ପାର୍ବଣ ଋତୁରେ ମନ ମୋହୁଛି ହାଲୁକା ଗହଣା

ଭୁବନେଶ୍ବର: ପାର୍ବଣ ଋତୁରେ ବଜାର ସମ୍ପୂର୍ଣ୍ଣ ସରଗରମ ରହିଛି। ସୁନା ‌ଦୋକାନଗୁଡ଼ିକରେ ତାହା ପ୍ରତିଫଳନ ଦେଖିବାକୁ ମିଳିଛି। କିଣାକିଣି ଲାଗି ଗ୍ରାହକମାନଙ୍କ ଭିଡ଼ ଲାଗୁଛି। ଚଳିତ ବର୍ଷ ପୂଜାରେ ଗ୍ରାହକମାନଙ୍କ କିଣିବା ମାନସିକତା ସ୍ପଷ୍ଟ ଥିବା ଭଳି ମନେ ହେଉଛି। ଦୋକାନକୁ ଆସୁଥିବା ଗ୍ରାହକମାନେ ଜାଣିଛନ୍ତି ସେମାନଙ୍କୁ କ’ଣ ଦରକାର। ଏଥର ପୂଜାରେ ହାଲୁକା ଗହଣା ଅଧିକ ବିକ୍ରି ହେଉଛି। ଜେମ୍‌ଷ୍ଟୋନ୍‌ ଖଚିତ ଗହଣା, ହୀରା ଗହଣାର ବିକ୍ରି ବି ଉତ୍ସାହଜନକ ରହିଛି। ସ୍ବାଭାବିକ ଭାବେ ସୁନା ମୁଦି, କାନ ଫୁଲ, ଚୂଡ଼ି ଓ ହାର ମଧ୍ୟ ବିକ୍ରି ହେଉଛି।

ଏ ସମ୍ପର୍କରେ ମାଲାବାର ଗୋଲ୍ଡ ଆଣ୍ଡ୍ ଡାଇମଣ୍ଡ୍‌ସର ସହିଦନଗର ଷ୍ଟୋର୍‌ର ମାର୍କେଟିଂ ମ୍ୟାନେଜର ସିଦ୍ଧେଶ୍ବର ରଥ କହିଛନ୍ତି ଯେ ଚଳିତ ବର୍ଷ ପୂଜାରେ ଗ୍ରାହକମାନଙ୍କ ହାଲୁକା ଗହଣା ପ୍ରତି ଆଗ୍ରହ ବଢ଼ିଥିବା ଜଣାପଡ଼ୁଛି। ଏହା ପଛର ମୁଖ୍ୟ କାରଣ ହେଉଛି ଯେକୌଣସି ପ୍ରକାର ପୋଷାକ ସହିତ ତାହାକୁ ପିନ୍ଧି ହେଉଛି। କର୍ମକ୍ଷେତ୍ରକୁ ଯାଉଥିବା ମହିଳାମାନେ ମଧ୍ୟ ତାହାକୁ ପିନ୍ଧି ପାରୁଛନ୍ତି। ହାଲୁକା ହୋଇଥିବାରୁ ଗହଣାକୁ ନେଇ ବିପଦ ମଧ୍ୟ କମ୍ ରହୁଛି।

ସେହିପରି ବିଭିନ୍ନ ପ୍ରକାର ଜେମ୍‌ଷ୍ଟୋନ୍‌ ଖଚିତ ଗହଣା ଲୋକମାନେ କିଣୁଥିବା ଦେଖାଯାଉଛି। ନିଜ ପୋଷାକର ରଙ୍ଗ ସହ ଖାପଖାଇବା ଭଳି ଜେମ୍‌ଷ୍ଟୋନ୍‌ ସେମାନେ ଚୟନ କରୁଛନ୍ତି। ସୁନା ଦୋକାନରେ ପ୍ରବେଶ କରୁଥିବା ଅଧିକାଂଶ ଗ୍ରାହକଙ୍କ ବୟସ ୩୦-୪୫ ବର୍ଷ ମଧ୍ୟରେ ରହିଛି। ଗତ ୧୦ ଦିନ ଭିତରେ ‌ଗ୍ରାହକଙ୍କ ସଂଖ୍ୟା ବଢ଼ିଛି। ସ୍ବାଭାବିକ ଦିନ ତୁଳନାରେ ୨୦ ପ୍ରତିଶତ ଅଧିକ ଗ୍ରାହକ ଷ୍ଟୋରରେ ପ୍ରବେଶ କରୁଛନ୍ତି। ପୂଜା ପାଇଁ ଅଧିକ ଲୋକ କିଣିବାକୁ ଆସୁଛନ୍ତି। ହାରାହାରି ଭାବେ ଗ୍ରାହକ ପିଛା ୧-୧.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତର ଗହଣା ବିକ୍ରି ହେଉଛି।

ସମ୍ବନ୍ଧିତ ଖବର