ଚତୁର୍ଥ ପର୍ଯ୍ୟାୟ ବିଧାୟକ ପ୍ରାର୍ଥୀଙ୍କ ସତ୍ୟପାଠ ସମୀକ୍ଷା: ବା‌ଲେଶ୍ବରର ଦୁଇ ସୁବାସିନୀ ଧନୀ

୧୨୧ଜଣ କୋଟିପତି, ବିଜେଡିରେ ସର୍ବାଧିକ

ଭୁବନେଶ୍ବର,: ଜୁନ୍‌ ୧ତାରିଖରେ ଓଡ଼ିଶାରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ୬ଟି ଲୋକସଭା କ୍ଷେତ୍ର ଅଧୀନ ୪୨ଟି ବିଧାନସଭା ନିର୍ବାଚନମଣ୍ଡଳୀରେ ଅନୁଷ୍ଠିତ ହେବାକୁ ଥିବା ନିର୍ବାଚନରେ ୩୯୪ ଜଣ ବିଧାୟକ ପ୍ରାର୍ଥୀ ରହିଛନ୍ତି। ସେମାନଙ୍କ ସତ୍ୟପାଠରୁ ଜଣାପଡ଼ିଛି ଯେ ୯୬ ଜଣ ଅର୍ଥାତ୍ ୨୪% ପ୍ରାର୍ଥୀଙ୍କ ନାମରେ ଆପରାଧିକ ମାମଲା ରହିଛି। ୮୮ ଜଣଙ୍କ ନାମରେ ଗୁରୁତର ମାମଲା ରହିଥିବା ବେଳେ ୧୭ ଜଣଙ୍କ ନାମରେ ହତ୍ୟା ଉଦ୍ୟମ ମାମଲା ରହିଛି। ୨୦ ଜଣଙ୍କ ନାମରେ ମହିଳା ବିରୋଧୀ ମାମଲା ଓ ଦୁଇଙ୍କ ନାମରେ ଦୁଷ୍କର୍ମ ଭଳି ମାମଲା ଥିବା ଜଣାପଡ଼ିଛି। ବିଜେପିର ୪୨ ପ୍ରାର୍ଥୀଙ୍କ ମଧ୍ୟରୁ ୨୮, ବିଜେଡିର ୪୨ଜଣଙ୍କ ମଧ୍ୟରୁ ୧୩, କଂଗ୍ରେସର ୪୨ ପ୍ରାର୍ଥୀଙ୍କ ମଧ୍ୟରୁ ୧୧, ସିପିଆଇର ୩ଜଣଙ୍କ ମଧ୍ୟରୁ ୨, ସିପିଆଇ(ଏମ୍‌)ର ୩ଜଣଙ୍କ ମଧ୍ୟରୁ ଜଣେ ପ୍ରାର୍ଥୀଙ୍କ ନାମରେ ଆପରାଧିକ ମାମଲା ରହିଥିବା ଆସୋସିଏସନ୍ ଫର୍ ଡେମୋକ୍ରେଟିକ୍ ରିଫର୍ମସ(ଏଡିଆର) ଓ ଓଡ଼ିଶା ଇଲେକ୍ସନ୍ ୱାଚ୍ ପକ୍ଷରୁ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ହେବାକୁ ଥିବା ନିର୍ବାଚନମଣ୍ଡଳୀର ପ୍ରାର୍ଥୀଙ୍କ ସତ୍ୟପାଠ ବିଶ୍ଳେଷଣରୁ ସୂଚନା ମିଳିଛି।

୧୨୧ଜଣ କୋଟିପତି, ବିଜେଡିରେ ସର୍ବାଧିକ
୯୬ ପ୍ରାର୍ଥୀଙ୍କ ନାଁରେ ଆପରାଧିକ ମାମଲା
ଦୁଇ ଜଣ ପ୍ରାର୍ଥୀଙ୍କର ଆଦୌ ସମ୍ପତ୍ତି ନାହିଁ

