‘ଭିଡିଓ ଅଫ୍‌ ଦ ଡେ’ ବୋଲି ମଧ୍ୟ ଉଲ୍ଲେଖ କରିଛନ୍ତି। ସୂଚନାଯୋଗ୍ୟ, ଆଇପିଏଲ୍ ଅଟକିଯିବା ପରେ ବିସିସିଆଇ ‌ଅଷ୍ଟ୍ରେଲିଆ ଖେଳାଳିମାନଙ୍କୁ ଚାଟାର୍ଟ ଫ୍ଲାଇଟରେ ମାଳଦ୍ବୀପ ପଠାଇଥିଲା। ସେଠାରେ ସଙ୍ଗରୋଧ ପରେ ସିଡନି ପହଞ୍ଚି ମଧ୍ୟ ଆଉ ଦୁଇ ସପ୍ତାହ ସଙ୍ଗରୋଧ ନିୟମ ଅନୁସରଣ କରିଥିଲେ। କମିନ୍ସଙ୍କ ବାଦ୍‌ ଷ୍ଟିଭେନ୍ ସ୍ମିଥ୍, ଡେଭିଡ୍ ୱାର୍ଣ୍ଣର, ଗ୍ଲେନ୍ ମ୍ୟାକ୍ସୱେଲ୍‌, ହେନରିକ ମୋଜେସ, ମାର୍କସ ଷ୍ଟୋଇନିସ୍‌, ଜାସନ୍ ବେହରନଡର୍ଫ ପ୍ରମୁଖ ବହୁ ପ୍ରତୀକ୍ଷିତ ଘରୁ ବାହୁଡିଛନ୍ତି।

ସମ୍ବନ୍ଧିତ ଖବର