ସମ୍ବଲପୁର ଜିଲ୍ଲାରେ ଏଡ୍‌ସ ନେଲାଣି ୪୬୧ ଜୀବନ, ୩୬୨୪ ଏଚ୍ଆଇଭି ଆକ୍ରାନ୍ତ

ସମ୍ବଲପୁର : ସଚେତନତା ସୃଷ୍ଟି ପାଇଁ ବ୍ୟାପକ ପଦକ୍ଷେପ ନିଆଯିବା ସତ୍ତ୍ବେ ଏଡ୍‌ସ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ସମ୍ବଲପୁର ଜିଲ୍ଲାରେ  ୪୬୧ ଜଣ ଏଡ୍‌ସ ରୋଗୀଙ୍କ ମୃତ୍ୟୁ ଘଟିଛି।

ଅସୁରକ୍ଷିତ ଯୌନ ସଂପର୍କ ଯୋଗୁ ରାଜ୍ୟରେ ଏଡ୍‌ସ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଅସୁରକ୍ଷିତ ଯୌନ ସଂପର୍କ ଯୋଗୁ ପ୍ରାୟତଃ ଏଭଳି ଘଟୁଥିବା ବେଳେ ସମଲିଂଗୀ ଯୌନ ସଂପର୍କ ଏଚ୍‌ଆଇଭି ସଂକ୍ରମଣର ଏକ ପ୍ରମୁଖ କାରଣ ବୋଲି କୁହାଯାଇଛି। ଓଡ଼ିଶା ଏଡ୍‌ସ ନିୟନ୍ତ୍ରଣ ସୋସାଇଟି ଏହି ରୋଗରେ ଆକ୍ରାନ୍ତ ଲୋକଙ୍କ ଚିହ୍ନଟ ସହ ସେମାନଙ୍କ ଆବଶ୍ୟକ ସହୟତା ଯୋଗାଇବା ନିମନ୍ତେ ରାଜ୍ୟର ବିଭିନ୍ନ ସ୍ଥାନରେ ସମନ୍ୱିତ ପରାମର୍ଶ ଓ ପରୀକ୍ଷା କେନ୍ଦ୍ର(ଆଇସିଟିସି) ଖୋଲାଯାଇଛି। ରକ୍ତ ପରୀକ୍ଷା ପରେ ଏଚ୍‌ଆଇଭିରେ ଆକ୍ରାନ୍ତ ହୋଇଥିଲହେଁ  ଆବଶ୍ୟକ ଚିକିତ୍ସା ଓ ପରାମର୍ଶ ଯୋଗାଇ ଦିଆଯାଉଛି।  ସମ୍ବଲପୁର ଜିଲ୍ଲାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମେତ ବୁର୍ଲା, ରେଢ଼ାଖୋଲ, କୁଚିଣ୍ଡା ଓ ଲଇଡ଼ାରେ ଆଇସିଟିସିର ଶାଖା ରହିଛି। ସମ୍ବଲପୁର ସଦର ଡାକ୍ତରଖାନା କେନ୍ଦ୍ରରେ ୨୦୦୨ ମସିହାରୁ ରକ୍ତ ନମୂନା ପରୀକ୍ଷା ଆାରମ୍ଭ ହୋଇଛି। ଏହି ବର୍ଷ କିନ୍ତୁ ଜଣେ ବି ଏଚ୍‌ଆଇଭି ସଂକ୍ରମିତ ନଥିବା ରକ୍ତ ନମୂନା ପରୀକ୍ଷାରୁ ଜଣାପଡ଼ିଥିଲା। ୨୦୧୩ ମସିହାରେ ଏଚ୍‌ଆଇଭିରେ ସମ୍ବଲପୁର କେନ୍ଦ୍ରରୁ ୫୬ ଜଣ, ରେଢ଼ାଖୋଲ କେନ୍ଦ୍ରରୁ ୩୬ ଜଣ, କୁଚିଣ୍ଡାରୁ ୨ଜଣ ଓ ଲଇଡ଼ା କେନ୍ଦ୍ରରୁ ଜଣେ ଏଚ୍‌ଆଇଭି ଆାକ୍ରାନ୍ତ ଚିହ୍ନଟ ହୋଇଥିଲେ। ବୁର୍ଲା ଡାକ୍ତରଖାନାର ଦୁଇଟି କେନ୍ଦ୍ରରୁ ଯଥାକ୍ରମେ ୧୧୦୮ ଓ ୭୭ ଜଣ ଚିହ୍ନଟ ହୋଇଥିଲେ। ୨୦୧୩ ଅକେ୍ଟାବର ମାସ ସୁଦ୍ଧା ଜିଲ୍ଲାରେ ସର୍ବମୋଟ ୧୫୮୨ ଜଣ,  ୨୦୧୪ରେ ୧୮୯୭ ଜଣ, ୨୦୧୫ରେ  ୨୧୫୨ ଜଣ ଓ  ୨୦୧୬ରେ ୨୩୭୧ ଜଣ  ଏଚ୍‌ଆଇଭିରେ ଆକ୍ରାନ୍ତ ହୋଇଥିବା ବେଳେ ଅକ୍ଟୋବର ୨୦୧୭ ସୁଦ୍ଧା  ଏହି ସଂଖ୍ୟା ବୃଦ୍ଧି ପାଇ ୨୬୧୬ରେ ପହଂଚିଥିଲା। ତେବେ, ଅକ୍ଟୋବର ୨୦୨୧ ସୁଦ୍ଧା ସମ୍ବଲପୁର ଜିଲ୍ଲାର ଏସବୁ କେନ୍ଦ୍ରରୁ ସର୍ବମୋଟ ୩୬୨୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଏଥିରୁ ସମ୍ବଲପୁର କେନ୍ଦ୍ରରେ ୮୩୪ ଜଣ, ବୁର୍ଲା ମେଡ଼ିକାଲରେ ଦୁଇଟି କେନ୍ଦ୍ରରେ ଯଥାକ୍ରମେ ୨୦୯୪ ଓ ୫୭୨ ଜଣ, ରେଢ଼ଖୋଲ କେନ୍ଦ୍ରରେ ୧୧୦ ଜଣ, କୁଚିଣ୍ଡା କେନ୍ଦ୍ରରେ ୮ ଜଣ ଓ ଲଇଡ଼ା କେନ୍ଦ୍ରରେ ୬ ଜଣ ଏଚ୍‌ଆଇଭି ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ସର୍ବମୋଟ ୨୩୬ ଜଣ ଉଭୟ ଏଚ୍‌ଆଇଭି ଓ ଯକ୍ଷ୍ମାରେ ଆକ୍ରାନ୍ତ ହୋଇଥିବା ରକ୍ତ ନମୁନା ପରୀକ୍ଷାରେ ଜଣାପଡ଼ିଛି। ସମ୍ବଲପୁର କେନ୍ଦ୍ରରେ ଚିହ୍ନଟ ହୋଇଥିବା ରୋଗୀଙ୍କ ମଧ୍ୟରୁ ୮୯ ଜଣଙ୍କ ମୃତ୍ୟୁ ଘଟିଛି। ସେହିପରି ବୁର୍ଲା ଭିଏସ୍ଏସ୍‌ ମେଡିକାଲ କଲେଜର ଗୋଟିଏ କେନ୍ଦ୍ର(ମାଇକେ୍ରାବାଇଲୋଜି ବିଭାଗ)ରୁ ଚିହ୍ନଟ ହୋଇଥିବା ସର୍ବାଧିକ ୩୩୩ ଜଣ ଏବଂ ଅନ୍ୟଟି(ସ୍ତ୍ରୀ ରୋଗ ଓ ପ୍ରସୂତି ବିଭାଗ କେନ୍ଦ୍ର)ରୁ ୨୧ ଜଣ ରୋଗୀଙ୍କ ମୃତ୍ୟୁ ଘଟିଲାଣି। ସେହିପରି ରେଢ଼ାଖୋଲ କେନ୍ଦ୍ରରୁ ଚିହ୍ନଟଙ୍କ ମଧ୍ୟରୁ ୧୫ ଜଣ, କୁଚିଣ୍ଡାରୁ ଚିହ୍ନଟଙ୍କ ମଧ୍ୟରୁ ୩ ଜଣଙ୍କ ଜୀବନ ହାନି ହେଲାଣି। ଗତ ୨୦୧୭ ମସିହା ସୁଦ୍ଧା ସମ୍ବଲପୁର ଜିଲ୍ଲାରେ ମୃତ୍ୟୁ ସଂଖ୍ୟା ୪୩୬ରେ ସୀମିତ ଥିବା ବେଳେ ଗତ ୪ ବର୍ଷ ମଧ୍ୟରେ ଆହୁରି ୨୭ ଜଣଙ୍କ ମୃତ୍ୟୁ ଘଟିଛି। ଏଚ୍‌ଆଇଭି/ଏଡ୍‌ସ ରୋଗୀଙ୍କୁ ସରକାରଙ୍କ ପକ୍ଷରୁ ମାଗଣା ଚିକିତ୍ସା ସହ ଚାଉଳ, ମଧୁବାବୁ ପେନ୍‌ସନ୍‌ ଯୋଜନାରେ ଭତ୍ତା ଟଙ୍କା  ସହିତ ଅନ୍ୟାନ୍ୟ ସୁବିଧା ଯୋଗାଇ ଦେଉଛନ୍ତି। ମାତ୍ର ସବୁ ରୋଗୀଙ୍କୁ ଏହି ସୁବିଧା ମିଳିପାରୁ ନାହିଁ। ବହୁ ରୋଗୀ ଲୋକଲଜ୍ଜା ଭୟରେ ଏସବୁ ଯୋଜନାର ଫାଇଦା ନନେଇ ଘୋର ଅସୁବିଧା ମଧ୍ୟରେ କାଳାତିପାତ କରୁଛନ୍ତି। ସାମାଜିକ କଟକଣା ଯୋଗୁ ବହୁ ରୋଗୀଙ୍କ ଜୀବନ ଦୁର୍ବିସହ ହୋଇପଡ଼ିଛି।

ସମ୍ବନ୍ଧିତ ଖବର