ବିଶ୍ଲେଷଣ ହୋଇଥିବା ୩୯୪ ଜଣଙ୍କ ମଧ୍ୟରୁ ୧୨୧ ଜଣ ଅର୍ଥାତ୍ ୩୧% ବିଧାୟକ ପ୍ରାର୍ଥୀ କୋଟିପତି। ୪୧ ଜଣଙ୍କ ସମ୍ପତ୍ତିର ମୂଲ୍ୟ ୫ କୋଟିରୁ ଅଧିକ, ୩୬ଜଣଙ୍କର ସମ୍ପତ୍ତିର ମୂଲ୍ୟ ୨ରୁ ୫ କୋଟି, ୫୦ ଲକ୍ଷରୁ ୨ କୋଟି ମଧ୍ୟରେ ୮୮ଜଣ, ୧୦ ଲକ୍ଷରୁ ୫୦ ଲକ୍ଷ ମଧ୍ୟରେ ୮୧ଜଣ ଓ ୧୪୮ଜଣ ପ୍ରାର୍ଥୀଙ୍କର ସମ୍ପତ୍ତି ମୂଲ୍ୟ ୧୦ ଲକ୍ଷରୁ କମ୍ ରହିଛି। ବିଜେଡିରେ ସବୁଠାରୁ ଅଧିକ ୩୭ ଜଣ କୋଟିପତି ପ୍ରାର୍ଥୀ ରହିଛନ୍ତି। ଏହା ତଳକୁ ବିଜେପିରେ ୩୦, କଂଗ୍ରେସରେ ୨୧, ସିପିଆଇର ଜଣେ ଓ ସିପିଆଇ(ଏମ୍‌)ର ଜଣେ କୋଟିପତି ପ୍ରାର୍ଥୀ ରହିଛନ୍ତି। ବାଲେଶ୍ବର ଜିଲ୍ଲା ବସ୍ତା ନିର୍ବାଚନମଣ୍ଡଳୀର ବିଜେଡି ପ୍ରାର୍ଥୀ ସୁବାସିନୀ ଜେନା ଏହି ପର୍ଯ୍ୟାୟର ସବୁଠୁ ଧନୀ ବିଧାୟକ ପ୍ରାର୍ଥୀ। ତାଙ୍କ ସମ୍ପତ୍ତିର ମୂଲ୍ୟ ୧୩୫ କୋଟି ଟଙ୍କା ରହିଛି। ୯୧ କୋଟି ଟଙ୍କାର ସମ୍ପତ୍ତି ସହ ସିମୁଳିଆର ବିଜେଡି ବିଧାୟକ ପ୍ରାର୍ଥୀ ସୁବାସିନୀ ସାହୁ ଦ୍ୱିତୀୟ ଓ ୮୬ କୋଟି ଟଙ୍କା ସମ୍ପତ୍ତି ସହ ଭଣ୍ଡାରୀପୋଖରୀର କଂଗ୍ରେସ ବିଧାୟକ ପ୍ରାର୍ଥୀ ନିରଞ୍ଜନ ପଟ୍ଟନାୟକ ତୃତୀୟ ସ୍ଥାନରେ ରହିଛନ୍ତି। ଏହି ପର୍ଯ୍ୟାୟରେ ଏମିତି ଦୁଇଜଣ ପ୍ରାର୍ଥୀ ରହିଛନ୍ତି, ଯେଉଁମାନଙ୍କର ଆଦୌ ସମ୍ପତ୍ତି ନାହିଁ। ସେମାନେ ହେଲେ ଧାମନଗରର ସ୍ବାଧୀନ ପ୍ରାର୍ଥୀ ସଞ୍ଜୟ କୁମାର ଦାସ ଓ କୋରେଇର ଏପିଆଇ ପାର୍ଟିର ପ୍ରାର୍ଥୀ ଗୋପାଳକୃଷ୍ଣ ମହାନ୍ତି। ସେହିପରି ଉଦଳାର ସ୍ବାଧୀନ ପ୍ରାର୍ଥୀ ବେଣୁଧର ମହାପାତ୍ରଙ୍କର ସମ୍ପତ୍ତି ୬୪୫ ଟଙ୍କା ଥିବା ବେଳେ ବସ୍ତାର ଝରଣାରାଣୀ ଜେନାଙ୍କ ସମ୍ପତ୍ତିର ମୂଲ୍ୟ ୧୦୦୦ ଓ ନିମାପଡ଼ା ଜନମହାଭାରତ ପାର୍ଟି ପ୍ରାର୍ଥୀ ଗୋପାଳକୃଷ୍ଣ ବେହେରାଙ୍କ ସମ୍ପତ୍ତିର ମୂଲ୍ୟ ୨,୬୭୧ ଟଙ୍କା ରହିଛି।

