ଜାତୀୟ ରାଜପଥ ନିର୍ମାଣରେ ବାଧକ ମାଳମାଳ ମାମଲା: ଅସମ୍ପୂର୍ଣ୍ଣ କାମ ପାଇଁ ବଢ଼ୁଛି ଦୁର୍ଘଟଣା

ପଡ଼ିଛି ୫୦୦ରୁ ଅଧିକ ମାମଲା, ଜମି ଅଧିଗ୍ରହଣ କାର୍ଯ୍ୟାଳୟ ଅବଧି ଆଉ ବର୍ଷେ ବଢ଼ିବ

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥ ନିର୍ମାଣରେ ବାଧକ ସାଜିଛି ମାମଲା। ଜମି ଅଧିଗ୍ରହଣ ସମ୍ପର୍କିତ ମାଳମାଳ ମାମଲା ପଡ଼ିଥିବାରୁ ରାଜପଥ ନିର୍ମାଣ ସମ୍ପୂର୍ଣ୍ଣ ହେବାରେ ବିଳମ୍ବ ହେଉଛି। ଅସଂପୂର୍ଣ୍ଣ ନିର୍ମାଣ ପାଇଁ ଦୁର୍ଘଟଣା ଘଟି ଲୋକେ ମୃତାହତ ହେଉଛନ୍ତି।
ସିଙ୍ଗଡା-ବିଂଝବାହାଳ ଜାତୀୟ ରାଜପଥର ଜମି ଅଧିଗ୍ରହଣ ସମ୍ପର୍କିତ ମୋଟ ୧୧୩୧ଟି ମାମଲା ମଧ୍ୟରୁ ଏବେ ସୁଦ୍ଧା ୮୬୫ଟିର ବିଚାର ସରିଛି। ଆହୁରି ୨୬୬ଟି ମାମଲା ପଡ଼ିରହିଛି।

ସେହିପରି ରିଟ୍‌ ପିଟିସନ ମାମଲା ସଂଖ୍ୟା ହେଉଛି ୧୦। ଏଥିରୁ ଦୁଇଟିର ବିଚାର ଶେଷ ହୋଇଥିବା ବେଳେ ୮ଟି ବିଚାରାଧୀନ ରହିଛି। ୨୭ଟି ସିଭିଲ ସୁଟ୍‌ ମାମଲା ମଧ୍ୟରୁ ଦୁଇଟିର ସମାଧାନ ହୋଇଥିବା ବେ‌ଳେ ୨୫ଟି ପଡ଼ିରହିଛି। ୧୭୧ଟି ରେଫରାଲ ‌ମାମଲା ମଧ୍ୟରୁ ୪ଟି ବିଚାର ସରିଛି। ୧୬୭ଟି ବାକି ରହିଛି। ସେହିପରି ଆର୍‌ବିଟ୍ରେସନ ମାମଲା ୮୨ଟି ମଧ୍ୟରୁ ୪୭ଟିର ବିଚାର ସରିଛି। ୩୫ଟି ମାମଲା ବିଚାର ନହୋଇ ପଡ଼ିଛି।

ସେହିପରି ଅପିଲ କେସ୍‌ ୧୦ଟିରୁ ୩ଟିର ବିଚାର ଶେଷ ହୋଇଛି। ୭ଟି ବିଚାରାଧୀନ ରହିଛି। ସିଏମ୍ଏ ମାମଲା ୧୯ଟି ମଧ୍ୟରୁ ଦୁଇଟିର ବିଚାର ଶେଷ ହୋଇଥିବା ବେଳେ ୧୭ଟି ପଡ଼ିଛି। ମୋଟ ୧୪୫୦ଟି ମାମଲା ହୋଇଥିବା ବେଳେ ୯୨୮ଟିର ବିଚାର ସରିଛି। ୫୨୨ଟି ବିଚାରାଧୀନ ରହିଛି। ବହୁ ସଂଖ୍ୟାରେ ମାମଲା ବିଚାର ନହୋଇ ପଡ଼ିଥିବାରୁ ଜମି ଅଧିଗ୍ରହଣ ଅବଧି ଆହୁରି ବର୍ଷେ ବଢ଼ାଯିବ। ୨୦୨୩ ମେ ୧ରୁ ୨୦୨୪ ଏପ୍ରିଲ ୩୧ ପର୍ଯ୍ୟନ୍ତ ଏହି ଜମି ଅଧିଗ୍ରହଣ କାର୍ଯ୍ୟାଳୟର ଅବଧି ବଢ଼ିବ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର