କଲ୍‌ମାର ପଡ଼ିଲା ୬୩ ଗେଟ୍, ହୀରାକୁଦ ଜଳସ୍ତର ପ୍ରଭାବିତ

ସମ୍ବଲପୁର: ଏଥର ବି ଛତିଶଗଡ଼ ସରକାର କଲ୍‌ମା ବ୍ୟାରେଜର ସମସ୍ତ ଗେଟ୍ ବନ୍ଦ କରିବା ସ୍ଥିତିରେ ପହଞ୍ଚିଛି। ୬୬ଟି ଗେଟ୍‌ ମଧ୍ୟରୁ ୬୩ଟି ଗେଟ୍ ପୂରା ବନ୍ଦ ରହିଛି। ନାମକୁ ମାତ୍ର ୩ଟି ଗେଟ୍ ଅଳ୍ପ ଖୋଲା ରହିଛି। ଏଭଳି ସ୍ଥିତିରେ ହୀରାକୁଦ ଜଳଭଣ୍ଡାରକୁ ଜଳପ୍ରବେଶ ବହୁ ମାତ୍ରାରେ କମିଗଲାଣି। ଜଳଭଣ୍ଡାରକୁ ଅପରାହ୍‌ଣ ୩ଟାରେ ମାତ୍ର ୫୯୯୭ କ୍ୟୁସେକ୍ ପ୍ରବେଶ କରୁଥିବା ଜଣାପଡ଼ିଛି। ଓଡ଼ିଶାର ଜୀବନରେଖା ମହାନଦୀର ଉପର ମୁଣ୍ଡରେ ଛତିଶଗଡ଼ର ମନମୁଖି ବ୍ୟାରେଜ ନିର୍ମାଣ ଯୋଗୁ ଅଣମୌସୁମୀ ସମୟରେ ହୀରାକୁଦ ଜଳଭଣ୍ଡାରକୁ ଜଳପ୍ରବେଶ ହାର କମିବାରେ ଲାଗିଛି। ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ମହାନଦୀ ଓ ଏହାର ଉପନଦୀଗୁଡ଼ିକ ଉପରେ ନିର୍ଭର କରିଥାଏ। ହୀରାକୁଦ ଜଳଭଣ୍ଡାର କ୍ୟାଚ୍‌ମେଣ୍ଟ ଅଂଚଳର ପାଖାପାଖି ୯୦ ପ୍ରତିଶତ ଛତିଶଗଡ଼ରେ ରହିଥିବା ବେଳେ ବାକି ଅଂଚଳ ଓଡ଼ିଶାରେ ରହିଛି। ମୌସୁମୀ ଋତୁରେ(ଜୁନ୍‌ରୁ ଅକ୍ଟୋବର ମାସ)ରେ ହୀରାକୁଦକୁ ଯେତିକି ପାଣି ଆସିଥାଏ, ଅଣମୌସୁମୀ ଋତୁରେ(ନଭେମ୍ବରରୁ ମେ)ରେ ତାଠାରୁ ଯଥେଷ୍ଟ କମ୍‌ ପାଣି ଜଳଭଣ୍ଡାରକୁ ପ୍ରବେଶ କରିଥାଏ। ହୀରାକୁଦ ଜଳଭଣ୍ଡାରଠାରୁ ଅଳ୍ପ କିଛି ଦୂରରେ ଛତିଶଗଡ଼ ସରକାର ନିଜ ସୀମାରେ ମହାନଦୀରେ କଲ୍‌ମା ବ୍ୟାରେଜ ନିର୍ମାଣ କରିଥିବା ବେଳେ ଏହା ଉପରେ ପୁଣି ସାରାଡ଼ିହ, ବସନ୍ତପୁର, ମିରୋନି, ସିଉରି ନାରାୟଣ, ସମୋଦା ଆଦି ବ୍ୟାରେଜ ରହିଛି।

ଛତିଶଗଡ଼ ସରକାର ନିଜ ପୂର୍ବ ଯୋଜନା ଅନୁଯାୟୀ ଉପର ମୁଣ୍ଡରେ ଥିବା ବ୍ୟାରେଜଗୁଡ଼ିକ ଗୋଟିଏ ଗୋଟିଏ ବ୍ୟାରେଜର ଗେଟ୍‌ ବନ୍ଦ କରିଥାଏ। ସବାଶେଷରେ କଲମା ବ୍ୟାରେଜର ଗେଟ୍ ବନ୍ଦ କରିଥାଏ। ୧୨ ତାରିଖ ‌ବେଳକୁ ସାରାଡ଼ିହ ବ୍ୟାରେଜର ୮୧ଟି ଗେଟ୍‌ ମଧ୍ୟରୁ ୭୫ଟି ଗେଟ୍‌ ବନ୍ଦ କରିସାରିଥିଲା। ପ୍ରାୟ ୧ କିଲୋମିଟର ୯୮ ମିଟର ଦୈର୍ଘ୍ୟ ବିଶିଷ୍ଟ କଲ୍‌ମା ବ୍ୟାରେଜରେ ଛତିଶଗଡ଼ ପଟେ ଏବେ ପାଣି ଲହଡ଼ି ଭାଂଗୁଥିବା ବେଳେ ଓଡ଼ିଶା ପଟକୁ ମହାନଦୀ ଶୁଖିଲା ପ୍ରାୟ। ୩ଟି ଗେଟ୍ ଖୋଲା ଥିଲେହେଁ ମାତ୍ର ୫୯୯୭ କ୍ୟୁ‌ସେକ୍ ପାଣି ମହାନଦୀରେ ଆସୁଛି। ଅକ୍ଟୋବର ଶେ‌ଷ ସୁଦ୍ଧା ଛତିଶଗଡ଼ କଲ୍‌ମାର ସବୁ ଗେଟ୍ ବନ୍ଦ କରିବାର ଯୋଜନା ରଖିଛି। କଲ୍‌ମା ବ୍ୟାରେଜରୁ ୮ଟି ଶିଳ୍ପାନୁଷ୍ଠାନକୁ ଜଳଯୋଗାଣ ନିମନ୍ତେ ଛତିଶଗଡ଼ ସରକାର ଚୁକ୍ତି କରିଛନ୍ତି। ଏଥର ଆଗୁଆ ବ୍ୟାରେଜଗୁଡ଼ିକର ଗେଟ୍‌ ପକାଇବା ଆରମ୍ଭ କରିଥିବାରୁ ଏହାର ପ୍ରଭାବ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ଉପରେ ବି ପଡ଼ିଛି। ଆଜି ଜଳଭଣ୍ଡାରର ଜଳସ୍ତର ୬୨୮.୪୩ ଫୁଟ୍‌କୁ ଖସି ଆସିଲାଣି। ଜଳଭଣ୍ଡାରକୁ ଯେତିକି ପାଣି ଆସୁଛି, ସେତିକି ନିଷ୍କାସିତ ହେଉଛି। ଜଳବିଦ୍ୟୁତ ଉତ୍ପାଦନ ନିମନ୍ତେ ପାୱାର ଚାନେଲରେ ଅଧିକ ପାଣି ଛଡ଼ାଗଲେ ଜଳସ୍ତର ଆହୁରି ଶୀଘ୍ର ଖସିବ।

ସମ୍ବନ୍ଧିତ ଖବର