ଟିକେଟ କଟିବା ପରେ ମତିଗତି ବଦଳିଗଲା: ଦଳ ଯାହା ନିର୍ଦ୍ଦେଶ ଦେବ ମାନିବି: ବିଶ୍ବେଶ୍ବର

କାହିଁକି ଟିକେଟ୍‌ କାଟିଲେ ଜବାବ ମାଗିବି: ବୁଢ଼ାନ

ବାରିପଦା: ମୟୂରଭଞ୍ଜ ସାଂସଦ ବିଶ୍ବେଶ୍ବର ଟୁଡ଼ୁ ଓ ସାରସକଣା ବିଧାୟକ ବୁଢ଼ାନ୍‌ ମୁର୍ମୁ ନିଜ ନିଜର ରାଜନୈତିକ ଭବିଷ୍ୟତକୁ ନେଇ ଏବେ ଦ୍ବନ୍ଦ୍ବରେ। ବିଜେପି ଏଥର ଉଭୟଙ୍କୁ ଟିକେଟ୍‌ ଦେଇନଥିବାରୁ ଏହି ଦୁଇ ନେତାଙ୍କ ପରବର୍ତ୍ତୀ କାର୍ଯ୍ୟପନ୍ଥା ଉପରେ ସମସ୍ତଙ୍କର ନଜର ରହିଛି। ଆଦିବାସୀ ବର୍ଗର ଏହି ଦୁଇ ନେତା ବେଶ୍‌ ଉଚ୍ଚଶିକ୍ଷିତ। ରାଜନୀତିକୁ ଆସିବା ପୂର୍ବରୁ ମାଲକାନଗିରି ଜିଲ୍ଲା ବାଲିମେଳା ଜଳବିଦ୍ୟୁତ୍‌ ଉତ୍ପାଦନ କେନ୍ଦ୍ରରେ ବରିଷ୍ଠ ଯନ୍ତ୍ରୀ ଭାବେ କାର୍ଯ୍ୟ କରୁଥିଲେ ବିଶ୍ବେଶ୍ବର। ସେହିପରି ବୁଢ଼ାନ ମୁର୍ମୁ ସରକାରୀ ଡାକ୍ତର ଭାବେ କାର୍ଯ୍ୟ କରୁଥିଲେ। ୨୦୧୯ରେ ଚାକିରି ଛାଡ଼ି ବିଜେପିରେ ଯୋଗ ଦେଇ ପ୍ରଥମ ପ୍ରୟାସରେ ଉଭୟ ନିର୍ବାଚନ ବୈତରଣୀ ପାର୍‌ ହୋଇଥିଲେ। ଲୋକପ୍ରିୟତାରେ ବିଶ୍ବେଶ୍ବର ଆଉ ପାଦେ ଆଗକୁ ଯାଇ ରାଜ୍ୟ ବିଜେପିର ଚର୍ଚ୍ଚିତ ଚେହେରା ଭାବେ ଉଭା ହେବା ସହ କେନ୍ଦ୍ରରେ ଆଦିବାସୀ ଉନ୍ନୟନ ଓ ଜଳଶକ୍ତି ବିଭାଗର ରାଷ୍ଟ୍ରମନ୍ତ୍ରୀ ମଧ୍ୟ ହୋଇଥିଲେ। ୫ ବର୍ଷ ତ‌ଳେ ବିନା କୌଣସି ରାଜନୈତିକ ଅଭିଜ୍ଞତା ସତ୍ତ୍ବେ ବିଜେପି ଏହି ଦୁଇ ନେତାଙ୍କ ଉପରେ ଗଭୀର ଆସ୍ଥା ପ୍ରକଟ କରିଥିଲା। ହେଲେ, ଏଥର ସେମାନଙ୍କ ପତା କାଟି ଦେଇଛି।

ଦଳର ଏହି ନିଷ୍ପତ୍ତିକୁ ନେଇ ବିଶ୍ବେଶ୍ବର ଓ ବୁଢ଼ାନଙ୍କ ସହ ସେମାନଙ୍କର ସମର୍ଥକ ମଧ୍ୟ ନୈରାଶ୍ୟ ପ୍ରକଟ କରିଛନ୍ତି। ତେବେ ପୂର୍ବରୁ ନିଜ ବିବାଦୀୟ ବୟାନ ପାଇଁ ସବୁବେଳେ ଚର୍ଚ୍ଚାରେ ରହୁଥିବା ବିଶ୍ବେଶ୍ବର ଟିକେଟ୍‌ରୁ ବଞ୍ଚିତ ହୋଇ ବିଚଳିତ ହେବା ପରିବର୍ତ୍ତେ ନିଜକୁ ସମ୍ଭାଳି ନେଇ ମାପିଚୁପି ବୟାନ ରଖିଛନ୍ତି। ସେ କେବେ ବି ଦଳ ବିରୋଧୀ କାମ କରିବେ ନାହିଁ। ବରଂ, ଚଳିତ ନିର୍ବାଚନରେ ତାଙ୍କୁ ଯେଉଁ ଦାୟିତ୍ବ ଦିଆଯିବ, ତାକୁ ସୁଚାରରୂପେ ନିର୍ବାହ କରିବେ। ଯଦି ଶୀର୍ଷ ନେତୃତ୍ବ ଚାହାନ୍ତି, ତେବେ ମୟୂରଭଞ୍ଜ ସ‌ମେତ ରାଜ୍ୟ ସାରା‌ ବୁଲି ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ ବୋଲି କହିଛନ୍ତି ବି‌ଶ୍ବେଶ୍ବର। ଅନ୍ୟପକ୍ଷରେ ବୁଢ଼ାନ କିନ୍ତୁ ଟିକେଟ୍‌ କଟିବା ପରେ ଦଳ ନିଷ୍ପତ୍ତି ବିରୋଧରେ ଖୋଲାଖୋଲି ବିଦ୍ରୋହ କରିଛନ୍ତି। ଯେଉଁ ଦଳ ପାଇଁ ନିଷ୍ଠାର ସହ କାମ କଲି, ସେହି ଦଳ ପଛରୁ ଛୁରି ମାରିଲା। ବିଜେଡିର ଆମଦାନୀ ନେତାଙ୍କ ପାଇଁ ମୋ ଟିକେଟ୍‌ କାଟିଦେଲେ। ଏ ନେଇ କେନ୍ଦ୍ର ନେତୃତ୍ବଙ୍କୁ ଚିଠି ଲେଖି ଉତ୍ତର ମାଗିବି ବୋଲି କହିଛନ୍ତି ବୁଢ଼ାନ।

ସମ୍ବନ୍ଧିତ ଖବର