୩୯୪ ବିଧାୟକ ପ୍ରାର୍ଥୀଙ୍କ ମଧ୍ୟରୁ ୯ ଜଣ ପ୍ରାର୍ଥୀ ପଞ୍ଚମ ପାସ୍ କରିଛନ୍ତି। ୧୪୯ଜଣ ଅର୍ଥାତ୍ ୩୮% ପ୍ରାର୍ଥୀଙ୍କ ଶିକ୍ଷାଗତ ଯୋଗ୍ୟତା ପଞ୍ଚମରୁ ଦ୍ବାଦଶ ଶ୍ରେଣୀ ମଧ୍ୟରେ ରହିଛି। ୨୨୦ଜଣ ଅର୍ଥାତ୍ ୫୬% ପ୍ରାର୍ଥୀ ସ୍ନାତକ କିମ୍ବା ତା’ଠାରୁ ଅଧିକ ଶିକ୍ଷା ଗ୍ରହଣ କରିଛନ୍ତି। ୬ ଜଣ ପ୍ରାର୍ଥୀ ଡକ୍ଟରେଟ୍ ଡିଗ୍ରି ହାସଲ କରିଛନ୍ତି। ମୋଟ ପ୍ରାର୍ଥୀଙ୍କ ମଧ୍ୟରେ ୬୧ ଜଣ ମହିଳା ରହିଛନ୍ତି। ୧୦୧ଜଣ ପ୍ରାର୍ଥୀଙ୍କ ବୟସ ୨୫ରୁ ୪୦ ବର୍ଷ ମଧ୍ୟରେ ରହିଥିବା ବେଳେ ୨୪୦ଜଣଙ୍କର ୪୧ରୁ ୬୦ ବର୍ଷ ବୟସ ମଧ୍ୟରେ ରହିଛି। ୫୨ଜଣଙ୍କ ବୟସ ୬୧ରୁ ୮୦ ବର୍ଷ ମଧ୍ୟରେ ଅଛି। ଜଣେ ପ୍ରାର୍ଥୀଙ୍କର ବୟସ ୮୧ ବର୍ଷ ବୋଲି ବିଶ୍ଲେଷଣରୁ ଜଣାପଡ଼ିଛି। ରେଡକ୍ରସ୍ ଭବନଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶା ଇଲେକ୍ସନ ୱାଚ୍‌ର ସଂଯୋଜକ ରଞ୍ଜନ କୁମାର ମହାନ୍ତି, କୋର୍‌ ଟିମ୍‌ ସଦସ୍ୟ ସହଦେବ ସାହୁ, ସେବା ମହାପାତ୍ର ଓ କ୍ଷମାକର ସ୍ବାଇଁ ଉପସ୍ଥିତ ରହି ପ୍ରାର୍ଥୀଙ୍କ ସତ୍ୟପାଠର ବିଶ୍ଲେଷଣ ରିପୋର୍ଟ ଉନ୍ମୋଚନ କରିଥିଲେ।

ସମ୍ବନ୍ଧିତ ଖବର