ସମ୍ବଲପୁରରେ ୧୪୪ ଧାରା ଆଉ ୩ ଦିନ ବଢ଼ିଲା  

ସମ୍ବଲପୁର: ସମ୍ବଲପୁରରେ ଓକିଲମାନେ କାର୍ଯ୍ୟରେ ଯୋଗ ନଦେବା କାରଣରୁ ବିଚାରଗତ ଅଚଳାବସ୍ଥା ଜାରି ରହିଛି। ସାଧାରଣ ଲୋକ ନ୍ୟାୟଗତ କାର୍ଯ୍ୟ ପାଇଁ ଅଦାଲତକୁ ଆସି ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ନ୍ୟାୟିକ କାର୍ଯ୍ୟ ବା ବିଭିନ୍ନ ମୋକଦ୍ଦମା ଆଗକୁ ବଢ଼ିବା ଠପ୍ ହୋଇଯାଇଛି। ଅପରପକ୍ଷରେ ଗତ କଚେରି ଅଞ୍ଚଳରେ ଜାରି ହୋଇଥିବା ୧୪୪ ଧାରାକୁ ପୁଣି ବୃଦ୍ଧି କରାଯାଇଛି। ଏହା ୨୪ ତାରିଖ ସକାଳେ ଶେଷ ହେବାକୁ ଥିବାବେଳେ ୨୪ ତାରିଖ ସକାଳ ୮ଟାରୁ ୨୭ ତାରିଖ ଦିନ ୧୦ଟା ପର୍ଯ୍ୟନ୍ତ ୩ ଦିନ ବୃଦ୍ଧି କରାଯାଇଛି।

ଜିଲ୍ଲା ଅଦାଲତର ଚାରିପାଖରେ ୫୦ ମିଟର୍‌ ପରିସରରେ ଏହି ୧୪୪ ଧାରା ଜାରି କରା ଯାଇଥିବା ନେଇ ସଦର ଉପଜିଲ୍ଲାପାଳ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ଗତ ୧୨ ତାରିଖର ଅଭାବନୀୟ ଘଟଣା ପରଠାରୁ କଚେରି ଅଞ୍ଚଳକୁ ଲୋକଙ୍କ ଆଗମନ ଅପେକ୍ଷାକୃତ କମ୍ ରହିଛି। ଯେଉଁମାନେ ଆସୁଛନ୍ତି ବିଶେଷ କିଛି ଉପକୃତ ହୋଇପାରୁ ନାହାନ୍ତି। ଜିଲ୍ଲା କୋର୍ଟ ଗେଟ୍ ନିକଟରେ ସହାୟତା ଡେସ୍କ ଖୋଲା ଯାଇଛି। ହେଲେ ତାହା କୌଣସି କାମକୁ ଆସୁ ନାହିଁ। କଚେରି ଛକଠାରେ ପୁଲିସ୍ ପକ୍ଷରୁ ବ୍ୟାରିକେଡ୍ ଲାଗିଥିବାରୁ ନିହାତି ଜରୁରୀ କାମ ନଥିଲେ କେହି କଚେରି ଅଞ୍ଚଳକୁ ଯାଉ ନାହାନ୍ତି।

ଜିଲ୍ଲା ଓକିଲ ସଂଘ କାର୍ଯ୍ୟାଳୟ ଓ କଚେରି ବଜାର ଖାଁଖାଁ ଲାଗୁଛି। ଓକିଲ, ନୋଟାରି, ଷ୍ଟାମ୍ପ ଭେଣ୍ଡର, ଡିଡ୍‌ ରାଇଟର୍‌, ମୁନ୍‌ସିଙ୍କଠାରୁ ଆରମ୍ଭ କରି ଉକ୍ତ ଅଞ୍ଚଳରେ ଦୋକାନ ବଜାର କରିଥିବା ପ୍ରତିଟି ବ୍ୟକ୍ତିର ଜୀବନଜୀବିକା ଏକପ୍ରକାର ଠପ୍ ହୋଇଯାଇଛି। ଗତ ୧୨ ତାରିଖଠାରୁ କଚେରି ଅଞ୍ଚଳର ଅନେକ ଦୋକାନବଜାର ସଂପୂର୍ଣ୍ଣ ବନ୍ଦ ରହିଛି। ଯେଉଁ କିଛି ଦୋକାନ ଖୋଲୁଛି, ସେମାନଙ୍କ ବ୍ୟବସାୟ ବି ଚାଲୁ ନାହିଁ। ପୂର୍ବରୁ ବି ଓକିଲ ଆନ୍ଦୋଳନ କାରଣରୁ ଲମ୍ବା ସମୟ ପାଇଁ ଅଦାଲତି କାର୍ଯ୍ୟ ବନ୍ଦ ହେବାର ନଜିର ରହିଛି। କିନ୍ତୁ ଏଥର ପରିସ୍ଥିତି ଭିନ୍ନ ରହିଛି। ଅନେକ ଆଇନ୍‌ଜୀବୀ ଜେଲ୍‌ରେ ଥିବାବେଳେ ଅନ୍ୟମାନେ ବି ଆଶଂକାରେ ରହିଛନ୍ତି। ଗତ ୧୨ ତାରିଖ ଦିନ ଆନ୍ଦୋଳନରେ ସାମିଲ ହୋଇଥିବା ହଜାର ହଜାର ସହରବାସୀ ତଥା ସାଧାରଣଙ୍କ ଲୋକଙ୍କ ମଧ୍ୟରେ ବି ଭୟର ବାତାବରଣ ରହିଛି। ପରିସ୍ଥିତି କେବେ ସ୍ବାଭାବିକ ହେ‌ବ ତାହା ଏବେ ବି ଅନିଶ୍ଚିତ ହୋଇ ରହିଛି।

ସମ୍ବନ୍ଧିତ ଖବର